ମହାନଦୀ ଜଳ ବିବାଦରେ ରାଜ୍ୟ ସରକାରଙ୍କ ନୀରବତାକୁ ନେଇ ଚିନ୍ତା ବ୍ୟକ୍ତ କଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

dpjiଓଡିଶା ଓ ଛତିଶଗଡର ମୁଖ୍ୟ ଶାସନ ସଚିବଙ୍କ ମଧ୍ୟରେ କେନ୍ଦ୍ର ଜଳ ସମ୍ପଦ ସଚିବଙ୍କ ମଧ୍ୟସ୍ଥତାରେ ଅନୁଷ୍ଠିତ ବୈଠକର ୧୪ ଦିନ ବିତି ସାରିଲା ପରେ ମଧ୍ୟ ଓଡିଶା ସରକାରଙ୍କର ନୀରବତାକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ନୂଆଦିଲ୍ଲୀ ଠାରେ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ସୂଚନା ଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ବିଜେଡିର ରାଜନୈତିକ ପ୍ରତିନିଧି ମାନେ ଛତିଶଗଡକୁ ମହାନଦୀ ଜଳ ସମସ୍ୟା ସମ୍ବନ୍ଧରେ ଅନୁଧ୍ୟାନ କରିବାକୁ ଯାଇ ଥିଲେ। ମାତ୍ର ଓଡିଶାର ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଜଳ ସମ୍ପଦ ବିଭାଗର ବରିଷ୍ଠ ଅଧିକାରୀ ମାନେ ସମସ୍ୟା ଠାରୁ ମୁହଁ ଲୁଚାଇବା ଚିନ୍ତାର ବିଷୟ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଜାତନ୍ତ୍ରରେ ଭିନ୍ନ ମତ ରାଜନୈତିକ ଦୃଷ୍ଟିକୋଣ ତା ବାଟରେ ମହତ୍ୱ ରଖି ପାରେ। ମାତ୍ର ଓଡିଶାର ସ୍ୱାର୍ଥ ଦୃଷ୍ଟିରୁ ଓଡିଶା ସରକାର ନିଜର ପ୍ରଶାସନିକ ଦାୟିତ୍ୱକୁ କାହିଁକି ନିର୍ବାହ କରୁ ନାହାନ୍ତି ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି।

ସେ କହିଛନ୍ତି ଯେ ଓଡିଶା ମହାନଦୀର ତଳମୁଣ୍ଡରେ ଥିବା କାରଣରୁ ଓଡିଶାର ସ୍ୱାର୍ଥ ରକ୍ଷା ପାଇଁ ତ୍ୱରିତ ପ୍ରଶାସନିକ ପଦକ୍ଷେପ ନେବା ଜରୁରୀ। ଗତ ୨୯ ତାରିଖରେ ମୁଖ୍ୟ ଶାସନ ସଚିବ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ଅନୁମତି ନ ଥିବା କାରଣରୁ ଛତିଶଗଡ ସହ କଥାବାର୍ତା ବେଳେ ଯୁଗ୍ମ ନିୟନ୍ତ୍ରଣ ବୋର୍ଡ ଗଠନ ସମ୍ପର୍କରେ ନିଷ୍ପତି ଜଣାଇ ପାରି ନ ଥିଲୋ ଇତି ମଧ୍ୟରେ ଦୀର୍ଘ ୧୪ ଦିନ ବିତି ଯାଇଥିଲେ ମଧ୍ୟ ରାଜ୍ୟ ସରକାର ନିଷ୍ପତି ନେବାରେ କଣ ସମସ୍ୟା ରହିଛି ବୋଲି ସେ ପ୍ରଶ୍ନ କରିଛନ୍ତି।

ବର୍ଷା ଦିନେ ହୀରାକୁଦ ଜଳ ଭଣ୍ଡାର ପରି ଆଉ ତିନୋଟି ଜଳଭଣ୍ଡାର ପାଣି ଭର୍ତି ହେବାର ତଥ୍ୟ ରଖା ଯାଉଥିବା ବେଳେ ଅଣ ମୌସୁମୀ ସମୟରେ ଓଡିଶାକୁ ମହାନଦୀର ଜଳ ପ୍ରବାହ ନେଇ ଯେଉଁ ଆଶଙ୍କା ତିଆରି ହୋଇଛି ଓଡିଶାର ସ୍ୱାର୍ଥ ଦୃଷ୍ଟିରୁ ରାଜ୍ୟ ସରକାର ତୁରନ୍ତ ତତ୍ପର ହେବା ଜରୁରୀ ବୋଲି ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି।

Share in top social networks!