ଦେଶରେ ଜୈବ ଇନ୍ଧନ କ୍ଷେତ୍ରରେ ବୃଦ୍ଧି ପାଇଁ ବ୍ୟାପକ ସମ୍ଭାବନା – ଧର୍ମେନ୍ଦ୍ର ପ୍ରଧାନ

dpji– ବିଦେଶରୁ ଆମଦାନୀ ହେଉଥିବା ଅଶୋଧିତ ତୈଳ ଉପରେ ନିର୍ଭରତା କମ ହେବ
– ଆଗାମୀ ଦଶ ବର୍ଷରେ ଏହି କ୍ଷେତ୍ରରେ ବ୍ୟବସାୟ ପହଂଚିବ ଏକ ଲକ୍ଷ କୋଟି ଟଙ୍କାରେ
ଦେଶରେ ଜୈବ ଇନ୍ଧନ କ୍ଷେତ୍ରରେ ଓ ଏ ସମ୍ପର୍କିତ ବ୍ୟବସାୟରେ ଅପାର ସମ୍ଭାବନା ରହିଛି ବୋଲି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ବର୍ତମାନ ଜୈବ ଇନ୍ଧନର ବ୍ୟବସାୟ ୬୫୦୦ କୋଟି ଟଙ୍କା ରହିଥିବା ବେଳେ ଆଗାମୀ ଦଶ ବର୍ଷ ମଧ୍ୟରେ ଏହା ଏକ ଲକ୍ଷ କୋଟି ଟଙ୍କା ପହଂଚିବାର ସମ୍ଭାବନା ରହିଛି ବୋଲି ଶ୍ରୀ ପ୍ରଧାନ ପ୍ରକାଶ କରିଛନ୍ତି। ନୂଆଦିଲ୍ଲୀ ଠାରେ ବିଶ୍ୱ ଜୈବ ଇନ୍ଧନ ଦିବସ ଉପଲକ୍ଷେ ଆୟୋଜିତ ଏକ ଜାତୀୟ ସମ୍ମିଳନୀରେ ଉଦବୋଧନ ଦେଇ ଶ୍ରୀ ପ୍ରଧାନ ଏହା କହିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୨୨ ସୁଦ୍ଧା ଅଶୋଧିତ ତୈଳ ବିଦେଶରୁ ଆମଦାନୀକୁ ୧୦ ପ୍ରତିଶତ ହ୍ରାସ କରିବା ପାଇଁ ଲକ୍ଷ୍ୟ ପ୍ରଦାନ କରିଛନ୍ତି। ଏହି ଲକ୍ଷ୍ୟ ହାସଲ କରିବା ଦିଗରେ ଜୈବ ଇନ୍ଧନର ଗୁରୁତ୍ୱପୂର୍ଣ ଭୂମିକା ରହିବ ବୋଲି ଶ୍ରୀ ପ୍ରଧାନ ପ୍ରକାଶ କରିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି ଯେ ଜୈବ ଇନ୍ଧନର ବ୍ୟବହାର ବଢାଇବା ଦ୍ୱାରା ବିଦେଶରୁ ଆମଦାନୀ ହେଉଥିବା
ଅଶୋଧିତ ତୈଳ ଉପରେ ନିର୍ଭରତାକୁ କମ କରାଯାଇ ପାରିବ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଦେଶରେ ଶକ୍ତିର ଆବଶ୍ୟକତା ଦିନକୁ ଦିନ ଦୃତ ଗତିରେ ବଢୁଛି। ଜୈବ ଇନ୍ଧନ କାର୍ଯ୍ୟକ୍ରମ ଫଳରେ ଦେଶର କୃଷକ ମାନଙ୍କୁ ଲାଭ ମିଳିବା ସହିତ ପରିବେଶ ସମ୍ପର୍କିତ ଚିନ୍ତାର ସମାଧାନ ହୋଇ ପାରିବ। ଏହା ସହିତ ଅଶୋଧିତ ତୈଳର ଆମଦାନୀ ଉପରେ ନିର୍ଭରତା କମିବା ସହିତ ଦେଶର ବିଦେଶୀ ମୁଦ୍ରା ସଂଚୟ ଦିଗରେ ମଧ୍ୟ ସହାୟକ ହେବ ବୋଲି ଶ୍ରୀ ପ୍ରଧାନ ପ୍ରକାଶ କରିଛନ୍ତି।

ଗତ ଦୁଇ ବର୍ଷ ମଧ୍ୟରେ ଇଥାନୋଲ ବ୍ଲେଂଡିଂ କାର୍ଯ୍ୟକ୍ରମ ପାଇଁ ଅନେକ କାମ ହୋଇଛି ତଥା ଜୈବ ବର୍ଜ୍ୟରୁ ଶକ୍ତି ଉତ୍ପାଦନ ଦିଗରେ ମଧ୍ୟ କାମ ହୋଇଛି। ତେବେ ଏ ଦିଗରେ ଅଧିକ ଦୃତ ଗତିରେ କାମ କରାଯିବାର ଆବଶ୍ୟକତା ରହିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତିା ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଶକ୍ତି ଓ କୋଇଲା ରାଷ୍ଟ୍ର ମନ୍ତ୍ରୀ (ସ୍ୱାଧୀନ) ପିୟୁଷ ଗୋୟଲ ମଧ୍ୟ ଉଦବୋଧନ ଦେଇଥିଲେ।

Share in top social networks!
Powered By Indic IME