ଅଣ ମୌସୁମୀ ସମୟରେ ମହାନଦୀର ଅବାରିତ ଧାରା ଯେପରି ପ୍ରବାହିତ ହେବ ସେ ନେଇ ବିଜେପି ସଂକଳ୍ପବଦ୍ଧ

samirମହାନଦୀ ଓଡିଶାର ଜୀବନରେଖା। ଅଧେ ଓଡିଶାର ଜୀବନ ଜୀବିକା ସହିତ ମହାନଦୀର ସମ୍ପର୍କ ନିବିଡ। ମହାନଦୀରେ ଅବାରିତ ପାଣିର ପ୍ରବାହକୁ ସୁନିଶ୍ଚିତ କରିବା ଅତ୍ୟନ୍ତ ଜରୁରୀ। ମାତ୍ର ରାଜ୍ୟ ସରକାର ନିଜର ସ୍ଥାଣୁତା ଓ ଅପାରଗତାକୁ ଲୁଚାଇବାକୁ ଯାଇ ଛତିଶଗଡରେ ମହାନଦୀ ଉପରେ ବନ୍ଧ ନିର୍ମାଣ ପରିପ୍ରେକ୍ଷୀରେ ଆଲୋଚନା, ଆଇନଗତ ପଦକ୍ଷେପ ଓ ସାମ୍ବିଧାନିକ ବ୍ୟବସ୍ଥାର ଉପଯୋଗ ନ କରି ଅଯଥା ରାଜନୀତି ଜାଣିଶୁଣି ଓଡିଶାକୁ ପାଣି ସମସ୍ୟାକୁ ଅଧିକ ବିତର୍କିତ କରି ସମସ୍ୟା ସମାଧାନରୁ ନିଜକୁ ଦୂରଉଛି ବୋଲି ବିଜେପି ତରଫରୁ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି, ମୂଖପାତ୍ର ସଜ୍ଜନ ଶର୍ମା ଓ ଗୋଲକ ମହାପାତ୍ର ଅଭିଯୋଗ କରିଛନ୍ତି।
ବିଜେପି ତରଫରୁ କୁହାଯାଇଛି ଯେ ବର୍ଷା ଦିନ ଛଡା ଅଣ ବର୍ଷାଦିନେ ହୀରାକୁଦକୁ ପାଣି ପ୍ରବାହ ଯେପରି ପୂର୍ବ ବର୍ଷ ମାନଙ୍କ ତୁଳନାରେ ପ୍ରଭାବିତ ହେବ ନାହିଁ ସେଥି ପାଇଁ ଦଳ ପ୍ରତିଶ୍ରୁତିବଦ୍ଧ।
ବିଜେପି ତରଫରୁ କୁହାଯାଇଛି ଯେ ଦୀର୍ଘ ୧୬ ବର୍ଷ ଧରି ନିରନ୍ତର ଭାବରେ ଓଡିଶାର ଜନସାଧାରଣ ନବୀନ ପଟ୍ଟନାୟକଙ୍କ ଉପରେ ଗଭୀର ଆସ୍ଥା ସ୍ଥାପନ କରି ଓଡିଶାର ସ୍ୱାର୍ଥ ସୁରକ୍ଷାର ଦାୟିତ୍ୱ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନିଜେ ନିଜ ହାତରେ ଜଳ ସମ୍ପଦ ବିଭାଗର ଦାୟିତ୍ୱ ରଖି ଆସିଛନ୍ତି। ତେଣୁ ବିଜେଡି ସରକାର ବିଶେଷ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକଙ୍କ ପାଖରେ ଉତରଦାୟୀ ନ ହେବା ଗଭୀର ଚିନ୍ତାର ବିଷୟ ବୋଲି ବିଜେପି ତରଫରୁ କୁହାଯାଇଛି।
ବିଜେପି ତରଫରୁ କୁହାଯାଇଛି ଯେ ବିଜେଡି ଦଳ ଓ ସରକାରର ତର୍କ ଯେହେତୁ ଛତିଶଗଡର ବୃହତ ଜଳସେଚନ ପ୍ରକଳ୍ପ କେଲୋ ର ସୂଚନା ଓଡିଶା ସରକାରଙ୍କୁ ଦିଆଯାଇ ନ ଥିଲା ତେଣୁ ଓଡିଶା ସରକାରଙ୍କୁ ଜାଣିବାର ଅବକାଶ ନ ଥିଲା। ତେଣୁ ରାଜ୍ୟ ସରକାର ପ୍ରତିବାଦ କରି ପାରି ନ ଥିଲେ।
ବିଜେପି କହିଛି ଯେ ବାରମ୍ବାର ଦଳ ଓଡିଶା ସରକାରଙ୍କ ଜ୍ଞାତ ସାରରେ କେଲୋ ପ୍ରକଳ୍ପ ଥିବାର ତଥ୍ୟ ପ୍ରମାଣ ଉପସ୍ଥାପିତ କରି ଆସିଛି। ଯେଉଁ ତଥ୍ୟକୁ ସରକାରଙ୍କ ତରଫରୁ ମତାମତ ଦିଆ ନ ଯାଇ ଦଳ ଏହାକୁ ଜାଲ ଦସ୍ତାବେଜ ବୋଲି କହି ଆସିଛି।
ବିଜେପି ତରଫରୁ ବିଜେଡିକୁ ପୁଣି ପ୍ରଶ୍ନ କରାଯାଇଛି ଯେ ୨୪.୦୭.୨୦୦୮ ମସିହାରେ ରାଜ୍ୟ ସଚିବାଳୟରେ ଓ ରାଜୀବ ଭବନରେ ଓଡିଶା ସରକାରଙ୍କର ଜଳ ସମ୍ପଦ ବିଭାଗ ସଚିବ ଓ ଇଂଜିନିୟର ଇନ ଚିଫ ହରିଶ୍ଚନ୍ଦ୍ର ବେହେରାଙ୍କ ମଧ୍ୟରେ କେଲୋ ପ୍ରକଳ୍ପର ଏନଓସି ନେଇ ବୈଠକ ହୋଇଥିବା ଗଣମାଧ୍ୟମରେ ଚର୍ଚିତ ହୋଉଛି। ଏହି ପରିପ୍ରେକ୍ଷୀରେ ଏହି ତାରିଖର ସଚିବାଳୟ ଓ ରାଜୀବ ଭବନରେ କେଲା ପ୍ରକଳ୍ପ ନେଇ ବୈଠକ ସଂକ୍ରାନ୍ତରେ ବିଜେଡି ନୁହେଁ ରାଜ୍ୟ ସରକାର ସ୍ପଷ୍ଟୀକରଣ ରଖନ୍ତୁ ବୋଲି ବିଜେପି ଦାବି କରିଛି। ଯେହେତୁ ମୁଖ୍ୟ ଶାସନ ସଚିବ, ଜଳ ସେଚନ ସଚିବ ରାଜ୍ୟ ସରକାରଙ୍କ ଚାପରେ ଓଡିଶାକୁ କେଲୋ ପ୍ରକଳ୍ପ ସଂକ୍ରାନ୍ତରେ କୌଣସି ସୂଚନା ଆସି ନ ଥିବା ଘୋଷଣା କରି ସାରିଛନ୍ତି ଉଭୟ ବରିଷ୍ଠ ଅଧିକାରୀଙ୍କ ଭୂମିକା ନେଇ ବିଜେପି ସନେ୍ଦହ ପ୍ରକାଶ କରିଛି।

ଏହା ସହ ଓଡିଶା ବିଧାନସଭାରେ ଚଳିତ ବର୍ଷ ମଇ ୨ତାରିଖରେ ରାଜ୍ୟ ଜଳ ସମ୍ପଦ ମନ୍ତ୍ରୀ ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ମହାନଦୀର ହୀରାକୁଦ ଜଳ ଭଣ୍ଡାରର ଉପର ମୁଣ୍ଡରେ କେଉଁ ଠାରେ ଛତିଶଗଡ ସରକାରଙ୍କ ଦ୍ୱାରା ଜଳଭଣ୍ଡାର ନିର୍ମାଣ ହେଉଛି ଓ ମହାନଦୀ ଜଳ ପରିଚାଳନା ଓ ବନ୍ୟା ନିୟନ୍ତ୍ରଣ ପାଇଁ ଛତିଶଗଡ ସରକାରଙ୍କ ସହ ସମନ୍ୱୟ’ସମ୍ପର୍କିତ ପ୍ରଶ୍ନର ଉତରରେ ଛତିଶଗଡରେ ନିର୍ମାଣାଧୀନ କେଲୋ ଓ ଅନ୍ୟାନ୍ୟ ପ୍ରକଳ୍ପ ସମ୍ପର୍କରେ ଲିଖିତ ଭାବେ ଗୃହରେ ତଥ୍ୟ ଉପସ୍ଥାପନ କରିଛନ୍ତି। କିନ୍ତୁ ଅପର ପକ୍ଷରେ ବିଧାନସଭା ବାହାରେ ଏହି ପ୍ରକଳ୍ପ ନେଇ ରାଜ୍ୟ ସରକାରଙ୍କ ନିକଟରେ ସୂଚନା ନ ଥିଲା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ତେଣୁ ମୁଖ୍ୟମନ୍ତ୍ରୀଙ୍କୁ ମିଥ୍ୟା ତଥ୍ୟର ସୌଦାଗର ଛଡା କଣ କୁହାଯାଇ ପାରେ ବୋଲି ବିଜେପି ପ୍ରଶ୍ନ କରିଛି।
ରାଜ୍ୟ ସରକାର ସବୁ ତଥ୍ୟ ଜାଣିଥିବା ଏହି ଉତରରୁ ସ୍ପଷ୍ଟ। ରାଜ୍ୟ ସରକାର ନିଜ ଦୋଷକୁ ଘୋଡାଇବାକୁ ଯାଇ ମିଛ ରାଜନୈତିକ ନାଟକବାଜୀ କରୁଥିବା ବିଜେପି ପୁଣି ଅଭିଯୋଗ କରିଛି।
ମହାନଦୀ ଓଡିଶାର ଜୀବନ ରେଖା। ମହାନଦୀ ପାଣି ବିନା ଓଡିଶାର ଜନଜୀବନ ଓ ଜୀବନଜୀବିକା ପ୍ରଭାବିତ ହେବାର ସମ୍ଭାବନା ଥିବାରୁ ରାଜନୈତିକ ନାଟକବାଜିରୁ ବାହାରି କଥାବାର୍ତା, ଆଇନଗତ ଓ ସାମ୍ବିଧାନିକ ନୀତି ନିୟମ ଅନୁସାରେ ରାଜ୍ୟ ସରକାରଙ୍କ ଦାୟିତ୍ୱକୁ ପାଳନ କରିବାକୁ ବିଜେପି ପରାମର୍ଶ ଦେଇଛି।
ବିଜେପି ସାଢେ ଚାରି କୋଟି ଓଡିଆଙ୍କ ସ୍ୱାର୍ଥର ଲଢେଇରେ ସାମିଲ ରହିବ। ବର୍ଷା ଦିନ ପରେ ଅଣ ମୌସୁମୀ ସମୟରେ ମହାନଦୀର ଅବାରିତ ଧାରା ଯେପରି ମହାନଦୀରେ ଓଡିଶାକୁ ପ୍ରବାହିତ ହେବ ସେ ନେଇ ବିଜେପି ସଂକଳ୍ପବଦ୍ଧ ବୋଲି ପାର୍ଟୀ ସ୍ପଷ୍ଟ କରିଛି।

Share in top social networks!