ଓଡିଆଭାଷାରେ ଓଡିଶା ଶାସନକୁ ମନ୍ତ୍ରୀସଭାର ମୋହର

cmcabinet ସମସ୍ତ ଆଶା ଓ ଆଶଙ୍କାକୁ ଦୂରୀଭୂତ କରି ଓଡିଆଭାଷାରେ ଓଡିଶା ଶାସନପାଇଁ ବାଟ ଫିଟିଲା। ଓଡିଶା ସରକାର ଓ ଓଡିଆଭାଷା ସଂଗ୍ରାମ ସମିତିର ସମ୍ପାଦିତ ଚୁକ୍ତି ଅନୁଯାୟୀ ଗଠିତ ମନ୍ତ୍ରୀସ୍ତରୀୟ କମିଟିର ଚୂଡାନ୍ତ ନିଷ୍ପତ୍ତି ବଳରେଜାରି ହୋଇଥିବା ଏ ସମ୍ପର୍କୀତ ଅଧ୍ୟାଦେଶକୁ ଆଜି ରାଜ୍ୟ ସରକାରଙ୍କ କ୍ୟାବିନେଟ ମନ୍ତ୍ରୀମଣ୍ଡଳ ଅନୁମୋଦନ ଲାଭ କରିବା ଫଳରେ ପୂର୍ବ ନିର୍ଦ୍ଧାରିତ ଘୋଷଣା ଅନୁଯାୟୀ ଆସନ୍ତା ଅଗଷ୍ଟ ୧୫ ତାରିଖଠାରୁ ଓଡିଆରେ ଶାସନ କରିବା ବାଧ୍ୟତାମୂଳକ ହୋଇଯିବ। ପ୍ରକାଶଥାଉକି ଏଥିପାଇଁ ରାଜ୍ୟସର ମୂଳ ଓଡିଶା ସରକାରୀ ଭାଷା ଆଇନ ୧୯୫୪ରେ ସାମାନ୍ୟ ସଂଶୋଧନ ଆଣିଛନ୍ତି। ଯଦି ଓ ଏହି ସଂଶୋଧନ ଗତ ମଇମାସ ୨୧ତାରିଖରେ ଅଧ୍ୟାଦେଶ ବଳରେ ଆସିଥିଲା, ମାତ୍ର ସରକାରି କଳକୁ ଏଥିନିମନ୍ତେ ପ୍ରସ୍ତୁତ କରିବାପାଇଁ ସମୟ ସାପେକ୍ଷ ଥିବାରୁ ଏହାକୁ ଚୂଡାନ୍ତ ରୂପ ଦେବାପାଇଁ କ୍ୟାବିନେଟ ମଞ୍ଜୁରୀ ପରେ ବିଧିବଦ୍ଧ କାର୍ଯ୍ୟକାରି କରାଯିବ।
ଓଡିଆଭାଷାରେ ଓଡିଆ ଶାସନପାଇଁ ଗୃହୀତ ନିଷ୍ପତ୍ତି ଓ କାର୍ଯ୍ୟାନ୍ୱୟନ ସମ୍ପର୍କୀତ ଏକ ଖବରଦାତା ସମ୍ମିଳନୀ ଓଡିଆ ଭାଷା ସଂଗ୍ରାମ ସମିତି ପକ୍ଷରୁ ଆଜି ଏଥିପାଇଁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେବା ସହିତ ପ୍ରଥମରୁ ଦଶମ ପର୍ଯ୍ୟନ୍ତ ଓଡିଶାର ସମସ୍ତ ସରକାରି ଓ ବେସରକାରୀ ବିଦ୍ୟାଳୟରେ ଓଡିଆଭାଷା ଏକ ବାଧ୍ୟତାମୂଳକ ବିଷୟ ଭାବରେ ଗ୍ରହଣ କରାଯିବାପାଇଁ ହୋଇଥିବା ନିଷ୍ପତ୍ତି, ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ନିଯୁକ୍ତ ଶିକ୍ଷକମାନଙ୍କ ଭାଷା ସମ୍ପର୍କୀତ ଗୁଣାତ୍ମକ ଶୈକ୍ଷିକ ବିକାଶପାଇଁ ବୈଷୟିକ ତାଲିମ ସହିତ ଷଷ୍ଠରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଓଡିଆଭାଷା ଶିକ୍ଷକ ନିଯୁକ୍ତି କରିବା,ଓଡିଆରେ ଶାସନର ମୌଳିକ ସମସ୍ୟା ଦୂରପାଇଁ ରାଜ୍ୟର ସମସ୍ତ ନିଯୁକ୍ତିଭିତ୍ତିକ ପରୀକ୍ଷା ଓ ତାଲିମ କାର୍ଯ୍ୟକ୍ରମ ଓଡିଆଭାଷାରେ କରାଯିବା, ଓଡିଆ ଭାଷାକୁ କେବଳ ଶାସନ ଓ ପ୍ରଶାସନର ଭାଷା ନୁହେଁ, ରୋଜଗାର ଓ ଜ୍ଞାନବିଜ୍ଞାନର ଭାଷା ଭାବରେ ପ୍ରତିଷ୍ଠିତ କରିବାପାଇଁ ଓଡିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠାକାର୍ଯ୍ୟକୁ ତ୍ୱରାନ୍ୱିତ କରିବା, ମଡେଲ ସ୍କୁଲ ଶିକ୍ଷା ମାଧ୍ୟମ ଓଡିଆରେ କରିବା ନିଷ୍ପତ୍ତି ଖୁବଶୀଘ୍ର କାର୍ଯ୍ୟକାରି କରିବାକୁ ଦାବି କରାଯାଇଛି। ବିଶେଷକରି ଓଡିଆରେ ଶାସନ କାର୍ଯ୍ୟକୁ କ୍ରିୟାଶୀଳ କରିବାପାଇଁ ମନ୍ତ୍ରୀସ୍ତରୀୟ କମିଟିର ଅନୁରୋଧକ୍ରମେ ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକଙ୍କଦ୍ୱାରା ଦିଆଯାଇଥିବା ଭାଷାନୀତିକୁ ଯଥାଶୀଘ୍ର କାର୍ଯ୍ୟକାରୀ କରିବା ଏବଂ ଓଡିଆଭାଷା ସଂଗ୍ରାମ ସମିତିର ପରାମର୍ଶକ୍ରମେ ସରକାର ନିଷ୍ପତ୍ତି ନେଇଥିବା ଭାଷା ନିଦେ୍ର୍ଦଶାଳୟ ଗଠନ ପ୍ରକ୍ରିୟା ଶୀଘ୍ର ସାରିବାକୁ ରାଜ୍ୟ ସରକାରଙ୍କୁ ପରାମର୍ଶ ଦିଆଯାଇଥିଲା। ଅନ୍ୟପକ୍ଷରେ ୬୦ବର୍ଷ ଧରି ଅଚଳ ଭାଷାଆଇନକୁ ସଚଳ କରିବାରେ ରାଜ୍ୟ ପ୍ରଶାସନ ବିଳମ୍ବ କରୁଥିଲେ ମଧ୍ୟ ତାହା ଆଜି ପୂରଣ ହେବାର ବାଟ ଫିଟାଇଥିବାରୁ ଓଡିଶାବାସୀ ଧର୍ଯ୍ୟର ସହିତ ସରକାରଙ୍କ ପଦକ୍ଷେପକୁ ଅପେକ୍ଷା କରିବାପାଇଁ ଓଡିଆଭାଷା ସଂଗ୍ରାମ ସମିତି ପକ୍ଷରୁ ଭାଷାବିତ ପଦ୍ମଶ୍ରୀ ଡକ୍ଟର ଦେବୀପ୍ରସନ୍ନ ପଟ୍ଟନାୟକ, ପ୍ରଫେସର ଯନ୍ତ୍ରଣା ପରୀକ୍ଷିତ, ଓଡିଆଭାଷା ସଂଗ୍ରାମ ସମିତି ଆବାହକ ଶ୍ରୀଯୁକ୍ତ ଶଙ୍କର୍ଷଣ ପରିଡା, ସଦସ୍ୟ ତଥା କଳିଙ୍ଗସେନାଧ୍ୟକ୍ଷ ଶ୍ରୀଯୁକ୍ତ ହେମନ୍ତ ରଥ, ସମ୍ଭାବନାର ସମ୍ପାଦକ ଦେବପ୍ରସାଦ ପରିଜା, ବିଶିଷ୍ଟ ସାମ୍ବାଦିକ ଅତୀଶ ମହାନ୍ତି ପ୍ରମୁଖ ଅନୁରୋଧ ଜଣାଇଛନ୍ତି।

Share in top social networks!