କେବଳ ସଂଶୋଧନ କରିଦେଲେ ଭାଷା ଆଇନ କାର୍ଯ୍ୟକାରୀ ହୋଇଯିବ ନାହିଁ – ଭାଷା ସୁରକ୍ଷା ସମ୍ମିଳନୀ

୧୯୫୪ ସରକାରୀ ଭାଷା ଆଇନକୁ କାର୍ଯ୍ୟକାରୀ କରିବା ପାଇଁ ଏଥିରେ ଆବଶ୍ୟକୀୟ ସଂଶୋଧନ ସହ
ନିୟମାବଳୀ ପ୍ରଣୟନ କରିବାକୁ ଆଜି ରାଜ୍ୟ ସରକାର ମନ୍ତ୍ରୀମଣ୍ଡଳର କ୍ୟାବିନେଟ ବୈଠକରେ ନିଷ୍ପ ି ନେଇଛନ୍ତି।
ଏହି ଆଇନକୁ କାର୍ଯ୍ୟକାରୀ କରିବାକୁ ହେଲେ ଏହା ଏକ ଆବଶ୍ୟକୀୟ ପଦକ୍ଷେପ। କିନ୍ତୁ ଆଇନରେ ସଂଶୋଧନୀ
ଆଣି ନିୟମାବଳୀ ପ୍ରଣୟନ କରିଦେଲେ ଭାଷା ଆଇନ କାର୍ଯ୍ୟକାରୀ ହୋଇଯିବ ନାହିଁ ବୋଲି ଭାଷା ସୁରକ୍ଷା ସମ୍ମିଳନୀ
ପକ୍ଷରୁ କୁହାଯାଇଛି। ଆବଶ୍ୟକୀୟ ନିୟମାବଳୀ ପ୍ରଣୟନ କରିବା ସହିତ ଭାଷା ଆଇନ କିପରି କାର୍ଯ୍ୟକାରୀ ହେଉଛି
ତାକୁ ତଦାରଖ କରିବା ପାଇଁ ଏକ କ୍ଷମତାସମ୍ପନ୍ନ ଆୟୋଗ ବା କମିଶନ ଗଠନ କରିବାକୁ ହେବ। ତଦାରଖ ବା
ମନିଟରିଂଗ୍ କାର୍ଯ୍ୟଟି ସଠିକଭାବେ ନହେଲେ ଏବଂ ଆଇନକୁ କାର୍ଯ୍ୟକାରୀ କରିବା ପାଇଁ ଅନିଚ୍ଛୁକ ଅଫିସରମାନଙ୍କ
ବିରୁଦ୍ଧରେ ଦଣ୍ଡ ବିଧାନର ବ୍ୟବସ୍ଥା ନ ରହିଲେ ଭାଷା ଆଇନ କାର୍ଯ୍ୟକାରୀ ହୋଇପାରିବ ନାହିଁ। ଭାଷା ଆଇନ କିପରି
କାର୍ଯ୍ୟକାରୀ ହେଉଛି ତା’ର ତଦାରଖ ଦାୟିତ୍ୱ ଓ ଏହାକୁ ସଫଳ କରିବାପାଇଁ ସରକାରଙ୍କୁ ସୁପାରିଶ କରିବାର କାର୍ଯ୍ୟ
ଅମଲାତନ୍ତ୍ର ହାତରେ ନ ଦେଇ ଏକ ସ୍ୱତନ୍ତ୍ର ବିଧିବଦ୍ଧ ସଂସ୍ଥା ଉପରେ ନ୍ୟସ୍ତ କରିବାକୁ ହେବ। କାରଣ ନିୟମାବଳୀ
ଅନୁଯାୟୀ ଭାଷା ଆଇନକୁ କାର୍ଯ୍ୟକାରୀ କରିବାର ଦାୟିତ୍ୱ ହେଉଛି ଅମଲାତନ୍ତ୍ରର। କିନ୍ତୁ ସେହି ନିୟମାବଳୀ ଅନୁଯାୟୀ
ସେମାନେ କାର୍ଯ୍ୟ କରୁଛନ୍ତି ବା ସେଥିରେ ଖିଲାପ କରୁଛନ୍ତି ତା’ର ତଦାରଖ ଦାୟିତ୍ୱ ପୁଣି ଅମଲାତନ୍ତ୍ରକୁ ନେଇ ଗଠିତ
ଏକ କମିଟି ହାତରେ ଦେଲେ ଭାଷା ଆଇନ କାର୍ଯ୍ୟକାରୀ ହୋଇପାରିବ ନାହିଁ ବୋଲି ‘ଭାଷା ସୁରକ୍ଷା ସମ୍ମିଳନୀ’ର
ସଭାପତି ବୈଷ୍ଣବ ପରିଡ଼ା କହିଛନ୍ତି।
ତେଣୁ ସରକାର ଆଗାମୀ ବିଧାନସଭା ଅଧିବେଶନରେ ୧୯୫୪ ମସିହା ଆଇନରେ ଆଉ ସଂଶୋଧନୀ ଆଣି
ଏକ ସ୍ୱତନ୍ତ୍ର ବିଧିବଦ୍ଧ ଭାଷା କମିଶନ ବା ଷ୍ଟାଚୁ୍ୟଟାରୀ ବଡି ଗଠନ କରନ୍ତୁ। ଭାଷା ଆୟୋଗ ଗଠନ କରିବାକୁ ହେଲେ
ଆଇନରେ ଏଥି ପାଇଁ ପ୍ରବିଧାନ ରଖିବାକୁ ହେବ। ଏହି କମିଶନ ଅମଲାତନ୍ତ୍ରର ଅଧୀନରେ ନ ରହି ସ୍ୱାଧୀନ ଭାବରେ
ଭାଷା ଆଇନ କିପରି କାର୍ଯ୍ୟକାରୀ ହେଉଛି ତାକୁ ତଦାରଖ କରିବ ଏବଂ ଇଂରେଜୀ ବଦଳରେ ଓଡ଼ିଆ ଭାଷାର
ପ୍ରୟୋଗକୁ ତ୍ୱରାନ୍ୱିତ କରିବା ପାଇଁ ସରକାରଙ୍କୁ ଆବଶ୍ୟକୀୟ ସୁପାରିଶ କରିବ। ଏହି କମିଶନଙ୍କ ରିପୋର୍ଟ ସରକାରଙ୍କ
ଜରିଆରେ ବିଧାନସଭାରେ ଉପସ୍ଥାପନ କରାଯିବ ଏବଂ ତା’ ଉପରେ ବିଧାନସଭାରେ ଆଲୋଚନା ହେବ। ଆମ
ରାଜ୍ୟର ଅଫିସରମାନେ ବହୁବର୍ଷ ଧରି ଇଂରେଜୀରେ ଶାସନ କରିବାରେ ଅଭ୍ୟସ୍ତ ହୋଇଥିବା ହେତୁ ଓଡ଼ିଆରେ କାର୍ଯ୍ୟ
କରିବାକୁ ଅନେକ କ୍ଷେତ୍ରରେ ଅନିଚ୍ଛୁକ। ତେଣୁ ଆଇନକୁ କାର୍ଯ୍ୟକାରୀ କରିବାର ପ୍ରକି୍ରୟାକୁ ତଦାରଖ କରିବାର ଦାୟିତ୍ୱ
ଅମଲାତନ୍ତ୍ର ହାତରେ ନ ଛାଡ଼ି ଏକ ଭାଷା ଆୟୋଗ ଗଠନ କରିବାକୁ ଶ୍ରୀ ପରିଡ଼ା ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି।

Share in top social networks!