ଏ.ଏ.ଆଇ. ଦ୍ୱାରା ଭୁବନେଶ୍ୱରରେ ହେବ ଆନ୍ତର୍ଜାତୀୟ ଆଲୁମିନିୟମ୍‌ ସମ୍ମିଳନୀ; ଓଡ଼ିଶା ପାଇଁ ଦକ୍ଷତା ପ୍ରଦର୍ଶନର ଏକ ଅନନ୍ୟ ଅବସର : ନାଲ୍‌କୋ ଅଧ୍ୟକ୍ଷ ଡଃ ଚାନ୍ଦ

nalcomishraଆଲୁମିନିୟମ୍‌ ଆସୋସିଏସନ୍‌ ଅଫ୍‌ ଇଣ୍ଡିଆ (ଏ.ଏ.ଆଇ.) ପକ୍ଷରୁ ଭୁବନେଶ୍ୱରରେ ଆସନ୍ତା ବର୍ଷ ଫେବୃୟାରୀ ୧୫ ରୁ ୧୭ ତାରିଖ ପର୍ଯ୍ୟନ୍ତ ଇଣ୍ଟର୍‌ନ୍ୟାସନାଲ୍‌ କନ୍‌ଫରେନ୍ସ ଅନ୍‌ ଆଲୁମିନିୟମ୍‌ (ଇନ୍‌କାଲ୍‌) ଆୟୋଜିତ ହେବାକୁ ଯାଉଛି।

ଏ ସମ୍ପର୍କରେ ସୂଚନା ଦେଇ ଏ.ଏ.ଆଇ.ର ସଭାପତି ତଥା ନାଲ୍‌କୋ ଅଧ୍ୟକ୍ଷ ଡଃ ତପନ କୁମାର ଚାନ୍ଦ କହିଛନ୍ତି ଯେ ଦେଶର ଅର୍ଦ୍ଧାଧିକ ବକ୍ସାଇଟ୍‌ ଖଣି ଏବଂ ନାଲ୍‌କୋ, ହିଣ୍ଡାଲ୍‌କୋ ଓ ବେଦାନ୍ତ ଭଳି ପ୍ରମୁଖ ଆଲୁମିନିୟମ୍‌ ଉତ୍ପାଦନକାରୀଙ୍କ ଉପସ୍ଥିତି ସହିତ ଓଡ଼ିଶା ସଂପ୍ରତି ଦେଶର ଆଲୁମିନିୟମ୍‌ ରାଜଧାନୀ ଭାବେ ବିବେଚିତ ହେଉଛି। ଏହି ପରିପ୍ରେକ୍ଷୀରେ, ରାଜଧାନୀ ଭୁବନେଶ୍ୱରରେ ବିଶ୍ୱର ପ୍ରସିଦ୍ଧ ଆଲୁମିନିୟମ୍‌ କମ୍ପାନୀ ଏବଂ ଆନୁଷଙ୍ଗିକ ଉତ୍ପାଦନକାରୀମାନଙ୍କୁ ନେଇ ଏହି ଅଭୁତପୂର୍ବ ଆନ୍ତର୍ଜାତୀୟ ସମ୍ମେଳନ ଆୟୋଜନ କରିବାକୁ ନିଷ୍ପତ୍ତି ନିଆଯାଇଛି।

ଏହି କାର୍ଯ୍ୟକ୍ରମରେ ୧୫୦୦ରୁ ଉଦ୍ଧ୍ୱର୍ ପ୍ରଦର୍ଶନକାରୀ ଏବଂ ୨୦୦୦ ରୁ ଉଦ୍ଧ୍ୱର୍ ପ୍ରତିନିଧି ଅଂଶଗ୍ରହଣ କରିବେ ବୋଲି ଡଃ ଚାନ୍ଦ କହିଛନ୍ତି। ସୂଚନାଯୋଗ୍ୟ ଯେ ଜର୍ମାନୀର ରିଡ୍‌ ଏକ୍‌ଜିବିସନ୍ସ ନାମକ ସଂସ୍ଥା ଏହି କÿାର୍ଯ୍ୟକ୍ରମର ପ୍ରସ୍ତୁତିରେ ସହଯୋଗ କରିବ। ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ପ୍ରଦର୍ଶନ ପାଇଁ ମଧ୍ୟ ଏହା ଏକ ଅନନ୍ୟ ଅବସର ବୋଲି ଡଃ ଚାନ୍ଦ ମତ ବ୍ୟକ୍ତ କରିଛନ୍ତି।

ଗତ କାଲି କିଶୋର କୁମାର୍‌ଙ୍କ ସ୍ମୃତିରେ ଭୁବନେଶ୍ୱର ସ୍ଥିତ ରବୀନ୍ଦ୍ର ମଣ୍ଡପଠାରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗ ଦେଇ ଡଃ ଚାନ୍ଦ ଏ ସମ୍ବନ୍ଧରେ ସୂଚନା ଦେଇଥିଲେ। ଡଃ ଅଚୁ୍ୟତ ମିଶ୍ରଙ୍କ ଦ୍ୱାରା ଆୟୋଜିତ ଏହି ସଙ୍ଗୀତଭିତ୍ତିକ କାର୍ଯ୍ୟକ୍ରମର ଭୂୟସୀ ପ୍ରଶଂସା କରି ଡଃ ଚାନ୍ଦ ଘୋଷଣା କରିଥିଲେ ଯେ ଇନ୍‌କାଲ୍‌ରେ ଏ.ଏ.ଆଇ.ର ସାଂସ୍କୃତିକ ଦଳରେ ଡଃ ମିଶ୍ର ପ୍ରମୁଖ କଳାକାର ଭାବେ ଅଂଶଗ୍ରହଣ କରିବେ।

Share in top social networks!