ଜିଏସଟି ବିଲ ଆଲୋଚନା ବେଳେ ଚାରି ବିଜେଡି ରାଜ୍ୟସଭା ସଦସ୍ୟ ଅନୁପସ୍ଥିତ ରହିବା ଦୁର୍ଭାଗ୍ୟଜନକ – ବିଜେପି

samirrରାଜ୍ୟସଭାରେ ଐତିହାସିକ ସାମଗ୍ରୀ ଓ ସେବା ଟିକସ ( ଜିଏସଟି ) ବିଲ ଆଲୋଚନା ଓ ପାରିତ ହେବା ବେଳେ ବିଜେଡିର ତିନି ଜଣ ରାଜ୍ୟସଭା ସଦସ୍ୟ ତଥା ଜଣେ ବିଜେଡି ସମର୍ଥିତ ସଦସ୍ୟ ଅନୁପସ୍ଥିତ ରହିବା ଦୁର୍ଭାଗ୍ୟଜନକ ବୋଲି ଭାରତୀୟ ଜନତା ପାର୍ଟୀ ପକ୍ଷରୁ କୁହାଯାଇଛି। ଆଗାମୀ ବର୍ଷ ମାନଙ୍କରେ ଅର୍ଥନୀତିର ମୋଡ ବଦଳାଇବାକୁ ଥିବା ଜିଏସଟି ବିଲ ଆଲୋଚନା ଓ ପାରିତ ହେବା ସମୟରେ ବିଜେଡିର ରାଜ୍ୟ ସଭା ସଦସ୍ୟ ମାନେ ଅନୁପସ୍ଥିତ ରହିବା ଦ୍ୱାରା ବିଜେଡି ଦେଶ ଓ ରାଜ୍ୟର ବିକାଶ ସମ୍ପର୍କରେ କେତେ ଗମ୍ଭୀର ରହିଛି ତାହା ସ୍ପଷ୍ଟ ହୋଇଛି ବୋଲି ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି ପ୍ରକାଶ କରିଛନ୍ତି।
ଶ୍ରୀ ମହାନ୍ତି ଏକ ପ୍ରେସ ବିବୃତିରେ କହିଛନ୍ତି ଯେ ବୁଧବାର ଦିନ ରାଜ୍ୟସଭାରେ ଜିଏସଟି ବିଲ ନେଇ ଦୀର୍ଘ ସାତ ଘଂଟା ଧରି ଆଲୋଚନା ହେବା ପରେ ଏହା ପାରିତ ହୋଇଥିଲା। ଦେଶ ତଥା ରାଜ୍ୟର ଅର୍ଥନୀତି ଓ ବିକାଶ ଦୃଷ୍ଟିରୁ ଏହି ବିଲ ଐତିହାସିକ ଥିଲା। ମାତ୍ର ଦୁର୍ଭାଗ୍ୟର ବିଷୟ ଯେ ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ଭାସ୍କର ରାଓ, ନରେନ୍ଦ୍ର ସ୍ୱାଇଁ ତଥା ବିଜେଡି ସମର୍ଥିତ ସାଂସଦ ଏ.ଭି. ସ୍ୱାଇଁ ଏହି ଆଲୋଚନା ବେଳେ ରାଜ୍ୟସଭାରେ ଅନୁପସ୍ଥିତ ଥିଲେ।
ଶ୍ରୀ ମହାନ୍ତି କହିଛନ୍ତି ଯେ ସ୍ୱାଧୀନତା ପରବର୍ତୀ ସମୟରେ ଟିକସ ସଂସ୍କାର କ୍ଷେତ୍ରରେ ଜିଏସଟି ବିଲ ସବୁଠାରୁ ପଦକ୍ଷେପ। ଏହି ବିଲ ଆଇନରେ ପରିଣତ ହେଲେ ଦେଶର ଅର୍ଥନୀତିରେ ବ୍ୟାପକ ପରିବର୍ତନ ଆସିବା ସହ ଆଗାମୀ ବର୍ଷ ମାନଙ୍କରେ ଦେଶର ଅର୍ଥନୀତିର ମୋଡକୁ ବଦଳାଯାଇ ପାରିବ। ତେଣୁ ବିଜେଡିର ଏହି ରାଜ୍ୟସଭା ସାଂସଦ ମାନେ ଏହି ଅତି ଗୁରୁତ୍ୱପୂର୍ଣ ଆଲୋଚନା ବେଳେ ଅନୁପସ୍ଥିତ ରହି ବିକାଶ ସମ୍ପର୍କରେ ସେମାନେ କେତେ ଗମ୍ଭୀର ତାହା ସ୍ପଷ୍ଟ କରି ଦେଇଛନ୍ତି ବୋଲି ଶ୍ରୀ ମହାନ୍ତି ପ୍ରକାଶ କରିଛନ୍ତି।

Share in top social networks!