ରାଜ୍ୟରେ ଅଘୋଷିତ ଜରୁରୀକାଳୀନ ପରିସ୍ଥିତି ରହିଥିବା ଅନୁଭବ ହେଉଛି: ବିଜେପି

bjpmahanadiଓଡିଶାରେ ଭିନ୍ନ ମତ ପୋଷଣ କରୁଥିବା ରାଜନୈତିକ କର୍ମୀ ମାନଙ୍କ ଉପରେ ଯେଭଳି ଭାବେ ଆକ୍ରମଣ ଘଟଣା ବଢିବାରେ ଲାଗିଛି ସେଥିରୁ ରାଜ୍ୟରେ ଅଘୋଷିତ ଜରୁରୀକାଳୀନ ପରିସ୍ଥିତି ରହିଥିବା ଅନୁଭବ ହେଉଛି ବୋଲି ଭାରତୀୟ ଜନତା ପାର୍ଟୀ ପକ୍ଷରୁ ପ୍ରକାଶ କରାଯାଇଛି। ଭିନ୍ନ ମତ ପୋଷଣ କରୁଥିବା ଲୋକ ମାନଙ୍କ ଉପରେ ସୁନିୟୋଜିତ ଭାବେ ଏହି ଆକ୍ରମଣ କରା ଯାଉଛି ଏବଂ ତୃତୀୟ ମହଲାର ନିର୍ଦେଶରେ ଏପରି କରାଯାଉଛି। ଏହା ଗଣତନ୍ତ୍ର ପାଇଁ ଆଦୌ ଶୁଭଙ୍କର ନୁହେଁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୁରକ୍ଷା ନାମରେ ବିପୁଳ ପୋଲିସ ବନେ୍ଦାବସ୍ତ କରିବା ସହିତ ସାଧାରଣ ଲୋକ ମାନଙ୍କୁ ଯେଭଳି ଭାବେ ହଇରାଣ କରାଯାଉଛି ତାହା ଦୁର୍ଭାଗ୍ୟଜନକ ବୋଲି ପାର୍ଟୀ କହିଛି।
ବିଜେପିର ରାଜ୍ୟ ଉପ ସଭାପତି ସମୀର ମହାନ୍ତି ଏକ ପ୍ରେସ ବିବୃତିରେ କହିଛନ୍ତି ଯେ ବରଗଡରେ କେନ୍ଦ୍ର ମନ୍ତ୍ରୀ ସନ୍ତୋଷ ଗାଙ୍ଗବାର ଓ ଅନ୍ୟ ମନ୍ତ୍ରୀମାନଙ୍କର ଉପରେ ମରଣାନ୍ତକ ଆକ୍ରମଣ କରାଗଲା। ବିଜେଡିର ବିଧାୟକ ସ୍ୱୟଂ ଏଥିରେ ନେତୃତ୍ୱ ନେଇଥିଲେ। ଏହା ପରେ ବୌଦ୍ଧ ଜିଲ୍ଲାର ମନମୁଣ୍ଡା ଠାରେ ଗଣତାନ୍ତ୍ରିକ ଉପାୟରେ କଳାପତାକା ଦେଖାଉଥିବା ବିଜେପି କାର୍ଯ୍ୟକର୍ତା ମାନଙ୍କୁ ଖୋଦ ବିଧାୟକ ପ୍ରଶାନ୍ତ ଜଗଦେବ ଓ ଦଳର କର୍ପୋରେଟର ଆକ୍ରମଣ କଲେ ଓ ପୋଲିସର ଉପସ୍ଥିତିରେ ଗୋଡାଇ ଗୋଡାଇ ପିଟିଲେ। ଟେଲିଭିଜନ ଚ୍ୟାନେଲରେ ଯେଉଁ ଭିଜୁଆଲର ପ୍ରଦର୍ଶନ ହେଉଛି ସେଥିରୁ ସ୍ପଷ୍ଟ ହେଉଛି ଯେ ରାଜ୍ୟର ଦୁଇ ଜଣ ବରିଷ୍ଠ ମନ୍ତ୍ରୀଙ୍କ ଉପସ୍ଥିତି ଓ ତାଙ୍କ ଇଙ୍ଗିତରେ ବିଜେଡି ନେତା ଓ କର୍ମୀ ମାନେ ବିଜେପି କାର୍ଯ୍ୟକର୍ତା ମାନଙ୍କ ଉପରେ ଏହି ମରଣାନ୍ତକ ଆକ୍ରମଣ କରିଛନ୍ତି। କେବଳ ସେତିକି ନୁହେଁ ଅନୁଗୁଳ ଠାରେ ମଧ୍ୟ ବିଜେଡି କର୍ମୀ ମାନେ ଅନୁରୂପ ଭାବେ ଭାରତୀୟ ଜନତା ପାର୍ଟୀର କାର୍ଯ୍ୟକର୍ତା ମାନଙ୍କ ଉପରେ ଆକ୍ରମଣ କରିଛନ୍ତି।
ଶ୍ରୀ ମହାନ୍ତି କହିଛନ୍ତି ଯେ ଉକ୍ରଳ ବିଶ୍ୱବିଦ୍ୟାଳୟର ଏକ ପାଂଚ ମିନିଟର କାର୍ଯ୍ୟକ୍ରମରେ ଭାଗ ନେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଯିବା ପାଇଁ ଯେଉଁ ଭଳି ଭାବେ ୩୦ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିଲା ଓ ନବୀନ ନିବାସ ଠାରୁ ଆରମ୍ଭ କରି ହସପିଟାଲ ଛକ, ରବୀନ୍ଦ୍ର ମଂଡପ ଛକ, ହାଉସିଂ ବୋର୍ଡ ଛକ, ଆନନ୍ଦ ବଜାର ଛକ, ଆଚାର୍ଯ୍ୟ ବିହାର ଛକର ଉଭୟ ପାର୍ଶରେ ଥିବା ଦୋକାନ ଗୁଡିକୁ ଜୋର ଜବରଦସ୍ତ ବନ୍ଦ କରିଦିଆ ଯାଇଥିଲା। ଏହି ମୁଖ୍ୟ ରାସ୍ତାକୁ ସଂଯୋଗ କରୁଥିବା ଗଳି ରାସ୍ତା ଗୁଡିକୁ ସିଲ କରି ଦିଆଯାଇଥିଲା, ଯାହା ଫଳରେ ଯାନବାହନ ଅଟକି ରହିଥିଲା ଓ ଯାତ୍ରୀ ଓ ପଥାଚାରୀ ମାନେ ହନ୍ତସନ୍ତ ହୋଇଥିଲେ। ଜଣେ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଏତେ ଭୟଭୀତ କାହିଁକି ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି।
ଶ୍ରୀ ମହାନ୍ତି କହିଛନ୍ତି କ୍ୟାପିଟାଲ ହସପିଟାଲକୁ ମୁଖ୍ୟମନ୍ତ୍ରୀ ଗଲା ବେଳେ କ୍ୟାପିଟାଲ ହସପିଟାଲକୁ ଛାଉଣୀରେ ପରିବର୍ତନ କରିବା ସହିତ ରୋଗୀ ମାନଙ୍କୁ ଦୁଇ ଘଂଟା ଧରି ହସପିଟାଲ ଭିତରକୁ ଛଡା ଯାଇ ନ ଥିଲା। ଏଥି ପାଇଁ ଦୂର ଦୂରାନ୍ତରୁ ଆସିଥିବା ରୋଗୀ ମାନେ ହନ୍ତସନ୍ତ ହୋଇଥିଲେ। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ମହାନ୍ତି ପ୍ରକାଶ କରିଛନ୍ତି।

Share in top social networks!