ଦୀଘା ଠାରୁ ଗୋପାଳପୁର ୫୫୦ କିମି ଦୈର୍ଘ୍ୟ ଜାତୀୟ ରାଜପଥର ଆଲାଇନମେଂଟ ଅନୁମୋଦିତ

dpjiପଶ୍ଚିମବଙ୍ଗର ଦୀଘା ଠାରୁ ଓଡିଶା ଗୋପାଳପୁର ପର୍ଯ୍ୟନ୍ତ ୫୫୦ କିମି ଦୈର୍ଘ୍ୟ ଜାତୀୟ ରାଜପଥର ଆଲାଇନମେଂଟ ଯୋଜନାକୁ କେନ୍ଦ୍ର ସରକାର ଅନୁମୋଦନ କରିଛନ୍ତି। କେନ୍ଦ୍ର ସଡକ ପରିବହନ, ଜାତୀୟ ରାଜପଥ ଓ ଜାହାଜ ଚଳାଚଳ ମନ୍ତ୍ରୀ ନିତିନ ଗଡକରୀଙ୍କୁ ନୂଆଦିଲ୍ଲୀ ସ୍ଥିତ ପରିବହନ ଭବନରେ ସାକ୍ଷାତ କରିବା ପରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଗଣମାଧ୍ୟମକୁ ସୂଚନା ଦେଇ ଏହା କହିଛନ୍ତି।

ଏହି ଅବସରରେ ସୂଚନା ଦେଇ ପେଟ୍ରୋଲିୟମ ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ବର୍ଷେ ପୂର୍ବରୁ ଏହି ଉପକୂଳ ରାଜପଥ ନିର୍ମାଣ ସମ୍ବନ୍ଧୀୟ ଘୋଷଣା କରାଯାଇଥିଲା। ଏବେ ପ୍ରାଥମିକ ଆଲାଇନମେଂଟ ଅନୁମୋଦନ ପରେ ରାଜ୍ୟ ସରକାରଙ୍କ ସହ ବିଚାର ଆଲୋଚନା କରି ଡିଟେଲ୍ଡ ପ୍ରୋଜେକ୍ଟ ରିପୋର୍ଟ ପ୍ରସ୍ତୁତି ପାଇଁ ପଥ ପରିଷ୍କାର ହୋଇଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଏହି ୫୫୦ କିମି ଜାତୀୟ ରାଜପଥକୁ ମିଶାଇ କେନ୍ଦ୍ରରେ ମୋଦି ସରକାର ଆସିବା ପରେ ୧୮ ଶହ କିମି ନୂଆ ଜାତୀୟ ରାଜପଥ ଘୋଷଣା ହେବା ସହ କ୍ରିୟାନ୍ୱୟନର ବିଭିନ୍ନ ସ୍ତରରେ ଅଛି।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଅଟଳ ବିହାରୀ ବାଜପେୟୀଙ୍କ ପ୍ରଧାନମନ୍ତ୍ରୀତ୍ୱକାଳରେ ଓଡିଶାରେ ୨୨୦୦ କିମି ଜାତୀୟ ରାଜପଥ ନିର୍ମାଣ ହୋଇଥିଲା। ଆଗାମୀ କିଛି ବର୍ଷରେ ଓଡିଶାରେ ଆଉ ୨୫୦୦ କିମି ରାଜପଥ ନିର୍ମାଣ ଦାବିକୁ କେନ୍ଦ୍ର ସଡକ ପରିବହନ,ରାଜମାର୍ଗ ଓ ଜାହାଜ ଚଳାଚଳ ମନ୍ତ୍ରୀ ଶ୍ରୀ ଗଡକରୀ ସମ୍ମତି ପ୍ରଦାନ କରିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି ଯେ ଶ୍ରୀ ଅଟଳ ବିହାରୀ ବାଜପେୟୀ ଓ ନରେନ୍ଦ୍ର ମୋଦିଙ୍କ ଶାସନକାଳରେ ଓଡିଶାରେ ୬ ହଜାର କିମି ରାଜମାର୍ଗ ସମ୍ପୂର୍ଣ ହେବ। ଅପର ପକ୍ଷରେ ୟୁପିଏ-୧ ଓ ୟୁପିଏ-୨ ଉଭୟ ସରକାରରେ ସର୍ବମୋଟ ୧୦୦୦ କିମି ଜାତୀୟ ରାଜପଥ ନିର୍ମାଣ ହୋଇଛି।

ରାଜ୍ୟରେ ରାଜପଥର ଦୃତ ବିକାଶ ରାଜ୍ୟର ପଛୁଆ ଅଂଚଳ ଓ ଜନଜାତି ସମାଜର ବିକାଶରେ ଏହା ବିଶେଷ ସହାୟକ ହେବ ବୋଲି କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ କହିଛନ୍ତି। ଏନଡିଏ ସରକାର ଅମଳରେ ଜାତୀୟ ରାଜପଥ ନିର୍ମାଣରେ ଓଡିଶା ରେକର୍ଡ କରିବ ବୋଲି ଶ୍ରୀ ଓରାମ କହିଛନ୍ତି।
ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଗଡକରୀ କହିଛନ୍ତି ଯେ ରାଜ୍ୟରେ ଆଉ ୧୦୦୦ରୁ ୧୫୦୦ କିମି ନୂଆ ଜାତୀୟ ରାଜପଥ ନିର୍ମାଣ ପାଇଁ ଶ୍ରୀ ପ୍ରଧାନ ଓ ଶ୍ରୀ ଓରାମ ଅନୁରୋଧ କରିଛନ୍ତି ଓ ଏହାକୁ ପୂରଣ କରିବା ପାଇଁ ସେ ପଦକ୍ଷେପ ନେବେ ବୋଲି ସୂଚନା ଦେଇଛନ୍ତି।

Share in top social networks!