ଭାରତୀୟ ଚାଉଳ ସମ୍ମିଳନୀ ୨୦୧୬: ଓଡ଼ିଶା ପାଇଁ “ଭିଜନ୍ ଡକୁ୍ୟମେଂଟ୍’ ପ୍ରସ୍ତୁତ କରିବ ଆଇସିସି

riceconvଓଡ଼ିଶାରେ ଚାଉଳ ଉତ୍ପାଦନ ଓ ବ୍ୟବହାରକୁ ନେଇ ଇଣ୍ଡିଆନ୍ ଚାମ୍ବର ଅଫ୍ କମର୍ସ (ଆଇସିସି) ପକ୍ଷରୁ ଏକ ଭିଜନ୍ ଡକୁ୍ୟମେଂଟ୍ ପ୍ରସ୍ତୁତ କରାଯିବ। ଉନ୍ନତ ମାନର ବିହନ ବ୍ୟବହାର କରି ଉତ୍ପାଦନ ବଢ଼ାଇବାଠାରୁ ଆରମ୍ଭ କରି ଚାଷୀମାନଙ୍କ ଆୟ କିଭଳି ବଢ଼ିପାରିବ ତାହା ଏହି ଦଲିଲ୍ରେ ସ୍ଥାନ ପାଇବ। ଚାଉଳ ମିଲ୍ଗୁଡ଼ିକର ରହିିଥିବା ସମସ୍ୟା ଓ ସେଗୁଡ଼ିକର ସମାଧାନର ବାଟ କଣ ତାହା ଏଥିରେ ସ୍ଥାନ ପାଇବ। ଏହା ବ୍ୟତୀତ ବଳକା ଚାଉଳକୁ କେଉଁ ଉପାୟରେ ରପ୍ତାନି କଲେ ଅଧିକ ଲାଭ ମିଳିବ ତାହା ଭିଜନ୍ ଡକୁ୍ୟମେଂଟ୍ରେ ସ୍ଥାନ ପାଇବ ବୋଲି ଆଇସିସିର ଅତିରିକ୍ତ ନିର୍ଦେଶକ ମଧୁପର୍ଣ୍ଣା ଭୌମିକ କହିଛନ୍ତି।
ହୋଟେଲ୍ ମେ ଫେୟାରଠାରେ ଆୟୋଜିତ ଭାରତୀୟ ଚାଉଳ ସମ୍ମିଳନୀ ୨୦୧୬ ଅବସରରେ ସେ କହିଛନ୍ତି ଯେ ଆମେ ପଶ୍ଚିମ ବଙ୍ଗ ପାଇଁ ଏଭଳି ଭିଜନ୍ ଡକୁ୍ୟମେଂଟ୍ ପ୍ରସ୍ତୁତ କରିଥିଲୁ। ଏବେ ଓଡ଼ିଶା ପାଇଁ କାମ ଆରମ୍ଭ କରିଛୁ। ଦେଢ଼ରୁ ଦୁଇ ମାସ ଭିତରେ ତାହା ପ୍ରସ୍ତୁତ ହୋଇଯିବ। ସେହି ଭିଜନ୍ ଡକୁ୍ୟମେଂଟ୍କୁ ଆଇସିସି ପକ୍ଷରୁ ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯିବ ବୋଲି ସେ କହିଛନ୍ତି। ଓଡ଼ିଶା ପରେ ଆସାମ ପାଇଁ ଆଇସିସି ଭିଜନ୍ ଡକୁ୍ୟମେଂଟ୍ ପ୍ରସ୍ତୁତ କରିବାର ଯୋଜନା ରଖିଛି।
ଏହି ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟ ଏମ୍ଏସ୍ଏମ୍ଇ ମନ୍ତ୍ରୀ, ଯୋଗେନ୍ଦ୍ର ବେହେରା କହିଛନ୍ତି ଯେ ଓଡ଼ିଶାରେ ୮ ନିୟୁତ ଟନ ଶସ୍ୟ ଉତ୍ପାଦନ ହେଉଛି। ସେଥଇ ମଧ୍ୟରୁ ୪.୫ ନିୟୁତ ଟନ୍ ଶସ୍ୟର ପ୍ରକ୍ରିୟାକରଣ କରାଯାଉଛି। ତିନିଟି ଜିଲ୍ଲା ବରଗଡ଼, ସମ୍ବଲପୁର ଓ କଳାହାଣ୍ଡିରେ ରାଜ୍ୟର ୫୦% ଚାଉଳ ଉତ୍ପାଦନ କରାଯାଉଛି। ରାଜ୍ୟରେ ଥିବା ଚାଉଳ ପ୍ରକ୍ରିୟାକରଣ ୟୁନିଟ୍ଗୁଡ଼ିକ ଏମ୍ଏସ୍ଏମ୍ଇ ସଂସ୍ଥା ଭାବେ କାମ କରୁଛନ୍ତି। କେବଳ ବରଗଡ଼ ଜିଲ୍ଲାରେ ୯୫ଟି ଚାଉଳ ମିଲ୍ ରହିଛି ବୋଲି ସେ କହିଛନ୍ତି। ରାଜ୍ୟରେ ଅଧିକରୁ ଅଧିକ ଚାଉଳ କ୍ଲଷ୍ଟର୍ ପ୍ରତିଷ୍ଠା କରିବା ଦିଗରେ ରାଜ୍ୟ ସରକାର କାମ କରୁଥିବା ସେ କହିଛନ୍ତି। ରାଜ୍ୟରେ ଅମଳର ମାତ୍ରା କମ ରହୁଥିବା ବେଳେ ଏକପ୍ରକାର ଚାଷ ଓ ଗବେଷଣା ତଥା ବିକାଶର ଅଭାବ ଯୋଗୁଁ ଅଧିକ ଚାଉଳର ପ୍ରକ୍ରିୟାକରଣ ହୋଇପାରୁନାହିଁ। ଅଣ ବାସୁମତି ଚାଉଳ ରପ୍ତାନି ପାଇଁ ଭାରତକୁ ଥାଇଲ୍ୟାଣ୍ଡ୍, ଆମେରିକା, ବ୍ରିଟେନ୍, ଭିଏତନାମ୍ ଓ ଫିଲିପାଇନ୍ସ ଭଳି ରାଷ୍ଟ୍ର ସହ ପ୍ରତିଦ୍ୱନ୍ଦିତା କରିବାକୁ ହେଲେ ସିଆର୍ଆର୍ଆଇ ଓୟୁଏଟି ଭଳି ସଂସ୍ଥାମାନଙ୍କୁ ନୂତନ ଗବେଷଣା କରି ଉପାୟ ବାହାର

କରିବାକୁ ପଡ଼ିବ ବୋଲି ସେ କହିଛନ୍ତି। ରାଇସ୍ ବ୍ରାନ୍ ଅଏଲ୍ ଉତ୍ପାଦନ ଉପରେ ମଧ୍ୟ ରାଜ୍ୟ ସରକାର ଗୁରୁତ୍ୱ ପ୍ରଦାନ କରୁଛନ୍ତି ବୋଲି ସେ କହିଛନ୍ତି।
ଫିଲିପାଇନ୍ସର ଆଇଆର୍ଆର୍ଆଇର ସୋସିଆଲ୍ ସାଇନ୍ସ ବିଭାଗର ମୁଖ୍ୟ ଡକ୍ଟର ସମରେନ୍ଦ୍ର ମହାନ୍ତି କହିଛନ୍ତି ଯେ, କୃଷି କ୍ଷେତ୍ରରେ ଗବେଷଣା ଓ ବିକାଶ କାର୍ଯ୍ୟ ପାଇଁ ଆମେରିକା ୧୩.୨୭ ପ୍ରତିଶତ ଅର୍ଥ ଖର୍ଚ କରୁଥିବା ବେଳେ ଭାରତରେ ତାହା ମାତ୍ର ୬-୭ ପ୍ରତିଶତ ସ୍ତରରେ ରହିଛି। ଏ ଦିଗରେ ଭାରତ ଖର୍ଚ ପରିମାଣ ବଢ଼ାଇବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି। ଓୟୁଏଟିର କୁଳପତି ପ୍ରଫେସର ସୁରେନ୍ଦ୍ର ନାଥ ପଶୁପାଳକ କହିଛନ୍ତି ଯେ, ଓଡ଼ିଶାରେ ଜଳବାୟୁ ପରିବର୍ତନର ପ୍ରଭାବ ଧାନ ଚାଷ ଉପରେ ରହିଛି। ଚାଷ କାମରେ ଆଧୁନିକ ଯନ୍ତ୍ରପାତି ଓ ପ୍ରଯୁକ୍ତି ବ୍ୟବହାର ବଢ଼ାଇବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି।
ଏହି ଅବସରରେ ପଶ୍ଚିମ ବଙ୍ଗର ବିଧାନ ଚନ୍ଦ୍ର କୃଷି ବିଶ୍ୱବିଦ୍ୟାଳୟର କୁଳପତି ଡକ୍ଟର ଡି ଡି ପାତ୍ର ଓ କିଟ୍ ବିଶ୍ୱବିଦ୍ୟାଳୟର ବାୟୋଟେକ୍ନୋଲୋଜି ବିଭାଗ ମୁଖ୍ୟ ଡକ୍ଟର ତପନ କୁମାର ଆଧ୍ୟା ଉପସ୍ଥିତ ଥିଲେ।

Share in top social networks!