ମହାନଦୀ ପାଣି ପ୍ରସଙ୍ଗ : ଆନେ୍ଦାଳନ ଅପେକ୍ଷା ଆଇନଗତ ଦୃଷ୍ଟିରୁ ଦୃଢ ପଦକ୍ଷେପ ଓଡିଶା ପାଇଁ ଅତ୍ୟନ୍ତ ଜରୁରୀ : ବସନ୍ତ ପଣ୍ଡା

ମହାନଦୀ ଓଡିଶାର ଜୀବନ ରେଖା। ମହାନଦୀର ପାଣି ସହିତ ଅଧେ ଓଡିଶାର ଜୀବନ ଜୀବିକା ପ୍ରତ୍ୟକ୍ଷ ଭାବେ ସଂଶ୍ଲିଷ୍ଟ ହୋଇ ରହିଥିବାରୁ ଓଡିଶାର ଚାଷୀ ମାନଙ୍କୁ ମହାନଦୀର ପାଣି ସୁନିଶ୍ଚିତ କରିବା, ସମୟର ଆହ୍ୱାନ ବୋଲି ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା କହିଛନ୍ତି। ଗତ ଚାରିଟି ନିର୍ବାଚନରେ ଓଡିଆ ଲୋକ ମାନେ ନବୀନ ପଟ୍ଟନାୟକଙ୍କୁ ଭୋଟ ଦେଇ ସେମାନଙ୍କର ବିକାଶ ଓ ସ୍ୱାର୍ଥ ରକ୍ଷାର ଦାୟିତ୍ୱ ଦେଇଛନ୍ତି। ମାତ୍ର ବିଜେଡି ସରକାରର ସ୍ଥାଣୁତା ଓ ଅପାରଗତା କାରଣରୁ ଓଡିଶାର ସ୍ୱାର୍ଥ ବିପନ୍ନ ହୋଇଛି ବୋଲି ଶ୍ରୀ ପଣ୍ଡା ଅଭିଯୋଗ କରିଛନ୍ତି।
ଶ୍ରୀ ପଣ୍ଡା କହିଛନ୍ତି ଯେ ୧୯୮୩ ମସିହାରେ ଯୁଗ୍ମ ନିୟନ୍ତ୍ରଣ ବୋର୍ଡ ଗଠନ କରି ମହାନଦୀ ସହ ଜଡିତ ସମସ୍ୟାର ସମାଧାନ ପାଇଁ ତକ୍ରାଳୀନ ମୁଖ୍ୟମନ୍ତ୍ରୀ ମାନଙ୍କ ମଧ୍ୟରେ ଚୁକ୍ତି ହୋଇଥିଲା। ନବୀନ ପଟ୍ଟନାୟକ ୨୦୦୦ରୁ ମୁଖ୍ୟମନ୍ତ୍ରୀ ଅଛନ୍ତି। ଦୀର୍ଘ ୧୭ ବର୍ଷ ଧରି ସରକାରରେ ରହିବା ଓ ଜଳସମ୍ପଦ ବିଭାଗର ଦାୟିତ୍ୱ ନିର୍ବାହ କରି ଏହି ବୋର୍ଡ ଗଠନ କରିବାରେ ନବୀନ ପଟ୍ଟନାୟକ ବିଫଳ ହୋଇଛନ୍ତି ଓ ଏହା ଫଳରେ ଏପରି ସ୍ଥିତି ଉତ୍ପନ୍ନ ହୋଇଛିା
ଇତି ମଧ୍ୟରେ ଛତିଶଗଡରେ ଡଜନେ ଛୋଟ ବଡ ଡ୍ୟାମ କାମ ସରିଥିବା ଓ କାମ ଆଗେଇ ଚାଲିଥିବା ତଥ୍ୟ ମୁଖ୍ୟମନ୍ତ୍ରୀ ତାଙ୍କ ଚିଠିରେ ପ୍ରଧାନମନ୍ତ୍ରୀଙ୍କୁ ଲେଖିଛନ୍ତି। ଏପରି ପରିସ୍ଥିତିରେ ଦେଶର ନିୟମ ଆଧାରରେ ଓଡିଶାକୁ ମହାନଦୀର ଜଳର ସଠିକ ଭାଗ କିପରି ଆସିବ ସେଥିପାଇଁ ଉପଯୁକ୍ତ ଫୋରମରେ ତଥ୍ୟ ଓ ପକ୍ଷ ରଖି ଏହାକୁ ସୁନିଶ୍ଚିତ କରାଇବା ସରକାରଙ୍କ ପ୍ରାଥମିକ ଦାୟିତ୍ୱ ବୋଲି ଶ୍ରୀ ପଣ୍ଡା କହିଛନ୍ତି। ନିଜର ଅପାରଗତା କାରଣରୁ ଏପରି ସ୍ଥିତି ଉତ୍ପନ୍ନ ହେବା ପରେ ଏବେ ବିଜେଡି ସରକାର ତାଙ୍କର ଏହି ପ୍ରାଥମିକ ଦାୟିତ୍ୱକୁ ନିର୍ବାହ କରିବାରେ କୌଣସି ଆଗ୍ରହ ଦେଖାଉ ନାହାନ୍ତି ବୋଲି ଶ୍ରୀ ପଣ୍ଡା କହିଛନ୍ତି।
ଗଣତାନ୍ତ୍ରିକ ବ୍ୟବସ୍ଥାରେ ଧାରଣା ଓ ପ୍ରତିବାଦ କରିବାର ଅଧିକାର ବିଜେଡି ନିକଟରେ ରହିଛି। ତେବେ ବିଜେଡି ସରକାରଙ୍କୁ ରାଜ୍ୟର ଜନସାଧାରଣ ମହାନଦୀର ଓଡିଶାର ସଠିକ ଅଂଶ ଆଣିବା ପାଇଁ ଦାୟିତ୍ୱ ଦେଇଛନ୍ତି। ଏହାକୁ ବିଜେଡି ସରକାର ପ୍ରଥମ ମନେ ରଖି କାମ କରିବା ଉଚିତ ବୋଲି ସେ କହିଛନ୍ତି।
କ୍ଷମତା ଓ ପତିଆରା ପାଇଁ ଆନେ୍ଦାଳନ କରାଯାଇ ପାରେ ମାତ୍ର ଥରେ ଓଡିଶା ହାତରୁ ମହାନଦୀର ପାଣି ଚାଲିଗଲେ ଓଡିଶାର ବର୍ତମାନ ଓ ଆଗାମୀ ପୀଢୀ ତଥା ଇତିହାସ କ୍ଷମା ଦେବ ନାହିଁ ବୋଲି ଶ୍ରୀ ପଣ୍ଡା କହିଛନ୍ତି। ତାଙ୍କ ପାର୍ଟି ମହାନଦୀର ପାଣି ଓଡିଶାର ଭାଗକୁ ନେଇ ଓଡ଼ିଶାର ହକ ଅଧିକାର ତଥା ଓଡିଶା ଲୋକଙ୍କ ସ୍ୱାର୍ଥର ଲଢେଇରେ ସାମିଲ ରହିବ ବୋଲି ଶ୍ରୀ ପଣ୍ଡା ସ୍ପଷ୍ଟ କରିଛନ୍ତି।

Share in top social networks!