ମହାନଦୀରେ ଛତିଶଗଡ଼ର ପ୍ରକଳ୍ପ ନିର୍ମାଣ ବିରୋଧରେ ବିଜୁ ଯୁବ ଜନତା ପକ୍ଷରୁ ୧୫ଟି ଜିଲ୍ଲାରେ ଆନେ୍ଦାଳନ ଡାକରା

bjdମହାନଦୀ ଉପରେ ଛତିଶଗଡ଼ ସରକାରଙ୍କ ବିଭିନ୍ନ ପ୍ରକଳ୍ପ ନିର୍ମାଣକୁ ନେଇ ଓଡ଼ିଶାର ସ୍ୱାର୍ଥ ପ୍ରତି ଅବମାନନା ବିରୋଧରେ ବିଜୁ ଜନତା ଦଳ ପ୍ରଚଣ୍ଡ ସ୍ୱର ଉତ୍ତୋଳନ କରିଛି। ଆସନ୍ତା ୨୫ ତାରିଖରୁ ବିଜୁ ଯୁବ ଜନତା ପକ୍ଷରୁ ୧୫ଟି ଜିଲ୍ଲାର ଜିଲ୍ଲାପାଳଙ୍କ ଦପ୍ତର ଆଗରେ ବିକ୍ଷୋଭ ପ୍ରତିବାଦ କରାଯିବ ବୋଲି ଦଳ ନିଷ୍ପତ୍ତି ନେଇଛି।
ମହାନଦୀ ଉପରେ ଛତିଶଗଡ଼ ସରକାରଙ୍କ ଜଳଭଣ୍ଡାର ଓ ବନ୍ଧ ନିର୍ମାଣ ଦ୍ୱାରା ଓଡ଼ିଶାର ଜନଜୀବନ ପ୍ରଭାବିତ ହେବା ସହିତ ଚାଷୀମାନେ ବିପୁଳ ଭାବରେ କ୍ଷତିଗ୍ରସ୍ତ ହେବେ। ଛତିଶଗଡ଼ ସରକାର ଏପରି ଏକତରଫା, ମନମୁଖି ଓ ଓଡ଼ିଶା ସ୍ୱାର୍ଥବିରୋଧୀ ପଦକ୍ଷେପରୁ ନିବୃତ ନହେଲେ ସାରା ରାଜ୍ୟରେ ଏହା ବିରୋଧରେ ପ୍ରବଳ ଜନଆନେ୍ଦାଳନ ଗଢ଼ିତୋଳିବାକୁ ବିଜୁ ଯୁବ ଜନତା ଅଣ୍ଟା ଭିଡ଼ିଛି।

ଆଜି ପୂର୍ବାହ୍ଣରେ ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟରେ ଆହୂତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜୁ ଜନତା ଦଳର ଉପ-ସଭାପତି ତଥା ସାଂସଦ ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ଯେ ଓଡ଼ିଶାର ଜୀବନ ରେଖା ତଥା ସଂସ୍କୃତି ଓ ସମୃଦ୍ଧିର ପ୍ରବାହ ଭାବେ ପରିଚିତ ମହାନଦୀର ଉପର ମୁଣ୍ଡରେ ଛତିଶଗଡ଼ ସରକାରଙ୍କ ଏପରି ଜଳଭଣ୍ଡାର ଓ ବ୍ୟାରେଜ୍‌ ନିର୍ମାଣ ନେଇ କେନ୍ଦ୍ର ଏନ୍‌ଡିଏ ସରକାର ଓ ଜାତୀୟ ଜଳ ଆୟୋଗ ଯେପରି ଭାବରେ ଉଦାସୀନତା ଓ ଚରମ ନିରବତା ପ୍ରଦର୍ଶନ କରିଛନ୍ତି ତାହା ଅତ୍ୟନ୍ତ
ଦୁର୍ଭାଗ୍ୟଜନକ। ଓଡ଼ିଶାର ସ୍ୱାର୍ଥ ପରିପନ୍ଥୀ ଏପରି ଉଦ୍ୟମକୁ କୌଣସି ଭାବେ ବରଦାସ୍ତ କରାଯିବ ନାହିଁ ଦଳ ପକ୍ଷରୁ ସ୍ପଷ୍ଟ କରିଦିଆଯାଇଛି।

୧୯୫୭ ମସିହାରେ ସଂପୂର୍ଣ୍ଣ ହୋଇଥିବା ହୀରାକୁଦ ନଦୀବନ୍ଧ ଯୋଜନାରେ ସମୁଦାୟ ୮୪,୯୯୪ ବର୍ଗ କି.ମି. ଅଞ୍ଚଳରୁ ଜଳ ସଂଗୃହୀତ ହେଉଥିବା ବେଳେ ସେଥିରୁ ୬୭,୧୬୮ ବର୍ଗ କି.ମି. ଅର୍ଥାତ୍‌ ୯୦ ପ୍ରତିଶତ ଅଞ୍ଚଳ ଛତିଶଗଡ଼ ରାଜ୍ୟ ଅନ୍ତର୍ଭୁକ୍ତ। ତେଣୁ କୌଣସି ନୂତନ ନଦୀବନ୍ଧ ଯୋଜନା ହୀରାକୁଦ ଜଳଭଣ୍ଡାରକୁ ଗଭୀର ଭାବେ ପ୍ରଭାବିତ କରିବ। ହୀରାକୁଦ ଜଳଭଣ୍ଡାରର କ୍ଷମତା ୪,୮୨୧ ନିୟୁତ ଘନ ମିଟର ଏବଂ ସିଧାସଳଖ ଭାବେ ଏଥିରୁ ୨ଲକ୍ଷ ୬୭ ହଜାର ହେକ୍ଟର ଚାଷ ଜମି ଜଳସେଚିତ ହେଉଛି। ପୁନଶ୍ଚ ଏଠାରୁ ୨ଟି ପ୍ରକଳ୍ପରେ ୩୪୭ ମେଗାୱାଟ୍‌ ବିଦୁ୍ୟତ ଉତ୍ପାଦନ ମଧ୍ୟ ହେଉଛି। ଏବେ ଛତିଶଗଡ଼ ସରକାର ମହାନଦୀ ଉପର
ମୁଣ୍ଡରେ ୧୮ଟି ବୃହତ୍‌ ପ୍ରକଳ୍ପ, ୮ଟି ମଧ୍ୟମ ପ୍ରକଳ୍ପ ଓ ୭ଟି ଆଡ଼ିବନ୍ଧ ପ୍ରକଳ୍ପ ନିର୍ମାଣ କରୁଛନ୍ତି। ଏହା ଫଳରେ ହୀରାକୁଦ ଜଳଭଣ୍ଡାର
ମଧ୍ୟକୁ ମୌସୁମୀ ଓ ଅଣମୌସୁମୀ ଜଳପ୍ରବାହ ଭୟଙ୍କର ଭାବେ କମିଯିବା ସହିତ ବିଦୁ୍ୟତ ଉତ୍ପାଦନ ପ୍ରଭାବିତ ହେବ। ଆମ ରାଜ୍ୟର
କୃଷି କ୍ଷେତ୍ର ସଂକଟଗ୍ରସ୍ତ ହେବା ସହିତ କୃଷକମାନଙ୍କ ଜୀବନଯାତ୍ରା ଅଚଳ ହୋଇଯିବ।

ଏଠାରେ ଉଲ୍ଲେଖଯୋଗ୍ୟ, ପ୍ରାୟ ୧୦ବର୍ଷ ତଳେ ଛତିଶଗଡ଼ ସରକାର ତେଲ ନଦୀ ଉପରେ ନବରଙ୍ଗପୁର ଜିଲ୍ଲାର ଚନ୍ଦାହାଣ୍ଡି ବ୍ଲକର ବାବୁରିଆ ଗ୍ରାମର ଅପର ପାଶ୍ୱର୍ରେ ଉରମେଲ୍‌ ଠାରେ ଏକ ଚେକ୍‌ ଡ୍ୟାମ୍‌ର ନିର୍ମାଣ ଆରମ୍ଭ କରିଛନ୍ତି ଓ ଏହି ପ୍ରକଳ୍ପ ଦ୍ୱାରା ଓଡ଼ିଶାର ୨ଟି ଗ୍ରାମ ଜଳମଗ୍ନ ହେବାର ଥିବାରୁ ଓଡ଼ିଶାର ପ୍ରତିବାଦ କ୍ରମେ କାର୍ଯ୍ୟ ଅର୍ଦ୍ଧସଂପୂର୍ଣ୍ଣ ରହିଛି। ସେହିପରି ଆନ୍ତଃରାଜ୍ୟ ନଦୀ ଜଳ ଆବଣ୍ଟନ ନୀତିକୁ ଅବମାନନା କରି ଏକତରଫା ଭାବେ ଛତିଶଗଡ଼ ସରକାର ମହାନଦୀର ଉପନଦୀ କେଲୋ ଉପରେ ଏକ ଜଳଭଣ୍ଡାର ଯୋଜନା ଆରମ୍ଭ କରିବା ସହିତ ମହାନଦୀ ଉପରେ ତଣ୍ଡୁଲା ଜଳଭଣ୍ଡାର ଯୋଜନା ଓ ମହାନଦୀ-ପିଆରି ନଦୀ ସଂଯୋଗୀକରଣ ଯୋଜନା ଆରମ୍ଭ କରିଛନ୍ତି। ଓଡ଼ିଶା ସରକାରଙ୍କ ବିନା ସହମତିରେ ଏହି ବୃହତ ପ୍ରକଳ୍ପଗୁଡିକ ନିର୍ମାଣ ହେଲେ ହୀରାକୁଦ ଜଳଭଣ୍ଡାରକୁ ଜଳପ୍ରବାହ କମିବ ଓ ଓଡ଼ିଶା ପ୍ରଭୂତ ଭାବରେ କ୍ଷତିଗ୍ରସ୍ତ ହେବ। ଏହାଦ୍ୱାରା ପଶ୍ଚିମ, ମଧ୍ୟ ଓ ଉପକୂଳ ଓଡ଼ିଶାର ୪୭୩ ବର୍ଗ କି.ମି. ଅଞ୍ଚଳରେ ଜଳ ସଂରକ୍ଷଣ କ୍ଷମତା ଓ ଜଳ ସେଚନ ବିପର୍ଯ୍ୟସ୍ତ ହେବାର ଆଶଙ୍କା ରହିଛି।

କୋରାପୁଟ ଜିଲ୍ଲାର କୋଟଗଡ଼ ବ୍ଲକରେ ସାବେରୀ ନଦୀରୁ ଇନ୍‌ଟେକ୍‌ ୱେଲ ମାଧ୍ୟମରେ ଜଳ ଉତ୍ତୋଳନ କରି ଛତିଶଗଡ଼ ଏନ୍‌ଏମ୍‌ଡିସି ଷ୍ଟିଲ୍‌ ପ୍ଲାଣ୍ଟକୁ ଜଳଯୋଗାଣ କରୁଥିବା ଓଡ଼ିଶା ସରକାରଙ୍କ ନଜରକୁ ଆସିଛି। ଏ ସଂପର୍କରେ ଓଡ଼ିଶା ସରକାର ଛତିଶଗଡ଼ ସରକାରଙ୍କୁ ପତ୍ର ମାଧ୍ୟମରେ ଅନୁରୋଧ କରିଛନ୍ତି। ମହାନଦୀ କ୍ଷେତ୍ର ହେଉ ବା ସାବେରୀ ନଦୀ ହେଉ ଶିଳ୍ପ ପାଇଁ ଜଳ ଉତ୍ତୋଳନ ଅନୁଚିତ୍‌। ଛତିଶଗଡ଼ ସରକାର ଏଥିରେ ବ୍ୟତିକ୍ରମ କରିଥିବାରୁ ଓଡ଼ିଶା ସରକାର ଏହାର ପ୍ରତିବାଦ କରିଛନ୍ତି।
ଉପରୋକ୍ତ କାର୍ଯ୍ୟଗୁଡିକୁ ଅନୁଧ୍ୟାନ କଲେ ଛତିଶଗଡ଼ ସରକାରଙ୍କ ମନ୍ଦ ଉଦେ୍ଦଶ୍ୟ ଜଳ ଜଳ ଦିଶୁଛି। ଓଡ଼ିଶାର ସ୍ୱାର୍ଥ ପ୍ରତି ଛତିଶଗଡ଼ ଆଖି ବୁଜିଦେଇଛି। ବରଂ ଏହି ଘଟଣାକୁ ରାଜନୈତିକ ପ୍ରଲେପ ଦେଇ ଓଡ଼ିଶାକୁ ଉପହାସ କରିଛି। ସଂଘୀୟ ବ୍ୟବସ୍ଥାର ଖୋଲା ଉଲ୍ଲଂଘନ ହୋଇଛି। ଜାତୀୟ ଜଳ ଆୟୋଗ ତାଙ୍କର ଦାୟିତ୍ୱହୀନତା ପ୍ରମାଣିତ କରି ଓଡ଼ିଶାର ସ୍ୱାର୍ଥକୁ ଅଣଦେଖା କରିଛନ୍ତି। ବିନା ଅନୁମୋଦନରେ ଛତିଶଗଡ଼ ସରକାରଙ୍କୁ ନିର୍ମାଣ କାର୍ଯ୍ୟ କରିବାକୁ ଉତ୍ସାହିତ କରିଛନ୍ତି। କେନ୍ଦ୍ରର ଏନ୍‌ଡିଏ ସରକାର ମଧ୍ୟ ଓଡ଼ିଶା ପ୍ରତି ଅଭିସନ୍ଧିମୂଳକ ନିରବତା ଅବଲମ୍ବନ କରିଛନ୍ତି।

ପୋଲାଭରମ୍‌ ପ୍ରସଂଗରେ ଓଡ଼ିଶାର ସ୍ୱାର୍ଥକୁ ଗୁରୁତ୍ୱ ନଦେଇ କେନ୍ଦ୍ରରେ ତକ୍ରାଳୀନ ‘ଉପା’ ଓ ବର୍ତ୍ତମାନର ଏନ୍‌ଡିଏ ସରକାରଙ୍କ ଚରମ ପକ୍ଷପାତିତା ସାଙ୍ଗକୁ ବର୍ତ୍ତମାନ ବିଜେପି ଶାସନାଧୀନ ଛତିଶଗଡ଼ ସରକାରଙ୍କ ବିଶ୍ୱାସଘାତକ ବ୍ୟବହାର ଓଡ଼ିଶାକୁ ସ୍ୱର ଉତ୍ତୋଳନ କରିବା ପାଇଁ ବାଧ୍ୟ କରିଛି। ଛତିଶଗଡ଼ ସରକାରଙ୍କ ମନମୁଖି କାର୍ଯ୍ୟ ବିରୋଧରେ ଓଡ଼ିଶାର ଚାଷୀକୂଳ ଓ ଜନସାଧାରଣଙ୍କ ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଘଟଣା ବାବଦରେ ପ୍ରତିବାଦ ଜଣାଇ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଛତିଶଗଡ଼ ସରକାରଙ୍କ ଏପରି ଏକପାଖିଆ ନିଷ୍ପତ୍ତିକୁ ବିଜୁ ଜନତା ଦଳ ଓଡ଼ିଶାର ସ୍ୱାର୍ଥ ବିରୋଧୀ ବୋଲି ଅଭିହିତ କରିଛି। ସଂସଦରେ ବିଜେଡି ସାଂସଦମାନେ ଏହି ଘଟଣା ନେଇ ତୀବ୍ର ପ୍ରତିବାଦ ପ୍ରକଟ କରିଛନ୍ତି। ଏପରି ପକ୍ଷପାତ ଓ ଅଭିସନ୍ଧିମୂଳକ
ଉଦ୍ୟମକୁ କୌଣସିମତେ ବରଦାସ୍ତ କରାଯିବ ନାହିଁ ବୋଲି ବିଜେଡି ପକ୍ଷରୁ ଦର୍ଶାଯାଇଛି।

ମହାନଦୀରେ ଛତିଶଗଡ଼ ସରକାରଙ୍କ ମନମୁଖି ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ବନ୍ଦ କରିବା ଦାବିରେ ବିଜୁ ଯୁବ ଜନତା ଦଳ ଆସନ୍ତା ୨୫ ତାରିଖରୁ ଅଗଷ୍ଟ ୧୧ ତାରିଖ ପର୍ଯ୍ୟନ୍ତ ସମ୍ବଲପୁର, ବରଗଡ଼, ଝାରସୁଗୁଡ଼ା, ସୋନପୁର, ବୌଦ୍ଧ, ଅନୁଗୁଳ, ନୟାଗଡ଼, ଢେଙ୍କାନାଳ, ଯାଜପୁର, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା ଓ ଦେବଗଡ଼ରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରତିବାଦ କରିବା ସହିତ ଆନେ୍ଦାଳନକୁ ତୀବ୍ର କରିବ ବୋଲି ସାମ୍ବାଦିକ ସମ୍ମିଳନୀରେ ବିଜୁ ଜନତା ଦଳର ଉପ-ସଭାପତି ତଥା ସାଂସଦ ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ, ବିଜୁ ଯୁବ ଜନତା ରାଜ୍ୟ ସଭାପତି ତଥା ମନ୍ତ୍ରୀ ଶ୍ରୀ ସଂଜୟ କୁମାର ଦାସବର୍ମା ଏବଂ
ଦଳର ଝାରସୁଗୁଡ଼ା ଜିଲ୍ଲା ସଭାପତି ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଶ୍ରୀ କିଶୋର କୁମାର ମହାନ୍ତି କହିଛନ୍ତି।

Share in top social networks!