ନଗଡାକୁ ଏକକ ଘଟଣା ଭାବେ ବିବେଚନା କରିବା ଧର୍ମକୁ ଆଖି ଠାର: ବିଜେପି

13726561_1733889733494703_2820078073850156081_nଖଣି ଓ ଶିଳ୍ପ ସମୃଦ୍ଧ ଯାଜପୁର ଜିଲ୍ଲାର ସୁକିନ୍ଦା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ନଗଡା ଗ୍ରାମ ଶିଶୁମଡକର ଖବର ପ୍ରକାଶ ପାଇବା ପରେ ସରକାର ଏହାକୁ ଏକ ଏକକ ଘଟଣା ଭାବେ ବର୍ଣନା କରିବା ସହିତ ଏହି ଅଂଚଳକୁ ସବୁ ସାହାଯ୍ୟ ସୁବିଧା ପହାଂଚାଇବାର କଥା କହି ସାମୟିକ ଭାବେ ସମସ୍ୟାକୁ ଚାପି ଦେବାର ଚେଷ୍ଟା କରୁଛନ୍ତି ବୋଲି ବିଜେପି ମୁଖପାତ୍ର ଗୋଲକ ମହାପାତ୍ର ଅଭିଯୋଗ କରିଛନ୍ତି।
ଗର୍ଭବତୀ ମହିଳା ଓ ଶିଶୁ ମାନଙ୍କର ଯତ୍ନ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ଯୋଜନାଗୁଡିକ ରାଜ୍ୟ ସରକାରଙ୍କ ସ୍ଥାଣୁତା ଓ ଅପାରଗତା କାରଣରୁ କାର୍ଯ୍ୟକାରୀ ହୋଇ ପାରି ନାହିଁ। ରାଜ୍ୟର ଏକ ତୃତୀୟାଂଶ ଶିଶୁ ଅପପୃଷ୍ଟିର ଶୀକାର ହୋଇଥିବା ସରକାରୀ ରିପୋର୍ଟ ସ୍ପଷ୍ଟ କରୁଛି। ଗଣମାଧ୍ୟମରେ ନଗଡା ଘଟଣା ପ୍ରସାରିତ ହେବା ପରେ ଏପରିକି ଖୋଦ ସ୍ୱାସ୍ଥ୍ୟ ମନ୍ତ୍ରୀ ଅତନୁ ସବ୍ୟସାଚୀଙ୍କ ମହାକାଳପଡା ନିର୍ବାଚନମଣ୍ଡଳୀ, ଶିଳ୍ପ ଓ ଖଣିରେ ସମୃଦ୍ଧ କେନ୍ଦୁଝର ଜିଲ୍ଲାରୁ ସରଜମିନ ରିପୋର୍ଟ ଆଧାରରେ ଅନେକ ଅପପୃଷ୍ଟି ଉଦାହରଣ ଲୋକ ଲୋଚନକୁ ଆଣିଲେଣି। ତେଣୁ ନଗଡା ଏକକ ଘଟଣା ନୁହେଁ। ରାଜ୍ୟରେ ଏହିଭଳି ପରିସ୍ଥିତି ବହୁ ସ୍ଥାନରେ ଦେଖାଦେଇଛି ବୋଲି ଶ୍ରୀ ମହାପାତ୍ର ଅଭିଯୋଗ କରିଛନ୍ତି।
ସେହିପରି ସଂପ୍ରତି ରାଜ୍ୟର ବିଭିନ୍ନ ମନ୍ତ୍ରୀ ମାନଙ୍କର ବିଭାଗ ସମୀକ୍ଷା ସମୟରେ ଖୋଦ ମୁଖ୍ୟମନ୍ତ୍ରୀ ମହିଳା ଓ ଶିଶୁ ବିକାଶ ବିଭାଗର କାର୍ଯ୍ୟକୁ ଉଚ୍ଚ ପ୍ରଶଂସା କରିଥିଲେ। ତାର ଗୋଟିଏ ମାସ ନ ପୁରୁଣୁ ରାଜ୍ୟରେ ଅପପୃଷ୍ଟିରୁ ଶିଶୁ ମୃତ୍ୟୁର ଗୋଟିଏ ଗାଁ ପରେ ଆଉ ଗୋଟିଏ ଗାଁର ଘଟଣା ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ପରସ୍ପର ଟେକାଟେକି ନ୍ୟାୟରେ ସାଧାରଣ ଗରୀବ ମହିଳା ଓ ଶିଶୁଙ୍କ ସ୍ୱାର୍ଥକୁ ଜଳାଂଜଳି ଦିଆ ଯାଇଥିବା ଶ୍ରୀ ମହାପାତ୍ର ଅଭିଯୋଗ କରିଛନ୍ତି।
ଆଙ୍ଗନବାଡି ଘର ନିର୍ମାଣ ପାଇଁ ଉଦ୍ଦିଷ୍ଟ ଅର୍ଥ ତଥା ସପ୍ଲିମେଂଟାରୀ ନ୍ୟୁଟ୍ରେସନ ପ୍ରୋଗ୍ରାମ (ଏସଏନପି) ବାବଦରେ ଜିଲ୍ଲା ମାନଙ୍କ ପାଇଁ ଉଦ୍ଦିଷ୍ଟ ଅର୍ଥକୁ ଜିଲ୍ଲାପାଳମାନେ ବିନିଯୋଗ ନକରି ପାରିବା କାରଣରୁ ସରକାରଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି ହେଉଛି, ତେଣୁ ଶୀଘ୍ର ଅର୍ଥ ଉଠାଇ ନେବା ପାଇଁ ମହିଳା ଓ ଶିଶୁ ବିକାଶ ବିଭାଗ ଶାସନ ସଚିବ ଚଳିତ ମାସରେ ଜିଲ୍ଲାପାଳଙ୍କୁ ଚିଠି ଲେଖି ଲେଖିଛନ୍ତି। ଏପରିକି ସମ୍ବଲପୁର, ନୁଆପଡା, ମାଲକାନଗିରି, କନ୍ଧମାଳ, ଦେଓଗଡ, ବୌ÷÷ଦ ଓ ଭଦ୍ରକ ଜିଲ୍ଲା ପାଇଁ ଉଦ୍ଦିଷ୍ଟ ଏସଏନପି ଅର୍ଥ ୩୮.୪ କୋଟି ଟଙ୍କାରୁ ଟଙ୍କାଟିଏ ମଧ୍ୟ ନ ନେଇଥିବାରୁ ଜିଲ୍ଲାପାଳ ମାନଙ୍କୁ ଚିଠି ଲେଖି ତାଗିଦ କରାଯାଇଛି।
ଏହା ସ୍ପଷ୍ଟ କରୁଛି ନବୀନ ପଟ୍ଟନାୟକଙ୍କ ସରକାର ଅମଳରେ ଗରୀବ ଓଡିଆ ଗର୍ଭବତୀ ମହିଳା ଓ ଶିଶୁ ମାନେ ସେମାନଙ୍କର ନ୍ୟାଯ୍ୟ ଅଧିକାରରୁ ବଂଚିତ ହେଉଛନ୍ତି। ଅଙ୍ଗନବାଡି କେନ୍ଦ୍ର ଓ ଗର୍ଭବତୀ ମହିଳା ଓ ଶିଶୁ ମାନଙ୍କ ପାଇଁ ଗରମ ରନ୍ଧା ଖାଦ୍ୟ, ଟେକ ହୋମ ରାସନ ପାଇଁ ପର୍ଯ୍ୟାପ୍ତ ଅର୍ଥ ଥିବା ବେଳେ ଏହା ବ୍ୟବହାର ନ ହୋଇ ପଡି ରହିଛି।
ସେହିପରି ବିଧାନସଭାରେ ପ୍ରଶ୍ନର ଉତର ଦେଇ ମହିଳା ଶିଶୁ ବିକାଶ ମନ୍ତ୍ରୀ ଉଷା ଦେବୀ କହିଛନ୍ତି ଯେ ରାଜ୍ୟରେ ମୋଟ ୪୫, ୫୩୬ ଅତିଶୟ ପୁଷ୍ଟିହୀନ ଶିଶୁ ଅଛନ୍ତି। ଯାଜପୁର ଜିଲ୍ଲାରେ ୮୯୪, କଳାହାଣ୍ଡିରେ ୪୧୪୫, କେନ୍ଦୁଝରରେ ୩୨୮୭, କୋରାପୁଟରେ ୪୮୪୮, ମାଲକାନଗିରିରେ ୨୧୦୪, ମୟୁରଭଂଜରେ ୩୩୪୧, ନୂଆପଡାରେ ୨୫୫୩, ନବରଙ୍ଗପୁରରେ ୩୭୭୩, କନ୍ଧମାଳରେ ୧୫୨୮, ରାୟଗଡାରେ ୩୧୧୬, ସୁନ୍ଦରଗଡରେ ୩୫୫୧ ଅତିଶୟ ପୃଷ୍ଟିହୀନ ଶିଶୁ ଥିବା ରାଜ୍ୟ ସରକାର ବିଧାନସଭାରେ ଲିଖିତ ବିବୃତି ଦେଇଛନ୍ତି। ସମସ୍ତ ଖବର ଥିବା ସତ୍ୱେ ରାଜ୍ୟ ସରକାର ଜାଣି ଶୁଣି ଅବହେଳା କରିଛନ୍ତି ଏବଂ ଏହା ସକାଶେ ରାଜ୍ୟ ସରକାରଙ୍କ ପାଇଁ “ସ୍ଥାଣୁ, ଅପାରଗ, ଅବିଶ୍ୱସନୀୟ , ଗରୀବ ଓ ସାଧାରଣ ଲୋକଙ୍କ ବିରୋଧୀ” ଛଡା କଣ ଶବ୍ଦ ବ୍ୟବହାର କରାଯାଇ ପାରିବ ବୋଲି ଶ୍ରୀ ମହାପାତ୍ର ପ୍ରଶ୍ନ କରିଛନ୍ତି।
ଶ୍ରୀ ମହାପାତ୍ର ଅଭିଯୋଗ କରି ଆହୁରି କହିଛନ୍ତିଯେ, ୨୦୧୬-୧୭ ଆର୍ଥିକ ବର୍ଷରେ ଅଙ୍ଗନବାଡି ଘର ନିର୍ମାଣ ପାଇଁ ରାଜ୍ୟର ୨୨ଟି ଜିଲ୍ଲାକୁ ଦିଆଯାଇଥିବା ଅର୍ଥରୁ ଏଯାବତ ଟଙ୍କାଟିଏ ହେଲେ ଖର୍ଚ୍ଚ ହୋଇନାହିଁ। ସେହିପରି ଚଳିତ ବର୍ଷ ସପ୍ଲିମେଂଟାରୀ ନ୍ୟୁଟ୍ରେସନ ପ୍ରୋଗ୍ରାମ (ଏସଏନପି) ଦ୍ୱାରା ୧୯ଟି ଜିଲ୍ଲାକୁ ଦିଆଯାଇଥିବା ୨୦୨.୪୯ କୋଟି ଟଙ୍କା ମଧ୍ୟରୁ ଅଦ୍ୟାବଧି ମାତ୍ର ୮.୩୩କୋଟି ଖର୍ଚ୍ଚ ହୋଇଛି। ସିଏଜି ରିପୋର୍ଟ ଅନୁଯାୟୀ ୨୦୧୪-୧୫ ଆର୍ଥିକ ବର୍ଷରେ ରାଜ୍ୟରେ ଅଙ୍ଗନବାଡି ଘର ନିର୍ମାଣ ପାଇଁ ଆସିଥିବା ୧୦୦ କୋଟି ଟଙ୍କା ଖର୍ଚ୍ଚ ହୋଇ ନପାରି ଫେରିଯାଇଛି। ଏହା ରାଜ୍ୟ ସରକାରଙ୍କ ଅପାରଗତା ଓ ସ୍ଥାଣୁତା ପାଇଁ ସମ୍ଭବ ହୋଇଛି ବୋଲି ଶ୍ରୀ ମହାପାତ୍ର ତାତ୍ସଲ୍ୟ କରି କହିଛନ୍ତି।

Share in top social networks!