ଡିଜେଲ ଓ ପେଟ୍ରୋଲ ଖୁଚୁରା ବିକ୍ରୟ କେନ୍ଦ୍ର ପାଇଁ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଲୋକଙ୍କୁ ରିହାତି ମୂଲ୍ୟରେ ଜମି ଯୋଗାଇ ଦେବାକୁ ରାଜ୍ୟ ମାନଙ୍କୁ ଅନୁରୋଧ କଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

dpରାଷ୍ଟ୍ରାୟତ ତୈଳ କମ୍ପାନୀ ମାନଙ୍କ ଦ୍ୱାରା ଡିଜେଲ ଓ ପେଟ୍ରୋଲ ଖୁଚୁରା ବିକ୍ରୟ କେନ୍ଦ୍ର
ପାଇଁ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଲୋକଙ୍କ ପାଇଁ ସଂରକ୍ଷିତ ସ୍ଥାନ ଗୁଡିକରେ ଏହି ବର୍ଗର ଲୋକ ମାନଙ୍କ ପାଖରେ ଜମି
ଉପଲବ୍ଧ ନ ଥିବାରୁ ସଂପୃକ୍ତ ବର୍ଗର ବ୍ୟକ୍ତି ମାନଙ୍କୁ କେନ୍ଦ୍ର ଆବଂଟନ କରା ଯାଇ ପାରୁ ନାହିଁ ବୋଲି ସମୀକ୍ଷା ବୈଠକରୁ
ଜଣାଯାଇଛି।
ନୂଆ ଦିଲ୍ଲୀ ଠାରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏ ସମ୍ପର୍କରେ ସମୀକ୍ଷା କରିବା ପରେ କହିଛନ୍ତି
ଯେ ଐତିହାସିକ ଭାବରେ ଦେଶର ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଲୋକ ମାନେ ଜମି ମାଲିକାନାରୁ ବଂଚିତ ଥିବା
କାରଣରୁ ଏହି ସମସ୍ୟା ସୃଷ୍ଟି ହୋଇଛି।
ଶ୍ରୀ ପ୍ରଧାନ କହିଛନ୍ତି ଯେ ୨୦୧୪-୧୫ ଆର୍ଥିକ ବର୍ଷରେ ୫,୯୯୪ ସ୍ଥାନରେ ଏହି ବର୍ଗର ବ୍ୟକ୍ତିବିଶେଷ ପାଇଁ ପେଟ୍ରୋଲ ଓ
ଡିଜେଲ ବିକ୍ରୟ କେନ୍ଦ୍ର ପାଇଁ ବିଜ୍ଞାପନ ପ୍ରକାଶ ପାଇଥିଲା। ଏହା ମଧ୍ୟରୁ ୨୯୦୬ ସ୍ଥାନରୁ ଆବେଦନ ଆସିଥିଲା, ଯାହା ମୋଟ
ସଂଖ୍ୟାର ୪୮.୫ ପ୍ରତିଶତ ଅଟେ। ୩୦୮୮ ସ୍ଥାନରୁ ଆଦୌ ଆବେଦନ ଆସି ନ ଥିଲା। ଶ୍ରୀ ପ୍ରଧାନ କହିଛନ୍ତି ଯେ ଏହି ସମୟ
ମଧ୍ୟରେ ୬୫୮ ଆବେଦନକାରୀଙ୍କ କ୍ଷେତ୍ରରେ ନୀତିଗତ ଭାବରେ ଏହି ବର୍ଗର ଲୋକଙ୍କୁ ବିକ୍ରୟ କେନ୍ଦ୍ର ପ୍ରଦାନ ପାଇଁ ନିଷ୍ପତି
ହୋଇଥିଲେ ମଧ୍ୟ ଜମି ଅସୁବିଧା କାରଣରୁ ବିକ୍ରୟ କେନ୍ଦ୍ର ସ୍ଥାପନା କରାଯାଇ ପାରୁନାହିଁ।
ଜମିର ଅଭାବ କାରଣରୁ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ବ୍ୟକ୍ତିବିଶେଷ ମାନେ ଯେପରି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ମନ୍ତ୍ରୀ
ଶ୍ରୀ ପ୍ରଧାନ ଏଥିପାଇଁ ଓଡିଶା ସମେତ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କୁ ଚିଠି ଲେଖି ଏହି ବର୍ଗର ବ୍ୟକ୍ତିବିଶେଷ ମାନଙ୍କ ପାଇଁ ସ୍ଥାନ
ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି। ଏହି ଜାଗା ଗୁଡିକ ରିହାତି ମୂଲ୍ୟରେ ଯୋଗାଇ ଦେଲେ ତୈଳ ବିତରଣ କମ୍ପାନୀ ମାନେ
ଆବଶ୍ୟକ ନିର୍ମାଣ କାର୍ଯ୍ୟ କରିବେ। ତୈଳ କମ୍ପାନୀ ମାନେ ଏହି ବର୍ଗର ବ୍ୟକ୍ତିବିଶେଷ ମାନଙ୍କୁ ବ୍ୟବସାୟ ଚଲାଇବା ପାଇଁ ଅର୍ଥ
ଯୋଗାଇ ଦେବେ।
ସାରା ଦେଶରେ ୩,୭୪୫ ଏହି ବର୍ଗର ବ୍ୟକ୍ତିବିଶେଷଙ୍କୁ ଏହି ସୁବିଧା ଯୋଗାଇ ଦିଆଗଲେ ସେମାନଙ୍କୁ ରୋଜଗାର ମିଳିବ ସହ
ସେମାନଙ୍କର ଆର୍ଥିକ ସଶକ୍ତିକରଣ ହୋଇ ପାରିବ।
ଏଠାରେ ଉଲ୍ଲେଖ କରାଯାଇ ପାରେ ଯେ ମନ୍ତ୍ରୀ ଶ୍ରୀ ପ୍ରଧାନ ଗତ ୬ ତାରିଖରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ
ଚିଠି ଲେଖି ରାଜ୍ୟ ସରକାରଙ୍କର ସହଯୋଗ କାମନା କରିଥିଲେ। ଏହି ପତ୍ରରେ ଶ୍ରୀ ପ୍ରଧାନ ଉଲ୍ଲେଖ କରିଥିଲେ ଯେ ରାଜ୍ୟରେ
ମୋଟ ୨୫ ପ୍ରତିଶତ ବିକ୍ରୟ କେନ୍ଦ୍ର ଏହି ବର୍ଗ ପାଇଁ ସଂରକ୍ଷିତ ଥିବା ବେଳେ ମାତ୍ର ୧୫ ପ୍ରତିଶତ କେନ୍ଦ୍ର ପାଇଁ ଆବେଦନ ପତ୍ର
ମିଳିଛି। ମୋଟରେ ୧୧୫ଟି ସ୍ଥାନରୁ ଆବେଦନ ମିଳି ନ ଥିବା ବେଳେ ୩୮ ଟି ସ୍ଥାନରେ ନୀତିଗତ ନିର୍ଣୟ ପରେ ବି ଜମି ସମସ୍ୟା
କାରଣରୁ ଏହା କାର୍ଯ୍ୟକାରୀ ହୋଇ ପାରୁ ନାହିଁ ବୋଲି ଏହି ପତ୍ରରେ ଉଲ୍ଲେଖ କରିଥିଲେ।

Share in top social networks!