ବିଜେଡି ସରକାରର ଅପାରଗତା ଓ କାଳକ୍ଷେପଣ ନୀତି ଯୋଗୁଁ ରାଜ୍ୟର ପ୍ରାୟ ୨୨ଲକ୍ଷ ଚାଷୀ ଗତବର୍ଷର ଫସଲ ବୀମା ସହାୟତା ରାଶି ପାଇବାରୁ ବଂଚିତ: ଓଡିଶା ପ୍ରଦେଶ କଂଗ୍ରେସ କମିଟି

pccକୃଷି ଆୟକୁ ସୁରକ୍ଷିତ ଓ ସୁନିଶ୍ଚିତ କରିବା ପାଇଁ ସରକାରଙ୍କ ଫସଲବୀମା ଯୋଜନାରେ ଗତବର୍ଷ ୨୦୧୫ ଖରିଫ ଚାଷରେ ରାଜ୍ୟର ମୋଟ୍ ୨୧ ଲକ୍ଷ ୫୨ ହଜାର ୫୯୦ଜଣ ଚାଷୀ ସରକାରଙ୍କ ଘୋଷଣା କ୍ରମେ ଭୟଙ୍କର ମରୁଡି ପରିସ୍ଥିତି ସତ୍ତ୍ୱେ ୧୮୦ କୋଟି ୮୧ ଲକ୍ଷ ୪୬ ହଜାର ଟଙ୍କା ଫସଲବୀମା ପ୍ରିମିୟମ ବାବଦରେ ଜମା କରିଥିଲେ। କିନ୍ତୁ ଦୁର୍ଭାଗ୍ୟର ବିଷୟ ଗତ ଖରିଫ ଯାଇ ବର୍ତ୍ତମାନ ଖରିଫ ଚାଷର ୪ ମାସ ବିତିବାକୁ ଯାଉଥିବା ବେଳେ ଏହିି ସରକାରର ଅପାରଗତା, ଚରମ ଅବହେଳା ଓ କାଳକ୍ଷେପଣ ନୀତି ଯୋଗୁଁ ପଂଚାୟତ ୱାରୀ ଫସଲ ଉତ୍ପାଦନ ରିପୋର୍ଟ ସଠିକ୍ ଭାବରେ ପ୍ରସ୍ତୁତ କରାନଯିବା ଫଳରେ ଫସଲ କ୍ଷୟକ୍ଷତିର ରିପୋର୍ଟ କେନ୍ଦ୍ର ସରକାରଙ୍କଠାରେ ଦାଖଲ କରାଯାଇ ନାହିଁ।

ତେଣୁ ଭୟଙ୍କର ମରୁଡିରେ କ୍ଷତିଗ୍ରସ୍ତ ବୀମାଭୁକ୍ତ ଚାଷୀମାନେ ଗତବର୍ଷର ଫସଲବୀମା ସହାୟତା ରାଶି ପାଇବାରୁ ସମ୍ପୂର୍ଣ୍ଣ ବଂଚିତ ହୋଇଛନ୍ତି ବୋଲି ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ପ୍ରସାଦ ହରିଚନ୍ଦନ ଓ ପ୍ରଦେଶ କଂଗ୍ରେସ କୃଷକ ସେଲ୍ ରାଜ୍ୟ ଅଧ୍ୟକ୍ଷ ଅମୀୟ କୁମାର ପଟ୍ଟନାୟକ ଆଜି କଂଗ୍ରେସ ଭବନ ଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କୁ ଏଥିପାଇଁ ସମ୍ପୂର୍ଣ୍ଣ ଦାୟୀ କରିଛନ୍ତି। ଅନ୍ୟପକ୍ଷରେ ଗୁଜୁରାଟ, ଛତିଶଗଡ ରାଜ୍ୟ ସରକାର ସେମାନଙ୍କ ରାଜ୍ୟର ପ୍ରାକୃତିକ ବିପର୍ଯ୍ୟୟ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ଗତବର୍ଷର ବୀମା ସହାୟତା ରାଶି ଠିକଣା ସମୟରେ ଯୋଗାଇ ଦେଇଥିବା ବେଳେ ଓଡିଶା ଚାଷୀଙ୍କୁ ସହାୟତା ଦେବା ଘୋଷଣା ମୁଖ୍ୟମନ୍ତ୍ରୀଙ୍କ କେବଳ ପ୍ରଚାର ସର୍ବସ୍ୱ ଓ ଧୂଆଁବାଣରେ ପରିଣତ ହୋଇଛି। ବାରମ୍ବାର ରାଜ୍ୟରେ ଚାଷୀ ଆତ୍ମହତ୍ୟାଠାରୁ ଆରମ୍ଭ କରି ଧାନର ଅଭାବି ବିକ୍ରି, ଫସଲ ହାନୀ, ଋଣବୋଝରେ ଚାଷୀକୁଳ ସର୍ବହରା ହୋଇପଡିଥିବା ବେଳେ ଏହି ବାହାସ୍ପୋଟ ମାରୁଥିବା ସରକାରର ଚାଷୀଙ୍କ ପ୍ରତି ତିଳେମାତ୍ର ଦରଦ ନାହିଁ ବୋଲି ସେ କହିଛନ୍ତି।

ଅପର ପକ୍ଷରେ ୨୦୧୬ ଠାରୁ ଦେଶରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା କାର୍ଯ୍ୟକାରୀ କରାଯିବା ପାଇଁ ବ୍ୟବସ୍ଥା ରହିଥିବା ବେଳେ ରାଜ୍ୟ ସରକାରର ଚରମ ଅବହେଳା ଓ ଉଦାସୀନତା ଫଳରେ ଆଜିସୁଦ୍ଧା ରାଜ୍ୟର ଶତକଡା ୨୫ ଭାଗ ଚାଷୀଙ୍କୁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ସମ୍ପର୍କରେ ସରକାରଙ୍କ ପକ୍ଷରୁ ସଚେତନ କରାଯାଇ ନାହିଁ। ଚଳିତ ଖରିଫ ଚାଷରେ ରାଜ୍ୟ ସରକାର ଚାଷୀଙ୍କୁ ୬ ହଜାର କୋଟି ଟଙ୍କାର ସମବାୟ କୃଷି ଋଣ ଲଗାଣ ଓ ଜାତୀୟକରଣ ବ୍ୟାଙ୍କମାନେ ୨୯ ହଜାର କୋଟି ଟଙ୍କା କୃଷି ଋଣ ଲଗାଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଥିବା ବେଳେ ଉଭୟ ସରକାରଙ୍କ ଚାଷୀଙ୍କ ପ୍ରତି ସମ୍ପୂର୍ଣ୍ଣ ଅଣଦେଖା କରୁଥିବା ଯୋଗୁଁ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ସମବାୟ ଓ ଜାତୀୟକରଣ ବ୍ୟାଙ୍କମାନେ ୩୦ ଭାଗ ଋଣ ଯୋଗାଇ ଦେଇ ପାରି ନଥିବା ଫଳରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଚାଷୀ ପଞ୍ଜିକୃତ ହେବାରେ ବାଧକ ସାଜିଛି ବୋଲି ସେ ଅଭିଯୋଗ କରିଛନ୍ତି। ଭାଗଚାଷୀମାନଙ୍କ ପାଇଁ ଆଇନଗତ ସ୍ୱୀକୃତି ନଥିବାରୁ ଲକ୍ଷାଧିକ ଅଣଋଣୀ ଚାଷୀମାନେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ସୁଫଳ ପାଇବାରୁ ବଂଚିତ ହେବାକୁ ଯାଉଛନ୍ତି। ତେଣୁ ରାଜ୍ୟ ସରକାର ଆଉ କାଳ ବିଳମ୍ବ ନକରି ଚାଷୀସମାଜର ସାମୁହିକ ହିତ ଦୃଷ୍ଟିରୁ ତୁରନ୍ତ ଗତବର୍ଷର ସମସ୍ତ ଫସଲ ବୀମା ଭୂକ୍ତ ଚାଷୀମାନଙ୍କୁ ସେମାନଙ୍କ ଫସଲବୀମା ସହାୟତା ରାଶି ତୁରନ୍ତ ପ୍ରଦାନ କରିବା ଓ ଚଳିତ ଖରିଫ ଚାଷରେ ପ୍ରଧାନମନ୍ତ୍ରୀ ଫସଲବୀମା ଅବଧିକୁୁ ଅଗଷ୍ଟ ୩୧ ତାରିଖକୁ ବୃଦ୍ଧି କରିବା ପାଇଁ କଂଗ୍ରେସ ଦଳ ପକ୍ଷରୁ ଦୃଢ ଦାବୀ କରାଯାଇଛି। ଯଦି ଆସନ୍ତା ୧ମାସ ମଧ୍ୟରେ ଗତ ବର୍ଷର ମରୁଡି କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ସେମାନଙ୍କ ବୀମା କ୍ଷତି ପୂରଣ ସହାୟତା ରାଶି ଯୋଗାଇ ଦିଆନଯାଏ ସରକାର ବିରୁଦ୍ଧରେ କିଷାନ କ୍ଷେତ ମଜଦୁର କଂଗ୍ରେସ ସମଗ୍ର ରାଜ୍ୟରେ ରାସ୍ତାକୁ ଓହ୍ଲାଇବ ବୋଲି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଚେତାବନୀ ଦିଆଯାଇଛି।
ଦାବୀ
• ଚଳିତ ଖରିଫ ଫସଲବୀମା ପଞ୍ଜିକରଣ ଅବଧି ଅଗଷ୍ଟ ୩୧ ତାରିଖକୁ ବୃଦ୍ଧି ଓ ଅଣ ଋଣୀ ଚାଷୀମାନଙ୍କୁ ଅଧିକ ସଂଖ୍ୟାରେ ବୀମାଭୂକ୍ତ ପାଇଁ ସଚେତନ କରାଯାଉ।
• ଗତବର୍ଷର୨୧ ଲକ୍ଷ ୫୨ ହଜାର ୪୯୭ ଜଣ ବୀମାଭୂକ୍ତ ଚାଷୀଙ୍କୁ ତୁରନ୍ତ ବୀମା ସହାୟତା ରାଶି ପ୍ରଦାନ।
• ପଂଚାୟତ ପରିବର୍ତେ ପ୍ରତି ରାଜସ୍ୱ ଗ୍ରାମକୁ ଏକକ ଫସଲ ବୀମା ୟୁନିଟ୍ ଭାବେ ଗ୍ରହଣ।
• ଏକ ପ୍ରତିଶତ ସୁଧ ହାରରେ ଯୁଦ୍ଧକାଳୀନ ଭିତିରେ ସମସ୍ତ ଚାଷୀ ଓ ଭାଗଚାଷୀଙ୍କୁ ଋଣ ଲଗାଣ।
• କୃଷି, ରାଜସ୍ୱ ଓ ପରିସଂଖ୍ୟାନ ବିଭାଗର ସମନ୍ୱୟରେ ସଠିକ୍ କ୍ରପ କଟିଙ୍ଗ୍ ରିପୋର୍ଟ ଠିକଣା ସମୟରେ ଉପସ୍ଥାପିତ।
• ଧାନ, ଚିନା ବାଦାମ, ଅଦା, ହଳଦୀ, କପା ସହିତ ଆଳୁ ପାନ, ଅଳସୀ, ହରଡ, ମକା କଦଳୀ, ଝୋଟ, ସୋରିଷ, ମୁଗ ଓ ବିରି ଓ ଅର୍ଥକରୀ ପନିପରିବା ଫସଲକୁ ମଧ୍ୟ ବୀମାଭୂକ୍ତ କରାଯାଉ।

Share in top social networks!