ନଗଡା ମାମଲାରେ ରାଜ୍ୟପାଳଙ୍କୁ ଭେଟି ହସ୍ତକ୍ଷେପ ଲୋଡିଲା ବିଜେପି

bjppରାଜ୍ୟପାଳ ତାଙ୍କର ସାମ୍ବିଧାନିକ ବିଶେଷ ଅଧିକାର ପ୍ରୟୋଗ କରି ଜନଜାତି ଅଧ୍ୟୁଷିତ ନଗଡା ଗାଁ ମାମଲାରେ ହସ୍ତକ୍ଷେପ କରନ୍ତୁ ବୋଲି ବିଜେପି ରାଜ୍ୟପାଳ ଡ. ଏସ.ସି ଜମିରଙ୍କୁ ଭେଟିଦାବି ଜଣାଇଛି। ଶିଳ୍ପ ଓ ଖଣିଜ ସମ୍ପଦରେ ଭରା ଯାଜପୁର ଜିଲ୍ଲାର ସୁକିନ୍ଦା ନିର୍ବାଚନମଣ୍ଡଳୀର ନଗଡା ଗାଁର ଶିଶୁ ମଡକ ଓ ଦେଶ ଓ ରାଜ୍ୟର ବିକାଶର ଧାରାରେ ଜୁଆଙ୍ଗ ଜନଜାତି ଅଧ୍ୟୁଷିତ ଏହି ଗାଁ ସାମିଲ ନ ହେବା ସମସ୍ୟା ନେଇ ବିଜେପି ପ୍ରତିନିଧି ଦଳ ମାନ୍ୟବର ରାଜ୍ୟପାଳଙ୍କୁ ସାକ୍ଷାତ କରିଛି। ସାକ୍ଷାତ କରିବା ପରେ ରାଜ୍ୟ ସଭାପତି ବସନ୍ତ ପଣ୍ଡା ଗଣମାଧ୍ୟମକୁ ସୂଚନା ଦେଇ ଏହା କହିଛନ୍ତି।
ଶ୍ରୀ ପଣ୍ଡା ରାଜ୍ୟପାଳଙ୍କୁ ପ୍ରଦାନ କରା ଯାଇଥିବା ଦାବି ପତ୍ର ସମ୍ପର୍କରେ କହିଛନ୍ତି ଯେ ନଗଡାର ଅଳ୍ପ କେଇ ମାସ ମଧ୍ୟରେ ୧୯ ଶିଶୁଙ୍କର ଅକାଳ ମୃତ୍ୟୁ ତାକ୍ରାଳିକ ସ୍ୱାସ୍ଥ୍ୟ ସମସ୍ୟା ଜନିତ ନୁହେଁ। ଏହା ଦୀର୍ଘ ଦିନରୁ ଗର୍ଭାବସ୍ଥାରେ ମା ଓ ପିଲା ଦିନୁ ଶିଶୁ ପୁଷ୍ଟିହୀନତାର ଶୀକାର ହୋଇ ଏହି ଅସମୟ ଓ ଦୁଃଖଦ ତ୍ମତ୍ୟୁର ଶୀକାର ହୋଇଛନ୍ତି।
ଶ୍ରୀ ପଣ୍ଡା କହିଛନ୍ତି ଯେ ତଳ ନଗଡା, ମଝି ନଗଡା ଓ ଉପର ନଗଡା ଏହି ଜନବସତି ଗୁଡିକରେ ବିକାଶ ପାଇଁ ଯୋଜନା ଓ ଅର୍ଥର ଅଭାବ ନ ଥିଲେ ମଧ୍ୟ ରାଜ୍ୟ ସରକାରଙ୍କର ସ୍ଥାôଣୁତା ଓ ଅପାରଗତା କାରଣରୁ ୧୯ ଜଣ ଶିଶୁଙ୍କର ତ୍ମତ୍ୟୁ ଘଟିଛି ଓ ଏହି ଗାଁର ଲୋକ ମାନେ ସମସ୍ତ ସରକାରୀ ସୁବିଧା ସୁଯୋଗରୁ ବଂଚିତ ହୋଇ ଦୁସ୍ଥ ଓ ଅବହେଳିତ ଜୀବନ ଯାପନ କରୁଛନ୍ତି।
ଖାଦ୍ୟ ସୁରକ୍ଷା ଯୋଜନାରେ ଏଠାରେ ରହୁଥିବା ପ୍ରତିଟି ପରିବାର ଯୋଗ୍ୟ। କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ଏହି ବିଶାଳ ଖାଦ୍ୟ ସୁରକ୍ଷା ଯୋଜନାରେ ଏହି ଜନବସତି ଗୁଡିକର ଅଳ୍ପ ପରିବାର ସାମିଲ ହୋଇଥିବା ବେଳେ ଅବଶିଷ୍ଟ ଅଧିକାଂଶ ଏହି ଯୋଜନାରେ ସାମିଲ ହୋଇ ନାହାନ୍ତି। ଅନ୍ତୋଦୟ ଓ ଅନ୍ନପୂର୍ଣା ଯୋଜନାରେ ବହୁ ପରିବାର ମାସକୁ ୩୫ କିଲୋ ଚାଉଳ ପାଇବା ପାଇଁ ଯୋଗ୍ୟତା ଥିବା ସତ୍ୱେ ଗରୀବ ସାଧାରଣ ଲୋକ ମାନେ ବଂଚିତ ହୋଇଛନ୍ତି।
ଅଙ୍ଗନବାଡି କେନ୍ଦ୍ର ନାହିଁ। ସରକାରୀ ଯୋଜନାରେ ଗର୍ଭବତୀ ମା ତଥା ଶିଶୁଙ୍କ ପାଇଁ ଖାଦ୍ୟ, ଗରମ ରନ୍ଧା ଖାଦ୍ୟ ଏହି ଗାଁ ଗୁଡିକର ଲୋକ ମାନଙ୍କ ଠାରୁ ଅପହଂଚ। ଛତୁଆ, ରାଶି ଲଡୁ, ଅଣ୍ଡା ଯାହା ଗର୍ଭବତୀ ମା ଓ ଶିଶୁ ମାନଙ୍କ ପାଇଁ ଉଦ୍ଦିଷ୍ଟ ତଥା ପୁଷ୍ଟିହୀନତା ଓ ଅତ୍ୟଧିକ ପୁଷ୍ଟିହୀନତାର ଶୀକାର ଶିଶୁ ମାନଙ୍କ ପାଇଁ ବିଶେଷ ଖାଦ୍ୟ ଓ ଚିକିତ୍ସା ଯୋଜନା ଏହି ଗାଁରେ ପହଂଚି ପାରି ନାହିଁ।
ସରକାରଙ୍କର ପ୍ରତିଷେଧକମୂଳକ ଟୀକା ପ୍ରତ୍ୟେକ ଶିଶୁ ପାଇଁ ବ୍ୟବସ୍ଥା କରାଯାଇଥିବା ସତ୍ୱେ ରାଜ୍ୟ ସରକାର ଗୋଟିଏ ବି ପିଲାକୁ ଟୀକାକରଣ କରିବାରେ ସମର୍ଥ ହୋଇ ନାହାନ୍ତି।
ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ଗାଁର ଗୋଟିଏ ଲୋକ ବି କାମ ପାଇ ନାହାନ୍ତି। ଜଙ୍ଗଲ ଅଧିକାର ଆଇନ କାର୍ଯ୍ୟକାରୀ ହେଉଥିଲେ ମଧ୍ୟ ଏହି ଗାଁର ଲୋକ ମାନେ ସେମାନଙ୍କର ଅଧିକାରରୁ ବଂଚିତ। ଜୁଆଙ୍ଗ ପ୍ରିମିଟିଭ ଟ୍ରାଇବ ହୋଇଥିବା ସତ୍ୱେ ସେମାନେ ସେମାନଙ୍କର ବିଶେଷ ବିକାଶମୂଳକ ଅଧିକାରରୁ ବଂଚିତ ହେଉଛନ୍ତି।

ନଗଡାରେ ଶିଶୁ ମଡକ ପରିପ୍ରେକ୍ଷୀରେ ଯାଜପୁର ତଥା ରାଜ୍ୟର ଅନ୍ୟାନ୍ୟ ଜିଲ୍ଲା ମାନଙ୍କରେ ଅଙ୍ଗନବାଡି କେନ୍ଦ୍ର ନିର୍ମାଣ ପାଇଁ କେନ୍ଦ୍ରୀୟ ଅର୍ଥ ଓ ସପ୍ଲିମେଂଟାରୀ ନ୍ୟୁଟ୍ରେସନ ପ୍ରୋଗ୍ରାମ (ଏସଏନପି) ପାଇଁ ଜିଲ୍ଲାରେ ପ୍ରଚୁର ଅର୍ଥ ଥିବା ସତ୍ୱେ ଅର୍ଥ ଖର୍ଚ ହେଉ ନ ଥିବା ସରକାରୀ ତଥ୍ୟ ରାଜ୍ୟପାଳଙ୍କ ନିକଟରେ ଉପସ୍ଥାପିତ କରିଥିବା ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି।
ଏହି ସାମ୍ବାଦିକ ସମ୍ମିଳନୀରେ ଦଳର ବିଧାୟକ ରବି ନାରାୟଣ ନାଏକ, ବିଧାନସଭା ପ୍ରଶ୍ନ ସଂଖ୍ୟା ୟୁଡିଏକ୍ୟୁ ନଂ-୩୯୧ ଯାହାର ଉତର ଅପ୍ରେଲ ୨୯, ୨୦୧୬ରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଉତର ରଖିଛନ୍ତି, ସେ ପ୍ରଶ୍ନକୁ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥାପିତ କରିଥିଲେ। ଶ୍ରୀ ପଣ୍ଡା କହିଥିଲେ ଯେ ତାଙ୍କ ଦଳର ବିଧାୟକ ଯେଉଁ ଅଂଚଳକୁ ଯାନବାହନ ଚଳାଚଳ କରି ପାରୁ ନାହିଁ, ସରକାରୀ ସୁବିଧା ସୁଯୋଗ ନ ପହଂଚିବା କାରଣରୁ ସେ ସବୁ ଅଂଚଳରେ ଶିଶୁ ମୃତ୍ୟୁ ହୋଇଥାଏ ଓ ତାର ପ୍ରତିକାର ପାଇଁ ସରକାର କଣ ପଦକ୍ଷେପ ନେଉଛନ୍ତି ତାହା ଜାଣିବାକୁ ଚାହିଁଥିଲେ। ଏ ପ୍ରଶ୍ନର ସିଧା ଉତର ସରକାର ଦେଇ ନ ଥିଲେ। ଯଦି ସରକାର ପ୍ରଶ୍ନ କର୍ତାଙ୍କ ଉଦେ୍ଦଶ୍ୟ ବୁଝିଥାନ୍ତେ ଓ ପଦକ୍ଷେପ ନେଇ ଥାନ୍ତେ ତେବେ ନଗଡା ଓ ନଗଡା ପରି ଅନେକ ଅଂଚଳର ଶିଶୁ ବଂଚି ପାରନ୍ତେ ବୋଲି ଶ୍ରୀ ପଣ୍ଡା କହିଛନ୍ତି।
ସେହିପରି ବିଧାନସଭା ପ୍ରଶ୍ନ ସଂଖ୍ୟା ୟୁଡି -୨୯ ଯାହାର ଉତର ମହିଳା ଶିଶୁ ବିକାଶ ମନ୍ତ୍ରୀ ଉଷା ଦେବୀ ରଖିଛନ୍ତି ସେଥିରେ ଦର୍ଶାଯାଇଛି ଯେ ରାଜ୍ୟରେ ମୋଟ ୪୫, ୫୩୬ ଅତିଶୟ ପୁଷ୍ଟିହୀନ ଶିଶୁ ଅଛନ୍ତି। ତନ୍ମଧ୍ୟରୁ ଯାଜପୁର ଜିଲ୍ଲାରେ ୮୯୪ ଅନ୍ତର୍ଭୁକ୍ତ। ଯଦି ସରକାର ଜାଣି ଶୁଣି ଅବହେଳା କରିବା ରାଜ୍ୟ ସରକାର ସ୍ଥାଣୁ, ଅପାରଗ, ଅବିଶ୍ୱସନୀୟ , ଗରୀବ ଓ ସାଧାରଣ ଲୋକଙ୍କ ବିରୋଧୀ ଛଡା କଣ ଶବ୍ଦ ବ୍ୟବହାର କରାଯାଇ ପାରିବ ବୋଲି ଶ୍ରୀ ପଣ୍ଡା ପ୍ରଶ୍ନ କରିଛନ୍ତି।
ରାଜ୍ୟ ସଭାପତି ଶ୍ରୀ ବସନ୍ତ ପଣ୍ଡାଙ୍କ ନେତୃତ୍ୱରେ ଏହି ପ୍ରତିନିଧି ଦଳରେ ବରିଷ୍ଠ ନେତା ଶ୍ରୀ ବିଶ୍ୱଭୂଷଣ ହରିଚନ୍ଦନ, ପୂର୍ବତନ ରାଜ୍ୟ ସଭାପତି ତଥା ବିଧାୟକ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ, ବିଧାୟକ ପ୍ରଦୀପ ପୁରୋହିତ, ବରିଷ୍ଠ ନେତା ଶ୍ରୀ ସମୀର ଦେ, ରାଜ୍ୟ ଉପ ସଭାପତି ଶ୍ରୀ ସମୀର ମହାନ୍ତି, ସୁକେଶୀ ଓରାମ, ସଂପାଦକ ଦିଲୀପ ମଲ୍ଲିକ, ମୁଖପାତ୍ର ସଜ୍ଜନ ଶର୍ମା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଷ୍ନୁ ଦାଶ ପ୍ରମୁଖ ରାଜ୍ୟପାଳଙ୍କୁ ଭେଟି ସ୍ମାରକ ପତ୍ର ପ୍ରଦାନ କରିଥିଲେ। ଏହି ଘଟଣାକୁ ସେ ନିଶ୍ଚିତ ଭାବେ ଅନୁଧ୍ୟାନ କରିବା ସହିତ ସମସ୍ୟାର ସମାଧାନ ପାଇଁ ବିହିତ ପଦକ୍ଷେପ ନେବେ ବୋଲି ମହାମହିମ ରାଜ୍ୟପାଳ ଉକ୍ତ ପ୍ରତିନିଧି ଦଳକୁ ପ୍ରତିଶୃତି ଦେଇଛନ୍ତି। ଏହା ପରେ ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ବିଧାୟକ ପ୍ରଦୀପ ପୁରୋହିତ, ରାଜ୍ୟ ଉପ ସଭାପତି ସମୀର ମହାନ୍ତି, ସୁକେଶୀ ଓରାମ, ସଂପାଦକ ଦିଲୀପ ମଲ୍ଲିକ ଏବଂ ବିଷ୍ନୁ ଦାଶ ପ୍ରମୁଖ ଉପସ୍ଥିତ ରହି ସମସ୍ତ ଘଟଣାକୁ ସାମ୍ବାଦିକମାନଙ୍କୁ ଅବଗତ କରାଇଥିଲେ।

Share in top social networks!