ନବୀନ ସରକାରଙ୍କର ୧୬ ବର୍ଷର ସ୍ଥାଣୁତା ଓ ଅପାରଗତାର ପ୍ରତୀକ ହେଉଛି ଯାଜପୁରର ଶିଶୁ ମଡକ ଭୋଗୁଥିବା ନଗଡା ଗ୍ରାମ : ବିଜେପି ପ୍ରତିନିଧି ଦଳ

bjppଯାଜପୁର ଜିଲ୍ଲା ନଗଡା ଓ ଏହାର ଆଖପାଖ ଗ୍ରାମ ବୁଲି ଦେଖିବା ପରେ ଏହି ଗ୍ରାମରେ ବସବାସ କରୁଥିବା ଲୋକଙ୍କ ଦୟନୀୟ ସ୍ଥିତି ନବୀନ ପଟ୍ଟନାୟକଙ୍କ ସରକାରର ସ୍ଥାଣୁତା ଓ ଅପାରଗତାର ଆଉ ଏକ ନମୂନା ବୋଲି ଭୁବନେଶ୍ୱର ଫେରି ବିଜେପିର ପ୍ରତିନିଧି ଦଳ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି। ସମସ୍ତଙ୍କ ମୁଣ୍ଡ ଉପରେ ପକ୍କା ଘର, ଘରେ ପାନୀୟ ଜଳ, ୨୪ ଘଂଟିଆ ବିଜୁଳି, ଘରେ ପାଇଖାନା, ପିଲାଙ୍କ ପାଇଁ ଶିକ୍ଷା, ସ୍ୱାସ୍ଥ୍ୟ ସେବାର ସୁବିଧା, ସଡକ ଯୋଗାଯୋଗର ବ୍ୟବସ୍ଥା ଓ ଜୀବନ ଜୀବିକା ପାଇଁ ରୋଜଗାରର ସୁଯୋଗ ଯଦି ସରକାରର ସଫଳତା ଓ ବିଫଳତାକୁ ଆକଳନ କରିବାର ମାପଦଣ୍ଡ ତାହେଲେ ଖଣି ଓ ଶିଳ୍ପ ସମୃଦ୍ଧ ଯାଜପୁର ଜିଲ୍ଲା ଏହି ମାପଦଣ୍ଡରେ କେଉଁଠି ଠିଆ ହୋଇଛି ରାଜ୍ୟ ସରକାର ଏହାର ଉତର ଦେବା ସହ ଉତରଦାୟିତ୍ୱ ନିଜ ମୁଣ୍ଡ ଉପରେ ନେବା ପାଇଁ ବିଜେପି ପ୍ରତିନିଧି ଦଳର ପ୍ରତିନିଧି ବିଧାୟକ ରବି ନାରାୟଣ ନାଏକ, ପ୍ରଦୀପ ପୁରୋହିତ, ରାଜ୍ୟ ଉପସଭାପତି ସମୀର ମହାନ୍ତି ପ୍ରମୁଖ ଗଣମାଧ୍ୟମରେ ପ୍ରଶ୍ନ କରିଛନ୍ତି।
ସେମାନଙ୍କ ଗସ୍ତ ସମୟରେ ତଳ ନଗଡା, ମଝି ନଗଡା ଓ ଉପର ନଗଡା ତିନି ଗ୍ରାମ ସମେତ ଏହାର ଆଖପାଖ ଜନବସତି ବୁଲି ଦେଖିବା ସହ ସ୍ଥାନୀୟ ଲୋକଙ୍କ ସହିତ ସେମାନଙ୍କର ସୁବିଧା ଅସୁବିଧା ପଚାରି ବୁଝିଥିଲେ ବୋଲି ଗଣ ମାଧ୍ୟମକୁ ସୂଚନା ଦେଇ ପ୍ରତିନିଧି ଦଳ ପ୍ରକାଶ କରିଛି। ନଗଡାବାସୀ ପିଇବା ପାଣି, ବିଜୁଳି ଭଳି ମୈାଳିକ ସୁବିଧାରୁ ବଂଚିତ ଅଛନ୍ତି। ସେଠି ସରକାରୀ ବ୍ୟବସ୍ଥାର କୈାଣସି ଚିହ୍ନବର୍ଣ୍ଣ ନାହିଁ। ଆଜି ପର୍ଯ୍ୟନ୍ତ ସେଠାକୁ ଜଣେବି ସରକାରୀ କର୍ମଚାରୀ ଯାଇନଥିଲେ। ସମ୍ବିଧାନର ୨୧ ଧାରା ଅନୁସାରେ ବଂଚିବାର ଅଧିକାର ସମସ୍ତଙ୍କର ଥିବାର ଉଲ୍ଲେଖ ଥିବାବେଳେ ନଗଡା ଗ୍ରାମବାସୀ ସମ୍ବିଧାନର ଏହି ନିୟମରୁ ବହୁ ଦୂରରେ ଅଛି। ଦୁଇ ମାସ ଭିତରେ ଏହି ଛୋଟିଆ ଜୁଆଙ୍ଗ ଜନବସତିରେ ୧୯ ପିଲାଙ୍କର ଅକାଳ ବିୟୋଗ ହୋଇଥିବା ବେଳେ ଶେଷ ଦୁଇ ମୃତ ପିଲାଙ୍କ ପୋଷ୍ଟମର୍ଟମ ରିପୋର୍ଟ ସେମାନେ ଅତି ପୁଷ୍ଟିହୀନତା ଓ ମ୍ୟାଲେରିଆ ସମେତ ଅନ୍ୟାନ୍ୟ ସ୍ୱାସ୍ଥ୍ୟଗତ ସମସ୍ୟା ମୃତ୍ୟୁର କାରଣ ବୋଲି ସ୍ପଷ୍ଟ ହୋଇଛି। ଏହି ଅଂଚଳରେ ବିକାଶ କାମ କରିବା ପାଇଁ ଅର୍ଥର ଅଭାବ ନାହିଁ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ବିଭିନ୍ନ ଯୋଜନା ସମେତ ଏହି ଅଂଚଳରେ ଜୁଆଙ୍ଗ ଜନଜାତିର ଲୋକ ରହୁଥିବା କାରଣରୁ ଏହି ଜନଜାତି ବିକାଶ ପାଇଁ ଉଦ୍ଦିଷ୍ଟ ବିଶେଷ ଅର୍ଥ ରାଜ୍ୟ ସରକାରଙ୍କର ପାଖରେ ଉପଲବ୍ଧ ରହିଛି। ଅର୍ଥ ପ୍ରତିବନ୍ଧକ ନ ହୋଇଥିବା ପରେ ମଧ୍ୟ ବିକାଶର ସର୍ବନିମ୍ନ ଆବଶ୍ୟକତା ନ ପହଂଚିବା ସରକାରଙ୍କର ସ୍ଥାଣୁତା ଓ ଅପାରଗତାର ନମୁନା ଛଡା ଏହାକୁ କଣ କୁହାଯାଇ ପାରିବ ବୋଲି ବିଜେପିର ଏହି ପ୍ରତିନିଧି ଦଳ ପ୍ରଶ୍ନ କରିଛି। ଏହି ଅଂଚଳରେ ରହୁଥିବା ସମସ୍ତ ପରିବାର କେନ୍ଦ୍ର ସରକାରଙ୍କର ଖାଦ୍ୟ ସୁରକ୍ଷା ଆଇନରେ ସାମିଲ ହେବା ପାଇଁ ଯୋଗ୍ୟ ହୋଇଥିବା ବେଳେ ଗାଁର କିଛି ଲୋକ ସାମିଲ ହେବା ଓ କିଛି ଲୋକ ବାହାରେ ରହିବା ପଛର ରହସ୍ୟ କଣ ତାହା ରାଜ୍ୟ ସରକାର ସ୍ପଷ୍ଟ କରିବା ଉଚିତ ବୋଲି ବିଜେପି ପ୍ରତିନିଧି ଦଳ କହିଛି।
ଗାଁର କିଛି ପରିବାର ପୂର୍ବରୁ ଇନ୍ଦିରା ଆବାସରେ ଘର ମିଳିଥିବାର ଖବର ଓ କାଗଜ ପତ୍ରରେ ସ୍ୱାକ୍ଷର କରିଥିଲେ ମଧ୍ୟ ଇନ୍ଦିରା ଆବାସ ପହଂଚି ନାହିଁ। ସ୍ଥାନୀୟ ବିଜେଡି ନେତା ସବିର ଖାଁ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ଅର୍ଥ ଆତ୍ମସାତ କରିଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି। ଏହି ଲୋକମାନଙ୍କୁ ଘର ମିଳିଛି ନା ନାହିଁ, ସରକାରୀ ରେକର୍ଡ କଣ କହୁଛି ତାହା ସ୍ପଷ୍ଟ କରିବା ପାଇଁ ସରକାରଙ୍କ ନିକଟରେ ପ୍ରତିନିଧି ଦଳ ଦାବୀ କରିଛି। ସରକାରଙ୍କର ପୁଷ୍ଟିକର ଖାଦ୍ୟ ଯୋଜନାରେ ଯୋଗାଇ ଦିଆଯାଉଥିବା ଛତୁଆ ଅତ୍ୟନ୍ତ ନିମ୍ନମାନର ଓ ଖାଇବା ଉପଯୋଗୀ ନୁହେଁ ବୋଲି ପ୍ରତିନିଧି ଦଳ ଅଭିଯୋଗ କରିଛି। ମାତୃ ମୃତ୍ୟୁ ହାରରେ ଓଡିଶା ଦେଶରେ ଏକ ନମ୍ବର ଓ ଶିଶୁ ମୃତ୍ୟୁ ହାରରେ ଓଡିଶା ଦେଶରେ ଦୁଇ ନମ୍ବର ଏବଂ ଏହାର ମୁଖଶାଳା ନଗଡା ବୋଲି ବିଜେପି ପ୍ରତିନିଧି ଦଳ କହିବା ସହ ସ୍ଥାଣୁତା ଓ ଅପରାଗତାର ସୀମା ରାଜ୍ୟ ସରକାର ଉଲ୍ଲଂଘନ କରିଛନ୍ତି ବୋଲି ଦଳ କହିଛି। ବିଧାୟକ ଶ୍ରୀ ରବି ନାରୟଣ ନାଏକଙ୍କ ନେତୃତ୍ୱରେ ଏହି ୧୦ ଜଣିଆ ବିଜେପି ପ୍ରତିନିଧି ଦଳରେ ବିଧାୟକ ଶ୍ରୀ ପ୍ରଦୀପ ପୁରୋହିତ, ରାଜ୍ୟ ଉପସଭାପତି ସମୀର ମହାନ୍ତି, ସୁଶ୍ରୀ ସୁକେଶି ଓରାମ, ପୂର୍ବତନ ମନ୍ତ୍ରୀ ସମୀର ଦେ, ସଂଚିତା ମହାନ୍ତି, ରାଜ୍ୟ ସମ୍ପାଦକ ଦିଲୀପ ମଲ୍ଲିକ, ଶିଶିର ଗମାଙ୍ଗ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ବିଷ୍ଣ ୁଦାସ ଓ ଯାଜପୁର ଜିଲ୍ଲା ସଭାପତି ଆଶୁତୋଷ ପରିଡାଙ୍କ ସମେତ ଜିଲ୍ଳାର ବହୁ କାଯ୍ୟକର୍ତା ନଗଡାକୁ ଯାଇଥିଲେ।

Share in top social networks!