ଭାରତ ପରିକ୍ରମା ପଦଯାତ୍ରା ଓଡିଶାରେ ପରିକ୍ରମା କଲା ୩୦୦୦ କି.ମି

parikramaଭାରତ ଏକ ଗ୍ରାମ ବହୁଳ ଦେଶ, ସାଢେ ୬ ଲକ୍ଷ ଗ୍ରାମକୁ ନେଇ ଭାରତ ବର୍ଷ। ଏଣୁ ଗ୍ରାମର ବିକାଶରେ ଦେଶର ବିକାଶ ସନେ୍ଦଶ ନେଇ ସମାଜସେବୀ ସନ୍ଥ ସୀତାରାମ ପାଦରେ ଚାଲି ଚାଲି ୬୮ ବର୍ଷ ବୟସରେ ଭାରତ ପରିକ୍ରମା ପଦଯାତ୍ରା କରୁଛନ୍ତି। ଗତ ୨୦୧୨ ଅଗଷ୍ଟ ୯ ରୁ ଭାରତର ଚରଣ କମଳ କନ୍ୟାକୁମାରୀ ଠାରୁ ଆରମ୍ଭ ହୋଇଥିବା ଭାରତ ପରିକ୍ରମା ପଦଯାତ୍ରା ଏବେ ୨୦,୦୦୦ କି.ମି. ପରିକ୍ରମା କରିସାରିଲାଣି। ଏହି ପଦଯାତ୍ରା ଓଡିଶାରେ ବାଲେଶ୍ୱର ଜିଲ୍ଲାର ଜଳେଶ୍ୱର ଠାରେ ଗତ ୧୬ ଫେବୃୟାରୀ ୨୦୧୬ରେ ପ୍ରବେଶ କରିଥିଲା। ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ, ମଧୁବାବୁଙ୍କ ଗ୍ରାମ, ତୁଳସୀ ଦାସଙ୍କ ଆଶ୍ରମ ହୋଇ ଜୟଦବେଙ୍କ ପୀଠ କେନ୍ଦୁବିଲରେ ପହଞ୍ଚôଥିଲା। ସେଠାରୁ ଗୋପବନ୍ଧୁଙ୍କ ଗ୍ରାମ ସୁଆଣ୍ଡୋ, ସତ୍ୟବାଦୀ ହୋଇ ଅର୍କକ୍ଷେତ୍ର, ଶ୍ରୀଜଗନ୍ନାଥ ପୁରୀ ଶ୍ରୀମନ୍ଦିର ଦର୍ଶନ କରି ବକ୍ସି ଜଗବନ୍ଧୁଙ୍କ ଗ୍ରାମ ସାତପଡା ଦେଇ ଗଞ୍ଜାମ, କନ୍ଧମାଳ ଚକାପାଦ ଆଶ୍ରମ, ବିରୁପାକ୍ଷ ମହାଦେବ, ବୌଦ୍ଧ ଜିଲ୍ଲାର ଭୀମ ଭୋଇଙ୍କ ଅନ୍ଧକୁଅଁ କଦଳୀଗଡ, ଭୀମଭୋଇଙ୍କ ସମାଧି ସ୍ଥଳ ସୁବର୍ଣ୍ଣପୁର ଜିଲ୍ଲା, ବରଗଡ, ବଲାଙ୍ଗିର, କଳାହାଣ୍ଡି, କୋରାପୁଟ, ଶାବର ଶ୍ରୀକ୍ଷେତ୍ର, ନନ୍ଦପୁରର ବତିଶି ସିଂହାସନ ଦେଇ ଚାଟୁଆ ଠାରେ ସୋମବାର ଦିନ ଓଡିଶାରୁ ଏହି ଯାତ୍ରା ଶେଷ ହୋଇଛି। ପ୍ରତ୍ୟେକ ଦିନ ୧୫ ରୁ ୨୦ କି.ମି. ପରିକ୍ରମା କରି ଓଡିଶାର ୧୮୦ଟି ଗ୍ରାମରେ ସନ୍ଥ ସୀତାରାମ ଜୀ ରାତ୍ର ରହଣି କରିଥିଲେ। ସେ ୫୦୦ରୁ ଉଦ୍ଧ୍ୱର୍ ଗ୍ରାମରେ ସଭା କରିଥିଲେ। ଓଡିଶାର ୩୦୦୦ କି.ମି. ପରିକ୍ରମା କରିଥିଲା ଭାରତ ପରିକ୍ରମା ପଦଯାତ୍ରା। ଏବେ ଏହି ପଦଯାତ୍ରା ଆନ୍ଦ୍ରପ୍ରଦେଶରେ ପ୍ରବେଶ କରିଛି। ରହଣି ଗ୍ରାମରେ ଉଚ୍ଚ ବିଦ୍ୟାଳୟ ଛାତ୍ରମାନଙ୍କ କାର୍ଯ୍ୟକ୍ରମ,ଦୁଃଖିଆ, ସାଧକ ଓ ଗରିବ ବର୍ଗର ବ୍ୟକ୍ତିଙ୍କ ସହ ସଂପର୍କ ସ୍ଥାପନ ଆଦି କାର୍ଯ୍ୟକ୍ରମ କରାଯାଉଥିଲା ବୋଲି କାର୍ଯ୍ୟକ୍ରମର ଓଡିଶା ମିଡିଆ ସଂଯୋଜକ ଗୋଲଖ ଚନ୍ଦ୍ର ଦାସ ପ୍ରକାଶ କରିଛନ୍ତି।
ଆନ୍ଦ୍ର ସୀମାବର୍ତ୍ତୀ ଓଡିଶାର ଶେଷ ଗ୍ରାମ ଚାଟୁଆ ଠାରେ ଓଡିଶାର ପରିକ୍ରମା ଶେଷ ହେବା ଅବସରରେ ଏକ ବିଶାଳ ସଭା ଅନୁଷ୍ଠିତ ହୋଇଥିଲା। ଗାୟତ୍ରୀ ପରିବାର ନେତୃତ୍ୱରେ ତଥା ସଂପୂର୍ଣ୍ଣ ଗ୍ରାମବାସୀଙ୍କ ସହଯୋଗରେ ଭାରତ ପରିକ୍ରମା ପଦଯାତ୍ରାକୁ ଭବ୍ୟ ସ୍ୱାଗତ କରାଯାଇଥିଲା।
ସନ୍ଥ ସୀତାରାମ ଜୀ ଯେଉଁ ଗ୍ରାମକୁ ଯାଉଥିଲେ ସେ ଗ୍ରାମରେ ଏକ ଗ୍ରାମ ସଭା ଅନୁଷ୍ଠିତ ହେଉଥିଲା। ସେହିସବୁ ଗ୍ରାମ ସଭାରେ ସନ୍ଥ ସୀତାରାମ ଜୀ କହୁଥିଲେ ଯେ, ପ୍ରକୃତି ଆମ ଗ୍ରାମକୁ ଅଷ୍ଟ ସଉଦା ଦେଇଛନ୍ତି। ସେଗୁଡିକ ହେଲା ଜଳ, ଜମି, ଜଙ୍ଗଲ, ଜୀବ ସମୁହ, ଗ୍ରାମ ସଂସ୍କୃତି, କବିରାଜ ବ୍ୟବସ୍ଥା ଓ କୌଳିକ ବୃତ୍ତି। ଏତଦ୍ ବ୍ୟତୀତ ସପ୍ତଦାନ ସ୍ୱଚ୍ଛ ଗ୍ରାମ ପାଇଁ ଶ୍ରମ ଦାନ, ଅକ୍ଷର ଦାନ, କ୍ଷୁଦା ମୁକ୍ତି ପାଇଁ ଅନ୍ନ ଦାନ ଆଦି ମାଧ୍ୟମରେ ଗ୍ରାମ ରକ୍ଷା କରାଯାଇ ପାରିବ। ଗ୍ରମ ରକ୍ଷା ହେଲେ ଦେଶ ରକ୍ଷା, ଦେଶ ରକ୍ଷା ହେଲେ ବିଶ୍ୱ ରକ୍ଷା ପାଇବ।
ପ୍ରତ୍ୟେକ ଗ୍ରାମରେ ମଧ୍ୟ ଯୁବକ ମାନଙ୍କର ଏକ ଅଲଗା ବୈଠକ ନେଉଥିଲେ ସନ୍ଥ ସୀତାରାମ ଜୀ। ସେ ସେହି ବୈଠକରେ ଯୁବକମାନଙ୍କୁ ଆହ୍ୱାନ ଦେଉଥିଲେ ଭାରତକୁ ଜାଣିବା ସହିତ ଗ୍ରାମ ପାଇଁ ସମୟ ଦେଇ ଗାଁ କୁ ରକ୍ଷା କଲେ ଦେଶର ରକ୍ଷା ହୋଇ ପାରିବ।

Share in top social networks!