୪୭ତମ ଆମେରିକୀୟ ଓଡ଼ିଆ ସମାଜ ବାର୍ଷିକ ମହାମଣ୍ଡଳ ମହୋତ୍ସବ ଯୁକ୍ତରାଷ୍ଟ୍ର ଆମେରିକାର ରୋଡ଼୍‌ସ୍‌ ଆଇଲାଣ୍ଡର ଅନୁଷ୍ଠିତ

osa୧୨୦୦ ଓଡ଼ିଶାବାସୀ ତଥା ଓଡ଼ିଆଭାଷୀଙ୍କ ସମାଗମ, ଜୁଲାଇ ୦୧ ଠାରୁ ଜୁଲାଇ ୦୩ ପର୍ଯ୍ୟନ୍ତ ଓଡ଼ିଶାର କଳା, ସଂସ୍କୃତି ଓ ଐତିହ୍ୟର ଏକ ଅଦ୍ଭୁତପୂର୍ବ ମହୋତ୍ସବ ଦେଖିବାକୁ ମିଳିଥିଲା ଯୁକ୍ତରାଷ୍ଟ୍ର ଆମେରିକାର ରୋଡ଼୍‌ସ୍‌ ଆଇଲାଣ୍ଡର ପ୍ରୋଭିଡେନ୍ସରେ। ଏଇ ତିନିଦିନ ଧରି ଏଇ ଛୋଟ ସହରଟି ପାଲଟି ଯାଇଥିଲା ଏକ ଛୋଟ ଓଡ଼ିଶା। ଶ୍ରୀଜଗନ୍ନାଥଙ୍କ ମହାପ୍ରସାଦ ଠାରୁ ଆରମ୍ଭ କରି ପିପିଲିର ଚାନ୍ଦୁଆ। ରଘୁରାଜପୁରର ପାଟଚିତ୍ରଠାରୁ ଆରମ୍ଭ କରି ଡୋଙ୍ଗ୍ରିଆ ସମ୍ପ୍ରଦାୟର ଶିଳ୍ପକଳା, ପ୍ରଭାତ ସମୟରୁ ନବଧା ଭକ୍ତିରସ ଠାରୁ ଆରମ୍ଭ କରି ରାତ୍ରୀର ବିଳମ୍ବିତ ପ୍ରହର ଯାଏଁ ଛାନ୍ଦ ଚମ୍ପୂର ରାଗରସ ପ୍ରକମ୍ପିତ କରୁଥିଲା ପ୍ରୋଭିଡେନ୍ସର କନ୍‌ଭେନସନ୍‌ ସେଣ୍ଟର୍‌କୁ।
ଏହି ୪୭ତମ ଆମେରିକୀୟ ଓଡ଼ିଆ ସମାଜ ବାର୍ଷିକ ମହାମଣ୍ଡଳ ମହୋତ୍ସବରେ ଉପସ୍ଥିତ ରହିଥିଲେ ବହୁ ଗଣ୍ୟମାନ୍ୟ ଅତିଥିବୃନ୍ଦ। ସେମାନଙ୍କ ମଧ୍ୟରେ ଓଡ଼ିଆ ସାହିତ୍ୟରେ ବରେଣ୍ୟ ସାହିତ୍ୟିକ ଡାଃ: ଶ୍ରୀ ରାମଚନ୍ଦ୍ର ବେହେରା, ଶ୍ରେଷ୍ଠ ସମାଜସେବୀ ଡାଃ: ଶ୍ରୁତି ମହାପାତ୍ର, ଆମେରିକାସ୍ଥିତ ଭାରତୀୟ ଦୂତାବାସର ଉପଶାସନସଚିବ ଡାଃ: ମନୋଜ ମହାପାତ୍ର ପ୍ରଭୃତି ମୁଖ୍ୟ ଅତିଥି, ନିମନ୍ତ୍ରିତ ଆଦ୍ୟବକ୍ତା ତଥା ସମ୍ମାନୀତ ଅତିଥିରୂପେ ଯୋଗଦାନ କରିଥିଲେ। ଏହି ବାର୍ଷିକ ମହାମଣ୍ଡଳ ମହୋତ୍ସବର ଉଦ୍‌ଘାଟନ ଓସା ନିଉ ଇଂଲଣ୍ଡର ଅଗ୍ରଗଣ୍ୟ ଡାଃ: ଯୋଗେଶ୍ଚର ରଥ କରିଥିଲେ। ଓସାର ସଭାପତି ଶ୍ରୀମାନ ସୁଶନ୍ତ ଶତପଥୀ ଏହି ମହୋତ୍ସବରେ ନିଜର ବକ୍ତବ୍ୟରେ ଉପସ୍ଥିତ ଶ୍ରୋତାମଣ୍ଡଳୀଙ୍କୁ, ବିଦେଶର ବସବାସ କରିଥିବା ଓଡ଼ିଆମାନଙ୍କୁ ଓଡ଼ିଆ ମାନପତ୍ର ପ୍ରଦାନ ହେତୁ ନେଇଥିବା ଓଡ଼ିଶା ସରକାରଙ୍କ ଐତିହାସିକ ନିଷ୍ପତ୍ତିକୁ ଘୋଷଣା କରିଥିଲେ। ଓଡ଼ିଶା ପାଠାଗାର ଅଧିନିୟମରେ ହେଉଥିବା ଅଗ୍ରଗତି ଓ ଏହାର ଆଗାମୀ ପଦକ୍ଷେପ ସମ୍ପର୍କରେସେ ଆଲୋକପାତ କରିଥିଲେ। ଓସାର ଉପସଭାପତି ଶ୍ରୀମତି ସୁଲୋଚନା ପଟ୍ଟନାୟକ, ଓସା ସମ୍ପାଦକ ଶ୍ରୀମାନ ଶାରଦାକାନ୍ତ ପଣ୍ଡା, ଓସାର କୋଷାଧ୍ୟକ୍ଷ ଶ୍ରୀମାନ ସିଦ୍ଧାର୍ଥ ବେହେରା ପ୍ରଭୃତି, ଓସାର କାର୍ଯ୍ୟକାରିଣୀ ପ୍ରସଙ୍ଗର ଆଲୋଚନାଚକ୍ର ସବୁ କରିଥିଲେ।
ଏହି ଅବସରରେ ଡାଃ: ଶ୍ରୁତି ମହାପାତ୍ରଙ୍କୁ, ଆଜୀବନ ମହତ୍ତର ସମାଜସେବା ନିମନ୍ତେ ଉପଢ଼ୌକନ ଓ ମାନପତ୍ର ପ୍ରଦାନ କରାଯାଇଥିଲା। ଓସାର ଶ୍ରୀଯୁକ୍ତ ମିହିର ରଥ, ଶ୍ରୀମତି ନିହାରୀକା ମହାନ୍ତି ତଥା ଶ୍ରୀଯୁକ୍ତ ଆକାଶ ପଟ୍ଟନାୟକଙ୍କୁ ଓସା ଉତ୍କଳମଣି ଗୋପବନ୍ଧୁ ଦାସ ସ୍ମୃତି ସମ୍ମାନ, ଅରୁଣ ଦାସ କଳା ସ୍ମୃତି ସମ୍ମାନ ଏବଂ ସୁବ୍ରିନା ବିଶ୍ୱାଳ ସମ୍ମାନରେ ସମ୍ମାନିତ କରାଯାଇଥିଲା।
ଏହି ମହାମଣ୍ଡଳ ମହୋତ୍ସବରେ ବିଶ୍ୱବିଖ୍ୟାତ କଳାକାର, ଯେପରିକି ଜୀ-ଟିଭିର ଷ୍ଟାର୍‌ ସମ୍ମାନୀତ ଗାୟକ ଋତୁରାଜ ମହାନ୍ତି, ଇଣ୍ଡିଆନ୍‌ ଆଇଡୋଲ୍‌ ଗାୟିକା ଅମ୍ରିତା ପଣ୍ଡା, ଇଣ୍ଡିଆ ଗଟ୍‌ ଟାଲେଣ୍ଟ୍‌ ଖ୍ୟାତ ଆଧୁନିକ ନୃତ୍ୟରେ ନିପୁଣ ହରିହର ଦାସ, ବହୁ ଉପାଧିରେ ଭୂଷିତା ପ୍ରଚ୍ଛଦପଟ ଗାୟିକା ନାଜିଆ ଆଲମ୍‌ ତଥା ଓଡ଼ିଶୀ ନୃତ୍ୟକଳାକୁ ସାରା ବିଶ୍ୱରେ ପ୍ରଶସ୍ତି କରାଇ ଆସୁଥିବା ନୃତ୍ୟାଙ୍ଗନା ସୁଜାତା ମହାପାତ୍ର ପ୍ରଭୃତି, ନିଜ ନିଜର କଳା ନିପୁଣତାରେ ଦର୍ଶକ ମାନଙ୍କୁ ମୋହିତ କରିଥିଲେ।
ଉତ୍ତର ଆମେରିକାର ବିଭିନ୍ନ ପ୍ରାନ୍ତରେ ବସବାସ କରି ଆସୁଥିବା ଓଡ଼ିଆ ଗୋଷ୍ଠୀସମୂହ ମଧ୍ୟ ନିଜ ନିଜର କଳାନିପୁଣତା ପ୍ରଦର୍ଶନ କରିଥିଲେ। ଏହି କାର୍ଯ୍ୟକ୍ରମ ମଧ୍ୟରେ ଓଡ଼ିଶୀ, ଲୋକନୃତ୍ୟ, ଲୋକଗୀତ, କଳାଭିନୟ, ଛାନ୍ଦ ଓ ଚମ୍ପୂ, ଆଧିନିକ ଗୀତ ଓ ସଙ୍ଗୀତର ମନୋରଞ୍ଜନ କାର୍ଯ୍ୟକ୍ରମ ସମସ୍ତଙ୍କ ନିମନ୍ତେ ପରିବେଷଣ କରାଯାଇଥିଲା।
୪୭ତମ ଓସା ବାର୍ଷିକ ମହାମଣ୍ଡଳ ମହୋତ୍ସବର ଅନ୍ୟ ଏକ ବିଶେଷ କାର୍ଯ୍ୟକ୍ରମ ଓଡ଼ିଶା ମାଟିର ଦୁଇ ବରପୁତ୍ର, ବିଜୁ ପଟ୍ଟନାୟକ ଏବଂ ସଚ୍ଚି ରାଉତରାୟଙ୍କ ଶତବାର୍ଷିକୀ ଉପଲକ୍ଷେ ଉତ୍ସର୍ଗ କରାଯାଇଥିଲା। ଏହି ଅବସରରେ ଏକ ପ୍ରଦର୍ଶନୀର ଆୟୋଜନ କରାଯାଇ ସେଥିରେ ଅଧୁନାତନ ଓଡ଼ିଶା ନିମନ୍ତେ ବିଜୁ ପଟ୍ଟନାୟକଙ୍କ ଅବଦାନକୁ ଚିତ୍ରସଙ୍କଳନ ମାଧ୍ୟମରେ ପ୍ରଦର୍ଶନ ହୋଇଥିଲା। “ଆଧୁନିକ ଓଡ଼ିଶା ନିମନ୍ତେ ବିଜୁ ବାବୁଙ୍କ ଅବଦାନ” ନାମକ ପ୍ରସଙ୍ଗରେ ଏକ ବକ୍ତୃତା ପ୍ରତିଯୋଗିତା ଆୟୋଜନ ହୋଇଥିଲା। ଅନ୍ୟ ଏକ ଆଲୋଚନା ଚକ୍ରରେ ସଚ୍ଚି ରାଉତରାୟଙ୍କ ନିମନ୍ତେ ସମର୍ପିତ ହୋଇଥିଲା କବିତା ପାଠଚକ୍ର। ସସ୍ମିତା ଶତପଥୀ ଓ ବିଜ୍ଞାନୀ ଦାସ ଏହାର ସଞ୍ଚାଳନା କରିଥିଲେ। ଡାଃ: ରାମଚନ୍ଦ୍ର ବେହେରା ଏହାର ପୌରହିତ୍ୟ କରିଥିଲେ। ପ୍ରଶାନ୍ତ ଭୂୟାଁ ଏହି ପାଠଚକ୍ରରେ ସଚ୍ଚି ରାଉତରାୟଙ୍କ “ଛୋଟ ମୋର ଗାଁ’ଟି” ଗୀତକୁ ସମବେତ ଶ୍ରୋତା ମଣ୍ଡଳୀଙ୍କ ସହ ମିଶି ଗାଇଥିଲେ।
ଓସା ୨୦୧୬ର ଏହି ବାର୍ଷିକ ଉତ୍ସବରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ନେଇ ଆଲୋଚନା ଚକ୍ର ସବୁ ହୋଇଥିଲା। ସେଗୁଡ଼ିକର ଶୀର୍ଷକ ଏହିପରି ଥିଲା;
୧ ଟେଲି ମେଡିସିନ୍‌
୨ ଡିଗ୍‌ନିଫାଇଡ୍‌ ଲିଭିଙ୍ଗ୍‌ ୱିଥ୍୍‌ ଡିସ୍‌ଏବିଲିଟି
୩ ଡିଜିଟାଲ୍‌ ଇନ୍‌ଫ୍ରାଷ୍ଟ୍ରକ୍‌ଚର୍‌ ଏଣ୍ଡ ପବ୍ଲିକ୍‌ ଲାଇବ୍ରେରୀ ଫର୍‌ ଓଡ଼ିଶା
୪ ଏଣ୍ଟର୍‌ପ୍ରିନିଉର୍‌ସିପ୍‌ ଅପର୍ଚୁନିଟିସ୍‌୍‌
୫ କେରିଏର୍‌ ପ୍ଲାନିଙ୍ଗ ଏଣ୍ଡ ୟୁଥ୍‌ ମେଣ୍ଟର୍‌ସିପ୍‌
୬ ଜଗନ୍ନାଥ କଲ୍‌ଚର୍‌
୭ ଫାଇନାନ୍‌ସିଆଲ୍‌ ପ୍ଲାନିଙ୍ଗ୍‌
୮ ଉମେନ୍‌ ଏମ୍‌ପାୱାର୍‌ମେଣ୍ଟ୍‌
୯ ଓଡ଼ିଆ ସାହିତ୍ୟର ସମୃଦ୍ଧି ଓ ପ୍ରଶସ୍ତି
୧୦ ହେଲ୍‌ଥି ବଡ଼ି ଏଣ୍ଡ୍‌ ମାଇଣ୍ଡ
୧୧ ଉତ୍ତର ଆମେରିକାରେ ଓଡ଼ିଆ ନାଟ୍ୟ ମହୋତ୍ସବ
ଏହି ଆଲୋଚନା ଚକ୍ରରେ ଓଡ଼ିଆ ସାହିତ୍ୟର ସ୍ୱନମଧନ୍ୟ ଔପନ୍ୟାସିକ ଡାଃ: ରାମଚନ୍ଦ୍ର ବେହେରା, ସମାଜସେବୀ ଡାଃ: ଶ୍ରୁତି ମହାପାତ୍ର, ଭାରତୀୟ ଦୂରସଞ୍ଚାର ଜଗତର ସୁପରିଚିତ ସାମ୍‌ ପିଟ୍ରୋଦା, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡାଃ: ଅନୁପ ପୂଜାରୀ, ଓଡ଼ିଶା ସରକାରଙ୍କ ଶାସନ ସଚିବ ଡାଃ: ଲଳିତ ଦାସ, ହାର୍ଭାଡ୍‌ ଚିକିତ୍ସା ବିଦ୍ୟାଳୟର ସ୍ୱାସ୍ଥ୍ୟବିଶେଷଜ୍ଞଡାଃ: ଅନୁପମ ଜେନା, କ୍ଲିଣ୍ଟନ୍‌ ସ୍ୱାସ୍ଥ୍ୟସେବା କେନ୍ଦ୍ରର ଦକ୍ଷିଣ ପୂର୍ବ ଏସିଆ ପାସିଫିକ୍‌ ଆଞ୍ଚଳିକ ନିର୍ଦ୍ଦେଶକଡାଃ: ସାର୍ଥକ ଦାସ, ତିରୁପତିସ୍ଥିତସଂସ୍କୃତ ରାଷ୍ଟ୍ରୀୟ ବିଶ୍ୱବିଦ୍ୟାଳୟର ପୂର୍ବତନ ଉପକୁଳାଧିପତି ପ୍ରଫେସର ହରେକୃଷ୍ଣ ଶତପଥୀ, ଲେଖକ ଡାଃ: କୃତ୍ତିବାସ ନାୟକ, ଶ୍ରୀ ପରିମଳ ବର୍ଦ୍ଧନ, ଶ୍ରୀ ପ୍ରସନ୍ନ ଦାସ, ପ୍ରଫେସର ଅନିଲ ସାଇଗଲ, ଡାଃ: ସୁରେଶ ଦାମୋଦରନ୍‌, ଶ୍ରୀମତୀ ସୀମା ମିଶ୍ର, ପ୍ରଭୃତି ଯୋଗ ଦେଇଥିଲେ।
ଏହି ବାର୍ଷିକ ମହୋତ୍ସବର ସଫଳତା ମୁଖ୍ୟତଃ ନିଃସ୍ୱାର୍ଥ ସ୍ୱେଚ୍ଛାସେବୀଙ୍କ ଅନବରତ ପ୍ରଚେଷ୍ଟା ଯୋଗୁଁ ସମ୍ଭବ ହୋଇ ପାରିଥିଲା। ଏହି ସ୍ୱେଚ୍ଛାସେବୀ ତଥା ଏହି ମହୋତ୍ସବର ସମସ୍ତ ପରିଚାଳନା ଭାର ନେଇଥିଲେ ଆବାହକ ଡାଃ: ଶୌର୍ଯ୍ୟ ମହାପାତ୍ର, ଉପଆବାହକଶ୍ରୀମାନ ବିକାଶ ବେହେରା, ଓସା ନିଉ ଇଂଲଣ୍ଡର ସଭାପତି ଡାଃ: ଅରୁଣ ମହାନ୍ତି, ସାଂସ୍କୃତିକ ଉପଦେଷ୍ଟା ଶ୍ରୀମାନ ଦିଲ୍ଲୀପ ବେହେରା, ଆଲୋଚନା ଚକ୍ର ଉପଦେଷ୍ଟା ଶ୍ରୀମାନ ନିଶିକାନ୍ତ ସାହୁ, ଯୁବ ଉପଦେଷ୍ଟା ଶ୍ରୀମାନ ଶଙ୍କର ପାଢ଼ୀ ଏବଂ ଅନ୍ୟ ସମସ୍ତ କର୍ମକର୍ତ୍ତାଗଣ।
ଓସାର ଏହି ବାର୍ଷିକ ମହାମଣ୍ଡଳ ମହୋତ୍ସବ ଆମେରିକୀୟ ଦେଶ ସବୁରେ ବସବାସ କରୁଥିବା ଓଡ଼ିଆମାନଙ୍କ ଏକ ମହାମହୋତ୍ସବ ଯାହା ଏଯାବତ୍ ଓଡ଼ିଶାର ସାହିତ୍ୟ, ସଂସ୍କୃତି, ଐତିହ୍ୟ ଓ ପରମ୍ପରାକୁ ନେଇ ମହାସମାରୋହରେ ପାଳନ ହୋଇ ଆସୁଅଛି। ଜୁଲାଇ ୦୩ରେ ଏହି ୪୭ତମ ବାର୍ଷିକ ମହୋତ୍ସବର ଉଦ୍‌ଯାପନ ହୋଇଥିଲା।

Share in top social networks!