କନ୍ଧମାଳ ଘଟଣାରେ ଆହତଜନଙ୍କୁ କଟକ ମେଡିକାଲରେ ଭେଟିଲେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ

226614_569717943074186_1416129610_nସଂପ୍ରତି କନ୍ଧମାଳରେ ନିରୀହ ମହିଳା ଓ ଶିଶୁଙ୍କ ସମେତ ୬ ଜଣ ଆଦିବାସୀଙ୍କୁ ଆମାନବୀୟ ଭାବେ ହତ୍ୟା କରାଯିବାର ଘଟଣାକୁ କେନ୍ଦ୍ର ଆଦିବାସୀ କଲ୍ୟାଣ ବିଭାଗ ମନ୍ତ୍ରୀ ଶ୍ରୀ ଜୁଏଲ ଓରାମ ଦୃଢ ନିନ୍ଦା କରିଛନ୍ତି। ଉକ୍ତ ଘଟଣାର ଗମ୍ଭୀରତାକୁ ହୃଦୟଙ୍ଗମ କରି ଶ୍ରୀ ଓରାମ ତାଙ୍କର ସମସ୍ତ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମକୁ ବାତିଲ କରିଛନ୍ତି। ପୋଲିସ ଗୁଳିରେ ଆହତ ହୋଇ କଟକ ମେଡିକାଲ କଲେଜରେ ଚିକିତ୍ସିତ ହେଉଥିବା ଗୁମଡୁମୁହା ଗ୍ରାମର ବନମାଳି ମଲ୍ଲିକଙ୍କୁ ଭେଟି ସ୍ୱାନ୍ତନା ଦେବା ସହ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି। ତାଙ୍କ ସାଙ୍ଗରେ ଦଳର ବରିଷ୍ଠ ନେତା ବିଜୟ ମହାପାତ୍ର, ପ୍ରତାପ ଷଡଙ୍ଗୀ, ରାଜ୍ୟ ସାଧାରଣ ସଂପାଦକ ନୟନ ମହାନ୍ତି, କଟକ ଜିଲ୍ଲା ସଭାପତି ଲକ୍ଷ୍ମୀଧର ପ୍ରଧାନ ଏବଂ ଚୈା.ହେମନ୍ତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ପୋଲିସ ମୁଖ୍ୟ କାର୍ଯ୍ୟାଳୟରୁ ମାତ୍ର ୧କିମି ଦୂରରେ ମେଡିକାଲ କଲେଜ ଥିବା ସତ୍ୱେ ପୋଲିସ ଡିଜି ଆହତଙ୍କୁ ଭେଟି ନାହାନ୍ତି। ସେହିପରି ମାତ୍ର ଅଧ ଘଂଟା ଦୂର ରାସ୍ତାରେ କଟକ ମେଡିକାଲ କଲେଜ ଯାଇ ଆହତଙ୍କୁ ଭେଟି ତାଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝି ନାହାନ୍ତି ରାଜ୍ୟର ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହିଭଳି ହୃଦୟବିଦାରକ ଘଟଣାକୁ ଏହି ଦୁଇ ଜଣ ହୃଦୟଙ୍ଗମ ନକରି ପାରିବା ସମଗ୍ର ରାଜ୍ୟବାସୀଙ୍କୁ ଚକିତ କରିଛି ଏବଂ ଏହା ମୂଖ୍ୟମନ୍ତ୍ରୀ ଏବଂ ପୋଲିସ ଡିଜିଙ୍କ ଅସମ୍ବେଦନଶୀଳତାର ପରିଚୟ ବୋଲି ଶ୍ରୀ ଜୁଏଲ ଓରାମ କ୍ଷୋଭ ପ୍ରକାଶ କରି କହିଛନ୍ତି।

Share in top social networks!