କନ୍ଧମାଳରେ ଆଦିବାସୀ, ଦଳିତ, ମହିଳା, ଶିଶୁ ଗଣହତ୍ୟା ପ୍ରତିବାଦରେ ବିଜେପି ପକ୍ଷରୁ ଆହୁତ ସାମୁହିକ ହଡତାଲ୍ ସଂପୂର୍ଣ୍ଣ ସଫଳ: ସମୀର ମହାନ୍ତି

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କନ୍ଧମାଳବାସୀଙ୍କର ଦୁଃଖ ଏବଂ ପୀଡାକୁ ହୃଦୟଙ୍ଗମ କରିବାରେ ସଂପୂର୍ଣ୍ଣ ବିଫଳ ହୋଇଛନ୍ତି । ଅମାନବୀୟ ଭାବେ ୬ ଜଣ ନିରୀହ ଆଦିବାସୀଙ୍କୁ ହତ୍ୟା ଘଟିବାର ୩ ଦିନ ବିତି ଯାଇଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ମୃତାହତ ପରିବାରକୁ ଭେଟି ସାନ୍ତ୍ୱନା ଦେଇନାହାନ୍ତି । ଏପରିକି ଏହି ଘଟଣା ପାଇଁ ସାମାନ୍ୟତମ ଦୁଃଖ ପ୍ରକାଶ ମଧ୍ୟ କରିନାହାନ୍ତି । ନିରୀହ ମହିଳା ଏବଂ ତା କୋଳରେ ଥିବା କୋମଳ ଶିଶୁର ହତ୍ୟା ସମଗ୍ର ପ୍ରଶାସନକୁ କଳଙ୍କିତ କରିଥିବାବେଳେ ମୁଖ୍ୟମନ୍ତ୍ରୀଙ୍କ ନୀରବତା ସମଗ୍ର ରାଜ୍ୟବାସୀଙ୍କୁ ବ୍ୟଥିତ କରିଛି ବୋଲି ରାଜ୍ୟ ଉପ ସଭାପତି ଶ୍ରୀ ସମୀର ମହାନ୍ତି କ୍ଷୋଭ ପ୍ରକାଶ କରି କହିଛନ୍ତି ।
ବିରୋଧୀମାନଙ୍କ ଚାପରେ ମୁଖ୍ୟମନ୍ତ୍ରୀ ଆଜି ଯେଉଁ ଏଚ୍ଆର୍ପିସି ଡିଆଇଜିଙ୍କ ନେତୃତ୍ୱରେ ତଦନ୍ତ କମିଟି ଗଠନ କରିଛନ୍ତି, ତାକୁ ଭାରତୀୟ ଜନତା ପାର୍ଟି ଅଗ୍ରାହ୍ୟ କରିଛି । ଏହିଭଳିଆ ତଦନ୍ତ କମିଟି ଗଠନ କରି ଘଟଣାକୁ ଚପାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ପଦକ୍ଷେପ ନେଇଛନ୍ତି ବୋଲି ଶ୍ରୀ ମହାନ୍ତି ଅଭିଯୋଗ କରିଛନ୍ତି । ଉଚ୍ଚ ନ୍ୟାୟଳୟର ଜଣେ କାର୍ଯ୍ୟରତ ଜଜ୍ଙ୍କ ଦ୍ୱାରା ତଦନ୍ତ କମିଟି ଗଠନ କରାଯାଇ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ତଦନ୍ତ ଶେଷ କରିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରନ୍ତୁ ଏବଂ ମୃତକ ପରିବାରକୁ ସର୍ବନିମ୍ନ ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବା ପାଇଁ ଶ୍ରୀ ମହାନ୍ତି ଦଳ ତରଫରୁ ଦାବୀ କରିଛନ୍ତି ।

Share in top social networks!