ଓଡିଆ ବିଶ୍ୱବିଦ୍ୟାଳୟ: ଗତି ଓ ପରିଧି

ଡକ୍ଟର ସୁବ୍ରତ କୁମାର ପୃଷ୍ଟି
ଏକ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାରେ ଗତ ୬୦ବର୍ଷ ଧରି ସମସ୍ତ ସରକାରଙ୍କଦ୍ୱାରା ଓଡିଆଭାଷା ଅବହେଳା ହୋଇଛି କହିବା ଯେତିକି ହାସ୍ୟାସ୍ପଦ, ଏହି ଅବହେଳାପାଇଁ ନିଜ ଦାୟିତ୍ୱକୁ ରାଜନେତାଙ୍କ ମୁଣ୍ଟକୁ ଖସାଇଦେବା ତାଠାରୁ ଅଧିକ ମାରାତ୍ମକ । କାରଣ ଭୋଟ ରାଜନୀତିରେ ସାଧାରଣବର୍ଗଙ୍କୁ ଚେତାଇବାରେ ଶିକ୍ଷିତଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିବାବେଳେ ଏହି ଭୂମିକାକୁ ଓଡିଶାର ଶିକ୍ଷିତବର୍ଗ କିଭଳି ଭାବରେ ପାଳନ କରିଛନ୍ତି, ତାହାର ଦୃଷ୍ଟାନ୍ତ ହେଉଛି ଗତ କିଛି ବର୍ଷ ଧରି ରାଜଧାନୀରେ ଚାଲିଥିବା ଭାଷା ଆନେ୍ଦାଳନ । ଅବଶ୍ୟ ସରକାରଙ୍କ ଉପରକୁ ଏହାର କାର୍ଯ୍ୟକାରିତା ଦାୟିତ୍ୱ ଠେଲିଦେଇ ନିଜର ଦାୟିତ୍ୱ ସରିଗଲା ବୋଲି ଆତ୍ମସନ୍ତୋଷ ମାରୁଥିବା ଆମ ଶିକ୍ଷିତବର୍ଗ ଜାଣିବା ଦରକାର ଯେ, ସେମାନଙ୍କର ଏହି ଜାତିଦ୍ରୋହ କାର୍ଯ୍ୟପାଇଁ ଭବିଷ୍ୟତ ପିଢୀ କେବେ ବି କ୍ଷମା ଦେବେନି । କାରଣ ଶିକ୍ଷା ଓ ଶାସନର ଭାଷା ଓଡିଆ ନ ହେବାରେ ଏହି ବର୍ଗ ହେଉଛନ୍ତି ସବୁଠାରୁ ବେଶୀ ଦାୟୀ । ବିଶେଷକରି ଉଚ୍ଚଶିକ୍ଷା ବ୍ୟବସ୍ଥାରେ ଓଡିଆଭାଷାକୁ ଅଣଦେଖା କରିବା ଫଳରେ ଶାସନର ଭାଷା ଯେ ଓଡିଆ ହୋଇପାରୁନାହିଁ, ତାହା ଆଜି ଆଉ କାହାରି ଅବୁଝା ନାହିଁ । ତେଣୁ ଓଡିଆଭାଷାକୁ ଜ୍ଞାନ ଓ ଶାସନର ଭାଷା କରିବାକୁ ହେଲେ ଓଡିଆ ବିଶ୍ୱବିଦ୍ୟାଳୟ ସ୍ଥାପନା ଏକ ଜରୁରୀ ଆବଶ୍ୟକତା । ସୁଖର କଥା ଏହି ଆବଶ୍ୟକତାକୁ ଅନୁଭବ କରି ଆସନ୍ତା ବିଧାନସଭା ଅଧିବେଶନରେ ରାଜ୍ୟ ସରକାରଙ୍କଦ୍ୱାରା ଓଡିଆ ବିଶ୍ୱବିଦ୍ୟାଳୟ ବିଲ ଉପସ୍ଥାପନ ହେବାକୁ ଯାଉଛି । ତେବେ କେତେକ ବ୍ୟକ୍ତିବିଶେଷଙ୍କ ବିରୋଧାତ୍ମକ ମାନସିକତାରେ ସରକାରି କଳ ଉତ୍ସାହିତ ହୋଇ ଓଡିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠାର ମୂଳଲକ୍ଷ୍ୟକୁ ଦୂରେଇ ଦେବା ସହ ସଂସ୍କୃତି ବିଶ୍ୱବିଦ୍ୟାଳୟ ଢାଞ୍ଚାରେ ଆଉ ଏକ ସାଇନବୋର୍ଡ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠାର ବାଟ ଫିଟେଇ ଦେଇଛନ୍ତି ।

ସ୍ୱୟଂସମ୍ପୂର୍ଣ୍ଣ ଓଡିଆ ବିଶ୍ୱବିଦ୍ୟାଳୟ ଗବେଷଣା ଓ ଭାଷାଭିତ୍ତିକ ହେବାର ଅର୍ଥ ଓଡିଆକୁ ଜ୍ଞାନବିଜ୍ଞାନର ଭାଷା ଭାବରେ ପ୍ରତିଷ୍ଠିତ କରାଇବା । ଏହା ଓଡିଆଭାଷା ଓ ସାହିତ୍ୟର ନୂତନ ଶିକ୍ଷା ଦିଗନ୍ତ ଉନ୍ମୋଚନ କରିବା ସହିତ ଆଜିପର୍ଯ୍ୟନ୍ତ ବାଣିଜ୍ୟ, ବିଜ୍ଞାନ, ଯାନ୍ତ୍ରିକବିଦ୍ୟା, ଚିକିତ୍ସା, ପ୍ରଯୁକ୍ତିବିଦ୍ୟା ଆଦି ଆଧୁନିକ ଶିକ୍ଷାବ୍ୟବସ୍ଥାର ସମସ୍ତ ବିଭବ ଓଡିଆରେ ପଢାଯିବ । ଓଡିଶାରେ ଉଚ୍ଚଶିକ୍ଷାପାଇଁ ରାଜ୍ୟ ତଥା ଜାତୀୟ ସ୍ତରର ଯେତକ ଶିକ୍ଷାନୁଷ୍ଠାନ ରହିଛି, ଏ ସବୁର ଶିକ୍ଷାମାଧ୍ୟମ ହେଉଛି ଇଂରାଜୀ । ଏହା ମାତ୍ର ୧୩% ବିଦ୍ୟାର୍ଥୀଙ୍କୁ ଉଚ୍ଚଶିକ୍ଷା ଦେଇପାରୁଛି । ଏହି ୧୩%ରୁ ୬୦ଭାଗ ଓଡିଶା ବାହାର ପିଲା । ଯେଉଁ କେତେକ ଓଡିଆପିଲା ସଫଳ ହେଉଛନ୍ତି, ସେମାନଙ୍କ ସଂଖ୍ୟା ମାତ୍ର ୧% । ଅର୍ଥାତ ରାଜ୍ୟର୯୯ଭାଗ ପିଲା ଉଚ୍ଚଶିକ୍ଷା ଓ ଭଲ ନିଯୁକ୍ତିରୁ ବଞ୍ଚିତ ହେବାର ମୂଳକାରଣ ହେଉଛି ବିଦେଶୀ ଭାଷାର ବୋଝ । ଏହି ବୋଝରୁ ମୁକ୍ତ କରି ଓଡିଶାପାଇଁ କେବଳ ଉଚ୍ଚଶିକ୍ଷିତ ଓଡିଆପିଲା ପ୍ରସ୍ତୁତ କରିବା ହେବ ଓଡିଆ ବିଶ୍ୱବିଦ୍ୟାଳୟର ମୂଳଲକ୍ଷ୍ୟ । ଓଡିଆ ବିଶ୍ୱବିଦ୍ୟାଳୟ ସ୍ଥାପନ ହେଲେ ଏହି ଅନୁଷ୍ଠାନରେ ଉଚ୍ଚଶିକ୍ଷାରୁ ବଞ୍ଚିତ ପ୍ରାୟ୯୯ଭାଗ ପିଲାମାନଙ୍କ ମଧ୍ୟରୁ ବହୁପିଲା ଏଠାରେ ପଢିବେ । ଏମାନଙ୍କ ମଧ୍ୟରୁ ଇଂରାଜୀରେ ଦକ୍ଷ ନ ହୋଇ ବୃତ୍ତିରେ ଦକ୍ଷ ହୋଇ ୧୦୦ଜଣ ଡାକ୍ତର ବା ଇଞ୍ଜିନିୟର ଯଦି ଓଡିଶାରେ ନିଯୁକ୍ତି ପାଇବେ, ତଦ୍ୱାରା ଶିକ୍ଷା କିମ୍ବା ବୃତ୍ତିରେ କୌଣସି ଆଞ୍ଚ ଆସିବନାହିଁ. ବରଂ ବୃତ୍ତିରେ ସ୍ୱଚ୍ଛତା ଆସିବା ଫଳରେ ସାଧାରଣଲୋକେ ଏହାର ସୁଫଳ ପାଇବେ ।ଏହାବ୍ୟତୀତ ନିଜଭାଷାରେ ପଢିବୁଝି ବିଷୟଭିତ୍ତିକ ଆବଶ୍ୟକୀୟ ଜ୍ଞାନ ପାଇବା ପରେ ନିଯୁକ୍ତିପାଇଁ ଯୋଗାଯୋଗର ଭାଷା ଭାବରେ ୧୦ଟି ଆନ୍ତର୍ଜାତିକ ଓ ୧୦ଟି ଭାରତୀୟ ଭାଷା ମଧ୍ୟରୁ ୨ଟି ଭାଷାରେ ଏମାନଙ୍କୁ ସ୍ୱତନ୍ତ୍ର ପ୍ରଶିକ୍ଷଣ ଦିଆଯିବ । ଅର୍ଥାତ ଭାରତପାଇଁ ଆବଶ୍ୟକ ଥିବା ବିଦେଶୀଭାଷା ଯଥା ଆରବିକ, ଋଷ, ଜର୍ମାନ, ମାଣ୍ଡାରିନ ଆଦି ଭାଷା ଶିଖିଲେ ସେହିସବୁ ଦେଶରେ ବ୍ୟାପକ ନିଯୁକ୍ତିର ସୁଯୋଗ ଥିବାରୁ ଆମ ଓଡିଆପିଲାଙ୍କ ନିଯୁକ୍ତି ପଥ ଆହୁରି ସରଳ ଓ ସୁଗମ ହେବ । ଯାହା ଫଳରେ ସ୍ୱଦେଶ ଓ ବିଦେଶ ସହିତ ନିଜ ଜନ୍ମଭୂମିରେ ନିଯୁକ୍ତିପାଇଁ କୌଣସି ଅସୁବିଧା ହେବନାହିଁ ।

ଓଡିଆମାଧ୍ୟମରେ ଉଚ୍ଚଶିକ୍ଷା ଦିଆ ନଯିବା ଫଳରେ ଓଡିଶା ବହୁତ କିଛି ଆଜି ପର୍ଯ୍ୟନ୍ତ ହରାଇ ଚାଲିଛି । ଅନ୍ୟ ପକ୍ଷରେ କେନ୍ଦ୍ର ସରକାରଙ୍କ ରେଳବାଇ, ସିଭିଲସେବା, କେନ୍ଦ୍ରିୟ କର୍ମଚାରୀ ନିଯୁକ୍ତି ସେବା ଭଳି ସମସ୍ତ ନିଯୁକ୍ତିଭିତ୍ତିକ ପ୍ରତିଯୋଗିତାମୂଳକ ପରୀକ୍ଷା ସମେତ ଡାକ୍ତରି ଓ ଇଂଜିନିୟରିଂ ପ୍ରବେଶିକା ପରୀକ୍ଷା ଆଦି ପ୍ରାଦେଶିକ ଭାଷାରେ ହେଉଥିବାରୁ ଓଡିଆଭାଷାରେ ଉଚ୍ଚଶିକ୍ଷା ବ୍ୟବସ୍ଥା ନ ଥିବା ଫଳରେ ବହୁ ମେଧାବୀ ପିଲା ଓଡିଆରେ ଏହି ସବୁ ପରୀକ୍ଷା ଦେଇପାରୁ ନାହାନ୍ତି । ଅଥଚ ଅନ୍ୟ ରାଜ୍ୟର ପିଲାମାନେ ଇଂରାଜୀ ସହିତ ନିଜ ଭାଷାରେ ପରୀକ୍ଷା ଦେଇ ଦୁଇପ୍ରକାରର ସଫଳତା ପାଇପାରୁଛନ୍ତି । ଏହାର ଏକମାତ୍ର କାରଣ ହେଉଛି ସେହି ସବୁ ରାଜ୍ୟର ବିଶ୍ୱବିଦ୍ୟାଳୟ ସ୍ତରୀୟ ଶିକ୍ଷା ନିଜ ଭାଷାରେ ଦିଆ୍ାଉଛି । ୧୯୬୨ରେ ସ୍ଥାପିତ ପଞ୍ଜାବୀ ବିଶ୍ୱବିଦ୍ୟାଳୟ କଳା, ବିଜ୍ଞାନ, ବାଣିଜ୍ୟ, ଚିକିତ୍ସା, ପ୍ରଯୁକ୍ତିବିଦ୍ୟା, ଯାନ୍ତ୍ରିକବିଦ୍ୟା ଆଦି୬୫ଟି ବିଭାଗ ସ୍ଥାପନ କରି କେବଳ ପଞ୍ଜାବୀ ଭାଷାରେ ଶିକ୍ଷାଦାନ କରୁଛି । ୬୦୦ଏକର ପରିମିତ ଏହି ବିଶ୍ୱବିଦ୍ୟାଳୟର ମୂଳ ପରିସରରେ ୯୦୦୦ ବିଦ୍ୟାର୍ଥୀ ଓ ୫୦୦ଶିକ୍ଷକ ଥିବାବେଳେ ୫ଟି ଆଞ୍ଚଳିକ କେନ୍ଦ୍ର, ୬ଟି ପଡୋଶୀ କ୍ୟାମ୍ପସ, ୧୬୬ଟି ଅନୁବନ୍ଧିତ କଲେଜ ରହିଛି । ଆଜି ସମସ୍ତେ ସ୍ୱୀକାର କରିବେ ଯେ ଭାରତରୁ ସବୁଠାରୁ ଅଧିକ ଲୋକ ବିଦେଶ ଯାଇଥାନ୍ତି ପଞ୍ଜାବ ପ୍ରଦେଶରୁ । କାହିଁ ସେଠାରେ ପଞ୍ଜାବୀ ଭାଷାରେ ଉଚ୍ଚଶିକ୍ଷା ପ୍ରଦାନ ବ୍ୟବସ୍ଥା ତ କୌଣସି ବାଧା ସୃଷ୍ଟି କରିପାରିନାହିଁ! ସେହିପରି ତାମିଲ, ତେଲୁଗୁ, କନ୍ନଡ, ଗୁଜୁରାଟି, ବଙ୍ଗାଳୀ, ମରାଠୀ, ମାଲାୟାଲମ, ଏପରିକି ହିନ୍ଦୀ ଭାଷାରେ ବିଶ୍ୱବିଦ୍ୟାଳୟ ସ୍ତରର ଶିକ୍ଷା ପ୍ରଦାନ କରାଯାଇ ଇଂରାଜୀ ପ୍ରତିସ୍ପର୍ଦ୍ଧାରେ ଆନ୍ତର୍ଜାତିକ ଭାଷା ଭାବରେ ଏହି ସବୁ ଭାଷା ନିଜକୁ ପ୍ରତିଷ୍ଠିତ କରାଇ ପାରିଛନ୍ତି ।

ଓଡିଆ ବିଶ୍ୱବିଦ୍ୟାଳୟ ଇଂରାଜୀ ଶିକ୍ଷା ବ୍ୟବସ୍ଥାର ବିରୋଧି ନୁହେଁ । ବରଂ ଆଜିର ବୈଶ୍ୱୈକରଣ ଦୁନିଆରେ ଇଂରାଜୀ ବ୍ୟତୀତ ଆହୁରି ବହୁ ବିଶ୍ୱ ଭାଷାରେ ଆମ ପିଲା ଦକ୍ଷ ହେବାର ଆବଶ୍ୟକତା ରହିଛି । ଯେଉଁମାନେ ଇଂରାଜୀକୁ ବିଶ୍ୱଭାଷା କହି ଏହା ଶିଖିଗଲେ ପୃଥିବୀର ଯେକୌଣସି ଦେଶସହ ସମ୍ପର୍କ ବାନ୍ଧିବାରେ ସମର୍ଥ ହୋଇପାରିବ ବୋଲି କହୁଛନ୍ତି, ସେମାନେ ଆମ ପିଲାଙ୍କ ଶିଖିବା ଗୁଣକୁ ସଂକୁଚିତ କରିଦେଉଛନ୍ତି । କାରଣ ପୃଥିବୀରେ ଏଭଳି ଅନେକ ଦେଶ ଅଛି, ଯେଉଁମାନେ ଇଂରାଜୀ ଭାଷା ନ ଜାଣି ମଧ୍ୟ ନିଜସ୍ୱ ଜ୍ଞାନକୌଶଳଦ୍ୱାରା ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ଆମେରିକା ଜ୍ଞାନର ଦେଶ ହୋଇଥିବାରୁ ପ୍ରତିବର୍ଷ ସର୍ବାଧିକ ବିଦ୍ୱାନ ଏହି ରାଷ୍ଟ୍ରରୁ ନୋବେଲ ପୁରସ୍କାର ପାଆନ୍ତି ସତ, ମାତ୍ର ଆଜି ପର୍ଯ୍ୟନ୍ତ ଏହି ଆମେରିକା ପ୍ରତିରକ୍ଷା ଟେକ୍ନୋଲୋଜିରେ ଋଷିଆକୁ, ଜର୍ମାନୀର ଅଟୋମୋବାଇଲ ଟେକ୍ନଲୋଜି, ଜାପାନର ରୋବୋଟିକ ଆଉ ଚୀନର ଇଲୋକକ୍ଟ୍ରୋନିକ୍ସ, କୋରିଆର ଲୌହଇସ୍ପାତ, ପ୍ରାନ୍ସର ବିମାନ ନିର୍ମାଣବିଦ୍ୟାକୁ ଭେଦ କରିପାରିନାହିଁ । କହିବା ବାହୁଲ୍ୟ ଏହିସବୁ ରାଷ୍ଠ୍ରର ଶିକ୍ଷା ବ୍ୟବସ୍ଥା ନିଜ ଭାଷାରେ ହେଉଥିବାରୁ ଗବେଷଣାର ଗୂଢ ଭେଦ କରିବାରେ ଆମେରିକା ଆଜି ପର୍ଯ୍ୟନ୍ତ ସକ୍ଷମ ହୋଇପାରିନି । ଅନ୍ୟ ପକ୍ଷରେ ଭାରତର ଉଚ୍ଚଶିକ୍ଷା ବ୍ୟବସ୍ଥାର ମାଧ୍ୟମ ଇଂରାଜୀ ହୋଇଥିବାରୁ ଆମର ଗବେଷଣାଲବ୍ଧ ଜ୍ଞାନ ଆମ ଭିତରେ ସୀମିତ ନ ରହି ଆମେରିକା, ବ୍ରିଟେନ ଭଳି ପରାଙ୍ଗପୁଷ୍ଟ ଦେଶକୁ ଧନୀ କରିବାରେ ଲାଗିଛି । ବିଶେଷକରି ଓଡିଶା ଭଳି ଏକ ଅନଗ୍ରସର ରାଜ୍ୟର ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଜଳସେଚନ, ବିଦୁ୍ୟତ, ଯାନ୍ତିକବିଦ୍ୟା ପ୍ରଭାବିତ ହେବାର ମୌଳିକ କାରଣ ହେଉଛି ଆମ ଶିକ୍ଷିତଙ୍କ ଅନ୍ୟତ୍ର ଚାଲଣ । ଏହାକୁ ଶିକ୍ଷିତ ଦାଦନ ମଧ୍ୟ କୁହାଯାଇପାରିବ । କାରଣ ଏମାନେ କାମ କରିବାର ଇଚ୍ଛା ଥିଲେ ମଧ୍ୟ ବ୍ୟାପକ ସୁଯୋଗ ନ ଥିବାରୁ ଅନ୍ୟ ରାଜ୍ୟ ବା ଦେଶକୁ ଚାଲିଯିବାକୁ ପଛାଉନାହାନ୍ତି ।

ଓଡିଆ ଏକ ପ୍ରାଚୀନ ଓ ସମୃଦ୍ଧଭାଷା ଭାବରେ ଶାସ୍ତ୍ରୀୟମାନ୍ୟତା ପାଇବା ପରେ ଅନ୍ତତଃ ଆମ ବୁଦ୍ଧିଜୀବୀ, ଶିକ୍ଷାବିତ, ଆଗଧାଡିର ରାଜନେତାଗଣ ଓଡିଆଭାଷାକୁ ଜ୍ଞାନର ଭାଷା କରିବାପାଇଁ ଉଦ୍ୟମ କରିବା ସହିତ ଓଡ଼ିଆ ଭାଷାର ସ୍ଥିତି ନିମ୍ନ, ନିମ୍ନମାଧ୍ୟମିକ ଓ ଉଚ୍ଚମାଧ୍ୟମିକ ସ୍ତରରେ କିପରି ଅଛି ତାହା ଦେଖିବା ମଧ୍ୟ ଆବଶ୍ୟକ । ବିଶେଷକରି ଓଡିଆଭାଷା ଶାସ୍ତ୍ରୀୟମାନ୍ୟତା ପାଇବା ପରେ ଓଡିଆକୁ ଭାଗ କରିବାପାଇଁ କୋଶଳୀ-ସମ୍ବଲପୁରୀ, ହୋ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦର ଭାଷା ଭାବରେ ସ୍ୱୀକୃତି ଦେବାପାଇଁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିବା, ଓଡିଆ ବିଶ୍ୱବିଦ୍ୟାଳୟ ଦାବି ସମୟରେ ଜାଭିଅର ବିଶ୍ୱବିଦ୍ୟାଳୟ ଅଗ୍ରାଧିକାର ଭିତ୍ତିରେ ପ୍ରତିଷ୍ଠା କରିବା ଏବଂ ଆବଶ୍ୟକୀୟ ସ୍ନାତକ ପିଲା ନ ଥିବା ସତ୍ତ୍ୱେ ଓଡିଶାର ସମସ୍ତ ସରକାରି ବିଶ୍ୱବିଦ୍ୟାଳୟରେ ଉର୍ଦ୍ଦୁ ବିଭାଗ ଖୋଲିବା ସହିତ ସ୍ୱତନ୍ତ୍ର ଉର୍ଦ୍ଦୁ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିବା, ଓଡିଆମାଧ୍ୟମର ୧୫ହଜାର ସ୍କୁଲ ବନ୍ଦ କରିବାସହ ବିଭିନ୍ନ କାରଣ ଦର୍ଶାଇ ଶିକ୍ଷକ ଛଟେଇ କରିବା ତଥା ଏହାର ପ୍ରତିସ୍ପର୍ଦ୍ଧାରେ ମଡେଲ ସ୍କୁଲ ନାମରେ ପ୍ରତିବ୍ଲକରେ ସରକାରି ଇଂରାଜୀ ମାଧ୍ୟମ ସ୍କୁଲ ଖୋଲିବା, ବେସରକାରୀ ଇଂରାଜୀ ସ୍କୁଲକୁ ପିଲାପିଛା ୨୫ହଜାର ଟଙ୍କା ପ୍ରଦାନ କରି ୫୦ହଜାର ପିଲା ଇଂରାଜୀରେ ପଢିବାକୁ ପ୍ରଲୋଭିତ କରିବା ଭଳି ଓଡିଆ ମାରଣ କାର୍ଯ୍ୟ ରାଜ୍ୟ ସରକାରଙ୍କ ଓଡିଆଭାଷା ବିରୋଧି ମାନସିକତାର ବଳିଷ୍ଠ ପ୍ରମାଣ ।

ଦୁଃଖର କଥା, ସରକାରଙ୍କ ଏହି ନିଷ୍ପତ୍ତିକୁ ବିରୋଧ ନ କରି କେତେକ ତଥାକଥିତ ଭାଷା ଆନେ୍ଦାଳନକାରୀ ଓଡିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠାକୁ ବିରୋଧ କରିଚାଲିଛନ୍ତି । ଏପରିକି ଭାଷା ଆଇନ ଆଣିଥିବା ନବବାବୁ ଓ ଭାଷାଭିତ୍ତିକ ରାଜ୍ୟ ଗଠନ କରାଇଥିବା ମଧୁବାବୁଙ୍କୁ ପ୍ରତ୍ୟହ କଳାପତାକା ଦେଖାଉଥିବା ବ୍ୟକ୍ତିଗଣ ଓଡିଆରେ ଉଚ୍ଚଶିକ୍ଷା ବ୍ୟବସ୍ଥାକୁ ଖୋଲାଖୋଲି ବିରୋଧ କରି ଓଡିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠାର ଗତିରୋଧ କରିବାକୁ ଉଦ୍ୟମ ଜାରି ରଖିଛନ୍ତି । ଫଳରେ କଙ୍କଡାକୁ ଗୋଳିଆପାଣି ସୁହାଇଲାଭଳି ପଦସ୍ଥ ଅଧିକାରୀଗଣ ପୂର୍ଣ୍ଣାଙ୍ଗ ବିଶ୍ୱବିଦ୍ୟାଳୟ ପରିବର୍ତ୍ତେ ପ୍ରଥମେ ମୁକ୍ତ ଓ ପରେ କେବଳ ଓଡିଆ ଭାଷାସାହିତ୍ୟ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିବାପାଇଁ ସରକାରଙ୍କୁ ପ୍ରଭାବିତ କରି ସଫଳ ହୋଇଛନ୍ତି । ଏଠାରେ କହିବା ନିଷ୍ପ୍ରୟୋଜନ ଯେ, ଶାସ୍ତ୍ରୀୟ ସ୍ୱୀକୃତି ପାଇବା ପରେ ଓଡିଆ ଉପରେ ଗବେଷଣାପାଇଁ ସମସ୍ତ କେନ୍ଦ୍ରିୟ ବିଶ୍ୱବିଦ୍ୟାଳୟରେ କେନ୍ଦ୍ର ସରକାର ଭାଷା ଚେୟାର ପ୍ରତିଷ୍ଠା କରିବାକୁ ଯାଉଥିବାବେଳେ ତଥା ଓଡିଶାର ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ କଲେଜମାନଙ୍କରେ ଓଡିଆ ବିଭାଗ ଖୋଲାଯାଇ ଓଡିଆ ସାହିତ୍ୟ ପଢା ଓ ଗବେଷଣା କାର୍ଯ୍ୟ ହେଉଥିବାବେଳେ ସେହି ଲକ୍ଷ୍ୟରେ ଆଉ ଏକ ସ୍ୱତନ୍ତ୍ର ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠାର କୌଣସି ଆବଶ୍ୟକ ନାହିଁ ।

ଓଡିଶାରେ ଭାଷା ଆଇନକୁ କାର୍ଯ୍ୟକାରି କରିବାପାଇଁ କେବଳ ଆନେ୍ଦାଳନ ବା କିଛି ସରକାରି ଘୋଷଣା ନୁହେଁ, ଭାଷା ପ୍ରଶିକ୍ଷିତ କର୍ମଚାରୀର ଆବଶ୍ୟକତା ରହିଛି । ଏହି କର୍ମଚାରୀ ଓଡିଆରେ ଉଚ୍ଚଶିକ୍ଷାପ୍ରାପ୍ତ ହୋଇଥିଲେ ଏମାନଙ୍କୁ ଓଡିଆରେ କାମ କରିବାପାଇଁ କୌଣସି ଅଭିଧାନ, ବିଦ୍ୱାନ ବା ଉପର ଅଧିକାରୀଙ୍କ ନିଦେ୍ର୍ଦଶ ଦରକାର ପଡିବନାହିଁ । ଓଡିଆରେ ଜ୍ଞାନ ନ ଥିବା କର୍ମଚାରୀ ଏଭଳି ଓଡିଆରେ ସରକାରି ଚିଠା ଲେଖିବେ ଯେ, ତାହା ବୁଝିବାପାଇଁ ନା କୌଣସି ବହି ଥିବ, ନା ବ୍ୟକ୍ତି । ଯେମିତି ସଂସ୍କୃତ – ଓଡିଆ ପଣ୍ଡିତମାନଙ୍କୁ ଅତୀତରେ ପ୍ରଶାସନିକ ଶବ୍ଦକୋଷ ପ୍ରସ୍ତୁତ କରିବାର ଦାୟିତ୍ୱ ଦେଇ ଗୁଡିଏ ଅପ୍ରଚଳିତ ଶବ୍ଦ ପ୍ରସ୍ତୁତ କରି ଓଡିଆଭାଷା ବ୍ୟବହାରର ପଥରୋଧ କରାଯାଇଥିଲା, ଏବେ ସେହିଭଳି ସମସ୍ୟା ସୃଷ୍ଟି ହେବ । ତେଣୁ ଓଡିଆ କର୍ମଚାରୀ ସୃଷ୍ଟି ତଥା ଶାସ୍ତ୍ରୀୟ ମାନ୍ୟତାପରେ ଓଡିଆଭାଷାରେ ସମସ୍ତ ପ୍ରକାରର ଗବେଷଣାକାର୍ଯ୍ୟପାଇଁ ଆବଶ୍ୟକ ଥିବା ଭାଷା ବିଶ୍ୱବିଦ୍ୟାଳୟର ଅଭାବ ପୂରଣ କରିବ ପ୍ରସ୍ତାବିତ ଗବେଷଣାଭିତ୍ତିକ ଓଡିଆ ବିଶ୍ୱବିଦ୍ୟାଳୟ ।

ଓଡିଶା ସଚିବାଳୟର ଅମଲାତାନ୍ତ୍ରିକ ଅନୁର୍ବର ଭିତ୍ତିଭୂମି ଉପରେ ଓଡିଆଭାଷାର ବିହନ ବୁଣି ଗଛଟିଏ ଉତୁରେଇବାପାଇଁ ଆଜି ଯେଉଁ ସଂଘର୍ଷ ବିଭିନ୍ନ ସ୍ତରରେ ଚାଲିଛି, ତାହାର ପୂର୍ଣ୍ଣାଙ୍ଗ ରୂପାୟନ ଓଡିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠାଦ୍ୱାରା ହିଁ ସମ୍ଭବ ହେବ । ଓଡିଆରେ ସରକାରି କାମପାଇଁ ଏହା ହିଁ ମୂଳ ଭିତ୍ତି ତିଆରି କରିବ । ଏହି ଅନୁଷ୍ଠାନ ଓଡିଆ ମାଧ୍ୟମରେ ସ୍ୱତନ୍ତ୍ର ପ୍ରଶିକ୍ଷଣ ଦେବା ଶିକ୍ଷା, ଶାସନ, ଆଇନ, ଚିକିତ୍ସା, ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଓଡିଆଭାଷାର ବହୁଳ ବ୍ୟବହାର କିପରି କରାଯିବ, ସେ ବିଷୟରେ ମଣିଷ ତିଆରି କରିବାର ଗୁରୁଦାୟିତ୍ୱ ବହନ କରିବା ମୂଳ ଲକ୍ଷ୍ୟ ଥିବାରୁ ଓଡିଶାର ବୁଦ୍ଧିଜୀବୀ, ଶିକ୍ଷାବିତ ଏହାକୁ ସମର୍ଥନ କରିବାର ଯଥେଷ୍ଟ ଆବଶ୍ୟକତା ଅଛି ।
ଏ-୧୬୪, ସହିଦ ନଗର, ଭୁବନେଶ୍ୱର
ଦୂରଭାଷା: ୯୦୯୦୪୬୫୭୫୮
ଇମେଲ-ଗ୍ଦଙ୍କଭକ୍ସବଗ୍ଧକ୍ଟୟସବଅଶଜ୍ଞବସକ୍ଷ.ମକ୍ଟଜ୍ଞ

Share in top social networks!