ମହାନଦୀ ମାମଲାରେ ଚୁକ୍ତି ଅନୁସାରେ ଓଡିଶା ସରକାର ଛତିଶଗଡ ସହ ଯୁଗ୍ମ ନିୟନ୍ତ୍ରଣ ବୋର୍ଡ ଗଠନ ପାଇଁ ପଦକ୍ଷେପ ନେବାକୁ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

dharmendraମହାନଦୀର ଉପର ମୁଣ୍ଡରେ ଛତିଶଗଡ ସରକାର ବନ୍ଧ ନିର୍ମାଣ ପରିପ୍ରେକ୍ଷୀରେ ଓଡିଶାର ସ୍ୱାର୍ଥ ସହ କୌଣସି ମତେ ସାଲିସ କରାଯିବ ନାହିଁ ବୋଲି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ୧୯୮୩ ମସିହାରେ ଓଡିଶା ଓ ମଧ୍ୟ ପ୍ରଦେଶ ମଧ୍ୟରେ ହୋଇଥିବା ଚୁକ୍ତି ଅନୁସାରେ
ଓଡିଶା ସରକାର ଯୁଗ୍ମ ନିୟନ୍ତ୍ରଣ ବୋର୍ଡ ଗଠନ ପାଇଁ ପଦକ୍ଷେପ ନେଇ ନ ଥିବା କାରଣରୁ ଏହି ସମସ୍ୟା ଉତ୍ପନ୍ନ ହୋଇଛି ବୋଲି ସେ କହିଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଦୀର୍ଘ ଦିନରୁ ଓଡିଶା ସରକାରଙ୍କର ସ୍ଥାଣୁତା ଓ ଅପାରଗତା କାରଣରୁ ମହାନଦୀ ନେଇ ଦୁଇ ରାଜ୍ୟ ସରକାରଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଛି । ଶ୍ରୀ ପ୍ରଧାନ କହିଛନ୍ତି ଯେ ୧୯୮୩ ମସିହାରେ ତକ୍ରାଳୀନ ଓଡିଶାର ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଓ ମଧ୍ୟପ୍ରଦେଶର ତକ୍ରାଳୀନ ମୁଖ୍ୟମନ୍ତ୍ରୀ ଅର୍ଜୁନ ସିଂଙ୍କ ମଧ୍ୟରେ ମହାନଦୀ ଜଳ ସମସ୍ୟା ନେଇ ରାଜିନାମା ସ୍ୱାକ୍ଷରିତ ହୋଇଥିଲା । କେନ୍ଦ୍ରୀୟ ଜଳ କମିଶନଙ୍କ ମଧ୍ୟସ୍ଥତାରେ ଅନୁଷ୍ଠିତ ଏହି ବୁଝାମଣା ଅନୁସାରେ ମହାନଦୀ ଜଳକୁ ନେଇ ଥିବା ବିଭିନ୍ନ ପ୍ରସଙ୍ଗ ଉପରେ ଯୁଗ୍ମ ନିୟନ୍ତ୍ରଣ ବୋର୍ଡ ସ୍ଥାପନା କରିବାକୁ ନିଷ୍ପତି ଗ୍ରହଣ କରାଯାଇଥିଲା ।

ଓଡିଶା ମହାନଦୀର ତଳମୁଣ୍ଡରେ ଥିବା କାରଣରୁ ରାଜ୍ୟର ସ୍ୱାର୍ଥ ଦୃଷ୍ଟିରୁ ଏହି ଯୁଗ୍ମ ନିୟନ୍ତ୍ରଣ ବୋର୍ଡ ଗଠନ ଓଡିଶାର ସ୍ୱାର୍ଥ ପାଇଁ ଅତ୍ୟନ୍ତ ଜରୁରୀ ଥିଲା । ମାତ୍ର ଦୀର୍ଘ ଦିନ ଧରି ଓଡିଶା ଏହି ବୋର୍ଡ ଗଠନ ପାଇଁ କୌଣସି ପଦକ୍ଷେପ ନେଇ ନ ଥିବା କାରଣରୁ ଶ୍ରୀ ପ୍ରଧାନ କ୍ଷୋଭ ପ୍ରକାଶ କରିଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡିଶା ସରକାର ତୁରନ୍ତ ୧୯୮୩ ମସିହାର ଚୁକ୍ତି ଅନୁସାରେ ବୋର୍ଡ ଗଠନ କରି ଛତିଶଗଡରେ ମହାନଦୀ ଜଳ ବ୍ୟବହାର ପାଇଁ ହୋଇଥିବା ପ୍ରକଳ୍ପର ସରଜମିନ ତଦନ୍ତ କରି ନିୟମ ଅନୁସାରେ ଓଡିଶାର ସ୍ୱାର୍ଥ ରକ୍ଷା ପାଇଁ ଉଚିତ ପଦକ୍ଷେପ ନେବା ଅତ୍ୟନ୍ତ ଜରୁରୀ । ଓଡିଶା ସରକାର ଏହି ଯୁଗ୍ମ ନିୟନ୍ତ୍ରଣ
ବୋର୍ଡ ଗଠନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରନ୍ତୁ ବା ଆବଶ୍ୟକ ପଡିଲେ କେନ୍ଦ୍ରୀୟ ଜଳ କମିଶନଙ୍କ ମଧ୍ୟସ୍ଥତା ପାଇଁ ସହାୟତା ନିଅନ୍ତୁ ବୋଲି ସେ କହିଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ନଦୀ ସଂଘୀୟ ବ୍ୟବସ୍ଥାରେ ରାଜ୍ୟ ତାଲିକାରେ ଆସୁଛି । ମାତ୍ର ଦୀର୍ଘ ଦିନ ଧରି ଓଡିଶା ସରକାରଙ୍କ ନୀରବତା ନେଇ ଶ୍ରୀ ପ୍ରଧାନ ଗଭୀର ଚିନ୍ତା ବ୍ୟକ୍ତ କରିଛନ୍ତି ।

Share in top social networks!