କେନ୍ଦ୍ରମନ୍ତ୍ରୀମାନଙ୍କ ଏହି ଫମ୍ପା ଗସ୍ତକୁ ଶାନ୍ତିପୂର୍ଣ୍ଣ ଭାବେ ବିରୋଧ କରିବା ଏକ ଗଣତାନ୍ତ୍ରିକ ଅଧିକାର: BJD

baragarhବରଗଡ଼ ଠାରେ ଦୁଇଜଣ ମାନ୍ୟବର କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତ ସମୟରେ ଜନସାଧାରଣଙ୍କର ବିଶେଷକରି ଚାଷୀ ଓ ବୁଣାକାର ବର୍ଗର ଅସନ୍ତୋଷ ଏବଂ କ୍ରୋଧ
ଯେଉଁପରି ଭାବରେ ପ୍ରକଟିତ ହେଲା ତାହା ବର୍ତ୍ତମାନର କେନ୍ଦ୍ର ସରକାରଙ୍କ ପ୍ରତି ସଂପୂର୍ଣ୍ଣ ଅନାସ୍ଥା ଭାବର ଏକ
ପ୍ରତିଫଳନ ମାତ୍ର ଅଟେ । ବରଗଡ଼ ଅଞ୍ଚଳ କୃଷି ପ୍ରଧାନ ଓ ବୁଣାକାର ବହୁଳ ଅଟେ । ରାଜ୍ୟ ଶସ୍ୟ ଭଣ୍ଡାରର ବଡ଼ ଅଂଶ
ଏହି ଅଞ୍ଚଳରୁ ସଂଗୃହୀତ ହୋଇଥାଏ ଏବଂ ବିଶ୍ୱ ପ୍ରସିଦ୍ଧ ସମ୍ବଲପୁରୀ ବୟନ କଳାର ସ୍ରଷ୍ଟା ଅଟନ୍ତି ସେ ଅଞ୍ଚଳର ହଜାର
ହଜାର ବୁଣାକାର ପରିବାର । ବିଶେଷକରି ଏହି ଦୁଇ ବର୍ଗ ପ୍ରତି କେନ୍ଦ୍ର ସରକାରଙ୍କର ଖାମଖିଆଲି ମନୋଭାବ,
ଅସହଯୋଗ ଏବଂ ମିଥ୍ୟା ପ୍ରତିଶ୍ରୁତି ଓ ପ୍ରତାରଣା ସେମାନଙ୍କୁ କେବଳ କ୍ଷୁବ୍ଧ କରିନାହିଁ, କ୍ରୋଧିତ କରିଛି ମଧ୍ୟ ।
ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି କିଛିମାସ ତଳେ ବରଗଡ଼ ଠାରେ ଏକ ଚାଷୀ ସମାବେଶ କରି ଚାଷୀମାନଙ୍କୁ
ଯେଉଁ ଲମ୍ବା ଲମ୍ବା ପ୍ରତିଶ୍ରୁତି ଦେଇଥିଲେ, ତାହାକୁ ତ ପୂରଣ କଲେ ନାହିଁ, ବରଂ କଟା ଘା’ରେ ଚୂନ ଦେଲାପରି ଚାଷୀ
ବିରୋଧୀ ନିଷ୍ପତ୍ତିମାନ ନେଲେ । ଏହା ଚାଷୀକୂଳର ପ୍ରାଣକୁ ଆଘାତ ଦେଇଛି ।
ଗତବର୍ଷ ଓଡ଼ିଶାର ମରୁଡ଼ି ଜନିତ ପରିସ୍ଥିତିର ମୁକାବିଲା କରିବା ପାଇଁ ରାଜ୍ୟ ସରକାର କ୍ଷୟକ୍ଷତିର ହିସାବ କରି
କେନ୍ଦ୍ର ଠାରୁ ଆବଶ୍ୟକ କରିଥିଲେ ୨,୩୪୫ କୋଟି ଟଙ୍କା । କେନ୍ଦ୍ର ସରକାର ମଞ୍ଜୁର କଲେ ମାତ୍ର ୮୪୫ କୋଟି
ଟଙ୍କା ଏବଂ ଅଦ୍ୟାବଧି ଦେଇଛନ୍ତି ମାତ୍ର ୬୦୦ କୋଟି ଟଙ୍କା । ଯାହା ସମୁଦ୍ରକୁ ଶଙ୍ଖେ ପାଣି ପରି । ଚାଷୀ ପାଇଁ
ଧାନର ସହାୟକ ମୂଲ୍ୟ ବୃଦ୍ଧି ସକାଶେ ରାଜ୍ୟ ସରକାର ଓ ଚାଷୀକୂଳ ବାରମ୍ବାର ଦାବି କରି ଆସୁଛନ୍ତି । ଚଳିତବର୍ଷ
ଏହା କ୍ୱିଣ୍ଟାଲ ପିଛା ୨୫୦୦ ଟଙ୍କାକୁ ବୃଦ୍ଧି କରିବା ପାଇଁ ରାଜ୍ୟ ସରକାର ପଠାଇଥିବା ପ୍ରସ୍ତାବକୁ କେନ୍ଦ୍ର ସରକାର
ଅଣଦେଖା କଲେ ଏବଂ କଟା ଘା’ରେ ଚୂନା ଦେବାଭଳି ବୃଦ୍ଧି କଲେ କ୍ୱିଣ୍ଟାଲ ପିଛା ମାତ୍ର ୬୦ ଟଙ୍କା । ଏହା ହେଉଛି
ଚାଷୀ ପାଇଁ କୁମ୍ବୀର କାନ୍ଦଣା କାନ୍ଦୁଥିବା କେନ୍ଦ୍ର ସରକାରଙ୍କ କାର୍ଯ୍ୟ । ବେଡ଼ି ଉପରେ କୋରଡ଼ା ମାଡ଼ ପରି ସହାୟକ
ମୂଲ୍ୟ ବାହାରେ ଅତିରିକ୍ତ ବୋନସ୍‌ ଦେବା ପାଇଁ ରାଜ୍ୟ ସରକାରମାନଙ୍କୁ ବାରଣ କରିଛନ୍ତି କେନ୍ଦ୍ରର ମୋଦି
ସରକାର ।
ଚାଷ ପରେ ସର୍ବାଧିକ ଲୋକଙ୍କର କର୍ମ ନିଯୁକ୍ତି ବୁଝାଏ ବୟନ ଶିଳ୍ପକୁ । କ୍ଷମତାକୁ ଆସିବା ପରେ ପରେ
ବୁଣାକାରମାନଙ୍କୁ ପ୍ରଥମ ପାହାର ଦେଲେ ବୁଣାକାରମାନଙ୍କ ପାଇଁ ଥିବା ସ୍ୱାସ୍ଥ୍ୟ ଯୋଜନାକୁ ପ୍ରତ୍ୟାହାର କରି ।
ଦ୍ୱିତୀୟ ପାହାର ଦେଲେ ହସ୍ତତନ୍ତ ସାମଗ୍ରୀର ବିକ୍ରି ଉପରେ ଦେଉଥିବା ରିହାତି (ଗବକ୍ସଳରଗ୍ଧ ଇଗ୍ଦଗ୍ଦସଗ୍ଦଗ୍ଧବଦ୍ଭମର)କୁ
ବନ୍ଦ କରି । ମୋଦି ସରକାରଙ୍କ ଠାରୁ ଏ ବାବଦରେ ବର୍ତ୍ତମାନ ଓଡ଼ିଶାର ବୁଣାକାରମାନଙ୍କର କୋଟି କୋଟି ଟଙ୍କାର
ପ୍ରାପ୍ୟ ବାକି ରହିଛି ଯାହା ହସ୍ତତନ୍ତ ବଜାର ଉପରେ ପ୍ରତିକୂଳ ପ୍ରଭାବ ସୃଷ୍ଟି କରୁଛି । ଏହାଦ୍ୱାରା କେନ୍ଦ୍ର ସରକାର
ବୁଣାକାରଙ୍କ ପେଟରେ ଲାତ ମାରୁଛନ୍ତି ।

‘ଆଚ୍ଛେଦିନ ଆୟେଗା’ର ସ୍ଲୋଗାନ ଦେଉଥିବା ସରକାର ସବୁଦିନକୁ ୨ବର୍ଷରେ ‘ବୁରାଦିନ୍‌’ରେ ପରିବର୍ତ୍ତନ
କରିଦେଲେଣି । ସବୁ କ୍ଷେତ୍ରରେ ଦରଦାମ ହୁ ହୁ ହୋଇ ବଢ଼ି ଚାଲିଛି । ସାଧାରଣ ଖାଉଟି ହନ୍ତସନ୍ତ ହେଲେଣି ।
ଅଶୋଧିତ ତୈଳର ବଜାର ଦର ଏଥିମଧ୍ୟରେ ୫୦ ପ୍ରତିଶତରୁ ଅଧିକ କମି ଯାଇଥିବା ବେଳେ ପେଟ୍ରୋଲ ଓ
ଡିଜେଲ୍‌ ଦର ବଢ଼ି ଚାଲିଛି, ଯାହାର ସାମଗ୍ରୀକ ପ୍ରଭାବ ଅନ୍ୟ ସମସ୍ତ ବଜାର ଦର ଉପରେ ପ୍ରତିଫଳିତ ହେଉଛି ।
ପ୍ରଧାନମନ୍ତ୍ରୀ ଓ ଅନ୍ୟ କେନ୍ଦ୍ରୀୟ ମନ୍ତ୍ରୀମାନେ ବାରମ୍ବାର ଓଡ଼ିଶା ଗସ୍ତକରି ଆକାଶଛୁଆଁ ଭାଷଣ ଦେଉଛନ୍ତି । କିନ୍ତୁ
ସାଧାରଣ ଗରିବ ମଣିଷର ପାଦତଳୁ ମାଟି ଖସିଯାଉଛି । ଅବାସ୍ତବ ପ୍ରତିଶ୍ରୁତି ଓ ତଥାକଥିତ ବିକାଶର ପ୍ରହେଳିକା
ସାଧାରଣ ଲୋକଙ୍କୁ କ୍ଷୁବ୍ଧ ଓ ଉଦ୍‌ବେଳିତ କରିଦେଲାଣି । ଲୋକେ ତୀବ୍ର ପ୍ରତିକ୍ରିୟାଶୀଳ ହେଲେଣି ଏବଂ ବିଭିନ୍ନ
ସ୍ଥାନରେ ତା’ର ଝଲକ୍‌ ଦେଖିବାକୁ ମିଳିଲାଣି । କେନ୍ଦ୍ର ମନ୍ତ୍ରୀଙ୍କର ଗସ୍ତ ସମୟରେ ସୋହେଲା ଠାରୁ ବରଗଡ଼ ପର୍ଯ୍ୟନ୍ତ
ହଜାର ହଜାର ଲୋକଙ୍କର ସ୍ୱତଃସ୍ଫୂର୍ତ୍ତ ପ୍ରତିବାଦ ତା’ର ଏକ ଝଲକ୍‌ ମାତ୍ର ।
ଚାଷୀ ଓ ବୁଣାକାର ବହୁଳ ବରଗଡ଼ ଅଞ୍ଚଳ ବିକାଶ ପାଇଁ ଗତ ଦୁଇବର୍ଷରେ କିଛି କରିନଥିବା କେନ୍ଦ୍ର ସରକାରଙ୍କର
ମନ୍ତ୍ରୀମାନଙ୍କ ଏହି ଫମ୍ପା ଗସ୍ତକୁ ଶାନ୍ତିପୂର୍ଣ୍ଣ ଭାବେ ବିରୋଧ କରିବା ଏକ ଗଣତାନ୍ତ୍ରିକ ଅଧିକାର ଅଟେ । ଲୋକେ
ତାହା ହିଁ କରୁଥିଲେ । ଏହା ପ୍ରାୟୋଜିତ ନଥିଲା, ଥିଲା ସ୍ୱତଃସ୍ଫୂର୍ତ୍ତ । ଏଥିରେ ଅସହିଷ୍ଣୁ ହୋଇ ଶାନ୍ତିପୂର୍ଣ୍ଣ ବିକ୍ଷୋଭକାରୀଙ୍କୁ
ମାଡ଼ ଦେବା କେଉଁ ଶିଷ୍ଟାଚାର ଅଟେ? ବିଜୁ ଜନତା ଦଳ ହିଂସା ରାଜନୀତିରେ ବିଶ୍ୱାସ କରେ ନାହିଁ । ବିଜେଡି
କର୍ମୀମାନେ କେନ୍ଦ୍ରୀୟ ଅବହେଳାର ଶାନ୍ତିପୂର୍ଣ୍ଣ ପ୍ରତିବାଦ କରୁଥିବା ବେଳେ ସେମାନଙ୍କ ଉପରେ ଅତର୍କିତ ଆକ୍ରମଣ
ଆରମ୍ଭ କରି ଭାରତୀୟ ଜନତା ପାର୍ଟି କେଉଁ ଆଦର୍ଶ ପ୍ରଚାର କରୁଛନ୍ତି? ହଜାର ହଜାର ଜନସାଧାରଣଙ୍କର
ସ୍ୱତଃସ୍ଫୂର୍ତ୍ତ ଓ ଶାନ୍ତିପୂର୍ଣ୍ଣ ପ୍ରତିବାଦରେ କେନ୍ଦ୍ରର ଶାସକ ଦଳ ଏତେ ଅସହିଷ୍ଣୁ କାହିଁକି? ବିଜୁ ଜନତା ଦଳ କୌଣସି
କେନ୍ଦ୍ରୀୟ ମନ୍ତ୍ରୀଙ୍କୁ ଅସମ୍ମାନ କରିନାହିଁ । ବରଗଡ଼ ଠାରେ ଯାହା ଘଟିଲା, ଏହା ଭାରତୀୟ ଜନତା ପାର୍ଟିର ଆଭ୍ୟନ୍ତରୀଣ
କନ୍ଦଳର ପ୍ରତିଫଳନ ନୁହେଁ ତ? ଆମ ସରକାରଙ୍କର ସ୍ପଷ୍ଟ ନୀତି ହେଉଛି ‘ଆଇନ୍‌ ତା’ବାଟରେ ଯିବ, ସେଥିରେ
କେହି ବାଧା ନଦିଅନ୍ତୁ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ରାଜ୍ୟ ଉପ-ସଭାପତି ତଥା ମାନ୍ୟବର
ସାଂସଦ ଶ୍ରୀଯୁକ୍ତ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ମାନ୍ୟବର ସାଂସଦ (ବରଗଡ଼) ପ୍ରଭାସ
ସିଂହ ଏବଂ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ସୁବ୍ରତ ତରାଇ ଉପସ୍ଥିତ ଥିଲେ ।

Share in top social networks!