ମୋଦିଙ୍କ ଭାଷଣ ପ୍ରଧାନମନ୍ତ୍ରୀଙ୍କର ନୁହେଁ, ବିଜେପି ନେତାଙ୍କର: -ଡା. ଦାମୋଦର ରାଉତ

damababuପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତ ସମୟରେ ତାଙ୍କ ଭାଷଣରେ କହିଲେ ଯେ ‘ବିଜେପି ଯେଉଁଠି, ବିକାଶ ସେଇଠି। ଓଡ଼ିଶାରେ ବିଜେପି ନାହିଁ ବୋଲି ବିକାଶ ହୋଇନି।’ ପୁଣି କହିଲେ ବିଜେପି ଯେଉଁଠି ଅଛି ଗର୍ଭବତୀ ମହିଳାଙ୍କ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଯୋଜନା କରିଛନ୍ତି। ସେ ବୋଧେ ଜାଣି ନାହାନ୍ତି ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନ୍ତୁଡିଶାଳରୁ ଶ୍ମଶାନ ପର୍ଯ୍ୟନ୍ତ ସମାଜ କଲ୍ୟାଣ ଯୋଜନା ବିଛେଇ ଦେଇଛନ୍ତି। ଗତ ନିର୍ବାଚନରେ ଯେଉଁ ପ୍ରତିଶୃତି ନିର୍ବାଚନ ଇସ୍ତାହାରରେ ଦେଇଥଲେ ତାକୁ ସରକାରୀ କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କରି କାର୍ଯ୍ୟକାରୀ କରିଚାଲିଛନ୍ତି ଏବଂ ନବୀନ ପଟ୍ଟନାୟକଙ୍କ ୧୫ ବର୍ଷ ଶାସନରେ ୯ ବର୍ଷ ବିଜେପି ହିଁ ମୁଖ୍ୟ ଅଂଶୀଦାର ଥିଲେ। ତେବେ ଓଡ଼ିଶାରେ ବିକାଶ ହୋଇନାହିଁ ବୋଲି ନରେନ୍ଦ୍ର ମୋହି କହିଲେ କିପରି ? ତେବେ ତାଙ୍କର ଏ ସଂପର୍କିତ ସମସ୍ତ ଅଭିଭାଷଣ ବୋଧହୁଏ ପ୍ରଧାନମନ୍ତ୍ରୀଙ୍କର ନୁହେଁ ଏହାକୁ କ୍ଷମତା ଲିପସାରେ ବିଜେପି ନେତା ଭାବରେ କହିଥାଇ ପାରନ୍ତି। କାରଣ ସେ ନିଶ୍ଚୟ ଜାଣିଥିବେ ଯେ ଭାରତୀୟ ଗଣତନ୍ତ୍ର ଏକ ସଂଘୀୟ ବ୍ୟବସ୍ଥା। ସବୁ ରାଜ୍ୟରେ ସମବିକାଶ ହେଉଛି ପ୍ରଧାନମନ୍ତ୍ରୀଙ୍କ କର୍ତ୍ତବ୍ୟ। ଗୋଟିଏ ରାଜ୍ୟକୁ ଆସି ରାଜ୍ୟ ସରକାରଙ୍କୁ ସମ୍ବିଧାନର ନିର୍ଦ୍ଦେଶ ମତେ ସହାୟତା ଯୋଗାଇ ନ ଦେଇ କେନ୍ଦ୍ର ଅନୁଦାନ ଓ କେନ୍ଦ୍ର ଅଂଶଧନ ଅର୍ଥ ଯୋଗାଇଲା ବେଳେ ତାକୁ କେନ୍ଦ୍ର ସରକାରଙ୍କ ଅନୁକମ୍ପା ବୋଲି ବିଚାର କରୁଛନ୍ତି। ଦେଶର ପ୍ରଧାନମନ୍ତ୍ରୀ ଭାବେ ତାଙ୍କ ପ୍ରତି ସମସ୍ତ ସମ୍ମାନ ଥିଲେ ମଧ୍ୟ ଜଣେ ଦଳୀୟ ନେତା ଭାବରେ ଗୋଟିଏ ରାଜ୍ୟକୁ ଯାଇ ନିର୍ବାଚନ ନଥିଲେ ମଧ୍ୟ ଦଳୀୟ ପ୍ରଚାର କରିବା ଦୁଃଖଦାୟକ।

ଓଡ଼ିଶାବାସୀଙ୍କ ଅକୁଣ୍ଠ ଶ୍ରଦ୍ଧା ଓ ସମ୍ମାନ ପ୍ରଧାନମନ୍ତ୍ରୀଙ୍କ ପ୍ରତି ରହିଛି। ମାତ୍ର ବିଜେପି ପ୍ରତି ଲୋକମାନଙ୍କର ସମ୍ବେଦନଶୀଳତା ନାହିଁ। ଏଠି ଶ୍ରୀ ନବୀନ ପଟ୍ଟନାୟକ ନେତା ଭାବେ ଏବଂ ବିଜୁ ଜନତା ଦଳର ଘୋଷିତ କାର୍ଯ୍ୟକ୍ରମକୁ ବିପୁଳ ସମର୍ଥନ ମିଳି ଆସିଛି ଓ ଆଗାମୀ ନିର୍ବାଚନରେ ମଧ୍ୟ ମିଳିବ। ତେଣୁ ତାଙ୍କର ଗସ୍ତ ଯୋଗୁ ବିଜେପି ନେତା ମନେ ଯେଭଳି ଉଲ୍ଲସିତ ହେଉଛନ୍ତି ସେ ଉଲ୍ଲାସ ହତାଶାରେ ହିଁ ପରିଣତ ହେବ।

Share in top social networks!