ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉପରେ ମୁଦ୍ରା ପ୍ରଚଳନ ବିଳମ୍ବ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

dpjiii ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଚିତ୍ର ଥାଇ ଭାରତ ସରକାରଙ୍କ ତରଫରୁ ପ୍ରସ୍ତାବିତ ମୁଦ୍ରା ପ୍ରଚଳନ କାର୍ଯ୍ୟ ବିଳମ୍ବିତ ହେଉଥିବା ପରିପ୍ରେକ୍ଷୀରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦବେଗ ପ୍ରକାଶ କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏ ସଂକ୍ରାନ୍ତରେ ଚିଠି ଲେଖିଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ନବକଳେବର ଅବସରରେ ଭାରତ ସରକାରଙ୍କ ତରଫରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମରେ ମୁଦ୍ରା ପ୍ରଚଳନ ପାଇଁ ନିଷ୍ପତି ହୋଇଥିଲା । ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ତରଫରୁ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ଲେଖି ତୁରନ୍ତ ପରିବର୍ତିତ ଡିଜାଇନ ଓ ଫଟୋ ଚିତ୍ର ପଠାଇବା ପାଇଁ ଅନୁରୋଧ କରାଯାଇଥିଲା । ମନ୍ଦିର ପ୍ରଶାସନ ଏହି ପରିବର୍ତିତ ଡିଜାଇନ ଓ ଫଟୋ ଚିତ୍ର ପଠାଇବା ପାଇଁ ସମୟ ନେଇଥିଲା । ଇତି ମଧ୍ୟରେ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ୨୦୧୬ ମସିହା ୧୧ ଫେବୃଆରୀ, ୨୪ ଫେବୃଆରୀ ଓ ୭ ଏପ୍ରିଲରେ ମନ୍ଦିର ପ୍ରଶାସନକୁ ତିନି ଥର ଚିଠିଲେଖି ତୁରନ୍ତ ପରିବର୍ତିତ ଡିଜାଇନ ଓ ଫଟୋ ଚିତ୍ର ଦେବାକୁ ଅନୁରୋଧ କରାଯାଇ ସାରିଲାଣି ।

ଓଡିଆ ଲୋକ ମାନଙ୍କର ଭାବାବେଗ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସହିତ ଜଡିତ । ପ୍ରସ୍ତାବିତ ମୁଦ୍ରା ଖୁବ ଶୀଘ୍ର ପ୍ରଚଳିତ ହେବା ଉଚିତ ବୋଲି ଶ୍ରୀ ପ୍ରଧାନ ତାଙ୍କ ପତ୍ରରେ କହିବା ସହିତ ମୁଖ୍ୟମନ୍ତ୍ରୀ ଶ୍ରୀମନ୍ଦିର ପ୍ରଶାସନକୁ ତୁରନ୍ତ ଏହି ପରିବର୍ତିତ ଡିଜାଇନ ଓ ଫଟୋ ଚିତ୍ର ପଠାଇବାକୁ ପରାମର୍ଶ ଦେବାକୁ ତାଙ୍କ ପତ୍ରରେ ଅନୁରୋଧ କରିଛନ୍ତି ।

Share in top social networks!