ଆସାମର ସଫଳତା ବିଜେପିର ବଢୁଥିବା ଲୋକପ୍ରିୟତାର ପ୍ରମାଣ : ବସନ୍ତ ପଣ୍ଡା

ସଦ୍ୟ ସମାପ୍ତ ରାଜ୍ୟ ଗୁଡିକର ନିର୍ବାଚନରେ ଆସାମରେ ଭାରତୀୟ ଜନତା ପାର୍ଟୀର ଆଶାତୀତ ସଫଳତା, ପଶ୍ଚିମ ବଙ୍ଗ ଓ କେରଳରେ ବିଜେପିର ବିଧାନସଭାରେ ଉପସ୍ଥିତି ପରିପ୍ରେକ୍ଷୀରେ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଦଳର ରାଷ୍ଟ୍ରୀୟ ସଭାପତି ଅମିତ ଶାହଙ୍କୁ ସାଧୁବାଦ ଜଣାଇବା ସହ ଏହି ରାଜ୍ୟ ମାନଙ୍କର ଜନସାଧାରଣକୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ଚଳିତ ବିଧାନସଭା ନିର୍ବାଚନରେ ଆସାମ ଓ କେରଳରେ କଂଗ୍ରେସର ବିପର୍ଯ୍ୟୟ ତାଙ୍କ ଦଳର କଂଗ୍ରେସ ମୁକ୍ତ ଭାରତର ଅଭିଯାନକୁ ଆହୁରି ମଜବୁତ କରିଛି ବୋଲି ଶ୍ରୀ ପଣ୍ଡା କହିଛନ୍ତି ।
ଆସାମ ପୂର୍ବୋତର ଭାରତ ପାଇଁ ଦଳର ପ୍ରବେଶ ପଥ ହୋଇଛି । ୨୦୧୧ରେ ଆସାମ ବିଧାନସଭାରେ ଭାରତୀୟ ଜନତା ପାର୍ଟୀର ପାଂଚ ଜଣ ବିଧାୟକ ଥିଲେ । ମାତ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୂର୍ବୋତର ଭାରତରେ ବିକାଶ ମୂଳକ କାର୍ଯ୍ୟ ତଥା ଆସାମର ପାର୍ଟୀ କାର୍ଯ୍ୟକର୍ତା ମାନଙ୍କର କଠିନ ପରିଶ୍ରମ କାରଣରୁ ବିଜେପି ପ୍ରଥମ ଥର ପାଇଁ ଆସାମରେ ସରକାର ଗଠନ କରିବାକୁ ଯାଉଛି । ଏହା ରାଜ୍୍ୟ ଭାଜପା କାର୍ଯ୍ୟକର୍ତା ମାନଙ୍କୁ ଉତ୍ସାହ ପ୍ରଦାନ କରିବ ବୋଲି ଶ୍ରୀ ପଣ୍ଡା କହିଛନ୍ତି । ଅନ୍ୟ ରାଜ୍ୟ ମାନଙ୍କରେ ପାରମ୍ପାରିକ ଭାବେ ବିଜେପିର ଶକ୍ତି କମ ଥିଲେ ମଧ୍ୟ ବିଜେପି ଅଧିକ ଜନ ସମର୍ଥନ ହାସଲ କରିବାରେ ସଫଳ ହୋଇଛି ବୋଲି ଶ୍ରୀ ପଣ୍ଡା ତାଙ୍କର ପ୍ରତିକ୍ରିୟାରେ କହିଛନ୍ତି ।

Share in top social networks!