ଗଣତନ୍ତ୍ରର ଉର୍ଦ୍ଧରେ ଶାସକ ଦଳ ବା ମୁଖ୍ୟମନ୍ତ୍ରୀ ନୁହନ୍ତି: ବସନ୍ତ ପଣ୍ଡା

basantapandaଗଣତନ୍ତ୍ରର ମନ୍ଦିର ବିଧାନସଭା ସରକାରୀ ଦଳ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଆତ୍ମବଡିମା ଆଗରେ ଅପମାନିତ ହୋଇଛି । ଲୋକ ସମସ୍ୟା ନୁହେଁ ବରଂ ମୁଖ୍ୟମନ୍ତ୍ରୀଙ୍କ ତଥାକଥିତ ଅହଂକାର ସାମନାରେ ବିଧାନସଭା ବନ୍ଧା ପଡିଛି ବୋଲି ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା ଏକ ସାମ୍ବାଦିକ ସମ୍ମିଳନୀରେ ଉଦବୋଧନ ଦେଇ କହିଛନ୍ତି ।
ଚଳିତ ବିଧାନସଭାର ବଜେଟ ଅଧିବେଶନ ସମୟ ପୂର୍ବରୁ ବନ୍ଦ ହେବା, ବିଧାନସଭାରେ ଜନ ସମସ୍ୟା ଆଲୋଚନା ନ ହୋଇ ପାରିବା, ବିରୋଧୀ ଦଳର ବାରମ୍ବାର ଦାବି ସତ୍ୱେ ମୁଖ୍ୟମନ୍ତ୍ରୀ ଗୃହରେ ବକ୍ତବ୍ୟ ରଖିବା ପାଇଁ ଦୃଢ ଭାବେ ପ୍ରତ୍ୟାଖ୍ୟାନ କରିବା ଘଟଣାକୁ ନେଇ ଶ୍ରୀ ପଣ୍ଡା ଶାସକ ଦଳକୁ କଟୁ ସମାଲୋଚନା କରିବା ସହ ଗଭୀର କ୍ଷୋଭ ପ୍ରକାଶ କରିଛନ୍ତି ।
ସଂସଦୀୟ ଗଣତନ୍ତ୍ରରୁ ଉର୍ଦ୍ଧରେ ମୁଖ୍ୟମନ୍ତ୍ରୀ ନୁହନ୍ତି । ମାତ୍ର ବର୍ତମାନ ବିଜେଡିର ସଂଖ୍ୟାବଳ ଅଧିକ ଥିବା କାରଣରୁ ମୁଖ୍ୟମନ୍ତ୍ରୀ ନିଜକୁ ସଂସଦୀୟ ଗଣତନ୍ତ୍ରରୁ ଉର୍ଧରେ ଭଲି ମନେ କରିବା ସହ ଅନୁରୂପ ଭାବେ ବ୍ୟବହାର କରୁଛନ୍ତି । ବିଧାନସଭାକୁ ତାର ନିର୍ଧାରିତ ଅବଧି ପୂର୍ବରୁ ବନ୍ଦ କରିବା ଓ ଏହା ପରେ ଏଥି ପାଇଁ ବିରୋଧୀ ଦଳକୁ ଦୋଷ ରୋପ କରିବା କାରଣରୁ ତାଙ୍କର କ୍ଷମତାର ନିଶା ଓ ଏକଛତ୍ରବାଦୀ ମାନସିକତାକୁ ସ୍ପଷ୍ଟ କରୁଛି ।
ସଂସଦୀୟ ଗଣତନ୍ତ୍ରର ବ୍ୟବସ୍ଥା ଅନୁସାରେ ବିରୋଧୀ ଦଳ ମାନେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିପାରିବେ ଓ ମୁଖ୍ୟମନ୍ତ୍ରୀ ତାର ଉତର ଦେବେ । ଏହା ହେଇଛି ସୁସ୍ଥ ଗଣତାନ୍ତ୍ରିକ ପରମ୍ପରା । ମାତ୍ର ବିଜେଡି ନିକଟରେ ୧୧୭ ଜଣ ବିଧାୟକ ଥିବା କାରଣରୁ କ୍ଷମତାର ନିଶାରେ ମୁଖ୍ୟମନ୍ତୀ ଭାବୁଛନ୍ତି ଯେ ସେ ପ୍ରଶ୍ନର ଉର୍ଧରେ । ତାଙ୍କୁ କେହି ପ୍ରଶ୍ନ କରି ପାରିବେ ନାହିଁ । କ୍ଷମତାଶିନ ବିଜେଡି ଦଳ ଓ ମୁଖ୍ୟମନ୍ତ୍ରୀଙ୍କର ଏହି ଏକଛତ୍ରବାଦୀ ମାନସିକତା କାରଣରୁ ଗୃହର ସ୍ଥିତି ସାମାନ୍ୟ ହୋଇ ପାରି ନାହିଁ ।
ସଂସଦୀୟ ଗଣତନ୍ତ୍ରରେ ବିରୋଧୀ ଦଳ ମାନଙ୍କର ପ୍ରମୁଖ ଭୂମିକା ରହିଛି । ବିରୋଧୀ ଦଳ ମାନଙ୍କର ସଦସ୍ୟ ମାନଙ୍କ ସଂଖ୍ୟା ଯେତେ କମ ହେଲେ ମଧ୍ୟ ସେମାନଙ୍କର ମତକୁ ଶୁଣାଯିବା ହିଁ ଗଣତନ୍ତ୍ରର ବିଶେଷତ୍ୱ । ମାତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ଦଳର ଗଣତନ୍ତ୍ରରେ ସାମାନ୍ୟତମ ବିଶ୍ୱାସ ନ ଥିବା ବିଧାନସଭାରେ ଘଟିଥିବା ଘଟଣାବଳୀରୁ ସ୍ପଷ୍ଟ ହୋଇଛି ।

ବିଧାନସଭାରେ ଗୁରୁତ୍ୱପୂର୍ଣ ପ୍ରସଙ୍ଗ ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ନ ରହିବା, ଗୋଟିଏ – ଦୁଇ ମିନିଟ ଧରି ଉପସ୍ଥିତ ରହି ଗୃହରୁ ଚାଲିଯିବା, ମୁଖ୍ୟମନ୍ତ୍ରୀଙ୍କୁ କୌଣସି ପ୍ରଶ୍ନ ପଚାରା ଗଲା ପରେ ବିଜେଡି ଦଳର ବିଧାୟକ ମାନେ ଗୃହରେ ହଟ୍ଟଗୋଳ କରି ରାଜଭବନକୁ ଯିବା ଘଟଣା ଆଦି ଘଟଣା ମାନ ସ୍ପଷ୍ଟ କରୁଛି ଯେ ମୁଖ୍ୟମନ୍ତ୍ରୀଙ୍କର
ଗଣତନ୍ତ୍ରରେ କେତେ ବିଶ୍ୱାସ ରହିଛି ଖାଲି ସେତିକି ନୁହେଁ ମୁଖ୍ୟମନ୍ତ୍ରୀ ଏବେ ଭୟଭିତ ହେବା ଆରମ୍ଭ କଲେଣି । ବିରୋଧୀ ଦଳ ମାନଙ୍କ ଦ୍ୱାରା ଉଠା ଯାଉଥିବା ମୂଳ ପ୍ରସଙ୍ଗ ଗୁଡିକରୁ ଧ୍ୟାନ ହଟାଇବା ପାଇଁ ବିଜେଡି ଏହି ନାଟକ କରୁଛି । ମା, ମାଟି ଓ ମଣିଷର ସ୍ଲୋଗାନ ଶାସନରେ ୧୬ ବର୍ଷର ସମାପ୍ତି ପରେ ପ୍ରତିଶ୍ରୁତି ବା ଭାଷଣ ନୁହେଁ କାମରେ କରି ଦେଖାଇବାରେ ମୁଖ୍ୟମନ୍ତ୍ରୀ ବିଫଳ ହୋଇଛନ୍ତି , ଏହା ରାଜ୍ୟ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରିପରିଷଦର ସଦସ୍ୟ ମାନଙ୍କର ବିଧାନସଭାରେ ଆଗତ ଉତର ଓ ସରକାରଙ୍କର ଦ୍ୱାରା ପ୍ରସ୍ତୁତ ବିଭାଗୀୟ ରିପୋର୍ଟ ସ୍ପଷ୍ଟ କରୁଛି ।
ଯୁବକକୁ କାମ ନାହିଁ, ମା ଭଉଣୀଙ୍କ ଇଜ୍ଜତ ଭୃଲୁଣ୍ଠିତ, କ୍ଷେତକୁ ପାଣି ନ ଥିବାରୁ ଚାଷୀ ହତାଶ, ଆର୍ଥିକ ଦୁର୍ଦଶା ଭିତରେ ଜୀବନ କାଟୁଛି, ଗରୀବକୁ ରୋଜଗାର ଦେବା ପାଇଁ ଠୋସ ଯୋଜନା କିଛି ନାହିଁ । ଡାକ୍ତରଖାନାରେ ଡାକ୍ତର ନାହାନ୍ତି, ସ୍କୁଲରେ ଶିକ୍ଷକ ନାହାନ୍ତି , ଥାନାରେ ପୋଲିସ ନାହାନ୍ତି । ପାଣି ପାଇଁ ହାହାକାର ଲାଗିଛି, ମାତ୍ର ଶାସକ ଦଳ ଚିଟ ଫଣ୍ଡ ଦୁର୍ନୀତିଖୋରଙ୍କୁ ଘଂଟ ଘୋଡାଇ ଗଣତନ୍ତ୍ରର କଂଠରୋଧ କରୁଛି । ଗଣତନ୍ତ୍ରର ମାଲିକ ସାଧାରଣ ଗରୀବ ଖଟିଖିଆ ବଂଚିତ ଓଡିଆ । ସେମାନେ ବି ସବୁ ଦେଖୁଛନ୍ତି । ବିଧାନସଭାରେ ସଂଖ୍ୟା ବଳର ଅହଂକାର ସାଢେ ଚାରି କୋଟି ଓଡିଆଙ୍କର ଗରମ ନିଶ୍ୱାସରେ ଧ୍ୱଂସ ହୋଇ ପାରେ, ଏହା ଗଣତନ୍ତ୍ରର ଚିରନ୍ତନ ସତ୍ୟ । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଉପସଭାପତି ଶ୍ରୀ ସମୀର ମହାନ୍ତି, ମୁଖାପାତ୍ର ଗୋଲକ ପ୍ରସାଦ ମହାପାତ୍ର ଏବଂ ସୁଦୀପ୍ତ ରାୟ ପ୍ରମୁଖ ଉପସ୍ଥିତ ଥିଲେ ।

Share in top social networks!