କେନ୍ଦ୍ରୀୟ ଅବହେଳା ସ୍ଲୋଗାନ ଅପ୍ରାସଙ୍ଗିକ: ବିଜେପି

ଓଡିଶାରେ କେନ୍ଦ୍ରୀୟ ଅବହେଳା ସ୍ଲୋଗାନ ଅପ୍ରାସଙ୍ଗିକ ହୋଇ ଯାଇଛି ବୋଲି ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି ବିଜେଡିର ମରୁଡି ଅବହେଳା ପ୍ରସଙ୍ଗରେ ରାଜଭବନ ସାମନାରେ ଧାରଣା ମାମଲାରେ ନିଜର ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି । ଶ୍ରୀ ମହାନ୍ତି କହିଛନ୍ତି ଯେ କେନ୍ଦ୍ରୀୟ ଅବହେଳା ସ୍ଲୋଗାନ ଅପ୍ରାସଙ୍ଗିକ ହେଲେ ବିଜୁ ଜନତା ଦଳ ଓଡିଶାରେ ମଧ୍ୟ ନିଜର ପ୍ରାସଙ୍ଗିକତା ହରାଇ ବସିବ । ତେଣୁ ନରେନ୍ଦ୍ର ମୋଦି ସରକାରଙ୍କର ଓଡିଶାକୁ ଉପଯୁକ୍ତ ନ୍ୟାୟ ଓ ସମ୍ମାନ ଦେଉଥିଲେ ମଧ୍ୟ ବିଜେଡି କେନ୍ଦ୍ରୀୟ ଅବହେଳା ସ୍ଲୋଗାନକୁ ବଂଚାଇ ରଖିବା ପାଇଁ ପ୍ରାଣପଣେ ଉଦ୍ୟମ କରୁଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ମରୁଡି ପ୍ରସଙ୍ଗରେ ଓଡିଶାକୁ ଅବହେଳା କରାଯାଇଥିବା ବିଜେଡିର ଅଭିଯୋଗର ଉତର ଦେଇ ଶ୍ରୀ ମହାନ୍ତି କହିଛନ୍ତି ୨୦୦୨-୦୩ ଆର୍ଥିକ ବର୍ଷରେ ଓଡିଶା ସରକାରଙ୍କ ମରୁଡି ବାବଦରେ ଏନଡିଆରଆଫରୁ ୮୭୧.୪୦ କୋଟି ଟଙ୍କା ସହାୟତା ପାଇଁ ଦାବି କରିଥିବା ବେଳେ ରାଜ୍ୟକୁ ୧୮୧.୭୬ କୋଟି ଟଙ୍କାର ସହାୟତା ମିଳିଥିଲା । ସେହିପରି ୨୦୦୯-୧୦ ଆର୍ଥିକ ବର୍ଷରେ ରାଜ୍ୟ ସରକାର ମରୁଡି ପାଇଁ ଏନଡିଆରଏଫରୁ ୨୨୬୬.୬୫ କୋଟି ଟଙ୍କା ସହାୟତା ମାଗିଥିବା ବେଳେ ମିଳିଥିଲା ୧୫୧.୯୨ କୋଟି ଟଙ୍କାର ସହାୟତା ମିଳିଥିଲା । ୨୦୧୦-୧୧ ଆର୍ଥିକ ବର୍ଷରେ ରାଜ୍ୟ ସରକାର ମରୁଡି ସହାୟତା ବାବଦରେ ଏନଡିଆରଏଫରୁ ୧୫୭୬.୮୦ କୋଟି ଟଙ୍କା ସହାୟତା ମାଗିଥିବା ବେଳେ ୩୭୬.୫୫ କୋଟି ଟଙ୍କା ସହାୟତା ମଂଜୁର ହୋଇଥିଲା । ମାତ୍ର କେନ୍ଦ୍ରରେ ନରେନ୍ଦ୍ର ମୋଦିଙ୍କ ସରକାର ଆସିବା ପରେ ୨୦୧୫-୧୬ରେ ରାଜ୍ୟ ସରକାର ମରୁଡି ବାବଦରେ ଏନଡିଆରଏଫରୁ ୨୨୧୭.୦୮ କୋଟି ଟଙ୍କା ଦାବି କରିଥିବା ବେଳେ ୮୧୫.୦୦ କୋଟି ଟଙ୍କା ମଂଜୁର କରାଯାଇଛି । ଇତିହାସରେ ଦାବି ତୁଳନାରେ ସର୍ବାଧିକ ସହାୟତା ରାଶି ମୋଦି ସରକାର ହିଁ ଓଡିଶାକୁ ଦେଇଛନ୍ତି ।
୨୦୧୩ ମସିହାରେ ହୋଇଥିବା ଫାଇଲିନ ସହାୟତାର ବକେୟା ରାଶି ୨୦୧୬ ମସିହାରେ ମୋଦି ସରକାର ଆସିବା ପର ପ୍ରଦାନ କରିଥିଲେ । ପ୍ରାକୃତିକ ଦୁର୍ବିପାକର ମୁକାବିଲା ପାଇଁ ଏସଡିଆରଏଫ ଫଣ୍ଡକୁ କେନ୍ଦ୍ର ସରକାର ୭୫ ଭାଗ ରାଶି ଯୋଗାଇ ଦେଉଛନ୍ତି । ତକ୍ରାଳୀନ ମୁକାବିଲା ପାଇଁ ଏହି ପାଣ୍ଠି ବ୍ୟବହାର ହେବ ଉଚିତ । ଓଡିଶା ସରକାର ସ୍ଥାଣୁତା ଓ ଅପାରଗତା କାରଣରୁ ଏହି ରାଶି ଖର୍ଚ କରି ପାରୁ ନ ଥିବା କାରଣରୁ ଏନଡିଆରଏଫର ଫଣ୍ଡ ଆସିବାରେ ବିଳମ୍ବ ହେଉଛି ବୋଲି ଶ୍ରୀ ମହାନ୍ତି ପ୍ରକାଶ କରିଛନ୍ତି ।
ଜଗମୋହନ ମରାମତି ପ୍ରସଙ୍ଗରେ ଶ୍ରୀ ମହାନ୍ତି କହିଛନ୍ତି ଯେ ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ସାଢେ ଚାରିକୋଟି ଓଡିଆ ଓ ଶହ ଶହ କୋଟି ଦେଶ ବିଦେଶର ତାଙ୍କର ଭକ୍ତଙ୍କର ଆଶା ଓ ଭରସାର କେନ୍ଦ୍ର । ଜଗମୋହନ ଓ ମହାପ୍ରଭୁଙ୍କ ଶ୍ରୀମନ୍ଦିର ସୁରକ୍ଷା ପାଇଁ ଇଚ୍ଛା ଶକ୍ତି ବା ଅର୍ଥର ଅଭାବ କେନ୍ଦ୍ର ସରକାରଙ୍କ ପାଖରେ ନାହିଁ । ତୁରନ୍ତ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦ୍ୟମରେ ନୂଆ ଦିଲ୍ଲୀରେ ଉଚ୍ଚ ସ୍ତରୀୟ ବୈଠକ ସଂସ୍କୃତି ମନ୍ତ୍ରୀ ଓ ଏଏସଆଇ ଡିଜିଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଛି । କୋର କମିଟିର ପ୍ରସ୍ତାବକୁ ଏଏସଆଇ ଅଗ୍ରାହ୍ୟ କରିଥିବା ତଥ୍ୟ ସମ୍ପୂର୍ଣ ମିଥ୍ୟା । କୋର କମିଟି ସହ ଚେନ୍ନାଇ ଆଇଆଇଟିର ରିପୋର୍ଟର ଆଧାରରେ କେନ୍ଦ୍ରୀୟ ଟୀମ ଆସି ଉପଯୁକ୍ତ ପଦକ୍ଷେପ ନେବେ ବୋଲି କେନ୍ଦ୍ର ସରକାରଙ୍କ ତରଫରୁ ସ୍ପଷ୍ଟ କରାଯାଇଛି ବୋଲି ଏକ ମିଳିତ ପ୍ରେସ ବିବୃତି ଶ୍ରୀ ମହାନ୍ତି ଓ ଗୋଲକ ମହାପାତ୍ର ପ୍ରକାଶ କରିଛନ୍ତି । (ବିଜେପି ମିଡିଆ ସେଲ)

Share in top social networks!