ରାମ ବିଳାସ ପାସବାନଙ୍କୁ ସାକ୍ଷାତ କଲେ ଧର୍ମେନ୍ଦ୍ର ପ୍ରଧାନ; ଜୁନ ମାସରୁ ଖାଦ୍ୟ ସୁରକ୍ଷା ଯୋଜନାରେ ରାଜ୍ୟକୁ ୮୫ : ୧୫ ହାରରେ ଚାଉଳ ଗହମ କେନ୍ଦ୍ର ଯୋଗାଇବ

paswanଖାଦ୍ୟ ସୁରକ୍ଷା ଆଇନ ଅନ୍ତର୍ଗତ ଓଡିଶାକୁ ଚାଉଳ ଓ ଗହମ ହାର ନେଇ ରାଜ୍ୟରେ ସୃଷ୍ଟି ହୋଇଥିବା ସମସ୍ୟା ପରିପ୍ରେକ୍ଷୀରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୁଧବାର ଦିନ କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଂଟନ ବିଭାଗ ମନ୍ତ୍ରୀ ଶ୍ରୀ ରାମବିଳାସ ପାସବାନଙ୍କୁ ତାଙ୍କ କାର୍ଯ୍ୟାଳୟ କୃଷି ଭବନରେ ସାକ୍ଷାତ ଆଲୋଚନା କରିଛନ୍ତି ।

ଏହି ସାକ୍ଷାତ ପରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଂଟନ ବିଭାଗ ମନ୍ତ୍ରୀ ଶ୍ରୀ ରାମବିଳାସ ପାସବାନଙ୍କ ଉପସ୍ଥିତିରେ
ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ ଯେ ମନ୍ତ୍ରୀ ଶ୍ରୀ ପାସବାନ ଜୁନ ମାସରୁ ରାଜ୍ୟକୁ ୮୫ : ୧୫ ହାରରେ ଚାଉଳ ଓ ଗହମ ଯୋଗାଇ
ଦେବା ପାଇଁ ନିଷ୍ପତି ନେଇଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ପୂର୍ବରୁ ଟାର୍ଗେଟେଡ ପବ୍ଲିକ ଡିଷ୍ଟ୍ରିବ୍ୟୁସନ ସିଷ୍ଟମରେ ଯେଉଁ ହାରରେ ଚାଉଳ ଓ ଗହମ ଓଡିଶାକୁ ଯୋଗାଇ
ଦିଆଯାଉଥିଲା, ନୂଆ ଖାଦ୍ୟ ସୁରକ୍ଷା ଆଇନ ହେବା ପରେ ସେହି ହାରରେ ଚାଉଳ ଓ ଗହମ ଯୋଗାଇ ଦିଆଯାଉଛି । ଏହି ହାରରେ କମ
ବା ବେଶୀ କରାଯାଇ ନାହିଁ । ଖାଦ୍ୟ ଓ ସାଧାରଣ ବଂଟନ ବିଭାଗ ମନ୍ତ୍ରୀଙ୍କ ସହ ଓଡିଶାକୁ ଚାଉଳ ଓ ଗହମ ଯୋଗାଣ ସମ୍ପର୍କରେ ସମୀକ୍ଷା
କରିବା ସମୟରେ ଏହି ତଥ୍ୟ ବିଭାଗ ତରଫରୁ ସ୍ପଷ୍ଟ କରାଯାଇଥିବା ଶ୍ରୀ ପ୍ରଧାନ କହିଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ପୂର୍ବରୁ ବିପିଏଲ ପରିବାର ମାନଙ୍କ ପାଇଁ ଚାଉଳର କିଲୋ ପିଛା ମୂଲ୍ୟ ରାଜ୍ୟକୁ ୫.୬୫ ଟଙ୍କାରେ
ଯୋଗାଯାଉଥିବା ବେଳେ ଏବେ ୩ ଟଙ୍କା ମୂଲ୍ୟରେ ଯୋଗାଇ ଦେଉଛନ୍ତି । ସେହିପରି ଗହମର ମୂଲ୍ୟ ପୂର୍ବରୁ ୪.୧୫ ଟଙ୍କା ଥିବା
ବେଳେ ନୂଆ ବ୍ୟବସ୍ଥାରେ ୨ ଟଙ୍କା ମୂଲ୍ୟରେ ରାଜ୍ୟକୁ କେନ୍ଦ୍ର ଯୋଗାଇଦେଉଛି ।

ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ସମ୍ପର୍କରେ ପତ୍ରର ଉତର ମନ୍ତ୍ରୀ ଶ୍ରୀ ପାସବାନ ଫେବୃଆରୀ ମାସରେ ଲେଖି ସରକାରୀ ବ୍ୟବସ୍ଥା
ସମ୍ପର୍କରେ ଅବଗତ କରାଇଥିଲେ । ଏହା ପରେ ବି ରାଜ୍ୟରେ ଚାଉଳ, ଗହମ ଅନୁପାତ ନେଇ ସୃଷ୍ଟି ହୋଇଥିବା ପ୍ରସଙ୍ଗ ପରିପ୍ରେକ୍ଷୀରେ
ସେ ପାସବାନଙ୍କୁ ସାକ୍ଷାତ କଲେ ଓ ଆସନ୍ତା ଜୁନ ମାସରୁ ୮୫: ୧୫ ହାରରେ ଚାଉଳ ଓ ଗହମ ଯୋଗାଇ ଦେବା ପାଇଁ ତାଙ୍କ ଅନୁରୋଧ
ରକ୍ଷା କରି ନିଷ୍ପତି ନେଲେ ।

ସାମ୍ବାଦିକ ମାନଙ୍କ ପ୍ରଶ୍ନର ଉତର ଦେଇ ବିଜେଡି ଅପ୍ରସଙ୍ଗକୁ ପ୍ରସଙ୍ଗ କରୁଛି ବୋଲି ଶ୍ରୀ ପ୍ରଧାନ ଅଭିଯୋଗ କରିଛନ୍ତି । ଚାଉଳ ଗହମ ହାର
ପୂର୍ବ ବ୍ୟବସ୍ଥା ଓ ନୂଆ ବ୍ୟବସ୍ଥାରେ ସମାନ ଥିଲେ ମଧ୍ୟ ଏବଂ ନୂଆ ବ୍ୟବସ୍ଥାରେ ଯଥେଷ୍ଟ କମ ମୂଲ୍ୟରେ ଚାଉଳ ଗହମ ଯୋଗାଇ
ଦିଆଯାଉଥିବା ବେଳେ ବିଜେଡି ମିଛ ଅଭିଯୋଗ ଆଣୁଛି ବୋଲି ସେ କହିଛନ୍ତି । ରାଜ୍ୟରେ ଉକ୍ରଟ ପାଣି ସମସ୍ୟା, ଚିଟ ଫଣ୍ଡ ଦୁର୍ନୀତିରେ
ଛନ୍ଦି ହେବା ଓ ଏମଏମ ଦାସ କମିଶନ ବିବାଦରୁ ଧ୍ୟାନ ହଟାଇବା ପାଇଁ ବିଜେଡି ଏପରି ଅପ୍ରସଙ୍ଗକୁ ପ୍ରସଙ୍ଗ କରିବାକୁ ଚେଷ୍ଟା କରୁଛି
ବୋଲି ସେ କହିଛନ୍ତି ।

Share in top social networks!