ତମାଖୁ ଉତ୍ପାଦ ଉପରେ ଚିତ୍ର ଉପସ୍ଥାପକ ସଚେତନତା ବିରୋଧରେ ରାଜରାସ୍ତାକୁ ଓହ୍ଲାଇଲା ଭୁବନେଶ୍ୱର ଖିଲିପାନ ଦୋକାନ ମହାସଂଘ

ତମାଖୁ ଉତ୍ପାଦ ଉପରେ ୮୫ ପ୍ରତିଶତ ଚିତ୍ର ଉପସ୍ଥାପକ ସଚେତନତା ବିରୋଧରେ ଦେଶବ୍ୟାପି ତମାଖୁ ବିକ୍ରୟକାରୀ କ୍ଷୁଦ୍ର ଖୁଚୁରା ବିକ୍ରୟକାରୀ ଏବଂ ବ୍ୟବସାୟୀଙ୍କ ଦ୍ୱାରା ଜାରି ରହିଥିବା ପ୍ରତିବାଦକୁ ସମର୍ଥନ କରି ଭୁବନେଶ୍ୱର ଖିଲିପାନ ଦୋକାନ ମହାସଂଘ ପକ୍ଷରୁ ଏକ ର୍ୟାଲି ଆୟୋଜିତ ହୋଇଥିବାବେଳେ ସଂଘ ପକ୍ଷରୁ ଏହାର ସପକ୍ଷରେ ଯୁକ୍ତି ବାଢ଼ୁଥିବା ସାମାଜିକ କର୍ମୀଙ୍କ ବିରୋଧରେ ନିରପେକ୍ଷ ତଦନ୍ତ ପାଇଁ ଦାବି କରାଯାଇଛି । ଓଡ଼ିଶାରେ ତମାଖୁ ଉତ୍ପାଦ ବ୍ୟବସାୟ ସହିତ ଜଡିତ ଥିବା ୨ଲକ୍ଷରୁ ଅଧିକ ବ୍ୟବସାୟୀ, ଖୁଚୁରା ବିକ୍ରୟକାରୀ ଏବଂ ପାନବାଲା ପ୍ରମୁଖ କେନ୍ଦ୍ର ସରକାରଙ୍କର ଏହି ଅଦୂରଦର୍ଶୀ ନିୟାମକ ଦ୍ୱାରା ବେରୋଜଗାର ହେବା ସହିତ ରାଜ୍ୟର ବିପୁଳ ପରିମାଣର ରାଜସ୍ୱ ମଧ୍ୟ ହାନି ହେବାର ଆଶଙ୍କା ରହିଛି ବୋଲି ମହାସଂଘ ପକ୍ଷରୁ ମତପୋଷଣ କରାଯାଇଛି । ତମାଖୁ ଉତ୍ପାଦ ବ୍ୟବହାର ଯୋଗୁ ଉତ୍ପନ୍ନ ହେଉଥିବା ସ୍ୱାସ୍ଥ୍ୟଗତ ସମସ୍ୟାର ନିରାକରଣ କ୍ଷେତ୍ରରେ ବିଶ୍ୱର ପ୍ରମୁଖ ତମାଖୁ ଉତ୍ପାଦ ସେବନକାରୀ ରାଷ୍ଟ୍ର ୟୁଏସ୍ଏ, ଜାପାନ ଏବଂ ଚୀନ୍ରେ ତମାଖୁ ଉ୍ତ୍ପାଦ ଉପର କୌଣସି ଚିତ୍ର ଉପସ୍ଥାପକ ସଚେତନତା ନଥିବାବେଳେ ଭାରତରେ ୮୫% ସଚେତନତା ହେବା ଯୁକ୍ତି ଯୁକ୍ତ କି ବୋଲି ସଂଘ ପକ୍ଷରୁ ପ୍ରଶ୍ନ କରାଯାଇଛି । ଏହା କେବଳ ଗରୀବଙ୍କ ପେଟରେ ଲାତ ମାରିବା ସଦୃଶ ପ୍ରତିୟମାନ ହେବ ବୋଲି ମହାସଂଘ ପକ୍ଷରୁ କୁହାଯାଇଛି । ଏହା ଦ୍ୱାରା ତମାଖୁ ଉତ୍ପାଦର ତସ୍କରୀ ବୃଦ୍ଧି ପାଇବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ମହାସଂଘ ପକ୍ଷରୁ ଉଦ୍ବେଗ ପ୍ରକାଶ ପାଇଛି ।

ବିଶ୍ୱର ପ୍ରମୁଖ ତମାଖୁ ବ୍ୟବହାରକାରୀ ରାଷ୍ଟ୍ର ୟୁଏସ୍ଏ, ଜାପାନ ଏବଂ ଚୀନ୍ରେ ବାର୍ଷିକ ଯଥାକ୍ରମେ ୨୮୨, ୨୫୧୨ ଏବଂ ୧୯୩ ବିଲିୟନ୍ ସିଗାରେଟ୍ ବ୍ୟବହୃତ ହୋଇଥିବାବେଳେ ଏସବୁ ରାଷ୍ଟ୍ରର ମୁଣ୍ଡପିଛା ସିଗାରେଟ୍ ବ୍ୟବହାର ସଂଖ୍ୟା ଯଥାକ୍ରମେ ୧୦୨୮, ୧୭୧୧ ଏବଂ ୧୮୪୧ ରହିଛି । ୟୁଏସ୍ଏରେ ତମାଖୁ ଉତ୍ପାଦର ପାଶ୍ୱର୍ରେ ସଚେତନତା ବାକ୍ୟ ରହିଥିବାବେଳେ ଚୀନ୍ ଓ ଜାପାନରେ ଉଭୟ ପାଶ୍ୱର୍ରେ ୩୦% ଅଂଶରେ ଏହା ଉଲ୍ଲେଖ ରହିଛି । ସେହିପରି ପ୍ରମୁଖ ତମାଖୁ ଉତ୍ପାଦନକାରୀ ରାଷ୍ଟ୍ର ମଧ୍ୟରେ ୟୁଏସ୍ଏରେ ଉତ୍ପାଦ ଉପରେ କୌଣସି ଚିତ୍ର ଉପସ୍ଥାପକ ସଚେତନତା ନଥିବାବେଳେ ପଛ ଏବଂ ସମ୍ମୁଖରେ କୌଣସି ସଚେତନତା ପ୍ରଦର୍ଶିତ ହୋଇନଥିବାବେଳେ କେବଳ ପାଶ୍ୱର୍ରେ ଏହା ରହିଛି । ଚୀନ୍ରେ କୌଣସି ଚିତ୍ର ଉପସ୍ଥାପକ ନଥିବାବେଳେ ଉଭୟ ପାଶ୍ୱର୍ରେ ୩୦% ସଚେତନତା ବାକ୍ୟ ରହିଛି । ମାଲୱିରେ କୌଣସି ସଚେତନତା ପ୍ରଦର୍ଶିତ ହୋଇନଥିବାବେଳେ ଜିମ୍ବାୱେରେ କୌଣସି ଚିତ୍ର ଉପସ୍ଥାପକ ନାହିଁ ଏବଂ କେବଳ ଉଭୟପାଶ୍ୱର୍ର ୨୦% ଅଂଶରେ ସଚତେନତା ପ୍ରଦର୍ଶିତ ହୋଇଥାଏ । ସେହିପରି ବ୍ରାଜିଲ୍ରେ ଉଭୟ ଚିତ୍ର ଉପସ୍ଥାପକ ଏବଂ ସଚେତନତା ବାକ୍ୟ ୫୦% ଅଂଶରେ ପ୍ରଦର୍ଶିତ ହୋଇଥିବାବେଳେ ଏହାର ସମ୍ମୁଖ ଭାଗରେ ସଚେତନତା ପ୍ରଦର୍ଶିତ ହୋଇନଥାଏ ଏବଂ କେବଳ ପଛ ଅଂଶରେ ୧୦୦% ଏହା ରହିଥାଏ ।

କେନ୍ଦ୍ର ସରକାରଙ୍କ ନୀତିକୁ ବିରୋଧ କରି ଭୁବନେଶ୍ୱର ଖିଲିପାନ ଦୋକାନ ମହାସଂଘର ସଭାପତି ଶ୍ରୀ ବି.ଶ୍ରୀନିବାସୁ କହିଲେ, “ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ଭୟଙ୍କର ଚିତ୍ର ଉପସ୍ଥାପକ ଯୋଜନା ବ୍ୟବହାରକାରୀଙ୍କୁ ମାନସିକ ତଥା ଶାରିରୀକ ଭାବରେ ଦୁର୍ବଳ କରିବା ସହିତ ସେମାନଙ୍କ ଉପରେ ପ୍ରତିକୂଳ ପ୍ରଭାବ ଅନୁଭୁତ କରାଇବ ଫଳରେସେମାନଙ୍କର ମାନସିକ ଶାନ୍ତି ବ୍ୟାଘାତ ହେବ । ଏହି ନିୟାମକ ଦ୍ୱାରା ରାଜ୍ୟର ଅସଂଖ୍ୟ ଗରୀବ ଖୁଚରା ବିକ୍ରୟକାରୀ ରୋଜଗାର ହରାଇ ବସିବେ ଏବଂ ରାଜ୍ୟରେ ଅପରାଧ ମାତ୍ରା ବୃଦ୍ଧି ପାଇବାର ଆଶଙ୍କା ରହିବ । ତମାଖୁ ଉତ୍ପାଦନକାରୀ ତତା ବ୍ୟବହାରକାରୀ ପ୍ରମୁଖ ରାଷ୍ଟ୍ରରେ ଏଭଳି ନିୟାମକ ନଥିବାବେଳେ ଭାରତ ସରକାର ଏପରି ନିଷ୍ପତିରୁ ଓହରି ଯିବା ଉଚିତ୍ ହେବ ।”

କେନ୍ଦ୍ର ସରକାରଙ୍କ ନିଷ୍ପତିକୁ ବିରୋଧ କରି ଭୁବନେଶ୍ୱର ଖିଊିପାନ ଦୋକାନ ମହାସଂଘର ସମ୍ପାଦକ ଶ୍ରୀ ବିଦ୍ୟାଧର ମିଶ୍ର କହିଲେ, “ଆମ୍ଭେ କେନ୍ଦ୍ର ସରକାରଙ୍କ ନିକଟରେ ଏଭଳି ଅଗଣତାନ୍ତ୍ରିକ ନିଷ୍ପତିରୁ ଓହରି ଯିବା ପାଇଁ ଅନୁରୋଧ କରୁଛୁ । ସରକାର ଅଣ-ସରକାରୀ ସଦସ୍ୟ ତଥା ଏକ୍ସପର୍ଟ କମିଟି ରିପୋର୍ଟକୁ ନିରପେକ୍ଷ ଭାବରେ ଗ୍ରହଣ ନକରି ଏପରି ନୀତି ପ୍ରଣୟନ ଉପରେ ଗୁରୁତ୍ୱାରୋପ କରୁଥିବା ଅତ୍ୟନ୍ତ କ୍ଷୋଭର ବିଷୟ । ଏପରିସ୍ଥଳେ ତମାଖୁ ଉତ୍ପାଦ ବିରୋଧରେ କାର୍ଯ୍ୟ ଜାରି ରଖିଥିବା ସାମାଜିକ କର୍ମୀଙ୍କ ତୁଷ୍ଟିକରଣ ପାଇଁ କେନ୍ଦ୍ର ସରକାର ଗ୍ରହଣ କରିଥିବା ନିଷ୍ପତି ଅତ୍ୟ ନ୍ତ ର୍ଦୁଭାଗ୍ୟ ଜନକ । ଭାରତରେ ତମାଖୁ ଉତ୍ପାଦ ବ୍ୟବସାୟ ସହିତ ପ୍ରତ୍ୟକ୍ଷ ତଥା ପରୋକ୍ଷ ଭାବରେ ୪୫.୭ ନିୟୁତରୁ ଅଧିକ ବ୍ୟକ୍ତି ବିଶେଷ ଜଡିତ । ମାତ୍ର ଏଭଳି ନିଷ୍ପତି ଦ୍ୱାରା ଚାଷୀ, ଶ୍ରମିକ,କର୍ମଚାରୀ ତଥା ବ୍ୟବସାୟୀଙ୍କର ଆଶେଷ କ୍ଷତି ହେବା ସହିତ କେନ୍ଦ୍ର ସରକାରଙ୍କର ବିପୁଳ ରାଜସ୍ୱ ହାନି ହେବାର ଆଶଙ୍କା ରହିଛି ।”

ସୁନା ପରେ ସିଗାରେଟ୍ ତସ୍କରୀ ଦ୍ୱିତୀୟ ସ୍ଥାନରେ ରହିଥିବାବେଳେ କନ୍ଦ୍ର ସରକାର ୨୦୧୪ରେ ଏହି ନିୟାମକ ପ୍ରଣୟନ କରିବା ଦ୍ୱାରା ୨୦୧୫-୧୬ ଆର୍ଥିକ ବର୍ଷରେ ତମାଖୁ ଉତ୍ପାଦର ତସ୍କରୀରେ ୧୦ ଗୁଣା ବୃଦ୍ଧି ହୋଇଥିବା ଜଣା ପଡିଛି ଏବଂ ଇତି ମଧ୍ୟରେ ବିଭିନ୍ନ ଅପରାଧ ସଂଖ୍ୟା ବେରୋଜଗାର ବ୍ୟକ୍ତିଙ୍କ ଦ୍ୱରା ସଂଗଠିତ ହୋଇଥିବା କେତେକ ତଥ୍ୟରୁ ସୂଚନା ମିଳିଛି ।

ଏହି ପରିପ୍ରେକ୍ଷୀରେ ତମାଖୁ ଉତ୍ପାଦ ବ୍ୟବସାୟ ସହିତ ଜଡିତ ଥିବା ବ୍ୟକ୍ତି ବିଶେଷ ତଥା ଭୁବନେଶ୍ୱର ଖିଲିପାନ ଦୋକାନ ମହାସଂଘ ପକ୍ଷରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କୁ ଅନୁରୋଧ କରାଯାଇଛି ଯେ, ତମାଖୁ ଉତ୍ପାଦ ସହିତ ଜଡିତ ଥିବା ବ୍ୟବସାୟୀଙ୍କ ବୃହତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହି ନିୟାମକର ପରିବର୍ତ୍ତନ ଦିଗରେ ଲୋକସଭାରେ ଉପଯୁକ୍ତ ବିଲ୍ ପାଶ୍ କରାଇବା ନେଇ ସଠିକ୍ ପଦକ୍ଷେପ ଗ୍ରହଣ କରାଗଲେ ଦେଶର ଆର୍ଥିକ ବିକାଶ ପ୍ରଶସ୍ତ ହେବା ସହିତ ବେକାର ସମସ୍ୟାରେ ଅଙ୍କୂଶ ଲାଗିବାର ସମ୍ଭାବନା ସୃଷ୍ଟି ହେବ ।

Share in top social networks!