ଓଡ଼ିଶାର ଉନ୍ନତି ଓ ଓଡ଼ିଆ ଜାତିର ସମ୍ମାନ ପାଇଁ ବିଜୁବାବୁ ସବୁବେଳେ ଚିନ୍ତା କରୁଥିଲେ: ମୁଖ୍ୟମନ୍ତ୍ରୀ

bijupattnaikଆଜି ମହାନ ଜନନାୟକ ବିଜୁବାବୁଙ୍କ ଶ୍ରାଦ୍ଧ ଦିବସ । ଏହି ଅବସରରେ ତାଙ୍କ ପ୍ରତି ମୋର ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି । ଓଡ଼ିଶାର ଉନ୍ନତି ଓ ଓଡ଼ିଆ ଜାତିର ସମ୍ମାନ ପାଇଁ ବିଜୁବାବୁ ସବୁବେଳେ ଚିନ୍ତା କରୁଥିଲେ । ସେ ଚାହୁଁଥିଲେ, ଓଡ଼ିଆ ଜାତି ଏତେ ଉନ୍ନତ ହେଉ, ଯେପରି ସାରା ବିଶ୍ୱ ଓଡ଼ିଆ
ଜାତିର ସମ୍ମାନ କରିବ ।

୧୯୬୧ ଏବଂ ୧୯୯୦ରେ ମାତ୍ର ସାତବର୍ଷ ପାଇଁ ବିଜୁବାବୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇଥିଲେ । କିନ୍ତୁ ଓଡ଼ିଶାର ବିକାଶ ପାଇଁ ତାଙ୍କ ଅବଦାନ ଯୁଗ ଯୁଗ ପାଇଁ ତାଙ୍କୁ ଅମର କରି ରଖିବ । ସେ ଆଜି ବି ଓଡ଼ିଆ ଜାତିକୁ ପ୍ରେରଣା ଦେଇ ଚାଲିଛନ୍ତି । ବିଜୁବାବୁ ଓଡ଼ିଶା ପାଇଁ ଯାହା କରି ଯାଇଛନ୍ତି ତାହା ଆପଣମାନେ ଭଲ ଭାବରେ
ଜାଣନ୍ତି । ବିଜୁବାବୁଙ୍କ ଜୀବନ ହେଉଛି ଓଡ଼ିଶାର ବିକାଶ ଇତିହାସର ଏକ ଗୌରବମୟ ଅଧ୍ୟାୟ । ଆଜିର ଦିନରେ ଆମର ଏକମାତ୍ର ଦାୟିତ୍ୱ ହେଉଛି ଓଡ଼ିଶାକୁ ବିକାଶ ପଥରେ ଆଗକୁ ନେଇଯିବା ଓ ଓଡ଼ିଆ ସ୍ୱାଭିମାନର ସୁରକ୍ଷା କରିବା । ଆମ ଦଳ ଗତ ଅଠର ବର୍ଷ ହେଲା ଏ ଦିଗରେ କାମ କରି ଚାଲିଛି । ଆମର କାର୍ଯ୍ୟକ୍ରମ ପ୍ରତି
ଓଡ଼ିଶାବାସୀଙ୍କ ବିଶ୍ୱାସ ଓ ଭରସା ବୃଦ୍ଧି ପାଇଛି । ବିଜୁ ପକ୍କା ଘର ଯୋଜନା ଠାରୁ ଆରମ୍ଭ କରି ମହିଳା ସଶକ୍ତିକରଣ, ପଛୁଆ ଅଞ୍ଚଳର ବିକାଶ, ବିଜୁ କେବିକେ ଯୋଜନା, କେଜି ୧ ଟଙ୍କା ଚାଉଳ ଏବଂ ବିଭିନ୍ନ ସାମାଜିକ ନିରାପତ୍ତାକାର୍ଯ୍ୟକ୍ରମ ସହିତ ଅନେକ ବିକାଶ ଯୋଜନା ସାରା ଦେଶରେ ଓଡ଼ିଶାର ଗୌରବ ବୃଦ୍ଧି କରିଛି ।

ଆଜିର ଦିନରେ ବିଜୁବାବୁ ଆମ ସମସ୍ତଙ୍କ ପାଇଁ ଏକ ଚିନ୍ତାଧାରା । ସେ ଚିନ୍ତାଧାରା ହେଉଛି ସାହସ, ବିଶ୍ୱାସ ଓ ପ୍ରତିବଦ୍ଧତାର ସହିତ ଓଡ଼ିଶାର ବିକାଶ ଓ ସ୍ୱାଭିମାନ ପାଇଁ କାମ କରିବା । ତେଣୁ ବିଜୁବାବୁଙ୍କ ଜନ୍ମ ଶତବାର୍ଷିକୀ ପାଳନ ଅବସରରେ ଆମର ଦାୟିତ୍ୱ ହେଉଛି, ଏହି ଚିନ୍ତାଧାରାକୁ ଗାଁ ଗାଁରେ ଓ ପ୍ରତିଘରେ ପହଞ୍ଚାଇବା । ବିଜୁବାବୁଙ୍କ ବିକାଶର ବାର୍ତ୍ତାକୁ ସବୁ ଓଡ଼ିଆଙ୍କ ପାଖରେ ପହଞ୍ଚାଇବା । ଓଡ଼ିଶାର ବିକାଶ ଓ ଗୌରବ ଆମ ସମସ୍ତଙ୍କ ଦାୟିତ୍ୱ । ଆମେ ସମସ୍ତେ ମିଳିମିଶି କାମ କଲେ ଆମେ ଖୁବ୍‌ଶୀଘ୍ର ବିଜୁବାବୁଙ୍କ ସ୍ୱପ୍ନର ଓଡ଼ିଶା ଗଠନ କରିବାରେ ସଫଳ ହୋଇପାରିବା ।

Share in top social networks!