ଦୁବାଇରେ ବିଜୁ ପଟ୍ଟନାୟକ ଜନ୍ମ ଶତବାର୍ଷିକୀ ପାଳିତ

utasv ପ୍ରଥମ ଅନ୍ତର୍ଜାତୀୟ ବିଜୁ ପଟ୍ଟନାୟକ ଜନ୍ମ ଶତବାର୍ଷିକୀ ଦୁବାଇଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମଧ୍ୟପ୍ରାଚ୍ୟର ବିଭିନ୍ନ ଦେଶରେ ରହୁଥିବା ପ୍ରମୁଖ ଓଡ଼ିଆ ବ୍ୟକ୍ତିତ୍ୱ ଓ ପରିବାର ଯୋଗଦେଇ ବିଜୁବାବୁଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।
ୟୁଏଇ ଓଡ଼ିଆ ସମାଜ ପକ୍ଷରୁ ଗତ ୦୮ ତାରିଖରେ ଦୁବାଇଠାରେ ‘ଉତ୍ସବ- ୨୦୧୬’ ଅବସରରେ ବିଜୁ ପଟ୍ଟନାୟକଙ୍କ ଜୀବନୀ ଉପରେ ଆଧାରିତ ଫଟୋଚିତ୍ର ପ୍ରଦର୍ଶନୀକୁ ଓଡ଼ିଶାର ଶିଳ୍ପ ଓ ଗଣଶିକ୍ଷା ମନ୍ତ୍ରୀ ଦେବୀପ୍ରସାଦ ମିଶ୍ର ଉଦ୍ଘାଟନ କରିଥିଲେ ।
ଏହି ଅବସରରେ ମନ୍ତ୍ରୀ ଶ୍ରୀ ମିଶ୍ର କହିଲେ ଯେ, “ବିଜୁବାବୁ ଏପରି ଏକ ବ୍ୟକ୍ତିତ୍ୱ ଯେ’କି ବିଭିନ୍ନ ସମୟରେ ଓ ବିଭିନ୍ନ ବୟସର ବ୍ୟକ୍ତିଙ୍କୁ ପ୍ରଭାବିତ କରିଆସିଛନ୍ତି । ଦୁବାଇ ସମେତ ମଧ୍ୟପ୍ରାଚ୍ୟର ବିଭିନ୍ନ ଦେଶରେ ଓଡ଼ିଆମାନେ ନିଜର ପ୍ରତିଭା ପ୍ରଦର୍ଶନ କରି ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି । ଆଗାମୀ ଦିନରେ ସେମାନେ ଓଡ଼ିଶାର ସୁନାମ ଓ ସଫଳତା ପାଇଁ ଅଧିକ ସକ୍ରିୟ ଭାବେ କାମ କଲେ ତାହା ହେବ ବିଜୁବାବୁଙ୍କ ପ୍ରତି ସବୁଠାରୁ ବଡ଼ ଶ୍ରଦ୍ଧାଞ୍ଜଳି ।”
ଏହି ଉତ୍ସବରେ ଦୁବାଇ ସ୍ଥିତ ଭାରତୀୟ କନ୍ସଲ୍ ମୁଖ୍ୟ ଦୀପା ଜୈନ, ବ୍ୟାଙ୍କ ଅଫ୍ ବରୋଦାର ଜିସିସି ଅପରେସନସ ମୁଖ୍ୟ କାର୍ଯ୍ୟନିର୍ବାହୀ ଏଲ. ଏମ୍. ଆସ୍ଥାନା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ ।
‘ଉତ୍ସବ- ୨୦୧୬’ ଅବସରରେ ପ୍ରକାଶିତ ସ୍ମରଣିକାକୁ ମୁଖ୍ୟ ଅତିଥି ମନ୍ତ୍ରୀ ଶ୍ରୀ ମିଶ୍ର ଉନ୍ମୋଚନ କରିଥିଲେ ।
ଏହି ଅବସରରେ ୟୁଏଇ ଓଡ଼ିଆ ସମାଜ ସଭାପତି ଅମୀୟ ମିଶ୍ର କହିଥିଲେ ଯେ, “ସଂଯୁକ୍ତ ଆରବ୍ ରାଷ୍ଟ୍ରସମୂହରେ ଥିବା ଓଡ଼ିଆମାନଙ୍କୁ ଏକତା ସୂତ୍ରରେ ବାନ୍ଧିବା ପାଇଁ ଏହି ଉତ୍ସବ ହେଉଛି ଏକ ପ୍ରମୁଖ ସୁଯୋଗ ।”
ପ୍ରବାସୀ ଓଡ଼ିଆମାନଙ୍କ ତରଫରୁ ନୃତ୍ୟ, ସଂଗୀତ ଓ ନାଟକର ଏକ ସାଂସ୍କୃତିକ ବିଚିତ୍ରା ଏହି କାର୍ଯ୍ୟକ୍ରମର ଅନ୍ୟତମ ଆକର୍ଷଣ ଥିଲା । ଏହା ସହିତ ଜଣାଶୁଣା ହାସ୍ୟ ଅଭିନେତା ପପୁ ପମ୍ପମ୍୍ଙ୍କ ଉପସ୍ଥିତି ଦର୍ଶକମାନଙ୍କୁ ଅଧିକ ଆମୋଦିତ କରିଥିଲା ।
ଉତ୍ସବରେ ଭୁବନେଶ୍ୱର (ଉତର) ବିଧାୟକ ପ୍ରିୟଦର୍ଶୀ ମିଶ୍ର, ଦୁବାଇ ନିବାସୀ କ୍ୟାପ୍ଟେନ୍ ସୌମ୍ୟରଞ୍ଜନ ପଟ୍ଟନାୟକ, ଇନ୍ଭେଷ୍ଟ୍ ଭୁବନେଶ୍ୱରର ଅଧ୍ୟକ୍ଷ ତଥା କ୍ରାଉନ୍ ହୋଟେଲ୍ର ନିଦେ୍ର୍ଦଶକ ଦେବାଶିଷ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ । ଦୁବାଇରେ ଅବସ୍ଥାପିତ ଶତାଧିକ ଓଡ଼ିଆଙ୍କ ସମେତ ପଡୋଶୀ ଓମାନ୍୍, କୁଏତ ଆଦି ଦେଶରୁ ଓଡ଼ିଆମାନେ ଏଥିରେ ଅଂଶଗ୍ରହଣ କରି ଉତ୍ସବକୁ ଅଧିକ ଆକର୍ଷଣୀୟ କରିଥିଲେ ।

Share in top social networks!