ଆରଏସ୍ଏସ୍ ତରଫରୁ ରାଷ୍ଟ୍ରୀୟ ନବବର୍ଷ ଅନୁଷ୍ଠିତ

rsssଆକୁମାରୀ ହିମାଚଳ ଆର୍ଯ୍ୟଭୂମି ଭାରତବର୍ଷରେ ଭିନ୍ନ ଭିନ୍ନ ତିଥିରେ ନବବର୍ଷ ପାଳନ କରାଯାଉଥିଲେ ମଧ୍ୟ ପ୍ରାଚୀନ ବୈଜ୍ଞାନିକ ଭାରତୀୟ କାଳଗଣନା ଅନୁଯାୟୀ ଯେଉଁ ଦିନଟି ରାଷ୍ଟ୍ରୀୟ ନବବର୍ଷ ରୂପେ ପାଳିତ ହୁଏ, ସେ ଦିନଟି ହେଉଛି ‘ଚୈତ୍ର ଶୁକ୍ଳ ପ୍ରତିପଦା’ । ଏହି ଦିନ ପରମପିତା ବ୍ରହ୍ମାଙ୍କ ଦ୍ୱାରା ସୃଷ୍ଟି ସର୍ଜନା ହୋଇଥିଲା । ପୁରୁଷୋତ୍ତମ ଭଗବାନ ଶ୍ରୀରାମ ଚନ୍ଦ୍ରଙ୍କ ରାଜ୍ୟାଭିଷେକ,ଧର୍ମରାଜ ଯୁଧିଷ୍ଠିରଙ୍କ ରାଜ୍ୟାଭିଷେକ,ଶକମାନଙ୍କୁ ପରାସ୍ତ କରି ସମ୍ରାଟ ବିକ୍ରମାଦିତ୍ୟଙ୍କ ଦ୍ୱାରା ବିକ୍ରମ ସମ୍ବତ ପ୍ରଚଳନ ଓ ମହର୍ଷି ଦୟାନନ୍ଦଙ୍କ ଦ୍ୱାରା ଆର୍ଯ୍ୟ ସମାଜ ପ୍ରତିଷ୍ଠା ହୋଇଥିଲା । ଆଉ ଏହି ଦିନ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପ୍ରତିଷ୍ଠାତା ଡ.କେଶବ ବଳିରାମ ହେଡଗେୱା ମଧ୍ୟ ଜନ୍ମ ଗ୍ରହଣ କରିଥିଲେ ବୋଲି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ,ଭୁବନେଶ୍ୱର ମହାନଗରର ବୌଦ୍ଧିକ ପ୍ରମୁଖ ଶ୍ରୀ ଦେବୀ ପ୍ରସାଦ ମହାପାତ୍ର ପ୍ରକାଶ କରିଛନ୍ତି ।
ଆଜି ଆରଏସ୍ଏସ୍ ଭୁବନେଶ୍ୱର ମହାନଗର ଶ୍ରୀରାମ ଭାଗ ତରଫରୁ ସ୍ଥାନୀୟ ନୟାପଲ୍ଲୀସ୍ଥିତ ମମତାଜ ଅଲ୍ଲୀ ହାଇସ୍କୁଲ ପଡିଆ ଠାରେ ଅନୁଷ୍ଠିତ ରାଷ୍ଟ୍ରୀୟ ନବବର୍ଷ ଉତ୍ସବରେ ଶ୍ରୀ ମହାପାତ୍ର ମୁଖ୍ୟବକ୍ତା ରୂପେ ଯୋଗଦେଇ ଭାରତୀୟ କାଳଗଣନା ଓ ପାଶ୍ଚାତ୍ୟ ସମୟ ଗଣନା ମଧ୍ୟରେ ପ୍ରଭେଦ ଦର୍ଶାଇ ଭାରତୀୟ କାଳଗଣନା ବୈଜ୍ଞାନିକ ସମ୍ମତ ବୋଲି କହିଥିଲେ । ଆଜିର ଯୁବପୀଢି ପାଶ୍ଚାତ୍ୟ ସଂସ୍କୃତି ପ୍ରଭାବରେ ଆସି ଦେଶକୁ ବିରୋଧ କରିବା ସହିତ ଭାରତମାତା ଜୟ କହିବାକୁ କୁଣ୍ଠାବୋଧ କରୁଛି । ଏଣୁ ଦେଶବିରୋଧିଙ୍କ ପ୍ରତି ସତର୍କ ରହିବାକୁ ଶ୍ରୀ ମହାପାତ୍ର ଆହ୍ୱାନ କରିଥିଲେ । ଦୈନିକ ଖବର କାଗଜ ଶ୍ରୁତିର ସଂପାଦକ ତଥା ଭାଗ ସଂଘଚାଳକ ଶ୍ରୀ ସର୍ବେଶ୍ୱର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ନୟାପଲ୍ଲୀ ଗ୍ରାମ ଉନ୍ନୟନ ସମିତିର ସଂପାଦକ ଶ୍ରୀ ବଂଶୀଧର ଜଗଦେବ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ ।
ଏହା ପୂର୍ବରୁ ଶହଶହ ସ୍ୱୟଂସେବକମାନେ ଗଣବେଷରେ ସଜ୍ଜିତ ହୋଇ ବୀରବାଦ୍ୟ ବଜାଇ ନଗର ପରିକ୍ରମା କରିଥିଲେ । ସ୍ୱୟଂସେବକମାନେ ମମତାଜ ଅଲ୍ଲୀ ହାଇସ୍କୁଲ ପଡିଆରୁ ବାହାରି ବେହେରାସାହି, ଷ୍ଣୁଆର୍ଟ ସ୍କୁଲ,ୟୁନିଟ-୮, ଡିଏଭି ସ୍କୁଲ ଦେଇ ପୁଣି ମମତାଜ ଅଲ୍ଲୀ ହାଇସ୍କୁଲ ପଡିଆରେ ପହଁଚିଥିଲେ । ଏଠାରେ ସ୍ୱୟଂସେବକମାନେ ସୂର୍ଯ୍ୟନମସ୍କାର, ଆସନ, ଯୋଗାସନ, ଦଣ୍ଡ, ବାୟ୍ୟାମଯୋଗ ଆଦି ପଦର୍ଶନ କରିଥିଲେ ।
ସେହିପରି ଆରଏସ୍ଏସ୍ ଭୁବନେଶ୍ୱର ମହାନଗରର ଚନ୍ଦ୍ରଶେଖର ଭାଗ ତରଫରୁ ନିଳାଦ୍ରୀ ବିହାର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ରାଷ୍ଟ୍ରୀୟ ନବବର୍ଷ ଉତ୍ସବ ଅନୁଷ୍ଠିତ ହୋଇଥିଲା । ସଂଘର ମହାନଗର ସଂଘଚାଳକ ଶ୍ରୀ ଡା.ବସନ୍ତ ପତି ମୁଖ୍ୟବକ୍ତା ରୂପେ ଯୋଗଦେଇଥିଲେ । ଖଣ୍ଡଗିରି ଭାଗ ତରଫରୁ ୟୁନିଟ-୮ ସରସ୍ୱତୀ ଶିଶୁବିଦ୍ୟାମନ୍ଦିରରେ ଅନୁଷ୍ଠିତ ଉତ୍ସବରେ ରାଜଶ୍ୱର ରାଉତ, ବନଦୁର୍ଗା ଭାଗ ତରଫରୁ ସତ୍ୟବିହାରରେ ଅନୁଷ୍ଠିତ ଉତ୍ସବରେ ମହାନଗର ସହବୌଦ୍ଧିକ ପ୍ରମୁଖ ସାଇ ପ୍ରସାଦ ଦାଶ,କେଦାର ଗୌରୀ ଭାଗ ତରଫରୁ ଭିମେଶ୍ୱର ପଡିଆରେ ଅନୁଷ୍ଠିତ ଉତ୍ସବରେ ମହାନଗର କାର୍ଯ୍ୟବାହ ପ୍ରଶନ୍ନ ସେନାପତି, ବୁଦେ୍ଧଶ୍ୱରୀ ନଗର ତରଫରୁ ଭାସ୍କରେଶ୍ୱର ମନ୍ଦିର ପଡିଆରେ ଅନୁଷ୍ଠିତ ଉତ୍ସବରେ ମହାନଗର ସଂପର୍କ ପ୍ରମୁଖ ସୁବ୍ରତ ତ୍ରୀପାଠୀ, ରାଜରାଣୀ ନଗର ତରଫରୁ ଶିଶୁପାଳଗଡ ଦଶହରା ପଡିଆରେ ଅନୁଷ୍ଠିତ ଉତ୍ସବରେ ମହାନଗର ଶାରୀରିକ ପ୍ରମୁଖ ପ୍ରତାପ ଦ୍ୱିବେଦୀ ଉଦ୍ବୋଧନ ଦେଇଥିଲେ ସଂଘର ମହାନଗର ସହକର୍ଯ୍ୟବାହ ଶ୍ରୀ ଜୟକୃଷ୍ଣ ପୃଷ୍ଠି ଜଣାଇଛନ୍ତି ।

Share in top social networks!