ରାଜ୍ୟ ସରକାରଙ୍କ ଅପାରଗତା କାରଣରୁ କଳାହାଣ୍ଡି ସମ୍ଭାବନା ସତ୍ୱେ ସମସ୍ୟା ଘେରରେ-ବସନ୍ତ ପଣ୍ଡା

pandaବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା ତାଙ୍କର ଜନକଲ୍ୟାଣ ଯାତ୍ରାର ଦ୍ୱିତୀୟ ଦିନରେ କଳାହାଣ୍ଡି ଜିଲା ଗସ୍ତ କରଛନ୍ତି । ଏହି ଜିଲା ଗସ୍ତ ଶେଷରେ ଜିଲା ସଦର ମହକୁମା ଭବାନୀପାଟଣାରେ ବିଶାଳ ମୋଟର ସାଇକେଲ ଶୋଭାଯାତ୍ରାରେ ଯୋଗଦେବା ସହ ଏକ ସାଧାରଣ ସଭାରେ ଊଦବୋଧନ ଦେଇଥିଲେ ।ଭବାନୀପାଟଣା ପହଁଚିବା ପରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ପଣ୍ଡା କହିଛନ୍ତି ଯେ, ସେ ଜିଲାର ଯେଉଁ ଯେଉଁ ଅଂଚଳକୁ ଯାଇଛନ୍ତି ସେସବୁ ସ୍ଥାନରେ ସାଧାରଣ ଜନତା ସେମାନଙ୍କ ଅଭାବ ଅସୁବିଧା ଓ ସରକାରୀ ଅବହେଳା କାରଣରୁ ସେମାନେ ନାଯ୍ୟା ଅଧିକାରରୁ ବଂଚିତ ଥିବା ଅଭିଯୋଗ କରିଛନ୍ତି ।ଆମପାଣିର ଆଦିବାସୀ ଆବାସିକ ବିଦ୍ୟାଳୟ ବୁଲିବା ସମୟରେ ୮୦୦ ବିଦ୍ୟାର୍ଥୀ ଥିବା ସ୍କୁଲରେ ଶିକ୍ଷକ ଶିକ୍ଷୟତ୍ରୀଙ୍କ ସଂଖ୍ୟା ଖୁବ କମ ରହିବା କାରଣରୁ ଶିକ୍ଷାଦାନରେ ଗୁରୁତର ସମସ୍ୟା ଦେଖାଦେଇଥିବା ସେ ସ୍ୱଚକ୍ଷୁରେ ଦେଖିଲେ ଓ ଶୁଣିଲେ ବୋଲି ଶ୍ରୀ ପଣ୍ଡା କହିଛନ୍ତି ।
କନ୍ଦାଗଡଶିଳ୍ପୀ ଗାଁର ପାରମ୍ପରିକ ଭାବରେ ପଥରଶିଳ୍ପରେ ଜୀବିକାନିର୍ବାହ କରୁଥିବା ପରିବାର ମାନଙ୍କର ଦହନୀୟ ଆର୍ଥିକସ୍ଥିତି ତାଙ୍କୁ ପ୍ରଭାବିତ କରିଛି ବୋଲି ଶ୍ରୀ ପଣ୍ଡା ପ୍ରକାଶ କରିଥିଲେ । ଗାଁର ଖଲିଆବନ୍ଧ ଜଳାଶୟ ରକ୍ଷାଣବେକ୍ଷଣ ଅଭାବରୁ ପାଣି ବ୍ୟବହାର ଉପଯୋଗୀ ହୋଇନାହିଁ । କମଳନଦୀରେ ଦୀର୍ଘଦିନରୁ ଶିଳାନ୍ୟାସ ହୋଇଥିଲେ ମଧ୍ୟ ଚେକଡ୍ୟାମ ନିର୍ମାଣରେ ଅହେତୁକ ବିଳମ୍ବ ହୋଇଛି । ଏହି ଅଂଚଳ ସହରାଚଂଳ ବିକାଶମନ୍ତ୍ରୀ ପୁସ୍ପେନ୍ଦ୍ର ସିଂଦେଓଙ୍କ ନିର୍ବାଚନମଣ୍ଡଳୀ ହୋଇଥିଲେ ମଧ୍ୟ ଏ ଅଂଚଳର ସ୍ଥିତି ବିକାଶ ଠାରୁ ବହୁ ଦୂରରେ ବୋଲି ସାଧାରଣ ଲୋକ ଅଭିଯୋଗ କରିଥିଲେ । କୁଟରୁକମାର ଠାରେ ଶତାଧିକ ମହିଳା ରୁଣ୍ଡହୋଇ ତାଙ୍କ ଅଂଚଳରେ ପାନୀୟଜଳ ସମସ୍ୟା ଦୂର କରିବାପାଇଁ ଦାବୀ କରିଥିଲେ ।ଶ୍ରୀ ପଣ୍ଡା କୋକସର, ମୋଟେରଛକ ଓ ଜୁନାଗଡ ସମେତ ଜିଲାର ବିଭିନ୍ନ ସ୍ଥାନରେ ଜନସଭା, ଶୋଭାଯାତ୍ରା, ରାସ୍ତାକଡ ସ୍ୱାଗତରେ ଯୋଗଦେବା ସହ ନିଜେ ବିଭିନ୍ନ ଗାଁ ବୁଲି ଲୋକମାନଙ୍କ ସମସ୍ୟା ନିଜ ଆଖିରେ ଦେଖିବା ସହ ସେମାନଙ୍କ ସହ କଥାବାର୍ତା ହୋଇଥିଲେ ।୧୬ ବର୍ଷର ଶାସନର ଅପାରଗତା କାରଣରୁ କଳାହାଣ୍ଡି ଜିଲା ସମସ୍ୟା ଘେରରେ ଥିବା ଶ୍ରୀ ପଣ୍ଡା ବିଭିନ୍ନ ଜନସଭାରେ ଅଭିଯୋଗ କରିଥିଲେ । ଜିଲାର ସର୍ଦାର ରାଜା ମେଡିକାଲ କଲେଜ କାହିଁକି ରହିଲା ନାହିଁ , ଜମି ଓ ପାଣି ଯୋଗାଇଦେବାରେ ରାଜ୍ୟ ସରକାରଙ୍କର ଟାଳଟୂଳ ନୀତି ଯୋଗୁ ନର୍ଲାର ପ୍ରସ୍ତାବିତ ରେଳଡବା କାରଖାନା ହାତଛଡା ହୋଇଗଲା ବୋଲି ଶ୍ରୀ ପଣ୍ଡା ଅଭିଯୋଗ କରିଥିଲେ ।ଜିଲାର ଯେଉଁ ଅଂଚଳକୁ ଗଲେ ସେଠାରେ ଗରିବ ଲୋକଙ୍କ ପାଇଁ ଉଦିଷ୍ଟ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀ ସରକାରୀ ଦଳର ଧନୀ ନେତା ଓ କର୍ମୀ ହଡପ କରି ନେଇଥିବାର ଅଭିଯୋଗ ଆସିଥିଲା ବୋଲି ଶ୍ରୀ ପଣ୍ଡା ପ୍ରକାଶ କରିଥିଲେ ।ଏହି ଗସ୍ତ ସମୟରେ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ରଂଜନ ପଟେଲ , ଭୃଗୁ ବକ୍ସିପାତ୍ର , ରାଜ୍ୟ ଉପସଭାପତି ଅଶ୍ୱିନୀ ଷଢଙ୍ଗୀ, ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ ଓ ଯୁବମୋର୍ଚା ରାଜ୍ୟ ସଭାପତି ଟଙ୍କଧର ତ୍ରିପାଠୀ ପ୍ରମୁଖ ସାମିଲ ଥିଲେ ।

Share in top social networks!