ନବରଙ୍ଗପୁର ଚନ୍ଦାହାଣ୍ଡିରୁ ଆରମ୍ଭ ହେଲା ବିଜେପିର ଜନ କଲ୍ୟାଣ ଯାତ୍ରା

janakalyanyatraନବରଙ୍ଗପୁର ଜିଲ୍ଲାର ଚନ୍ଦାହାଣ୍ଡିଠାରୁ ବିଜେପିର ନବନିଯୁକ୍ତ ରାଜ୍ୟ ସଭାପତି ବସନ୍ତ ପଣ୍ଡା ତାଙ୍କର ଜନ କଲ୍ୟାଣ ଯାତ୍ରା ଆରମ୍ଭ କରିଛନ୍ତି । ଚନ୍ଦାହାଣ୍ଡି ପରେ ଦିନରେ ଝରିଗାଁ, ଏକମ୍ବା, ଉମରକୋଟ, ଧତରା, ଡାବୁଗାଁ ଓ ପାପଡା ହାଣ୍ଡି ପରେ ନବରଙ୍ଗପୁର ଠାରେ ପହଂଚି ବିଶାଳ ଜନସଭାକୁ ଶ୍ରୀ ପଣ୍ଡା ଉଦବୋଧନ ଦେଇଛନ୍ତି । ରାଜ୍ୟର ଉପାନ୍ତ ଅଂଚଳରେ ବିକାଶର ସ୍ଥିତି ଅତ୍ୟନ୍ତ ଦୟନୀୟ ବୋଲି ପ୍ରଥମ ଦିନର ଗସ୍ତ ଶେଷ ପୂର୍ବରୁ ଶ୍ରୀ ପଣ୍ଡା ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ।
ଏହି ଗସ୍ତ ସମୟରେ ଶ୍ରୀ ପଣ୍ଡା ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ବୁଲିବାକୁ ଯାଇଥିବା ବେଳେ ଏହି ଡାକ୍ତରଖାନା ସମ୍ପୂର୍ଣ ରୁପେ ଆୟୁଷ ଡାକ୍ତରଙ୍କ ଦ୍ୱାରା ପରିଚାଳିତ ହେଉଛି ବୋଲି ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି । ଝରିଗାଁ ଜିଲ୍ଲାର ଏକ ପ୍ରମୁଖ ସ୍ଥାନ ହୋଇଥିବା ବେଳେ ଡାକ୍ତରଖାନାରେ ସ୍ତ୍ରୀ ପ୍ରସୂତି, ଶିଶୁ ରୋଗ ଏବଂ ଶଲ୍ୟ ଚିକିତ୍ସା ଡାକ୍ତର ନ ଥିବା ଏବଂ ପାଖ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ତାଙ୍କର ଗସ୍ତ ସମୟରେ ଉପସ୍ଥିତ ଥିବା ସେ କହିଥିଲେ ।
ଏହି ଅଂଚଳ ପରିବହନ ମନ୍ତ୍ରୀ ରମେଶ ମାଝୀଙ୍କ ଅଂଚଳ ହୋଇଥିବା ସତ୍ୱେ ଏଠାରେ ଆରଟିଓ ନ ଥିବା ଓ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ପାନୀୟ ଜଳ ଇତ୍ୟାଦି ବ୍ୟବସ୍ଥା ଭୁଷୁଡି ପଡିଥିବା ଲୋକ ମାନେ ତାଙ୍କ ନିକଟରେ ଅଭିଯୋଗ କରିଥିବା ଶ୍ରୀ ପଣ୍ଡା ପ୍ରକାଶ କରିଥିଲେ ।
ବୋରିଗୁଡା ଠାରେ ବନ୍ଧ ଅଭାବରୁ ପାଣି ଜମି ଖାଇ ଯାଉଥିବା ଚିନ୍ତାଜନକ ବୋଲି ଶ୍ରୀ ପଣ୍ଡା କହିବା ସହ ସ୍ଥାନୀୟ କନ୍ୟାଶ୍ରମରେ ସୁବିଧା ସୁଯୋଗ ନ ଥିବା ଛାତ୍ରୀ ମାନେ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ସୁବିଧା ସୁଯୋଗ ପାଉ ନ ଥିବା ଶ୍ରୀ ପଣ୍ଡାଙ୍କ ନିକଟରେ ଅନ୍ତେବାସୀ ମାନେ ଅଭିଯୋଗ କରିଥିଲେ ।
ବିଭିନ୍ନ ସଭା ଓ ସ୍ୱାଗତ କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ଶ୍ରୀ ପଣ୍ଡା ବିଜେଡିର ୧୬ ବର୍ଷର ଶାସନକାଳରେ ରାଜ୍ୟର ବିକାଶ ଶ୍ରୀହୀନ ହୋଇ ପଡିଥିବା ସେ ଅଭିଯୋଗ କରିଥିଲେ । ଅପର ପକ୍ଷରେ ମୋଦି ଦେଶର ପ୍ରଧାନମନ୍ତ୍ରୀ ହେବା ପରେ ଓଡିଶାକୁ ଭରପୂର ସହାୟତା ଯୋଗାଇ ଦେବା ପାଇଁ କରିଥିବା ବିଭିନ୍ନ ଯୋଜନା ସମ୍ପର୍କରେ ଲୋକ ମାନଙ୍କୁ ବୁଝାଇଥିଲେ । ô
ଏହି ଯାତ୍ରା ଆରମ୍ଭ ପୂର୍ବରୁ ଛତିଶଗଡ ଓଡିଶା ସୀମା ବେହେରାମୁଣ୍ଡା ଠାରେ ଶ୍ରୀ ପଣ୍ଡା ସ୍ଥାନୀୟ ଦେବୀ ମା ପେଣ୍ଡ୍ରାଣୀଙ୍କ ମନ୍ଦିରରୁ ପୂଜାର୍ଚନା କରିଥିଲେ । ଛତିଶଗଡର ବିଧାୟକ ଗୋବର୍ଧନ ମାଝୀ ଶ୍ରୀ ପଣ୍ଡାଙ୍କ ସହ ଉପସ୍ଥିତ ଥିଲେ । ଏହି ଯାତ୍ରାରେ ନବରଙ୍ଗପୁର ବିଜେପି ଜିଲ୍ଲା ସଭାପତି ଗୋବିନ୍ଦ ଜୈନ, ରାଜ୍ୟ ସାଧାରଣ ସମ୍ପାଦକ ରଂଜନ ପଟେଲ, ଭୃଗୁ ବକ୍ସିପାତ୍ର, ଯାତ୍ରା ସଂଯୋଜକ କାଳନ୍ଦୀ ସାମଲ, ଯୁବମୋର୍ଚା ସଭାପତି ଟଙ୍କଧର ତ୍ରିପାଠୀ, ଜିଲ୍ଲାର ବରିଷ୍ଠ ନେତା ରମେଶ ସାହୁ, ପୂର୍ବତନ ସାଂସଦ ପର୍ଶୁରାମ ମାଝୀ ଏବଂ ପୂର୍ବତନ ଜିଲ୍ଲା ସଭାପତି ଡମ୍ବରୁଧର ମାଝୀ ପ୍ରମୁଖ ଉପସ୍ଥିତ ଥିଲେ । ବିଭିନ୍ନ ସ୍ଥାନରେ ଶତାଧିକ ଲୋକ ଉପସ୍ଥିତ ରହି ବିଜେପି ରାଜ୍ୟ ସଭାପତିଙ୍କୁ ସମ୍ବର୍ଧନା ଦେଇଥିଲେ ।
ଶୁକ୍ରବାର ଦିନ ଏହି ଜନକଲ୍ୟାଣ ଯାତ୍ରା କଳାହାଣ୍ଡି ଜିଲ୍ଲାକୁ ଯିବ । ଆମପାଣିରୁ ଏକ ସ୍ୱାଗତ କାଯ୍ୟକ୍ରମରୁ ଆରମ୍ଭ ହୋଇ ଭବାନୀପାଟଣାରେ ଏକ ସାଧାରଣ ସଭାରେ ଶେଷ ହେବ ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଛି ।

Share in top social networks!