ଦୁବାଇରେ ବିଜୁ ପଟ୍ଟନାୟକଙ୍କ ଜନ୍ମ ଶତବାର୍ଷିକୀ ପାଳିବେ ପ୍ରବାସୀ ଓଡ଼ିଆ

dubaiମଧ୍ୟପ୍ରାଚ୍ୟରେ ରହୁଥିବା ପ୍ରବାସୀ ଓଡ଼ିଆମାନେ କିମ୍ବଦନ୍ତୀ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଶତବାର୍ଷିକୀ ପାଳନ କରିବେ। ଚଳିତ ମାସ ୮ ତାରିଖରେ ଦୁବାଇଠାରେ ଏଥିପାଇଁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଛି।

ଶିଳ୍ପ ଓ ଗଣଶିକ୍ଷା ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର ଏହି ଉତ୍ସବରେ ମୁଖ୍ୟଅତିଥି ଭାବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ବିଜୁ ପଟ୍ଟନାୟକଙ୍କ ଜନ୍ମ ଶତବାର୍ଷିକୀ ପାଳନ ଅବସରରେ ଏହା ହେବ ବିଦେଶରେ ହେଉଥିବା ପ୍ରଥମ କାର୍ଯ୍ୟକ୍ରମ।

ଏହି ଗସ୍ତ ସମୟରେ ରାଜ୍ୟ ପାଇଁ ସମ୍ଭାବ୍ୟ ପୁଞ୍ଜି ବିନିଯୋଗକୁ ଆମନ୍ତ୍ରଣ କରିବା ପାଇଁ ଶିଳ୍ପମନ୍ତ୍ରୀ ଶ୍ରୀ ମିଶ୍ର ୟୁଏଇର ବିଭିନ୍ନ ଭାଗରେ ଥିବା ପୁଞ୍ଜିଲଗାଣକାରୀ ସଂସ୍ଥା ତଥା ଶିଳ୍ପପତିମାନଙ୍କ ସହ ଆଲୋଚନା କରିବେ।

ଦୁବାଇରେ ଅବସ୍ଥାପିତ ଓଡ଼ିଆ ଚଳଚ୍ଚିତ୍ର ନିର୍ମାତା ତଥା ଶିଳ୍ପୋଦ୍ୟୋଗୀ ଅକ୍ଷୟ ପରିଜା କହିଛନ୍ତି ଯେ, “ବିଜୁ ପଟ୍ଟନାୟକଙ୍କ ଭଳି ଜଣେ ମହାନ୍‍ ବ୍ୟକ୍ତିତ୍ୱ ଓ ରାଷ୍ଟ୍ରନୀତିଜ୍ଞଙ୍କ ଶତବାର୍ଷିକୀ ପାଳନ କରିବା ଆମ ପାଇଁ ଗୌରବର କଥା। ମୋର ବିଶ୍ୱାସ, ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବିଜୁବାବୁଙ୍କର ଶିଳ୍ପୋଦ୍ୟୋଗୀ ଚେତନା ଓ ଦୂରଦୃଷ୍ଟି ୟୁଏଇରେ ଥିବା ପ୍ରବାସୀ ଓଡ଼ିଆ ବିଶେଷକରି ଯୁବସମାଜକୁ ଅନୁପ୍ରାଣିତ କରିବ।“ ସେ ଆହୁରି ମଧ୍ୟ କହିଥିଲେ ଯେ, “ଏହି ଉତ୍ସବର ଦୁଇଟି ବିଶେଷତ୍ୱ ହେଉଛି- ବିଜୁ ଶତବାର୍ଷିକୀ ପାଳନ ସହିତ ଓଡିଶା ପାଇଁ ପୁଞ୍ଜିଲଗାଣର ନୂତନ ସୁଯୋଗ ସୃଷ୍ଟି କରିବା।”

ୟୁଏଇ ଓଡ଼ିଆ ସଂଗଠନର ସଭାପତି ଅମିୟ ମିଶ୍ର କହିଛନ୍ତି ଯେ, “ୟୁଏଇରେ ଥିବା ଓଡ଼ିଆମାନେ ବିଜୁ ପଟ୍ଟନାୟକଙ୍କ ଭଳି ଜଣେ କିମ୍ବଦନ୍ତୀ ପୁରୁଷଙ୍କୁ ତାଙ୍କ ଜନ୍ମ ଶତବାର୍ଷିକୀରେ ମନେପକାଇବା ଏକ ବିରଳ ସୁଯୋଗ ହେବ। ବିଶେଷକରି ଭାରତ ବାହାରେ ଏଭଳି କାର୍ଯ୍ୟକ୍ରମ ମାଧ୍ୟମରେ ଆମର ମହାନ ସଂସ୍କୃତି ଓ ବିଜୁବାବୁଙ୍କ ଭଳି ଜଣେ ଜାତୀୟ ବ୍ୟକ୍ତିତ୍ୱଙ୍କୁ ପ୍ରଦର୍ଶନ କରିବା ବିଦେଶରେ ଥିବା ଓଡ଼ିଆଙ୍କ ପାଇଁ ଏକ ଗର୍ବର ବିଷୟ।“ ଉଭୟ ପ୍ରବୀଣ ଓ ତରୁଣ ପିଢ଼ିଙ୍କୁ ଗୋଟିଏ ସୂତ୍ରରେ ଯୋଡିବା ପାଇଁ ବିଜୁବାବୁ ଆଜି ବି ଏକ ଆଦର୍ଶ ବୋଲି ସେ କହିଛନ୍ତି।

ମଧ୍ୟପ୍ରାଚ୍ୟ ଦେଶସମୂହ ସାଉଦି ଆରବ, କତାର, ବାହାରିନ୍‍, କୁଏତ୍‍, ଓମାନ୍‍ ଓ ଆବୁଧାବି ଆଦି ସ୍ଥାନରେ ବହୁସଂଖ୍ୟକ ଓଡ଼ିଆ ବସବାସ କରୁଛନ୍ତି। ତେଣୁ ବିଜୁବାବୁଙ୍କ ଶତବାର୍ଷିକୀ ଅବସରରେ ଦୁବାଇରେ ହେବାକୁ ଥିବା ଏହି ଉତ୍ସବରେ ଅନେକ ଓଡ଼ିଆ ଯୋଗ ଦେଇ ବିଜୁବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ ବୋଲି ଆୟୋଜକମାନେ ଆଶାପ୍ରକାଶ କରିଛନ୍ତି।

Share in top social networks!