କେନ୍ଦୁଝର ଠାରେ ଓଡିଶା ଦିବସ ପାଳିତ

badri୮୧ତମ ଓଡିଶା ଦିବସ ତା ୦୧.୦୪.୨୦୧୬ରିଖ ଦିନ କେନ୍ଦୁଝର ଜିଲ୍ଲା ସଦର ମହକୁମାରେ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ସ୍ଥାନୀୟ ନଗରଭବନ ଠାରେ ଆୟୋଜିତ ସ୍ୱତନ୍ତ୍ର ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଓଡିଶାର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର ଓଡିଶା ଦିବସ ଅବସରରେ କେନ୍ଦୁଝର ଜିଲ୍ଲାବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହିତ ଉଦ୍ବୋଧନ ଦେଇ ପ୍ରତ୍ୟେକ ଓଡିଆ ମାଆ ମାଟି, ଜାତି ଓ ମାତୃଭାଷା ପ୍ରତି ମମତା ରଖିବା ପାଇଁ ଆହ୍ୱାନ ଜଣାଇଥିଲେ । ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନ ଦିଗରେ ମହାମନିଷୀମାନଙ୍କର ପ୍ରାଣପାତ ଉଦ୍ୟମ, ତ୍ୟାଗ ଓ ବଳିଦାନକୁ ସ୍ମରଣ କରି ସେମାନଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଓଡିଶାର ସମୃଦ୍ଧି ପାଇଁ କାର୍ଯ୍ୟ କରିବାକୁ ଆହ୍ୱାନ ଜଣାଇଥିଲେ ।

ଉଦ୍ବୋଧନ ଛଳରେ ମୁଖ୍ୟ ଅତିଥି ମନ୍ତ୍ରୀ ଶ୍ରୀ ପାତ୍ର କହିଥିଲେ ଯେ ମାଆ ହେଉଛି ଆମର ପରିଚୟ ଏବଂ ମାତୃଭୂମି ଓଡିଶା ଆମର ମାଆ ଓ ଓଡିଶା ଦିବସ ହେଉଛି ପ୍ରତ୍ୟେକ ଓଡିଆ ପାଇଁ ସ୍ପର୍ଦ୍ଧା, ସ୍ୱାଭିମାନ ଏବଂ ଅସ୍ମିତାର ପ୍ରତୀକ । ଓଡିଶା ଦିବସ ପ୍ରତ୍ୟେକ ଓଡିଆକୁ ଏହାର ସଂସ୍କୃତି, ଐତିହ୍ୟ ଓ ପରଂପରାର ସୁରକ୍ଷା ଦେବା ପାଇଁ ପ୍ରେରଣା ଯୋଗାଇବ । ମାତୃଭୁମି ଓ ମାତୃଭାଷା ପ୍ରତି ମମତା ରଖିଲେ ଓଡିଆ ଜାତି ଉନ୍ନତିର ଚରମ ସୀମାରେ ପହଂଚିପାରିବ ବୋଲି ସେ ମତବ୍ୟକ୍ତ କରିଥିଲେ । ଓଡିଶାର ପ୍ରାଚୀନ ସଂସ୍କୃତି, ଗୌରବଜ୍ଜ୍ୱଳ ପରମ୍ପରା ଓ ଐତିହ୍ୟ ସଂପର୍କରେ ଅବତାରଣା କରି ସେଥିରୁ ପ୍ରତ୍ୟେକ ଓଡିଆ ଶିକ୍ଷାଲାଭ କଲେ ଓଡିଶାର ବିକାଶ ହୋଇପାରିବ । ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନରେ କେନ୍ଦୁଝର ଜିଲ୍ଲାର ଅବଦାନକୁ ସ୍ମରଣ କରାଇଦେବା ସହିତ ସ୍ୱାଧିନତା ପରେ ଓଡିଶାର ପ୍ରଗତିର ଚିତ୍ର ଉପସ୍ଥାପନ କରିଥିଲେ ଏବଂ ଓଡିଶାରେ ଥିବା ପ୍ରତିଭା, ଦକ୍ଷତା ଓ ପ୍ରାକୃତିକ ସଂପଦର ସୁବିନିଯୋଗ କରିବାକୁ ମନ୍ତ୍ରୀ ଶ୍ରୀ ପାତ୍ର ଆହ୍ୱାନ ଜଣାଇଥିଲେ । ଜିଲ୍ଲା ତଥା ରାଜ୍ୟର ବିକାଶ ପାଇଁ ଜିଲ୍ଲାବାସୀ ନିଜ ଭିତରେ ଆତ୍ମବିଶ୍ୱାସ ଓ ଦୃଢ ଇଚ୍ଛାଶକ୍ତି, ଦୃଢ ମନୋବଳ ରଖିବାକୁ ମନ୍ତ୍ରୀ ଶ୍ରୀ ପାତ୍ର ଜିଲ୍ଲାବାସୀଙ୍କୁ ନିବେଦନ କରିଥିଲେ । ଏତଦ୍ବ୍ୟତୀତ ଓଡିଶାର ସାମଗ୍ରିକ ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ରାଜ୍ୟ ସରକାର ଗ୍ରହଣ କରିଥିବା ପଦକ୍ଷେପ ଏବଂ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଜନହିତକାରୀ ଯୋଜନା ସଂପର୍କରେ ଅବତାରଣା କରିଥିଲେ । କେନ୍ଦୁଝର ଜିଲ୍ଲା ସଦର ମହକୁମାରେ ଶହୀଦ ସ୍ତମ୍ବ ନିର୍ମାଣ କରାଗଲେ ଏହା ରାଜ୍ୟ ତଥା ଦେଶ ନିର୍ମାଣରେ ଅଙ୍ଗୀକାରବଦ୍ଧ ହେବା ନିମନ୍ତେ ଜନସାଧାରଣଙ୍କୁ ପ୍ରେରଣା ଯୋଗାଇବ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଥିଲେ । ଜିଲ୍ଲାପାଳ ଡ଼ଃ ଏନ୍. ତିରୁମାଲା ନାୟକ ନିଜ ଅଭିଭାଷଣରେ ଜିଲ୍ଲାବାସୀଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇବା ସହିତ କେନ୍ଦୁଝର ଜିଲ୍ଲା ସହିତ ଓଡିଶାର ସମ୍ମୁଜ୍ଜଳ ଭବିଷ୍ୟତ ପାଇଁ ସମସ୍ତେ ଅଙ୍ଗୀକାରବଦ୍ଧ ହୋଇ କାର୍ଯ୍ୟ କରିବାକୁ ଆହ୍ୱାନ ଜଣାଇଥିଲେ । ଯେଉଁ ଯୋଗଜନ୍ମା ଜନନାୟକମାନେ ସ୍ୱତନ୍ତ୍ର ଉକ୍ରଳ ପ୍ରଦେଶ ଗଠନ ପାଇଁ ଅବଦାନ ରଖିଥିଲେ ସେମାନଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ କାର୍ଯ୍ୟ କଲେ ଓଡିଶାର ମର୍ଯ୍ୟାଦା ଓ ଗୌରବ ବୃଦ୍ଧି ପାଇବ ବୋଲି କହିଥିଲେ । କେନ୍ଦୁଝର ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନ ଓ କଲ୍ୟାଣମୂଳକ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇ ଜିଲ୍ଲାକୁ ଆଗେଇ ନେବା ନିମନ୍ତେ ଜିଲ୍ଲାବାସୀଙ୍କର ସକ୍ରିୟ ସହଯୋଗ କାମନା କରିଥିଲେ ।

ଓଡିଶା ଦିବସକୁ ସକଳ୍ପ ଓ ଅନୁଚିନ୍ତାର ଦିବସ ଭାବେ ଅଭିହିତ କରି ଆଗାମୀ ଦିନରେ ଓଡିଶା ଦିବସ ଅବସରରେ ବ୍ୟାପକ କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବେ ଯୋଗଦେଇ ଜିଲ୍ଲାପରିଷଦ ଅଧ୍ୟକ୍ଷା ଶାରୀଲତା ପୃଷ୍ଟି ଉଦ୍ବୋଧନ ଛଳରେ ଓଡିଆ ଜାତିର ପୁରୁବ ଗୌରବ ପୁରୁବ ମହିମାକୁ ସ୍ମରଣ କରିବା ସହିତ ଓଡିଶାର ଗାରିମାକୁ ଋଦ୍ଧିମନ୍ତ କରିବାକୁ ପ୍ରତ୍ୟେକ ଓଡିଆ ଚିନ୍ତା କରିବା ଦରକାର ବୋଲି କହିଥିଲେ । ସରକାରଙ୍କର ବିଭିନ୍ନ ଯୋଜନା ଲୋକମାନଙ୍କ ନିକଟରେ ପହଂଚାଇବାରେ ସମସ୍ତଙ୍କର ଅବାଦନ ରହିଲେ ସାଧାରଣ ଲୋକଙ୍କ ମନରେ ହସ ଫୁଟି ପାରିବ ବୋଲି କହିଥିଲେ । ଅନ୍ୟତମ ସମ୍ମାନିତ ଅତିଥି କେନ୍ଦୁଝର ଉପଜିଲ୍ଲାପାଳ ପୂର୍ଣ୍ଣଚନ୍ଦ୍ର ମିଶ୍ର ଭାଷଣ ପ୍ରସଙ୍ଗରେ ସ୍ୱତନ୍ତ୍ର ଉକ୍ରଳ ପ୍ରଦେଶ ଗଠନର ଇତିବୃତି ସଂପର୍କରେ ଆଲୋକପାତ କରି ପ୍ରତ୍ୟେକ ଓଡିଆ ନିଜ ନିଜର ଆଚରଣରେ, ଉଚ୍ଚାରଣରେ ଓଡିଆ ପ୍ରତି, ଓଡିଶା ପ୍ରତି ମମତା ରଖିବାକୁ ନିବେଦନ କରିଥିଲେ । ପ୍ରତ୍ୟେକ ଓଡିଆ ଓଡିଆ ଭାବେ ଗର୍ବ କରିବାକୁ ସେ ଆହ୍ୱାନ ଜଣାଇଥିଲେ । ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀ ସଂଜୀବ ବାରିକ ସ୍ୱାଗତ ଭାଷଣ ଦେବା ସହ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା ।

ପରେ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ସଭା ପ୍ରାରମ୍ଭରେ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଓଡିଶାର ବରପୁତ୍ର ମାନଙ୍କୁ ପୁଷ୍ପାର୍ଘ୍ୟ ଅର୍ପଣ କରାଯାଇଥିଲା । ଏହି ସମାରୋହରେ ବିଭିନ୍ନ ବିଭାଗୀୟ ଅଧିକାରୀ, କର୍ମଚାରୀ, ଗଣମାଧ୍ୟମର ପ୍ରତିନିଧି, ବୁଦ୍ଧିଜୀବୀ, ବରିଷ୍ଠ ନାଗରିକ, ଶିକ୍ଷାବିତ୍, ଛାତ୍ରଛାତ୍ରୀ ଓ ସମାଜର ବିଭିନ୍ନ ବର୍ଗର ଲୋକ ଉପସ୍ଥିତ ଥିଲେ । ଓଡିଶା ଦିବସ ପାଳନ ଅବସରରେ ପ୍ରତୁ୍ୟଷରୁ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ବିଭାଗ ଆନୁକୂଲ୍ୟରେ ସହରରେ ଉକ୍ରଳ ବନ୍ଦନା ପ୍ରଚାର କରାଯାଇଥିଲା । ସକାଳେ ସ୍ଥାନୀୟ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ରଭାତଫେରୀ ଅନୁଷ୍ଠିତ ହୋଇଥିଲା । ସହରରେ ଅବସ୍ଥାପିତ ମହାପୁରୁଷମାନଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ଅପରାହ୍ନରେ ନଗରଭବନଠାରେ ଏକ କବିତା ପାଠୋତ୍ସବ ଆୟୋଜିତ ହୋଇଥିଲା । ପରେ ପରେ କୌତୁକବେଶ ପୋଷାକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ କେଶରୀ ସ୍ୱାଇଁ ପ୍ରତ୍ୟେକ ତତ୍ୱାବଧାନରେ ଜିଲ୍ଲାସ୍ତରୀୟ ଓଡିଶା ଦିବସ ସମାରୋହର ବିଭିନ୍ନ କାର୍ଯ୍ୟକ୍ରମ ଶୃଙ୍ଖଳିତ ଭାବେ ସମାପିତ ହୋଇଥିଲା ।

Share in top social networks!