ସ୍ୱୟଂ ସହାୟକ ଗୋଷ୍ଠୀକୁ ହାତପାଣ୍ଠି ଖର୍ଚ୍ଚ ପ୍ରଦାନ

bmccଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଆଜି ୨୩ ଗୋଟି ସ୍ୱୟଂ ସହାୟକ ଗୋଷ୍ଠୀକୁ ସହାୟତା ରାଶି ପ୍ରଦାନ କରାଯାଇଛି । ବିଏମସି ମେୟର ଅନନ୍ତ ନାରାୟଣ ଜେନା ନିଗମ ସମ୍ମିଳନୀ କକ୍ଷରେ ଗୋଷ୍ଠୀ ଏହିସବୁ ଚେକ୍ ପ୍ରଦାନ କରିଛନ୍ତି । ସ୍ୱୟଂ ସହାୟକ ଗୋଷ୍ଠୀଗୁଡିକ ଏହି ହାତପାଣ୍ଠିକୁ ଉପଯୋଗ କରି ପାମ୍ପଡ, ବଡି, ମହମବତୀ ଇତ୍ୟାଦି ପ୍ରସ୍ତୁତ କରି ଆର୍ଥିକ ସ୍ୱାବଲମ୍ବୀ ହୋଇ ପାରିବେ ବୋଲି ମେୟର କହିଛନ୍ତି । ସ୍ୱୟଂ ସହାୟକ ଗୋଷ୍ଠୀ ଏହି ସହାୟତା ରାଶିକୁ ସୁବିନିଯୋଗ କରି ପାରିଲେ, ବ୍ୟବସାୟ ବୃଦ୍ଧି କରିବା ପାଇଁ ଦୁଇ ଲକ୍ଷରୁ ଦଶ ଲକ୍ଷ ଟଙ୍କାଯାଏଁ ଲୋନ୍ ପ୍ରଦାନ କରାଯିବ । ଏସ୍ଏଚ୍ଜି ମାନେ ହାତପାଣ୍ଠିକୁ ସୁବିନିଯୋଗ କରି ପାରିଲେ ନିଜର ବିକାଶ ସହ ରାଜ୍ୟର ସାମଗ୍ରୀକ ବିକାଶରେ ସାମିଲ ହୋଇ ପାରିବେ ବୋଲି ମେୟର କହିଥିଲେ । ସୂଚନାଯୋଗ୍ୟ ଯେ, ଜାତୀୟ ସହରାଂଚଳ ଜୀବିକା ମିଶନ ଅଧିନରେ ଥିବା ବିଏମସି ସେଲ୍ ପକ୍ଷରୁ ସହରାଂଚଳ ଗରୀବଙ୍କ ପାଇଁ ଆଥିର୍କ ସହାୟତା ପ୍ରଦାନ କରାଯିବା ସହ ସେମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ତାଲିମ ପ୍ରଦାନ କରାଯାଉଛି ।

ସେହିପରି ଅନ୍ୟଏକ କାର୍ଯ୍ୟକ୍ରମରେ ବିଏମସି ଅଂଚଳରେ ପୂର୍ବରୁ କାର୍ଯ୍ୟରତ ମଇଳା ସଫେଇ କର୍ମଚାରୀମାନଙ୍କୁ ପରିଚୟ ପତ୍ର ପ୍ରଦାନ କରାଯାଇଛି । ବିଏମସି ମେୟର ଏହି ପରିଚୟ ପତ୍ର ପ୍ରଦାନ କରି କହିଲେ, ମଇଳା କର୍ମଚାରୀମାନେ ଏଣିକି ସରକାରଙ୍କ ବିଭିନ୍ନ ଆର୍ଥିକ ଯୋଜନାର ଅଂଶୀଦାର କରାଇବା ସହ ଲୋନ୍ ଉଠାଣରେ ଏହି ପରିଚୟ ପତ୍ର ସହାୟକ ହୋଇପାରିବ । ସମୁଦାୟ ୫୬ ଜଣ ହିତାଧିକାରୀଙ୍କୁ ଏହି ପରିଚୟ ପତ୍ର ପ୍ରଦାନ କରାଯାଇଥିବା ବେଳେ ଆଗାମୀ ଦିନରେ ଅଧିକ ସଂଖ୍ୟକ ହିତାଧିକାରୀଙ୍କ ଏଭଳି ପରିଚୟ ପତ୍ର ପ୍ରଦାନ କରାଯିବ । ସୂଚନାଯୋଗ୍ୟ ଯେ, ଭାରତ ସରକାର ମାନବୀୟ ମଇଳା ସଫା କାର୍ଯ୍ୟକୁ ବେଆଇନ ଘୋଷଣା କରିବା ପରେ ଏହିସବୁ କର୍ମଚାରୀଙ୍କ ଆର୍ଥିକ ଥଇଥାନ ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନାରେ ସାମିଲ କରାଯାଉଛି । ଭାରତ ସରକାରଙ୍କ ସାମାଜିକ ସୁରକ୍ଷା ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟରତ ଜାତୀୟ ସଫେଇ କର୍ମାଚାରୀ ଆର୍ଥିକ ବିକାଶ ନିଗମ ପକ୍ଷରୁ ଏଭଳି କର୍ମଚାରୀଙ୍କୁ ି ଆର୍ଥିକ ସହାୟତା ଏବଂ ଲୋନ୍ ପ୍ରଦାନ କରିବା ନେଇ ସୁଯୋଗ ରହିଛି ।
ଆଜିର କାର୍ଯ୍ୟକ୍ରମରେ ଡେପୁଟି ମେୟର କେ.ଶାନ୍ତିଙ୍କ ସମେତ ଅନ୍ୟାନ୍ୟ କର୍ପୋରେଟ, ଅତିରିକ୍ତ କମିଶନର ଆଲୋକ କର, ଡେପୁଟି କମିଶନର ଶ୍ରୀମନ୍ତ ମିଶ୍ର ପମୁଖ ଉପସ୍ଥିତ ଥିଲେ ।

Share in top social networks!