ରାଜ୍ୟସ୍ତରୀୟ ଯକ୍ଷ୍ମା ଦିବସ ପାଳିତ; ରାଜ୍ୟକୁ ଯକ୍ଷ୍ମାମୁକ୍ତ କରିବା ଉପରେ ଗୁରୁତ୍ୱ

tbdayଖାଲି କାଗଜ କଲମରେ ଯକ୍ଷ୍ମା କମିଛି କମି ସୀମିତ ରହିଗଲେ ହେବନି । ତୃଣମୂଳସ୍ତରରେ ବାସ୍ତବରେ କାର୍ଯ୍ୟକ୍ରମ କେତେ ସଫଳ ହେଉଛି । ରୋଗୀଙ୍କ ପାଖରେ ସୁବିଧା ସୁଯୋଗ ପହଂଚୁଛି ନା ନାହିଁ ଏହା ଉପରେ ଗୁରୁତ୍ୱ ଦିଆଯିବା ଦରକାର ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ତଥା ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି ।
ସ୍ଥାନୀୟ ଆଇଏମ୍ଏ ହାଉସ ପରିସରରେ ଆୟୋଜିତ ‘ବିଶ୍ୱ ଯକ୍ଷ୍ମା ଦିବସ’ ସମ୍ପର୍କୀତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ନାୟକ କହିଲେ କେବଳ କାଗଜପତ୍ରରେ ଦର୍ଶାଗଲେ ଚଳିବନି । ଏପରି ହେବା ଅନୁଚିତ । ମନ୍ତ୍ରୀ ଶ୍ରୀ ନାୟକ ଯକ୍ଷ୍ମାରୋଗ ନିରାକରଣ ନେଇ କାମ କରୁଥିବା ସଂସ୍ଥାଗୁଡିକୁ ଆହ୍ୱାନ ଦେଇ କହିଲେ, ଘରୋଇ ହେଉ ଅବା ସରକାରୀ ସଂସ୍ଥା ସମସ୍ତେ ମିଳିମିଶି ଯକ୍ଷ୍ମା ନିୟନ୍ତ୍ରଣ ଦିଗରେ କାମ କରିବା ଉଚିତ । ଯେଉଁମାନେ କାମ କରୁଛନ୍ତି, ଠିକ୍ ଅଛି । ସେମାନଙ୍କୁ ସରକାର ମଧ୍ୟ ସମ୍ମାନିତ କରୁଛନ୍ତି । ସେମାନଙ୍କୁ ସରକାର ସମସ୍ତ ପ୍ରକାର ସହାୟତା ଦେବାକୁ ପ୍ରସ୍ତୁତ ମଧ୍ୟ । ଆଉ ଯେଉଁମାନେ ଏଥିରେ ଅବହେଳା କରୁଛନ୍ତି ସେମାନେ ନିଜକୁ ସଜାଡି ଠିକଣା ଢଙ୍ଗରେ କାର୍ଯ୍ୟ କରନ୍ତୁ । ଖାସ୍ କରି ରୋଗୀ ଚିହ୍ନଟ ଓ ରୋଗ ନେଇ ସଚେତନତା ସୃଷ୍ଟି ଦିଗରେ କାର୍ଯ୍ୟ କରନ୍ତୁ । ଏହା ହୋଇ ପାରିଲେ, ୨୦୨୫ ପୂର୍ବରୁ ଯକ୍ଷ୍ମାରୋଗ ନିୟନ୍ତ୍ରଣ ପାଇଁ ଯେଉଁ ଲକ୍ଷ୍ୟ ରଖାଯାଇଛି ତାହା ସମ୍ଭବ ହୋଇପାରିବ । ନଚେତ ଏମିତି ସରକାର ଯେତେ ଯୋଜନା କଲେ, ମଧ୍ୟ ଏହାର କିଛି ଫାଇଦା ନାହିଁ । ଏହି ଅବସରରେ ସ୍ୱାସ୍ଥ୍ୟସେବା ନିଦେ୍ର୍ଦଶକ ଡା.ଚିତରଞ୍ଜନ ନାୟକ, ସ୍ୱାସ୍ଥ୍ୟସେବା ଯୁଗ୍ମ ନିଦେ୍ର୍ଦଶିକା (ଟିବି) ଡା.ସଂଯୁକ୍ତା ସାହୁ ଦେଶ ଓ ରାଜ୍ୟର ଟିବିରୋଗ ସ୍ଥିତି ନେଇ ସୂଚନା ଦେଇଥିଲେ । ରାଜ୍ୟର ମୟୂରଭଞ୍ଜ ଓ ରାୟଗଡା ଜିଲ୍ଲାରେ ଏବେ ବି ଅଧିକ ରୋ୍ଗୀ ରହିଥିବାର ଶ୍ରୀମତୀ ସାହୁ ସୂଚନା ଦେଇଥିଲେ । କାର୍ଯ୍ୟକ୍ରମରେ ଅନ୍ୟାମନଙ୍କ ମଧ୍ୟରେ ଆଇଏମ୍ଏର ସଭାପତି ମନୋରଞ୍ଜନ ପଟ୍ଟନାୟକ ଓ ଜନସ୍ୱାସ୍ଥ୍ୟ ନିଦେ୍ର୍ଦଶକ ଡା. କୈଳାସ ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଟିବି ଓଡିଶା ବାର୍ଷିକ ରିପୋର୍ଟ ଉନ୍ମୋଚିତ କରିଥିଲେ ।

Share in top social networks!