ତୈଳ ମନ୍ତ୍ରୀ ଶ୍ରୀ ପ୍ରଧାନ ଓ ସଂସ୍କୃତି ମନ୍ତ୍ରୀ ମହେଶ ଶର୍ମାଙ୍କ ଉପସ୍ଥିତିରେ ଶ୍ରୀମନ୍ଦିର ମରାମତି କାର୍ଯ୍ୟର ସମୀକ୍ଷା

mahatabପୁରୀ ଶ୍ରୀମନ୍ଦିରରେ ଚାଲିଥିବା ଆର୍କୋଲଜିକାଲ ସର୍ଭେ ଅଫ ଇଣ୍ଡିଆ ଦ୍ୱାରା ପରିଚାଳିତ
ସଂରକ୍ଷଣ ଓ ମରାମତି କାର୍ଯ୍ୟର ସମୀକ୍ଷା ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଛି । କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ
ଧର୍ମେନ୍ଦ୍ର ପ୍ରଧାନ ତଥା କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଡ. ମହେଶ ଶର୍ମାଙ୍କ ଉପସ୍ଥିତିରେ ହୋଇଥିବା ଏହି ବୈଠକରେ ସାଂସଦ
ପିନାକୀ ମିଶ୍ର, ଭର୍ତୃହରି ମହତାବ ଓ ପ୍ରଭାସ କୁମାର ସିଂଙ୍କ ସମେତ ଏଏସଆଇର ମହାନିର୍ଦେଶକ ଓ ବରିଷ୍ଠ ଅଧିକାରୀ ମାନେ
ଉପସ୍ଥିତ ଥିଲେ ।
ଏହି ବୈଠକରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଶ୍ରୀ ପ୍ରଧାନ ଶ୍ରୀମନ୍ଦିର ମରାମତି କାର୍ଯ୍ୟର ମନ୍ଥର ଗତି ଓ ଭକ୍ତଙ୍କ ଅସୁବିଧା ନେଇ
ଉଦବେଗ ପ୍ରକାଶ କରିଥିଲେ । ଲୋକଙ୍କ ଭାବନାକୁ ସମ୍ମାନ ଦେଇ ଶ୍ରୀମନ୍ଦିର ସହିତ ସଂଶ୍ଲିଷ୍ଟ ଓଡିଆ ଶିଳ୍ପୀକୂଳର ଅଭିଜ୍ଞତା ଓ ଜ୍ଞାନକୁ
ମନ୍ଦିର ମରାମତି କାର୍ଯ୍ୟରେ ଲଗାଇବା ପାଇଁ ଶ୍ରୀ ପ୍ରଧାନ ପରାମର୍ଶ ଦେଇଥିଲେ । ଓଡିଶାର ଶିଳ୍ପୀ ମାନଙ୍କର ମନ୍ଦିର ନିର୍ମାଣ କଳାରେ
ନିପୁଣତା ରହିଛି । ଜଗନ୍ନାଥ ମନ୍ଦିରର ରକ୍ଷଣା ବେକ୍ଷଣରେ ଏହ ସ୍ଥାନୀୟ ଶିଳ୍ପୀ ମାନଙ୍କର ବ୍ୟବହାର କରାଗଲେ ମନ୍ଦିରର ରକ୍ଷଣା
ବେକ୍ଷଣ ସ୍ଥାନୀୟ ପରମ୍ପରା ଆଧାରରେ ଆଗକୁ ବଢି ପାରିବ ବୋଲି ଶ୍ରୀ ପ୍ରଧାନ କହିଥିଲେ ।
ଏହି ବୈଠକରେ ପୁରୀ ସାଂସଦ ପିନାକୀ ମିଶ୍ର ଅଧିକ ପାରଦର୍ଶିତା ସହିତ କାର୍ଯ୍ୟର ପ୍ରଗତି ଓ ଶେଷ ହେବା ସମୟ ସ୍ଥାନୀୟ ଲୋକଙ୍କୁ
ଅବଗତ କରାଇ ସେମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ପରାମର୍ଶ ଦେଇଥିଲେ ।
କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଡ ମହେଶ ଶର୍ମା ଓ ଏଏସଆଇର ଅଧିକାରୀ ମାନେ ଏହି ପରାମର୍ଶ ଆଧାରରେ ଆଗାମୀ
କାର୍ଯ୍ୟପନ୍ଥା ସ୍ଥିର କରିବାକୁ ରାଜି ହୋଇଥିଲେ । ଶ୍ରୀ ଶର୍ମା ବୈଠକରେ ଉପସ୍ଥିତ ସମସ୍ତଙ୍କୁ ଆଶ୍ୱସ୍ତ କରି କହିଥିଲେ ଯେ ମନ୍ଦିରର
ଢାଂଚା ସୁରକ୍ଷିତ ଅଛି । ଏହାର ସୁରକ୍ଷା ଓ ମରାମତି କାର୍ଯ୍ୟ ନିର୍ଦିଷ୍ଟ ସମୟସୀମା ମଧ୍ୟରେ ଏଏସଆଇ ପୂର୍ଣ କରିବ । ଶ୍ରୀ ଶର୍ମା
କହିଥିଲେ ଯେ ଆଇଆଇଟି ଚେନ୍ନାଇ ତରଫରୁ ମନ୍ଦିରର ଢାଂଚାଗତ ସୁରକ୍ଷା ଓ ଅନ୍ୟାନ୍ୟ ବିଷୟ ନେଇ ଅଧିକ ଅନୁଧ୍ୟାନ
କରାଯାଉଛି ।
ଏହି ସବୁ ବିଷୟକୁ ନେଇ ପୁରୀ ଠାରେ ସବୁ ପକ୍ଷଙ୍କ ଉପସ୍ଥିତିରେ ଉପଯୁକ୍ତ ସମୀକ୍ଷା କରାଯିବ ବୋଲି ମନ୍ତ୍ରୀ ଶ୍ରୀ ଶର୍ମା ସୂଚନା
ଦେଇଥିଲେ ।

Share in top social networks!