ରାଜ୍ୟରେ ପାନୀୟ ଜଳ କଷ୍ଟ ଖରାଦିନେ କେତେ ନଳକୂପ ଅଚଳ ହୁଏ ତାର ଶ୍ୱେତ ପତ୍ର ପ୍ରକାଶ କରିବାକୁ ଦାବି କଲା ବିଜେପି

ମୁଖ୍ୟମନ୍ତ୍ରୀ ରାଜ୍ୟର ସବୁ ସହରାଂଚଳରେ ୨୦୨୦ ସୁଦ୍ଧା ପାନୀୟ ଜଳ ଯୋଗାଇ ଦେବା ପ୍ରତିଶ୍ରୁତିକୁ କଟୁ ସମାଲୋଚନା କରିଛି ଭାରତୀୟ ଜନତା ପାର୍ଟୀ । ରାଜ୍ୟରେ ଗ୍ରୀଷ୍ଣଋତୁ ଆରମ୍ଭ ନ ହେଉଣୁ ପାନୀୟ ଜଳ କଷ୍ଟର ଚିତ୍ର ସହରାଂଚଳରୁ ଗ୍ରାମାଂଚଳ ପର୍ଯ୍ୟନ୍ତ ସ୍ପଷ୍ଟ ବାରି ହୋଇ ପଡୁଛି ବୋଲି ବିଜେପି ତରଫରୁ ଅଭିଯୋଗ କରାଯାଇଛି । ସହରାଂଚଳରେ ୨୦୨୦ ସୁଦ୍ଧା ପାନୀୟ ଜଳ ଯୋଗାଣର ପ୍ରତିଶ୍ରୁତି ମୁଖ୍ୟମନ୍ତ୍ରୀ ଦେଉଥିବା ବେଳେ ଗ୍ରାମାଂଚଳର ସବୁ ଘରେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାକୁ ସରକାରଙ୍କୁ କେତେ ବର୍ଷ ଲାଗିବ ବୋଲି ଉତର ମାଗିଛି ବିଜେପି ।

ରାଜ୍ୟର ଗ୍ରାମାଂଚଳରେ ମୋଟ ୮ ପ୍ରତିଶତ ଘରେ ପାଇପ ଯୋଗେ ପାନୀୟ ଜଳ ପହଂଚା ଯାଇଥିବା ଡିସେମ୍ବର ମାସରେ ସରକାର ସ୍ୱୀକାର କରିଛନ୍ତି । ନଳକୂଅ ମାଧ୍ୟମରେ ରାଜ୍ୟର ଗ୍ରାମାଂଚଳରେ ପାନୀୟ ଜଳ ଯୋଗାଣ ପାଇଁ ସରକାରଙ୍କ ତରଫରୁ ମୁଖ୍ୟ ବ୍ୟବସ୍ଥା ଥିବା ବେଳେ ଅଧିକାଂଶ ନଳକୂପ ଖରାଦିନେ ଅଚଳ ହୋଇ ପଡୁଥିବା ଅଭିଯୋଗ ହେଉଛି । ରାଜ୍ୟରେ ଖରାଦିନେ କେତେ ନଳକୂପ ଅଚଳ ହୋଇ ପଡୁଛି ତାହା ରାଜ୍ୟ ସରକାର ଆସନ୍ତା ବିଧାନସଭାରେ ଶ୍ୱେତ ପତ୍ର ଆକାରରେ ପ୍ରକାଶ କରିବାକୁ ବିଜେପି ପକ୍ଷରୁ ଦାବି କରାଯାଇଛି । କେବଳ ନଳକୂପ ଖୋଳା ଯିବା ସ୍ଥାନ ପାନୀୟ ଯୋଗାଣ କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ତଥ୍ୟ ଦେଇ ରାଜ୍ୟ ସରକାର ଲୋକଙ୍କୁ ଭୁଆଁ ବୁଲାଉଛନ୍ତି ବୋଲି ବିଜେପି ତରଫରୁ ଅଭିଯୋଗ କରାଯାଇଛି ବୋଲି ରାଜ୍ୟ ମୁଖପାତ୍ର ଶ୍ରୀଯୁକ୍ତ ସଜ୍ଜନ ଶର୍ମା ପ୍ରକାସ କରିଛନ୍ତି ।

Share in top social networks!