ଆଳୁ ମୂଲ୍ୟ ବୃଦ୍ଧି ପ୍ରସଙ୍ଗ ମନ୍ତ୍ରୀ ସ୍ତରୀୟ ବୈଠକ ସରକାରଙ୍କ ଖାଉଟି ବିରୋଧୀ ଆଭିମୁଖ୍ୟକୁ ସ୍ପଷ୍ଟ କରୁଛି – ବିଜେପି

ରାଜ୍ୟରେ ଆକାଶଛୁଆଁ ଆଳୁର ଦରକୁ ନେଇ ଗ୍ରାହକ ମାନେ ହନ୍ତସନ୍ତ ହେଉଥିବା ବେଳେ ସୋମବାର ବସିଥିବା ବିଭିନ୍ନ ବିଭାଗର ମନ୍ତ୍ରୀସ୍ତରୀୟ ବୈଠକ ପରେ ରାଜ୍ୟରେ ସେଭଳି ଆଳୁ ସଙ୍କଟ ନାହିଁ ବୋଲି କହି ନିଜ ମୁଣ୍ଡରୁ ଦାୟିତ୍ୱ ଛଡାଇବାର ରାଜ୍ୟ ସରକାରଙ୍କର ପ୍ରୟାସକୁ ଭାରତୀୟ ଜନତା ପାର୍ଟୀ ତୀବ୍ର ନିନ୍ଦା କରିଛିା ସାଧାରଣ ଲୋକ ମାନେ ଖୁବ ଅଧିକ ଦରରେ ଆଳୁ କିଣିବାକୁ ବାଧ୍ୟ ହେଉଥିବା ବେଳେ ଗ୍ରାହକଙ୍କ ସମସ୍ୟା ଦୂର କରିବା ପାଇଁ କୌଣସି ପଦକ୍ଷେପ ନେବା ପରିବର୍ତେ ଏହାକୁ ଅତ୍ୟନ୍ତ ହାଲୁକା ଭାବେ ନେବାକୁ ପାର୍ଟୀ ନାପସନ୍ଦ କରିଛିା ହିଡ ମୁଣ୍ଡରେ ଚାଷୀ ଆଳୁକୁ ପାଂଚ -ଛଅ ଟଙ୍କାରେ ବିକ୍ରୀ କରିବାକୁ ବାଧ୍ୟ ହେଉଥିବା ବେଳେ ଖୋଲାବଜାରରେ ଏହା ୧୮ରୁ ୨୦ ଟଙ୍କା ପ୍ରତି କିଲୋ ଗ୍ରାମରେ ବିକ୍ରୀ କିପରି ଓ କାହିଁକି ହେଉଛି ତାର ଉତର ଦେବା ରାଜ୍ୟ ସରକାର ଦେବା ଉଚିତ ବୋଲି ବିଜେପି ପକ୍ଷରୁ କୁହାଯାଇଛି ।

ରାଜ୍ୟର ଜନସାଧାରଣ ଆଳୁର ମୂଲ୍ୟ ବୃଦ୍ଧିକୁ ନେଇ ଚିନ୍ତିତ ଥିବା ବେଳେ ରାଜ୍ୟ ସରକାରଙ୍କର ଆଳୁ ସମ୍ପର୍କରେ ମନ୍ତ୍ରୀସ୍ତରୀୟ ବୈଠକରେ କିଛି ଠୋସ ପଦକ୍ଷେପ ଗ୍ରହଣ କରି ଗ୍ରାହକ ମାନଙ୍କୁ ଉଚିତ ମୂଲ୍ୟରେ ଆଳୁ ଯୋଗାଣ କରିବାର ଆଶା କରାଯାଉଥିଲା । ମାତ୍ର ଏହି ବୈଠକରେ ଜଳବାୟୁ ଓ ଅନ୍ୟ ରାଜ୍ୟରେ ଆଳୁ ଉତ୍ପାଦନ କମ ହୋଇଥିବା କଥା କହି ସରକାର ନିଜ ଦାୟିତ୍ୱରୁ ଖସି ଯିବାକୁ ଚେଷ୍ଟା କରିଛନ୍ତି ବୋଲି ଦଳ ପକ୍ଷରୁ ଅଭିଯୋଗ କରାଯାଇଛି । ଦଳ ପକ୍ଷରୁ କୁହାଯାଇଛି ଯେଉତ୍ପାଦନ ସ୍ଥଳରେ ମୂଲ୍ୟ ଓ ପାଇକାରୀ ମୂଲ୍ୟ ମଧ୍ୟରେ ଖୁବ ଅଧିକ ଫରକ ରହିଛି । ପାଇକାରୀ ମୂଲ୍ୟ ଓ ଖୁଚୁରା ବଜାରର ମୂଲ୍ୟ ମଧ୍ୟରେ ବଡ ବ୍ୟବଧାନ ରହିଛି । ଏହାକୁ ନିୟନ୍ତ୍ରଣ କରିବାକୁ ରାଜ୍ୟ ସରକାର କାହିଁକି ପଦକ୍ଷେପ ନେଉ ନାହାନ୍ତି ବୋଲି ବିଜେପି ପ୍ରଶ୍ନ କରିଛି । ଚାଷୀକୁ ମିଳୁଥିବା ଆଳୁର ମୂଲ୍ୟ, ପାଇକାରୀ ମୂଲ୍ୟ ଓ ଖୁଚୁରା ବଜାରରେ ମୂଲ୍ୟକୁ ବିଚାରକୁ ନେଲେ ଯେ କେହି ସହଜରେ ବୁଝି ପାରିବ ଆଳୁର ମୂଲ୍ୟକୁ ଯୋଜନାବଦ୍ଧ ଭାବରେ ବଢା ଯାଇ ଖାଉଟିଙ୍କ ଠାରୁ ମୋଟା ଅର୍ଥ ଆଦାୟ କରାଯାଉଛି ବୋଲି ପାର୍ଟୀ ଅଭିଯୋଗ କରିଛି । ଖାଉଟି ମୁଣ୍ଡରେ ଲଦା ଯାଇଥିବା ଆକାଶ ଛୁଆଁ ଆଳୁ ଦରରୁ ଖାଦ୍ୟ ଯୋଗାଣ ବିଭାଗ ମନ୍ତ୍ରୀ ସଂଜୟ ଦାସବର୍ମା ମାଲେମାଲ ହେଉଛନ୍ତି ନା ସମବାୟ ଅଥବା କୃଷି ମନ୍ତ୍ରୀଙ୍କ ପକେଟ ଗରମ ହେଉଛି ତାହା ସରକାର ସ୍ପଷ୍ଟ କରିବା ଆବଶ୍ୟକ ବୋଲି ଦଳ ପକ୍ଷରୁ କୁହାଯାଇଛି । ରାଜ୍ୟ ସରକାରଙ୍କ ଖାଉଟି ବିରୋଧୀ ଆଭିମୁଖ୍ୟ ବିରୁଦ୍ଧରେ ବିଜେପି ଯେଉଁ ଆନେ୍ଦାଳନ ଆରମ୍ଭ କରିଛି ତାକୁ ତୃଣମୂଳ ସ୍ତରକୁ ନେବ ବୋଲି ବିଜେପି ପକ୍ଷରୁ ପ୍ରକାଶ କରାଯାଇଛି ବୋଲି ବିଜେପି ମୁଖ ପାତ୍ର ଶ୍ରୀଯୁକ୍ତ ଗୋଲକ ମହାପାତ୍ର କହିଛନ୍ତି ।

Share in top social networks!