ବିଜେପି ନେତାଙ୍କୁ ଅଟକ ଘଟଣା- ମୁଖ୍ୟମନ୍ତ୍ରୀଙ୍କ ଦୁର୍ବଳ ମାନସିକତା – ବିଜେପି

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲା ଗସ୍ତ ପୂର୍ବରୁ ଭାରତୀୟ ଜନତା ପାର୍ଟୀର ନେତା ଓ କାର୍ଯ୍ୟକର୍ତା ମାନଙ୍କୁ ପୋଲିସ ଦ୍ୱାରା ଅଟକ ରଖା ଯିବା ଘଟଣାକୁ ଭାରତୀୟ ଜନତା ପାର୍ଟୀ ପକ୍ଷରୁ ଦୃଢ ନିନ୍ଦା କରାଯାଇଛି । ବିଜେପି ନେତାଙ୍କୁ ଅଟକ ଘଟଣା ମୁଖ୍ୟମନ୍ତ୍ରୀଙ୍କ ଦୁର୍ବଳ ମାନସିକତାକୁ ସ୍ପଷ୍ଟ କରୁଛି ବୋଲି ପାର୍ଟୀ କହିଛି ।
ପାର୍ଟିର ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଡା ସୁରକ୍ଷା ମଧ୍ୟରେ ଗସ୍ତ କାର୍ଯ୍ୟକ୍ରମରେ ଯାଇଥାନ୍ତି । ସେ ସର୍ବଦା ପୋଲିସର ବଳୟ ମଧ୍ୟରେ ରହିଥାନ୍ତି । ତେବେ ଏହା ସତ୍ୱେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ରାତିରେ ଯେ ଭଳି ଭାବେ ବିଜେପି କର୍ମୀ ମାନଙ୍କୁ ଥାନାରେ ଅଟକ ରଖିଲା ସେଥିରୁ ପୋଲିସର ସାମର୍ଥ୍ୟ ଉପରେ ମୁଖ୍ୟମନ୍ତ୍ରୀଙ୍କ ବିଶ୍ୱାସ ନ ଥିବା ସ୍ପଷ୍ଟ ହୋଇଯାଇଛି ।
ଗତ ଅଗଷ୍ଟ ମାସରେ ସଚିବାଳୟରେ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତିନି ମାସ ମଧ୍ୟରେ ଅନୁଗୁଳ ଜିଲ୍ଲାର ବିସ୍ଥାପିତ ମାନଙ୍କର ସମସ୍ତ ସମସ୍ୟାର ସମାଧାନ ହେବ ବୋଲି କହିଥିଲେ । ଏହି ଘୋଷଣାକୁ ସାତ ମାସ ବିତିଯାଇଥିଲେ ସୁଦ୍ଧା ବିସ୍ଥାପିତ ମାନଙ୍କର ସମସ୍ୟାର ସମାଧାନ କାହିଁକି ହୋଇ ନାହିଁ ସେ ସମ୍ପର୍କରେ ଜବାବ ଦେବା ମୁଖ୍ୟମନ୍ତ୍ରୀଙ୍କ ପକ୍ଷରେ ଉଚିତ ଥିଲା ବୋଲି ଶ୍ରୀ ସାମଲ କହିଛନ୍ତି ।
ରାଜ୍ୟ ସରକାରଙ୍କ ପକ୍ଷରୁ ତାଳଚେରରେ ଥିବା ଥଇଥାନ ଅଧିକାରୀଙ୍କ କାର୍ଯ୍ୟାଳୟକୁ ବନ୍ଦ କରି ଦିଆ ଯିବା ସହିତ ସ୍ଥାୟୀ ଭୂ ଅର୍ଜନ ଅଧିକାରୀଙ୍କୁ ବର୍ତମାନ ଯାଏ ନିଯୁକ୍ତି ଦିଆ ଯାଇ ନାହିଁ । ରାଷ୍ଟ୍ରାୟତ ଉଦ୍ୟୋଗ ମାନଙ୍କ ଦ୍ୱାରା ପାରିପାଶ୍ୱିର୍କ ବିକାଶ ପାଇଁ ଦିଆଯାଇଥିବା ଅର୍ଥକୁ ଜିଲ୍ଲା ପ୍ରଶାସନ ଖର୍ଚ କରି ପାରି ନାହାନ୍ତି । ଏହା ଦ୍ୱାରା ପାନୀୟ ଜଳ ପ୍ରକଳ୍ପ ଗୁଡିକ ଅଧା ପନ୍ତରିଆ ହୋଇ ପଡି ରହିଛି ।
ଗୃହ ବିଭାଗର ଦାୟିତ୍ୱରେ ଥିବା କାରଣରୁ ଅନୁଗୁଳ ଜିଲ୍ଲାରେ ଚୋରୀ, ରାହାଜାନୀ ପରି ଘଟଣା ଗୁଡିକ ବଢୁଥିବା ବେଳେ କାହିଁକି ମୁଖ୍ୟମନ୍ତ୍ରୀ ଏହାର ସମୀକ୍ଷା କରୁ ନାହାନ୍ତି ବୋଲି ଶ୍ରୀ ସାମଲ ପ୍ରଶ୍ନ କରିଛନ୍ତି ।
ରାଜ୍ୟ ସରକାର ଅନୁଗୁଳ ଜିଲ୍ଲାରୁ କୋଟି କୋଟି ଟଙ୍କା ରାଜସ୍ୱ ନେଉଥିବା ବେଳେ ଜିଲ୍ଲାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ କାହିଁକି କୌଣସି ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କଲେ ନାହିଁ ବୋଲି ଶ୍ରୀ ସାମଲ ପ୍ରଶ୍ନ କରିଛନ୍ତି ।

Share in top social networks!