ରାଜନୈତିକ ଆକ୍ରୋଶର ଶିକାର ହୋଇଛନ୍ତି ରମେଶ: ପିସିସି ସଭାପତି

pccପୂର୍ବତନ କଂଗ୍ରେସ ବିଧାୟକ ରମେଶ ଜେନାଙ୍କ ଗିରଫଦାରୀ ଶାସକ ବିଜେଡି ଦଳର ହତାଶା ମନୋଭାବର ପ୍ରତିଫଳନ । ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ ବିଜେଡି ଦଳର ପାଦତଳୁ ମାଟି ଖସି ଯାଉଥିବା ବେଳେ ଔଷଧ ବିକଳରେ ତାଟିଆ କାମୁଡିଲା ଭଳି ଜଣେ ପୂର୍ବତନ ବିଧାୟକଙ୍କୁ ଦୁର୍ଦ୍ଦାନ୍ତ ଅପରାଧି ଭଳି ରାତି ଅଧିଆ ଗିରଫ କରାଯାଇଛି । ଏଥିରୁ ଶାସକ ବିଜେଡି ଦଳ କେତେ ପ୍ରତିହିଂସା ପରାୟଣ ହୋଇପଡିଛି ତାହା ପ୍ରମାଣିତ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲା ଏପରିକି ତାଙ୍କର ପାଖ ନିର୍ବାଚନ ମଣ୍ଡଳୀ ସାନଖେମୁଣ୍ଡିରେ କଂଗ୍ରେସ ପକ୍ଷରୁ ଆୟୋଜନ କରାଯାଇଥିବା ଜନ ଜାଗରଣ ଯାତ୍ରାକୁ ଯେଉଁଭଳି ଭାବରେ ବିପୁଳ ଜନସମର୍ଥନ ମିଳିଥିଲା ଏବଂ ସର୍ବୋପରି ସମଗ୍ର ରାଜ୍ୟରେ କଂଗ୍ରେସ ଯେଭଳି ଭାବରେ ନିଜକୁ ଲୋକମାନଙ୍କ ପାଖରେ ପହଞ୍ଚôବାକୁ ଚେଷ୍ଟା କରୁଛି ତାହାର ଗତିରୋଧ କରିବା ପାଇଁ ଏହି ଅପଚେଷ୍ଟା କରାଯାଇଛି । ଆଗାମୀ ଦିନରେ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ଥିବାରୁ ଶାସକ ଦଳ ନିଜର ଲୋକପ୍ରିୟତା ନେଇ ଆଶଙ୍କିତ ହୋଇପଡିଛନ୍ତି । ତେଣୁ ଗଞ୍ଜାମ ଜିଲ୍ଲାରେ ନିଜର ସ୍ଥିତିକୁ ମଜବୁତ କରୁଥିବା ଶ୍ରୀ ଜେନାଙ୍କୁ ନାଟକୀୟ ଢଙ୍ଗରେ ଅପରାଧୀ ଭାବେ ଚିତି୍ରତ କରିବାକୁ ହୀନ ଉଦ୍ୟମ କରାଯାଇଛି ବୋଲି ପିସିସି ସଭାପତି ଶ୍ରୀ ପ୍ରସାଦ ହରିଚନ୍ଦନ କହିଛନ୍ତି ।
ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ହରିଚନ୍ଦନ କହିଛନ୍ତି ଯେ, ସବୁବେଳେ ‘ଆଇନ୍ ତା ବାଟରେ ଯିବ’ ବୋଲି କହୁଥିବା ମୁଖ୍ୟମନ୍ତ୍ରୀ ଧଳସାମନ୍ତ ଘଟଣାରେ ନିଜ ଦଳର ନେତାମାନଙ୍କ ସଂପୃକ୍ତିର ପ୍ରମାଣ ଜଳ ଜଳ ହୋଇ ଦେଖାଯାଉଥିବା ବେଳେ, ଏ ପର୍ଯ୍ୟନ୍ତ ଚୁପ୍ ରହିବା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସେହି ନେତାମାନଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆ ନଯାଇଥିବା ବେଳେ, ନିର୍ଦ୍ଦିଷ୍ଟ ପ୍ରମାଣ ନଥାଇ ଜଣେ ପୂର୍ବତନ ବିଧାୟକଙ୍କୁ ଏଭଳି ଭାବରେ ଗିରଫ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଅପରାଧିକ ସଂପୃକ୍ତିକୁ ନେଇ ନିଜ ଦଳ ବଦନାମ ହୋଇପଡିଥିବା ବେଳେ ଘଟଣାରୁ ଧ୍ୟାନ ହଟାଇବା ପାଇଁ ଏହା ସରକାରୀ ଦଳର ଏକ ଚାଲ୍ । କୌଣସି ଅପରାଧିକ ଘଟଣାରେ ରମେଶ ଜେନାଙ୍କର ସଂପୃକ୍ତିର ପ୍ରମାଣ ଥିଲେ ପୋଲିସ ନିର୍ଦ୍ଦିଷ୍ଟ ନୋଟିସ୍ ଦେଇ ତାଙ୍କୁ ଥାନାକୁ ଡାକି ଜେରା କରିପାରିଥାନ୍ତେ । କିନ୍ତୁ ତାହା ନକରି ଯେଉଁଭଳି ଭାବରେ ରାତି ଅଧିଆ ତାଙ୍କୁ ଘରୁ ଉଠାଇ ନିଆଗଲା ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ଅମାନବିକତାର ସମସ୍ତ ସୀମା ଉଲ୍ଲଙ୍ଘନ କରାଯାଇ ତାଙ୍କ ବୁଢା ବାପାଙ୍କୁ ମଧ୍ୟ ଘରୁ ଉଠାଇ ନେବା ସହିତ ତାଙ୍କ ପରିବାରର ସଦସ୍ୟମାନଙ୍କୁ ଖରାପ ବ୍ୟବହାର ଦେଖାଇଲେ ତାହା ସରକାରଙ୍କ ରାଜନୈତିକ ପ୍ରତିହିଂସା ପରାୟଣତାକୁ ପ୍ରମାଣ କରୁଛି ।
ଯିଏ ଦୋଷୀ ସେ ଆଇନ ଅନୁଯାୟୀ ଦଣ୍ଡ ପାଇବା ଦରକାର । କିନ୍ତୁ କୌଣସି ରାଜନୈତିକ ଉଦେ୍ଦଶ୍ୟ ରଖି ପ୍ରମାଣ ନଥାଇ ଜଣଙ୍କୁ ବଦନାମ କରିବା ଏବଂ ତାଙ୍କୁ ଅପରାଧୀ ଭଳି ବ୍ୟବହାର କରିବା ଘଟଣାକୁ କେବେ ମଧ୍ୟ ବରଦାସ୍ତ କରାଯିବ ନାହିଁ । ପୋଲିସକୁ ବ୍ୟବହାର କରି ସରକାରୀ ଦଳ କଂଗ୍ରେସକୁ ଦବାଇ ଦେବାକୁ ଯେଉଁ ଅପଚେଷ୍ଟା କରୁଛି ତାକୁ କଂଗ୍ରେସ କିମ୍ବା ଓଡିଶାର ଜନସାଧାରଣ କେବେ ମଧ୍ୟ ବରଦାସ୍ତ କରିବେ ନାହିଁ । କଂଗ୍ରେସ ଆଗାମୀ ଦିନରେ ସରକାରଙ୍କ ଏହି ହୀନ ରାଜନୀତିର ଦୃଢ ପ୍ରତିବାଦ କରିବା ସହିତ ସରକାରଙ୍କ ମୁଖା ଖୋଲିବା ପାଇଁ ସାଧାରଣ ଜନତାଙ୍କ ଦରବାରକୁ ଯିବ ବୋଲି ଶ୍ରୀ ହରିଚନ୍ଦନ ଚେତାବନୀ ଦେଇଛନ୍ତି ।

Share in top social networks!