ପେନ୍ ଇନ୍ ସାହିତ୍ୟ ସଂଧ୍ୟା ୨୦୧୬; ସାହିତ୍ୟ ରଚନା ସନ୍ୟାସୀର ସାଧନା ଭଳି

peninସାହିତ୍ୟ ରଚନା ଠିକ ସନ୍ୟାସୀର ସାଧନା ଭଳି । ସନ୍ୟାସୀଟିଏର ବରଂ ଈଶ୍ୱରଙ୍କୁ ପାଇବାର ବା ମୋକ୍ଷ ଲଭିବାର ଆଶା ଥାଏ । କିନ୍ତୁ ବିନା କୌଣସି ଆଶାରେ ଲେଖକଟିଏ କଲମ ଚାଳନା ଜାରି ରଖିଥାଏ । ରାଜ୍ୟର ପ୍ରମୁଖ ସାରସ୍ବତ ଅନୁଷ୍ଠାନ ଓ ପ୍ରକାଶନ ସଂସ୍ଥା ‘ପେନ୍ ଇନ୍’ ପକ୍ଷରୁ ଆୟୋଜିତ ‘ସାହିତ୍ୟସଂଧ୍ୟା ୨୦୧୬’କୁ ଉଦ୍ଘାଟନ କରି ଏକଥା କହିଛନ୍ତି ବିଶିଷ୍ଟ କବି ପଦ୍ମଭୂଷଣ ରମାକାନ୍ତ ରଥ ।
ମଙ୍ଗଳବାର ସଂଧ୍ୟାରେ ସ୍ଥାନୀୟ ପ୍ରଦର୍ଶନୀ ପଡ଼ିଆ ଭୁବନେଶ୍ୱର ପୁସ୍ତକମେଳା ମଞ୍ଚରେ ଆୟୋଜିତ ଏହି ବର୍ଣାଢ଼୍ୟ ସମାରୋହର ଉଦ୍ଘାଟନୀ ସଭାରେ ଶ୍ରୀ ରଥ କହିଲେ ରାଜ୍ୟର ଗଣମାଧ୍ୟମଗୁଡ଼ିକ ଭାଷାର ଉନ୍ନତି, ସାହିତ୍ୟର ବିଫଳତା, ଶାସ୍ତ୍ରୀୟ ମାନ୍ୟତାର ଆବଶ୍ୟକତା ଉପରେ ପୃଷ୍ଠାପୃଷ୍ଠା ଆଲୋଚନା କରୁଥିବା ବେଳେ ପୁସ୍ତକ ଓ ଲେଖକର ପ୍ରଚାରପ୍ରସାର ପାଇଁ ସେତେଟା ଆଗ୍ରହୀ ନୁହନ୍ତି । ନୂଆ ପିଢ଼ିର ପ୍ରକାଶକମାନେ ସାହିତ୍ୟ ଓ ସାହିତି୍ୟକଙ୍କର ଯେଭଳି ପ୍ରସାର କରୁଛନ୍ତି ଏହାର ତାରିଫ କରିଥିଲେ ଶ୍ରୀ ରଥ ।
ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ବିଶିଷ୍ଟ କବି ଓ ଆଲୋଚକ ପଦ୍ମବିଭୂଷଣ ସୀତାକାନ୍ତ ମହାପାତ୍ର ‘ପେନ୍ ଇନ୍’ର ପ୍ରୟାସକୁ ପ୍ରଶାଂସା କରି କହିଥିଲେ ଯେ ତରୁଣମାନଙ୍କର ସାହିତ୍ୟ ସବୁବେଳେ ଗୁରୁତ୍ୱପୂର୍ଣ । ସାହିତ୍ୟରେ ନୂଆପିଢ଼ିର ଯୋଗଦାନର ଆବଶ୍ୟକତା ରହିଛି । ତରୁଣର କବିତା ସବୁବେଳେ ନୂତନ ସମୁଦ୍ର ସୃଷ୍ଟି କରିଥାଏ । ସାହିତ୍ୟ ପାପକୁ ବି ସ୍ବାଦିଷ୍ଟ କରିଦେଇ ପାରେ ବୋଲି ଶ୍ରୀ ମହାପାତ୍ର ମତବ୍ୟକ୍ତ କରିଥିଲେ ।
ମୁଖ୍ୟବକ୍ତା ଭାବେ ଯୋଗଦେଇ ପ୍ରସିଦ୍ଧ ଔପନ୍ୟାସିକ ଡକ୍ଟର ବିଭୂତି ପଟ୍ଟନାୟକ ନୂଆପିଢ଼ିର ପ୍ରକାଶନ ଶିଳ୍ପକୁ ସ୍ବାଗତ କରିଥିଲେ । ପୂର୍ବରୁ ପ୍ରକାଶନରେ କେବଳ କଟକ ପ୍ରକାଶକ ଗୋଷ୍ଠୀଙ୍କର ପ୍ରଭାବ ଥିଲା ଏବଂ ନୂଆ ଲେଖକଟିଏ ପ୍ରକାଶିତ ହେବା କଷ୍ଟକର ଥିଲା । ଏବେ ‘ପେନ୍ ଇନ୍’ ଭଳି ଅନୁଷ୍ଠାନମାନେ ପ୍ରବୀଣ ଲେଖକଙ୍କୁ ଛାପୁଥିବା ବେଳେ ନବୀନ ଲେଖକମାନଙ୍କୁ ମଧ୍ୟ ସୁଯୋଗ ଦେଉଛନ୍ତି । ପ୍ରକାଶନ କ୍ଷେତ୍ରରେ ବ୍ୟାପକ ପରିବର୍ତନ ଆସିଛି । ଏଭଳି ଅନୁଷ୍ଠାନମାନ ନଥିଲେ ବହୁ ଲେଖକ ଘର କୋଣରେ ଅଲୋଡ଼ା ହୋଇ ଲୁଚି ଯାଇଥାନ୍ତେ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ । ଏକଦା ସେ ଏବଂ ତାଙ୍କର ସହଯୋଗୀ ବନ୍ଧୁମାନେ ରାଜ୍ୟର ପ୍ରଥମ ବହିମେଳା ଆରମ୍ଭ କରି ପ୍ରକାଶନ ଶିଳ୍ପକୁ ନୂଆ ରାହା ଦେଇଥିବା ବେଳେ ଏବେ ବହିମେଳା ଏକ ଆନ୍ଦୋଳନର ରୂପ ନେଇଛି ବୋଲି ସେ କହିଥିଲେ । ବହି ମେଳାରେ ଲେଖକ ଓ ପାଠକଙ୍କ ମଧ୍ୟରେ ସମ୍ପର୍କ ଘନିଷ୍ଟ ହେବା ସହ ନିଜସ୍ବ ବିକ୍ରୟ କେନ୍ଦ୍ର ନଥିବା ପ୍ରକାଶକମାନଙ୍କୁ ସୁଯୋଗ ମିଳୁଛି ବୋଲି ମତ ଦେଇଥିଲେ ଶ୍ରୀ ପଟ୍ଟନାୟକ ।
ଉତ୍ସବରେ ସଭାପତିତ୍ୱ କରି ବରିଷ୍ଠ କଥାକାର ଡକ୍ଟର ଗୌରହରି ଦାସ କହିଥିଲେ ଯେ ରାଜ୍ୟରେ ଏବେ ପେନ୍ ଇନ୍ ଏବଂ ଆଉ ୪ଟି ସଂସ୍ଥା ନବ ପ୍ରକାଶନ ଆନ୍ଦୋଳନର ପଞ୍ଚସଖା ଭାବେ ଉଭା ହୋଇଛନ୍ତି । ଏମାନେ ପ୍ରକାଶନ କ୍ଷେତ୍ରରେ ବହୁ ନୂତନତା ଆଣିବା ସହ ବହିର ପ୍ରଚାର ଓ ପ୍ରସାର ପାଇଁ ଅଭିନବ ପନ୍ଥାମାନ ଆପଣେଉଛନ୍ତି । ଲେଖକଟିଏ ପ୍ରଥମ ପ୍ରକାଶକ ପାଇବା ସବୁବେଳେ କଷ୍ଟକର । ଥରେ ପ୍ରକାଶିତ ହୋଇଗଲେ, ସେ କଷ୍ଟ ଲାଘବ ହୋଇଯାଏ । ଏହି ନବ ପ୍ରକାଶକ ଗୋଷ୍ଠୀ ନୂଆ ଓ ପ୍ରତିଶ୍ରୁତି ସମ୍ପନ୍ନ ଲେଖକମାନଙ୍କୁ ଖୋଜି ଆମ ସାମନାକୁ ଆଣୁଛନ୍ତି ବୋଲି ଶ୍ରୀ ଦାସ କହିଥିଲେ । ଲେଖିବା ଏକ କଷ୍ଟକର ବ୍ୟାପାର ବୋଲି ସେ କହିଥିଲେ । ଲେଖକଟିଏ ନିଜର ସବୁ ଜଞ୍ଜାଳ ଓ ବ୍ୟସ୍ତତା ଭିତରେ ସାହିତ୍ୟ ପାଇଁ ସମୟ କାଢ଼ିଥାଏ । ଉପନ୍ୟାସ ଲେଖିବା ଅପେକ୍ଷାକୃତ ସହଜ, ଗଳ୍ପ ଆଉଟିକେ କାଠିକର ଓ କବିତା ସବୁଠୁ କଷ୍ଟକର ବୋଲି ସେ କହିଥିଲେ । ସେ ପୁଣି କହିଥିଲେ, ଉପନ୍ୟାସ ଲେଖିବା କାନ୍ଥରେ ମାଟି ଲେସିବା ଭଳି । ମାଟି ଖସିଗଲେ, ପୁଣି କେଉଁଠୁ ଆଣି ଲେସି ଦେଇହେବ । ଗଳ୍ପ ଲେଖିବା ପଥର ମୂର୍ତି ଗଢ଼ିବା ସଦୃଶ । ଟିକିଏ କେଉଁଠି ଭାଙ୍ଗିଗଲେ, ତାକୁ ପୁଣି ସଜାଡ଼ି ଦେଇ ହେବ, ଯଦିଓ ଖୁଣ ସମ୍ପୂର୍ଣ ହଟିବ ନାହିଁ । କିନ୍ତୁ କବିତା ଲେଖିବା ଠିକ ସୂକ୍ଷ୍ମ ତାରକସି କାମ ଭଳି । ସାମାନ୍ୟ ତ୍ରୁଟି ବି ସମ୍ପୂର୍ଣ କାମକୁ ବିଗାଡ଼ି ଦେଇପାରେ ବୋଲି ଶ୍ରୀ ଦାସ ମତ ରଖିଥିଲେ ।
ଏ ଅବସରରେ ପେନ୍ ଇନ୍ ପକ୍ଷରୁ ପ୍ରକାଶିତ ଆଭାସ କୁମାର ବରାଳଙ୍କ ଗଳ୍ପ ସଂକଳନ ‘ଜୀବାଣୁ ଓ ଅନ୍ୟାନ୍ୟ ଗଳ୍ପ’, ଶରତ ଚନ୍ଦ୍ର ଆଚାର୍ଯ୍ୟଙ୍କ ଅନୁବାଦ ଗଳ୍ପ ସଂକଳନ ‘କକ୍ଟେଲ୍’, ଡାକ୍ତର ଅନୀତା ପଣ୍ଡାଙ୍କ କବିତା ସଂକଳନ ‘ପ୍ରତିଲେଖ’, ଅଲେଖଚନ୍ଦ୍ର ନାଏକଙ୍କ କବିତା ସଂକଳନ ‘ତଲେଖାମୃତ’ ଓ ସୁକାନ୍ତି ରାଉତଙ୍କ ଗଳ୍ପ ସଂକଳନ ‘ଝଡ଼ ପରର ଦୃଶ୍ୟ’ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା ।
ଉଦ୍ଘାଟନୀ ଅଧିବେଶନରେ କଥାଶିଳ୍ପୀ ପ୍ରକାଶ ମହାପାତ୍ର ସ୍ବାଗତ ଭାଷଣ ଦେଇଥିବା ବେଳେ କବି ଦୁର୍ଗାପ୍ରସାଦ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।
ଦ୍ୱିତୀୟ ଅଧିବେଶନରେ ‘କବିତା ଉତ୍ସବ’ ଅନୁଷ୍ଠିତ ହୋଇଥିଲା । ଏଥିରେ କବି ସୁନୀଲ କୁମାର ପୃଷ୍ଟି ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ କବି ଶରତ ଦାଶ ମୁଖ୍ୟବକ୍ତା ରହିଥିଲେ । କବି ଜ୍ଞାନୀ ଦେବାଶିଷ ମିଶ୍ର କବିତା ଉତ୍ସବ ସଂଚାଳନ କରିଥିଲେ । ଏହି ଉତ୍ସବରେ ପ୍ରକାଶ ମହାପାତ୍ର, ଦୁର୍ଗାପ୍ରସାଦ ପଣ୍ଡା, ପବିତ୍ର ମୋହନ ଦାଶ, ଅମିୟ ରଂଜନ ମହାପାତ୍ର, ଅମରେଶ ବିଶ୍ୱାଳ, ଦୀପ୍ତିମୟୀ ପ୍ରଧାନ, ଶରତ ଚନ୍ଦ୍ର ଆଚାର୍ଯ୍ୟ, ଶକ୍ତି ମହାନ୍ତି, ସରୋଜ ବଳ, ବାଦଲ ମହାନ୍ତି, ଦେବଦତ୍ତ ପତି, ବିଜୟଲକ୍ଷ୍ମୀ ପରିଡ଼ା, ମନୋଜ ମେହେର, ଉମାକାନ୍ତ ରାଉତ, ଅମରେନ୍ଦ୍ର ମାଧବ ଦାଶ, ନରେନ୍ଦ୍ର ଭୋଇ, ଗିରୀଶ ରଂଜନ ପ୍ରମୁଖ ନିଜର କବିତା ପାଠ କରିଥିଲେ ।
‘ପେନ୍ ଇନ୍ ସାହିତ୍ୟ ଉତ୍ସବ ୨୦୧୬’ ଅବସରରେ ଖୁବ୍ ଶୀଘ୍ର ଓଡ଼ିଆରେ ଅନୂଦିତ ହେବାକୁ ଥିବା ଓଡ଼ିଶା ରାଜନୈତିକ ଦୃଶ୍ୟପଟ୍ଟକୁ ନେଇ ରଚିତ ଦିବ୍ୟ ଶତପଥୀଙ୍କ ଇଂରାଜୀ ଉପନ୍ୟାସ ‘ଦି ଡର୍ମାଣ୍ଟ ଷ୍ଟେଟ୍’ ଉପରେ ଏକ କ୍ଷୁଦ୍ର ବୃତ୍ତଚିତ୍ର ପ୍ରଦର୍ଶିତ ହୋଇଥିଲା । ଯୁବ ଉଦ୍ଘୋଷକ ଓ ସାମ୍ବାଦିକ ସନ୍ଦୀପ ମହାପାତ୍ର ଉତ୍ସବ ପରିଚାଳନା କରିଥିଲେ । ଉଭୟ ଅଧିବେଶନର ସମସ୍ତ ଅତିଥି, ଉନ୍ମୋଚିତ ପୁସ୍ତକ ଗୁଡ଼ିକର ସ୍ରଷ୍ଟା ଏବଂ କବିତା ପଢ଼ିଥିବା ସମସ୍ତ ଅତିଥିଙ୍କୁ ‘ପେନ୍ ଇନ୍’ର ନିର୍ଦେଶକ ଯୁବ କଥାଶିଳ୍ପୀ ଶୁଭ୍ରାଂଶୁ ପଣ୍ଡା ଉପଢୌକନ ଦେଇ ସମ୍ବର୍ଧିତ କରିଥିଲେ । ସାହିତ୍ୟର ପ୍ରଚାର ପ୍ରସାର ପାଇଁ ପେନ୍ ଇନ୍ ନିୟମିତ ବ୍ୟବଧାନରେ ଏଭଳି ଅଭିନବ ଉତ୍ସବମାନ ଆୟୋଜନ କରିବ ବୋଲି ଶ୍ରୀ ପଣ୍ଡା ସୂଚନା ଦେଇଥିଲେ ।