ଭୁବନେଶ୍ୱରରେ ବାଟୋଇ ସହିତ ନାସକମର ସହଯୋଗରେ “କ୍ଲାଉଡ୍‍ ଫର ବିଜନେସ୍‌” ସମ୍ମିଳନୀ

nasscomବାଟୋ‍ଇ ସହିତ ମିଳିତ ଆନୁକୂଲ୍ୟରେ NASSCOM (ନାସକମ୍‍) “କ୍ଲାଉଡ୍‍ ଫର ବିଜନେସ୍‌” ଶୀର୍ଷକର ଏକ ସମ୍ମିଳନୀ ଆୟୋଜିତ ହୋଇଛି।
ସୂଚନା ଓ ପ୍ରଯୁକ୍ତି ବିଦ୍ୟା ଶିଳ୍ପରେ କ୍ଲାଉଡ୍ ଟେକ୍ନୋଲୋଜି ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଏହା ମୌଳିକ ଭାବରେ ବ୍ୟବସାୟରେ ଖର୍ଚ୍ଚ ହେଉଥିବା ଆଇଟି ସେବା କ୍ଷେତ୍ରରେ ଆଖିଦୃଶିଆ ପରିବର୍ତ୍ତନ ଆଣିଛି। ଗୋଟିଏ କାରଣ ହେଉଛି ସହଜରେ ଆକ୍ସେସ କରିପାରିବା, ତେଣୁ କ୍ଲାଉଡ୍ କମ୍ପ୍ୟୁଟିଂ ଏସଏମଇ ଏବଂ ବଡ଼ ବଡ଼ ଶିଳ୍ପୋଦ୍ୟୋଗଗୁଡ଼ିକରେ ଲୋକପ୍ରିୟତା ହାସଲ କରିଛି। କ୍ଲାଉଡ୍ ସର୍ଭିସ୍ ବ୍ୟବହାରରେ ବ୍ୟାପକ ବୃଦ୍ଧି ସତ୍ତ୍ୱେ ବହୁ ଅନୁଷ୍ଠାନ ଏବେବି, ନିରାପତ୍ତା ଏବଂ ଗୋପନୀୟତା ଏବଂ ପରିଚାଳନାଗତ ସମସ୍ୟାର ଦ୍ୱାହି ଦେଇ କ୍ଲାଉଡ୍ ଭିତ୍ତିକ ସେବା ବ୍ୟବହାର କରିବାକୁ ପଛଘୁଞ୍ଚା ଦେଉଛନ୍ତି।
ଏହି ସମ୍ମିଳନୀରେ ମୁଖ୍ୟତଃ ଶିକ୍ଷା ଓ ନେଟୱାର୍କିଂ କାର୍ଯ୍ୟ ଉପରେ ଧ୍ୟାନ ଦିଆଯିବ। ବିଶେଷକରି ବିଭିନ୍ନ ଅନୁଷ୍ଠାନ ପାଇଁ ସ୍ୱତନ୍ତ୍ର ଭାବରେ ଡିଜାଇନ୍ କରାଯାଉଥିବା କ୍ଲାଉଡ୍ କମ୍ପ୍ୟୁଟିଂର ସମସ୍ୟାଗୁଡ଼ିକ ଜାଣିବା, କ୍ଲାଉଡ୍ କମ୍ପ୍ୟୁଟିଂ ପ୍ରକଳ୍ପର ବିଭିନ୍ନ ପର୍ଯ୍ୟାୟରେ ଅନ୍ୟ ଅଧିକାରୀମାନଙ୍କୁ ଯୋଡ଼ିବା ଏବଂ ଆଧୁନିକ କ୍ଲାଉଡ୍ କମ୍ପ୍ୟୁଟିଂ ସମାଧାନ ବିଷୟରେ ଶିକ୍ଷା କରିବାକୁ ଅନ୍ତର୍ଭୁକ୍ତ କରିବ। ଏହି ସମ୍ମିଳନୀ ଉପସ୍ଥିତ ବ୍ୟକ୍ତିବିଶେଷଙ୍କୁ କ୍ଲାଉଡ୍ କମ୍ପ୍ୟୁଟିଂର ପ୍ରକୃତ ସାମର୍ଥ୍ୟ ଭଲ ଭାବରେ ଜାଣିବାରେ ଓ ଏହା ଦ୍ୱାରା କିପରି ଅଭୂତପୂର୍ବ ସୁଯୋଗ ସୃଷ୍ଟି ହୋଇପାରିବ ବୁଝିବାରେ ସାହାଯ୍ୟ କରିବ।
ବିଶେଷଜ୍ଞମାନଙ୍କର ବକ୍ତବ୍ୟ ଓ ପ୍ୟାନେଲ ଆଲୋଚନା ମାଧ୍ୟମରେ ଉପସ୍ଥିତ ସୁଧୀବୃନ୍ଦ ବିଭିନ୍ନ ଜଟିଳ ବିଷୟ ସଂପର୍କରେ ଜ୍ଞାନଲାଭ କରିପାରିବେ। ଏହି ସମ୍ମିଳନୀର କାର୍ଯ୍ୟସୂଚୀ ଏକ ସନ୍ତୁଳିତ ସୂଚୀ ପ୍ରଦାନ କରେ ଯାହାକି ଉପସ୍ଥିତ ବ୍ୟକ୍ତିବିଶେଷଙ୍କର ସମୟ ଏବଂ ପ୍ରୟାସ ବୃଦ୍ଧି କରିବ, ସେମାନଙ୍କୁ ବ୍ୟବସାୟ କ୍ଷେତ୍ରରେ ନିଜର ବାସ୍ତବ କ୍ଷମତା ବୃଦ୍ଧି କରିବା ପାଇଁ ବିଭିନ୍ନ କୌଶଳ ପ୍ରଦାନ କରିବ।
କ୍ଲାଉଡ୍ କମ୍ପ୍ୟୁଟିଂ ସମ୍ମିଳନୀ ପ୍ରଥମ ଥର ପାଇଁ ଓଡ଼ିଶାରେ ଆୟୋଜିତ ହେଉଛି, ଯେଉଁଠାରେ ଶିଳ୍ପକ୍ଷେତ୍ରର ବିଶେଷଜ୍ଞବୃନ୍ଦ, ବ୍ୟବସାୟ ମାଲିକ, ଶିକ୍ଷାବିତ୍, ଗବେଷକ ଆଇଟି ବୃତ୍ତିଧାରୀ ଏବଂ ଆଇଟି ପ୍ରୟୋଗ କରିବା ପାଇଁ ନିଷ୍ପତ୍ତି ଗ୍ରହଣକାରୀ ସମାନ ପୃଷ୍ଠଭୂମିରେ ଏକତ୍ରିତ ହେବେ। ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ବ୍ୟକ୍ତିବିଶେଷ ଆଇଡି କର୍ମକର୍ତ୍ତାଙ୍କ ସହିତ ସଂପର୍କ ବୃଦ୍ଧି କରିବେ ଏବଂ ଶେଷ ଉପଭୋକ୍ତାଙ୍କ ସହିତ ଶିକ୍ଷା ଅଧିବେଶନରେ ଭାଗ ନେବେ, ଫଳରେ ନେଟୱାର୍କ ଅଧିକ ଅନ୍ତରଙ୍ଗ ହେବ।
ଏହି କନଫ୍ରେନ୍ସରେ ଶ୍ରୀ ନିରୂପମା ଚୌଧୁରୀ, ଆଞ୍ଚଳିକ ମୁଖ୍ୟ- ପୂର୍ବ, ନାସକମଙ୍କ ଦ୍ୱାରା ସ୍ୱାଗତ ଉଦବୋଧନ ସହିତ ଆରମ୍ଭ ହୋଇଥିଲା। ଏହା ପରେ ପରେ ବାଟୋଇର ପ୍ରତିଷ୍ଠାତା ନିର୍ଦ୍ଦେଶକ ଓ ସିଇଓ ଶ୍ରୀ ଅଶ୍ୱିନୀ କୁମାର ରଥ ପ୍ରଥମ ବକ୍ତବ୍ୟ “କ୍ଲାଉଡ୍ ଫର୍ ବିଜନେସ୍- ଚ୍ୟାଲେଞ୍ଜ ଆଣ୍ଡ୍ ଅପର୍ଚୁନିଟି” ଉପସ୍ଥାପନ କରିଥିଲେ। ଏହି ଅଧିବେଶନ ବେଶ୍ ସୂଚନାତ୍ମକ ଓ ବହୁ ମୂଲ୍ୟବାନ୍ ତଥ୍ୟ ସମ୍ବଳିତ ହୋଇଥିଲା।
ଏହା ସହିତ, ବିଭିନ୍ନ କ୍ଲାଉଡ୍ ବ୍ୟବହାର କରି ବ୍ୟବସାୟରେ ଉନ୍ନତି ଆଣିବା ଓ କମ୍ ସମୟରେ ଅଧିକ କାର୍ଯ୍ୟ ଶେଷ କରିବାର କ୍ଷମତା ବୃଦ୍ଧି କରିବା ଉପରେ ଆଲୋଚନା ଅନୁଷ୍ଠିତ ହୋଇଥିଲା। ଏହି ପ୍ୟାନେଲରେ ଶିଳ୍ପ କ୍ଷେତ୍ରର ବରିଷ୍ଠ ବୃତ୍ତିଧାରୀବୃନ୍ଦ ଯଥା ମାଇକ୍ରୋସଫ୍ଟ, ଗ୍ଲୋବାଲ୍ ସାଇନ୍, ଗବେଷକ ଏବଂ ସରକାରୀ କ୍ଷେତ୍ରର ବରିଷ୍ଠ କର୍ମକର୍ତ୍ତାବୃନ୍ଦ ଏହି ସମ୍ମିଳନୀରେ ଯୋଗ ଦେଇଥିଲେ।
ବାଟୋଇର ଶ୍ରୀ ଅଶ୍ୱନୀ କୁମାର ରଥ କହିଛନ୍ତି ଯେ ଭାରତରେ ବ୍ୟାଣ୍ଡ୍ ୱିଡଥ ଉପଲବ୍ଧତାରେ ଯଥେଷ୍ଟ ବୃଦ୍ଧି ସହିତ ଇଣ୍ଟରନେଟ୍ ମଧ୍ୟ ସହରାଞ୍ଚ ବାହାରେ କାୟାବିସ୍ତାର କରୁଥିବାରୁ କ୍ଲାଉଡ୍ କମ୍ପ୍ୟୁଟିଂ ଭାରତୀୟ ବ୍ୟବସାୟରେ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ଓ ଆଗାମୀ ବର୍ଷରେ ଅର୍ଥନୀତି କ୍ଷେତ୍ରରେ ଏକ ମହତ୍ୱପୂର୍ଣ୍ଣ ସାଧନ ହେବ।
ଶ୍ରୀ ରଥ ଆହୁରି ମଧ୍ୟ କହିଥିଲେ ଯେ, “ବିଭିନ୍ନ କ୍ଲାଉଡ୍ ପ୍ରୋଭାଇଡରଙ୍କର ନିଜସ୍ୱ ସେବା ପ୍ରଦାନର ସ୍ୱତନ୍ତ୍ର ମଡେଲ ରହିଛି। ମୁକ୍ତ ଉତ୍ସ ପ୍ରକୃତିର ବାଟୋଇ ଫ୍ରେମୱାର୍କ ଏବଂ ଏଥିରେ କମ୍ ଶିଖିବାର ଆବଶ୍ୟକତା ରହିଥିବା ଯୋଗୁଁ ଲୋକେ ଖୁବ୍ ଶୀଘ୍ର କ୍ଲାଉଡକୁ ଗ୍ରହଣ କରିବାକୁ ଆଗେଇ ଆସିବେ। ବାଟୋଇ ଏଣ୍ଟରପ୍ରାଇସ୍ ଆପ୍ସ ପ୍ଲାଟଫର୍ମ (ଇଏପି) ଆମେ ଯେଉଁ ଶୈଳୀରେ ସଫ୍ଟଓୟାର ସୃଷ୍ଟି କରୁଛୁ ଓ ବ୍ୟବହାର କରୁଛୁ ସେ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିବୁ।”
ଏହି ସମ୍ମିଳନୀରେ ୧୫୦ରୁ ଅଧିକ ବ୍ୟକ୍ତି ଅଂଶଗ୍ରହଣ କରିଥିଲେ, ସମ୍ମିଳନୀର ଅନ୍ୟାନ୍ୟ ମୁଖ୍ୟ ବିଷୟଗୁଡ଼ିକ ଥିଲା ବାଟୋଇ, ମାଇକ୍ରୋସଫ୍ଟ ଏବଂ ଗ୍ଲୋବାଲ୍ ସାଇନ୍ ତରଫରୁ ସ୍ୱତନ୍ତ୍ର ଅଫର ସହିତ ଫ୍ରି ବି ପ୍ରତିଯୋଗିତା ଓ ସୋସିଆଲ ମିଡିଆ ପ୍ରତିଯୋଗିତା।

Share in top social networks!