ପଂଚାୟତିରାଜ ଦିବସ ପୂର୍ବରୁ ସରକାରଙ୍କୁ ଉତର ମାଗିଲା ବିଜେପି

bjpodରାଜ୍ୟ ସରକାର ଅତ୍ୟନ୍ତ ଆଡମ୍ବରପୂର୍ଣ ଭାବେ ପଂଚାୟତିରାଜ ଦିବସ ପାଳନ କରୁଛନ୍ତି ସତ କିନ୍ତୁ ଅସଲରେ ତୃଣମୂଳ ସ୍ତରୀୟ ପଂଚାୟତିରାଜ ଶାସନ ବ୍ୟବସ୍ଥା କାର୍ଯ୍ୟକାରୀ ହେଉ ବୋଲି ଚାହୁଁ ନାହାନ୍ତି । ତ୍ରିସ୍ତରୀୟ ପଂଚାୟତିରାଜ ବ୍ୟବସ୍ଥାରେ ଗ୍ରାମ ଶାସନକୁ ପ୍ରମୁଖ ଗୁରୁତ୍ୱ ଦିଆଯାଇଥିବା ବେଳେ ରାଜ୍ୟ ସରକାର କ୍ଷମତା ବିକେନ୍ଦ୍ରୀକରଣ ନ କରି ସମସ୍ତ କ୍ଷମତା ନିଜ ହାତରେ ଠୁଳ କରି ରଖିଛନ୍ତି । ଅନୁସୂଚିତ ଅଂଚଳକୁ ପଂଚାୟତିରାଜ ସଂପ୍ରସାରଣ ଆଇନ (ପେସା) ୨୦୦୬ରୁ ପ୍ରଚଳନ ହୋଇଥିଲେ ସୁଦ୍ଧା ରାଜ୍ୟ ସରକାର ଅଦ୍ୟାବଧି ତାର ନିୟମାବଳୀ ପ୍ରସ୍ତୁତ କରି ନାହାନ୍ତି । ପେସା ଅଂଚଳର ଗ୍ରାମ ସଭା ଗୁଡିକ ହାତରେ ଥିବା ମହାଜନୀ ଋଣ, ଲଘୁ ବନଜାତ ଦ୍ରବ୍ୟ, ନିଶା ନିୟନ୍ତ୍ରଣ , ଭାଷା, ସଂସ୍କୃତିର ସୁରକ୍ଷା ଓ ଅନୁସୂଚିତ ଜନଜାତିଙ୍କ ଜମି ବେଆଇନ ହସ୍ତାନ୍ତରୀକରଣକୁ ରୋକିବା ପାଇଁ ଆଇନ ପ୍ରଦତ କ୍ଷମତାକୁ ରାଜ୍ୟ ସରକାର କାର୍ଯ୍ୟକାରୀ କରୁ ନାହାନ୍ତି ।
ନିର୍ବାଚିତ ପଂଚାୟତିରାଜ ପ୍ରତିନିଧିଙ୍କ ସାମର୍ଥ ଗଠନ ପ୍ରତି ଯଥୋଚିତ ଧ୍ୟାନ ଦିଆଯାଉ ନ ଥିବା ବେଳେ ଗ୍ରାମ ସଭାର ଗୁରୁତ୍ୱପୂର୍ଣ ନିଷ୍ପତିକୁ ରାଜ୍ୟ ସରକାର ପ୍ରଭାବିତ କରି ପଂଚାୟତିରାଜର ଅସଲ ଗାରିମାକୁ କ୍ଷୁର୍ଣ କରି ଚାଲିଛନ୍ତି । ରାଜ୍ୟ ସରକାର ପଂଚାୟତିରାଜ ଦିବସ ପାଳନ ଅବସରରେ ପଂଚାୟତିରାଜ ସଂସ୍ଥା ମାନଙ୍କୁ ସମ୍ବିଧାନ ଅନୁମୋଦିତ ଅଧିକାର କାହିଁକି ଦେଉ ନାହାନ୍ତି ଓ ବିନା କ୍ଷମତା ହସ୍ତାନ୍ତରୀକରଣରେ ବିଜୁଙ୍କ ସ୍ୱପ୍ନ କିପରି ସାକାର ହେବ ବୋଲି ବିଜେପି ତରଫରୁ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଯାଇଛି ।
ଲୋକସଭାରେ ଆଗତ ବଜେଟରେ ପ୍ରତି ପଂଚାୟତକୁ ୮୦ ଲକ୍ଷ ଟଙ୍କା ବିକାଶ କାର୍ଯ୍ୟ ପାଇଁ ସିଧା ସିଧା ଆସିବ । ଏହା ଛଡା ମହାତ୍ମା ଗାନ୍ଧୀ ନରେଗାରେ ସର୍ବକାଳୀନ ରେକର୍ଡ ଅର୍ଥ ବରାଦର ଫାଇଦା ପଂଚାୟତ ମାନଙ୍କୁ ମିଳିବ । ଏହି ଯୋଜନାରେ ଟଙ୍କାଟିଏ ମଧ୍ୟ ରାଜ୍ୟ ସରକାରଙ୍କୁ ଖର୍ଚ କରିବାକୁ ପଡିବ ନାହିଁ । ପଂଚାୟତକୁ ସିଧା ଅର୍ଥ ଛଡା କେନ୍ଦ୍ର ସରକାର ସମୁଦାୟ ଆଦାୟ ଟିକସର ୪୨ ଭାଗ ରାଜ୍ୟମାନଙ୍କୁ ଦେଉଥିବାରୁ ଏହା ପୂର୍ବ ୟୁପିଏ ସରକାର ତୁଳନାରେ ବହୁ ଅଧିକ ଅର୍ଥ ରାଜ୍ୟ ସରକାରଙ୍କୁ ମିଳିବ । ଏହା ଛଡା କେନ୍ଦ୍ରୀୟ ପ୍ରବର୍ତିତ ଯୋଜନା ବାବଦ ଅର୍ଥର ବ୍ୟୟବରାଦ ପଂଚାୟତ ମାନଙ୍କରେ କିପରି କରାଯାଉଛି ଓ ଏଥିରେ ନିର୍ବାଚିତ ପଂଚାୟତ ପ୍ରତିନିଧିଙ୍କୁ ଉଚିତ ଅଧିକାର ଦେବା ସମୟର ଆବଶ୍ୟକତା ବୋଲି ବିଜେପି କହିଛି ।
କେନ୍ଦ୍ରୀୟ ଯୋଜନା ବ୍ୟତୀତ ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରୁ ପଂଚାୟତ ମାନଙ୍କୁ ଗାଁ ଗଣ୍ଡାର ବିକାଶ ପାଇଁ କେତେ ଅର୍ଥ ବ୍ୟୟ କରିବେ ତାର ସ୍ପଷ୍ଟ ପରିମାଣ ଓ ଏହା କେଉଁ କେଉଁ କାମ ପାଇଁ ଉଦିଷ୍ଟ ତାହା ରାଜ୍ୟ ସରକାର ସ୍ପଷ୍ଟ କରନ୍ତୁ ବୋଲି ବିଜେପି ଦାବି କରିଛି । କେବଳ କେନ୍ଦ୍ର ସରକାରଙ୍କର ପ୍ରଦତ ଅର୍ଥକୁ ବ୍ୟୟବରାଦ କରି ବିଜେଡି ସରକାର ବାହାବା ନେବାର ପ୍ରୟାସ କରି ଆସିଛି ବୋଲି ବିଜେପି କହିଛି । ବିଜୁ ଜନତା ଦଳର ୧୬ ବର୍ଷ ଶାସନରେ ଓଡିଶା ସରକାରଙ୍କର ଅପାରଗତା କାରଣରୁ ଯେତିକି ପ୍ରଗତି ହାସଲ କରିବା କଥା ତାହା ହାସଲ କରିବାରେ ବିଫଳ ହୋଇଛି । ଜଳସେଚନର ସ୍ଥିତି ଶୋଚନୀୟ ଅବସ୍ଥାରେ ପହଂଚିଛି । ବିଧାନସଭାରରେ ଜଳ ସମ୍ପଦ ବିଭାଗ ଦାୟିତ୍ୱରେ ଥିବା ଖୋଦ ମୁଖ୍ୟମନ୍ତ୍ରୀ ସ୍ୱୀକାର କରିଛନ୍ତି ଯେ ଖରିଫ ଋତୁରେ ହୋଇଥିବା ମରୁଡି ସମୟରେ ରାଜ୍ୟର ମୋଟ ଚାଷଜମିର ୧୮ ଭାଗ ଅଂଚଳରେ ପ୍ରକୃତରେ ଜଳ ପହଂଚି ପାରିଛି । ସେଇଥି ପାଇଁ ୨୮ଟି ଜିଲ୍ଲା ମରୁଡି ପ୍ରଭାବିତ ହୋଇଛି ।
ସରକାରଙ୍କର ରାଜ୍ୟରେ ମୋଟ ୫ଟି ଶୀତଳ ଭଂଡାର କାମ କରୁଛି । ସେଇଥି ପାଇଁ ପଶ୍ଚିମ ବଙ୍ଗର ଆଳୁ ବେପାରୀ ଓ ମହାରଷ୍ଟ୍ର ର ପିଆଜ ବେପାରୀ ଓଡିଆ ଚାଷୀଙ୍କ ଅମଳକୁ ଶାଗ ମାଛ ଦରରେ କିଣି ପରବର୍ତୀ ସମୟରେ ଚଢା ଦାମରେ ଓଡିଶାର ବଜାରକୁ ଛାଡୁଛନ୍ତି । କୃଷି ଋଣ, କୃଷି ବୀମା, ଶସ୍ୟ ସଂରକ୍ଷଣର ସୁବିଧା ଓ ବଜାରର ମୂଲ୍ୟ ପାଇଁ ଓଡିଶାର ଚାଷୀ ହନ୍ତସନ୍ତ ହେଉଛି । ରାଜ୍ୟରେ ଡାକ୍ତର ବିନା ଡାକ୍ତରଖାନା, ସ୍କୁଲରେ ଶିକ୍ଷକଙ୍କ ସଂଖ୍ୟା ଓ କମ ଦରମା କାରଣରୁ ମାନ, ଲୋକଙ୍କ ଜୀବନ ଜୀବିକା ପାଇଁ ରୋଜଗାରର ସୁଯୋଗ କମ ହେବାରେ ଲାଗିଛି । ତେଣୁ ଓଡିଶାରୁ ଦାଦନ ସଂଖ୍ୟା ବଢିବାରେ ଲାଗିଛି ବୋଲି ବିଜେପି ପକ୍ଷରୁ କୁହାଯାଇଛି ।
ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ସମୀର ମହାନ୍ତି ଓ ସଜ୍ଜନ ଶର୍ମା, ଉପ ସଭାପତି ପୃଥ୍ୱୀରାଜ ହରିଚନ୍ଦ, କୃଷକ ମୋର୍ଚ୍ଚା ରାଜ୍ୟ ଉପ ସଭାପତି ସୁରଥ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ରହି ରାଜ୍ୟ ସରକାରଙ୍କଠାରୁ ଏ ସମସ୍ତ ପ୍ରଶ୍ନର ଜବାବ୍ ମାଗିଛନ୍ତି ।

Share in top social networks!