ବିଜୁବାବୁଙ୍କ ଉପରେ ଡିଜିଟାଲ୍ ପ୍ଲାଟଫର୍ମ, ସ୍ୱତନ୍ତ୍ର କ୍ୟାଲେଣ୍ଡର, ଚିତ୍ର ଏବଂ ସ୍ୱତନ୍ତ୍ର ଡାକ ଲଫାପା ଉନ୍ମୋଚିତ

bijuuuଓଡ଼ିଶାର ବରପୁତ୍ର, ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭାରତୀୟ ରାଜନୀତିର କିମ୍ବଦନ୍ତୀ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ଓଡ଼ିଶାର ପ୍ରଥମ ୱେବ୍ ଚ୍ୟାନେଲ “ଓଡ଼ିଶା ଲାଇଭ୍” ପକ୍ଷରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଉଦ୍ଘାଟିତ ହୋଇଯାଇଛି । ଏହି ଚ୍ୟାନେଲ ପକ୍ଷରୁ ଭୁବନେଶ୍ୱରରେ ଆୟୋଜିତ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭ ଉଦ୍୍ଘାଟନ କରିଛନ୍ତି ।
ପ୍ରବାଦ ପୁରୁଷ ବିଜୁବାବୁ ଥିଲେ ଜଣେ ଖାଂଟି ଓଡ଼ିଆ । ଆଜିର ସମାଜ ବିଶେଷକରି ଯୁବପିଢ଼ି ପାଇଁ ତାଙ୍କର ଆଦର୍ଶ ବେଶ୍ ପ୍ରାସଂଗିକ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହି ଜାତୀୟ ପୁରୁଷଙ୍କ ଶତବାର୍ଷିକୀ ଅବସରରେ ଓଡ଼ିଶା ଲାଇଭ୍୍ର ଏହା ଏକ ଅଭିନବ ଶ୍ରଦ୍ଧାଞ୍ଜଳି ବୋଲି ସେ ତାଙ୍କ ଭାଷଣରେ କହିଥିଲେ ।
ବିଜୁବାବୁଙ୍କ ଜନ୍ମଦିନର ଅବ୍ୟବହିତ ପୂର୍ବରୁ ମାର୍ଚ୍ଚ ୦୩ ତାରିଖ ଗୁରୁବାର ଦିନ ଓଡ଼ିଶା ଲାଇଭ୍୍ର “ଟ୍ରିବ୍ୟୁଟ୍ ଟୁ ଏ ଲିଜେଣ୍ଡ୍” କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଡିଜିଟାଲ୍ ପ୍ଲାଟଫର୍ମ “ବିଜୁପଟ୍ଟନାୟକଡଟ୍ଓଆରଜି”ର ଉନ୍ମୋଚନ କରିଥିଲେ । ଏହା ସହିତ ବଳଦେବ ମହାରାଥାଙ୍କ ଦ୍ୱାରା ପ୍ରସ୍ତୁତ ବିଜୁବାବୁଙ୍କ ଉପରେ ଚିତ୍ର ଏବଂ ବିଭିନ୍ନ ସୂତ୍ରରୁ ସଂଗୃହିତ ବିଜୁବାବୁଙ୍କ ବିରଳ ଓ ଐତିହାସିକ ଫଟୋଚିତ୍ର ଉପରେ ଆଧାରିତ ଓଡ଼ିଶା ଲାଇଭ୍ର ସ୍ୱତନ୍ତ୍ର କ୍ୟାଲେଣ୍ଡରକୁ ମୁଖ୍ୟମନ୍ତ୍ରୀ ଉନ୍ମୋଚନ କରିଥିଲେ ।
ଶତାବ୍ଦୀର ଅନ୍ୟତମ ଜନନାୟକ ତଥା ଭାରତୀୟ ରାଜନୀତିର ଜଣେ ଦୂରଦର୍ଶୀ ନେତୃତ୍ୱ ବିଜୁବାବୁଙ୍କ ଜନ୍ମ ଶତବାର୍ଷିକୀକୁ ସ୍ମରଣୀୟ କରିବା ପାଇଁ ଓଡ଼ିଶା ଲାଇଭ୍ ପକ୍ଷରୁ ଏକ ସ୍ୱତନ୍ତ୍ର ପୋଷ୍ଟାଲ୍ କଭର୍୍ ପ୍ରସ୍ତୁତ କରାଯାଇଛି । ଭାରତୀୟ ଡାକ ବିଭାଗ ଦ୍ୱାରା ଅନୁମୋଦିତ ଏହି “ସ୍ପେସାଲ୍ କଭର”କୁ ମୁଖ୍ୟମନ୍ତ୍ରୀ ଉନ୍ମୋଚନ କରିଥିଲେ । ଏହି ଅବସରରେ ଓଡ଼ିଶାର ମହାଡାକପାଳ ତିଲକ ଦେ ସ୍ପେସାଲ୍ କଭରର ଆଲ୍ବମ୍୍କୁ ମୁଖ୍ୟମନ୍ତ୍ରୀଙ୍କୁ ଅର୍ପଣ କରିଥିଲେ । ଏହି କଭର୍ରେ ବିଜୁବାବୁଙ୍କ ଜୀବନୀ ଉପରେ ସଂକ୍ଷିପ୍ତ ସୂଚନା ରହିବା ସହ ତାଙ୍କର କେତୋଟି ବିରଳ ଫଟୋ ସ୍ଥାନ ପାଇଛି । ଓଡ଼ିଶା ଲାଇଭ୍ର ଏହି ଉଦ୍ୟମକୁ ପ୍ରଶଂସା କରିବା ସହ ଭାରତୀୟ ଡାକଟିକଟପ୍ରେମୀଙ୍କ ପାଇଁ ବିଜୁବାବୁଙ୍କ ଏହି କଭର୍ ଏକ ଆକର୍ଷଣ ହେବ ବୋଲି ମହାଡାକପାଳ କହିଛନ୍ତି ।
ବିଜୁବାବୁଙ୍କ ପରି ଜଣେ ରାଷ୍ଟ୍ରନୀତିଜ୍ଞଙ୍କ ଜୀବନ ଓ ବିଚାରଧାରାକୁ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ, ବିଶେଷକରି ଯୁବପିଢ଼ିଙ୍କ ମଧ୍ୟରେ ପରିଚିତ କରିବା ପାଇଁ ଆଜିର ଡିଜିଟାଲ୍ ମିଡିଆ ଶ୍ରେଷ୍ଠ ମାଧ୍ୟମ ବୋଲି ଉଦ୍ୟମ ବୋଲି ଓଡ଼ିଶା ଲାଇଭ୍ର ପ୍ରତିଷ୍ଠାତା ତଥା ସମ୍ପାଦକ ନୀଳାମ୍ବର ରଥ କହିଥିଲେ । ବିଜୁପଟ୍ଟନାୟକଡଟ୍ଓଆରଜି ୱେବ୍ସାଇଟ୍ ମାଧ୍ୟମରେ ଏହି ମହାନାୟକଙ୍କ ଜୀବନ ଉପରେ ତଥ୍ୟ, ଲେଖା, ଫଟୋଚିତ୍ର, ଅଡିଓ ଏବଂ ଭିଡିଓ ଉପସ୍ଥାପନ କରିବାକୁ ଉଦ୍ୟମ କରାଯାଉଛି । ଆଗାମୀ ଦିନରେ ଏହା ବିଜୁବାବୁଙ୍କୁ ସ୍ମରଣ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଡିଜିଟାଲ୍ ମିଡିଆ ହେବ ବୋଲି ଶ୍ରୀ ରଥ ପ୍ରକାଶ କରିଥିଲେ । ଏହି ୱେବ୍ସାଇଟ୍ରେ ବର୍ତମାନ ଓଡ଼ିଆ ଏବଂ ଇଂରାଜୀ ଭାଷାରେ ତଥ୍ୟ ଉପସ୍ଥାପନ କରାଯାଉଥିବା ବେଳେ ଆଗାମୀ ଦିନରେ ଏହାକୁ ହିନ୍ଦୀ ଭାଷାରେ କରାଯିବା ପାଇଁ ଉଦ୍ୟମ କରାଯିବ ବୋଲି ସେ କହିଛନ୍ତି ।
ଓଡ଼ିଶା ଲାଇଭ୍ ବିଜୁ ଜନ୍ମଶତବାର୍ଷିକୀ କନ୍କ୍ଲେଭ୍ର ଅନ୍ୟତମ ଆକର୍ଷଣ ଥିଲା ବିଜୁବାବୁଙ୍କ ଉପରେ ଆଧାରିତ ବିଶେଷ ଆଲୋଚନାଚକ୍ର । ଏଥିରେ ସ୍ୱାଧୀନତାସଂଗ୍ରାମୀ ଭବାନୀ ଚରଣ ପଟ୍ଟନାୟକ, ପୂର୍ବତନ ମୁଖ୍ୟ ଶାସନ ସଚିବ ସୁଧାଂଶୁ ଭୂଷଣ ମିଶ୍ର, ବରିଷ୍ଠ ସାମ୍ବାଦିକ ବସନ୍ତ ଦାସ, ପୂର୍ବତନ ମହିଳା କମିଶନର ଅଧ୍ୟକ୍ଷା ଲୋପାମୁଦ୍ରା ମହାନ୍ତି, ଲେଖକ ନଟବର ଖୁଂଟିଆ, ବରିଷ୍ଠ ନେତା ଅମର ଶତପଥୀ, ରାଜନୀତି ବିଜ୍ଞାନୀ ପ୍ରଫେସର ସୂର୍ଯ୍ୟନାରାୟଣ ମିଶ୍ର ଏବଂ ଶିଳ୍ପବିଶେଷଜ୍ଞ ଡକ୍ଟର ଏସ୍. କେ. ତାମୋତିଆ ପ୍ରମୁଖ ଯୋଗଦେଇ ବିଜୁବାବୁଙ୍କ ବଳିଷ୍ଠ ବ୍ୟକ୍ତିତ୍ୱର ବିଭିନ୍ନ ଦିଗ ଉପସ୍ଥାପନ କରିଥିଲେ ।
ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଶିଳ୍ପ ଓ ଗଣଶିକ୍ଷା ମନ୍ତ୍ରୀ ଦେବୀପ୍ରସାଦ ମିଶ୍ର ଉଦ୍ଘାଟନୀ ସମାରୋହରେ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ଲାଇଭ୍ର ପରାମର୍ଶଦାତା କ୍ଷୀରୋଦ କୁମାର ଜେନା, ନିଦେ୍ର୍ଦଶିକା ପ୍ରଣତି ପରିଡ଼ା ଏବଂ ବିଜ୍ଞାପନ ଓ ବ୍ରାଣ୍ଡିଂ ବିଭାଗ ମୁଖ୍ୟ ସନ୍ଦୀପ ବେହେରା ଉପସ୍ଥିତ ଥିଲେ । ଏହି ସମାରୋହରେ ରାଜ୍ୟର ପ୍ରମୁଖ ରାଜନୈତିକ ବ୍ୟକ୍ତିତ୍ୱ, ବୁଦ୍ଧିଜୀବୀ, ସାମ୍ବାଦିକ ଓ ବହୁ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଏହି କନ୍କ୍ଲେଭ୍ର ବିଭିନ୍ନ କାର୍ଯ୍ୟକ୍ରମକୁ ଦେବପ୍ରସାଦ ଦାଶ ଏବଂ ଶୁଭେନ୍ଦୁ ମହାନ୍ତି ଉପସ୍ଥାପନ କରିଥିଲେ ।
ଏହି ଅବସରରେ ବରିଷ୍ଠ ଚିତ୍ରଶିଳ୍ପୀ ବଳଦେବ ମହାରଥା ଏବଂ ଇଷ୍ଟର୍ନ ପ୍ରେସ୍ଏଜେନ୍ସି (ଇପିଏ)ର ପ୍ରତିଷ୍ଠାତା ଓ ସମ୍ପାଦକ ଅନୀଲ ପ୍ରସାଦ ମିଶ୍ରଙ୍କୁ ବିଜୁବାବୁଙ୍କ ସ୍ମୃତିକୁ ଉଜ୍ଜୀବିତ କରି ରଖିବା ପାଇଁ ଓଡ଼ିଶା ଲାଇଭ୍ ପକ୍ଷରୁ ସମ୍ମାନିତ କରାଯାଇଥିଲା ।

Share in top social networks!