କେନ୍ଦ୍ରୀୟ ବଜେଟରୁ ବିକାଶ ଆଶା କରାଯାଇପାରେ-ଉକ୍ରଳ ଭାରତ

ଆଜି ଆଗତ ହୋଇଥିବା କେନ୍ଦ୍ରୀୟ ବଜେଟ ଉପରେ ପ୍ରତିକ୍ରିୟା ବ୍ୟକ୍ତ କରି ଉକ୍ରଳ ଭାରତର ସଭାପତି ମହାମେଘବାହନ ଐର ଖାରବେଳ ସ୍ୱାଇଁ କହିଛନ୍ତି ଯେ, ଦେଢ଼ ବର୍ଷ ତଳେ ମୋଦି ସରକାର କ୍ଷମତାକୁ ଆସିଲା ବେଳେ ଯେଉଁ ଯେଉଁ ପ୍ରତିଶ୍ରୁତିମାନ ଦେଇ ଆସିଥିଲେ ମୁଖ୍ୟତଃ ସେ ସବୁକୁ ପାଲନ କରିବା ପାଇଁ ଚଳିତ ୨୦୧୬-୧୭ କେନ୍ଦ୍ରୀୟ ବଜେଟରେ ବ୍ୟବସ୍ଥା କରିଛନ୍ତି । ନରେନ୍ଦ୍ର ମୋଦି ଦିଲ୍ଲୀର ଲୋକ ହୋଇନଥିବାରୁ ଅଟଳ ବିହାରୀ ବାଜପେୟୀଙ୍କ ପରି ଲକ୍ଷ୍ୟ ପୂରଣ ଦିଗରେ କ’ଣ କରିବାକୁ ହେବ ସେଥିପାଇଁ ମୂଳରୁ ସ୍ଥିରନିଶ୍ଚିତ ନଥିଲେ । ସେଥିପାଇଁ ତାଙ୍କୁ ଗରିବ ବିରୋଧୀ ଓ ଶିଳ୍ପପତିଙ୍କ ସରକାର ବୋଲି ବିରୋଧୀମାନେ ଉପସ୍ଥାପିତ କରିଥିଲେ । ଚଳିତ ବଜେଟରେ ଏହି ସରକାରକୁ ବଦନାମରୁ ରକ୍ଷା ପାଇବା ପାଇଁ ସବୁ ପ୍ରକାର ଉଦ୍ୟମ ଅର୍ଥମନ୍ତ୍ରୀ କରିଛନ୍ତି । କୃଷିକ୍ଷେତ୍ରରେ ଜଳସେଚନ ପ୍ରକଳ୍ପମାନଙ୍କୁ ଶିଘ୍ର ସମାପ୍ତ କରିବା ପାଇଁ ବିପୁଳ ଅର୍ଥରାଶି ଦେବା, ଭୂତଳଜଳ ସଂରକ୍ଷଣ ପାଇଁ ବ୍ୟବସ୍ଥା କରିବା ତଥା ଚାଷୀମାନଙ୍କୁ ପ୍ରାକୃତିକ ବିପର୍ଯ୍ୟୟ ବେଳେ ଅଧିକ କ୍ଷତିପୂରଣ ଦେବା ଏବଂ କୃଷକ ଆତ୍ମହତ୍ୟାକୁ ରୋକିବା ପାଇଁ ୫୫,୦୦ କୋଟି ଟଙ୍କାର ଫସଲ ବୀମା ଘୋଷଣା କରିବା ଏକ୍ଷେତ୍ରରେ ଉଲ୍ଲେଖନୀୟ ପଦକ୍ଷେପ ଅଟେ । ଭାରତବର୍ଷର ଅଧାରୁ ଅଧିକ ଲୋକ କୃଷିକ୍ଷେତ୍ରରେ କାମ କରୁଥିବାରୁ ସେମାନଙ୍କର ରୋଜଗାର ଏହାରି ଉପରେ ନିର୍ଭର କରିଥାଏ । ରାଷ୍ଟ୍ରୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ନରେଗା) ପାଇଁ ପୂର୍ବ ଅପେକ୍ଷା କମ ଅର୍ଥ ବରାଦ କରାଯାଇଥିଲେ ମଧ୍ୟ ଏହି ଅର୍ଥରେ ୫ ଲକ୍ଷ ପୋଖରୀ ଖୋଳାଇବାର ଲକ୍ଷ୍ୟ ଧାର୍ଯ୍ୟ କରି ଯୋଜନାକୁ କର୍ମ ଅଭିମୁଖୀ କରାଯାଇଛି । ଶିକ୍ଷା, ସ୍ୱାସ୍ଥ୍ୟ ପରି ସାମାଜିକ କ୍ଷେତ୍ରମାନଙ୍କରେ ଅଧିକ ଅର୍ଥ ବ୍ୟବସ୍ଥା କରି ବଜେଟରେ ଅର୍ଥ ସଂଗ୍ରହ କରିବା ପାଇଁ ବ୍ୟବସାୟ ପଦ୍ଧତିକୁ ସରଳୀକରଣ କରାଯାଇଛି । ଯେମିତିକି ଏବେ ଦିନକ ମଧ୍ୟରେ କମ୍ପାନୀ ପଞ୍ଜିକରଣ ହୋଇପାରିବ । ଶିଳ୍ପମାନେ ବ୍ୟାଙ୍କରୁ ବହୁତ ଋଣ ନେଇ ସୁଝୁନଥିବାରୁ ସରକାର ଏହି ବଜେଟରେ ୨୫,୦୦୦ କୋଟି ଟଙ୍କା ବ୍ୟାଙ୍କମାନଙ୍କୁ ମୂଳଧନ ଆକାରରେ ଯୋଗାଇବେ । ତେଣୁ ସେମାନେ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପୋଦ୍ୟୋଗୀମାନଙ୍କୁ ଋଣ ଦେଇପାରିବେ । ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ୧୦୦ ଭାଗ ବିଦେଶୀ ପୁଞ୍ଜିକୁ ଅନୁମତି ଦେଇ ଅଧିକ ଚାକିରୀ ସୃଷ୍ଟିର ସମ୍ଭାବନା ସୃଷ୍ଟି କରାଯାଇଛି । ଆଧରକାର୍ଡକୁ ଆଇନଗତ ଓ ସାମ୍ବିଧାନିକ ମାନ୍ୟତା ଦେବା ଦ୍ୱାରା ପ୍ରକୃତ ଦରିଦ୍ରମାନଙ୍କୁ ଚିହ୍ନଟ କରିବାର ସୁଯୋଗ ମିଳିବ ଓ ଅନୁପ୍ରବେଶକାରୀମାନଙ୍କୁ ଧରିହେବ । କେନ୍ଦ୍ର ରାଜସ୍ୱର ୫୮% ରାଜ୍ୟମାନଙ୍କୁ ଦିଆଯିବା ଦ୍ୱାରା ରାଜ୍ୟମାନେ ଅସନ୍ତୋଷ ପ୍ରକାଶ କରିବାର ଆଉ କାରଣ ରହିବ ନାହିଁ । ରେଳପଥ ଓ ଜାତୀୟ ରାଜପଥ ନିର୍ମାଣ ପାଇଁ ୨ ଲକ୍ଷ କୋଟି ଟଙ୍କାରୁ ଅଧିକ ବ୍ୟବସ୍ଥା କରାଯିବା ଦ୍ୱାରା ଆର୍ଥିକ ବିକାଶ ସହ କର୍ମନିଯୁକ୍ତି ମଧ୍ୟ ବଢ଼ିପାରିବ ।
କିନ୍ତୁ ଏସବୁ ଯୋଜନାକୁ କାର୍ଯ୍ୟରେ ପରିଣତ କରିବାର ଦାୟିତ୍ୱ ରାଜ୍ୟ ସରକାରମାନଙ୍କର ଓ କେନ୍ଦ୍ର ସେମାନଙ୍କୁ ଯୋଜନାର ସଫଳ ରୂପାୟନ ପାଇଁ କେତେଦୂର ପ୍ରଭାବିତ କରିପାରିବ ତାହା ଦେଖିବାକୁ ପଡ଼ିବ । ବଜେଟର ଉଦେ୍ଦଶ୍ୟ ମହତ, କିନ୍ତୁ ତାହା କେତେଦୂର କାର୍ଯ୍ୟାନ୍ୱିତ ହୋଇପାରିବ ତାହା ମୋଦି ସରକାରଙ୍କର ଦକ୍ଷତା ଉପରେ ନିର୍ଭର କରେ ।

Share in top social networks!